ଓଡ଼ିଶାଲାଇଭ୍ ବ୍ୟୁରୋ
ମହାକାଶ ବିଜ୍ଞାନର ଏକ ସ୍ୱର୍ଣ୍ଣିମ ଅଧ୍ୟାୟର ପରିସମାପ୍ତି ଘଟିଛି। ଶନି ମଣ୍ଡଳରେ ‘କାସିନି ସ୍ପେସ କ୍ରାଫ୍ଟକୁ ବିଲୀନ କରିଦେଇଛନ୍ତି ନାସାର ବୈଜ୍ଞାନିକ। ଫଳରେ ‘କାସିନି’ର ସଫଳ ଅଭିଯାନର ଅନ୍ତ ଘଟିଛି। ୨୦ ବର୍ଷ ଧରି ନିରନ୍ତର ଯାତ୍ରା କରିବା ପରେ ଏହି ସ୍ପେସ କ୍ରାଫ୍ଟରେ ଇନ୍ଧନ ସରି ଆସିବାରୁ ଏହାକୁ ବିଲୀନ କରିବାକୁ ନିଷ୍ପତି ନେଇଥିଲେ ବୈଜ୍ଞାନିକ।
କ’ଣ ଏହି ‘କାସିନି’?
ପୂରା ନାମ କାସିନି-ହୁଇଜେନ୍ସ। ଇଟଲୀୟ-ଫ୍ରେଞ୍ଚ ଜ୍ୟୋତିର୍ବିଦ ଜିଓଭାନି ଡୋମେନିକୋ କାସିନି (ଯିଏ ଶନି ଗ୍ରହର ବଳୟ ସଂପର୍କ ବିସ୍ତୃତ ତଥ୍ୟ ଦେଇଥିଲେ) ଏବଂ ଡଚ୍ ଜ୍ୟୋତିର୍ବିଦ ତଥା ଗଣିତଜ୍ଞ ଖ୍ରୀଷ୍ଟିଆନ ହୁଇଜେନ୍ସଙ୍କ ନାମ ଅନୁସାରେ ଏହାର ନାମକରଣ କରାଯାଇଥିଲା। ହେଲେ ଏହା ‘କାସିନି’ ନାମରେ ଅଧିକ ପରିଚିତ। ଏହା ହେଉଛି ଏକ ମାନବହୀନ ରୋବୋଟିକ୍ ସ୍ପେସ କ୍ରାଫ୍ଟ ବା ଓଡ଼ିଆରେ ଆମେ ତାକୁ ଅନ୍ତରୀକ୍ଷ(ମହାକାଶ) ଯାନ କହିପାରିବା।
ଆମେରିକାର ଅନ୍ତରୀକ୍ଷ ଗବେଷଣା କେନ୍ଦ୍ର ‘ନାସା’, ୟୁରୋପୀୟ ସ୍ପେସ ଏଜେନ୍ସି ଏବଂ ଇଟାଲୀୟ ସ୍ପେସ ଏଜେନ୍ସି ମିଳିତ ଭାବେ ଏହି ସ୍ପେସ କ୍ରାଫ୍ଟକୁ ପ୍ରେରଣ କରିଥିଲେ। ଶନି ଗ୍ରହକୁ ପ୍ରେରଣ ହୋଇଥିବା ଏହି ମହକାଶ ଯାନ, ଶନି ଚାରପଟେ କୃତ୍ରିମ ଉପଗ୍ରହ ଭଳି ପରିକ୍ରମଣ କରୁଥିଲା।
‘କାସିନି’ର ସ୍ୱର୍ଣ୍ଣିମ ଅଭିଯାନ
ପ୍ରାୟ ୨୦ ବର୍ଷ ତଳେ ଅର୍ଥାତ୍ ଅକ୍ଟୋବର ୧୫, ୧୯୯୭ ମସିହାରେ ଭୂପୃଷ୍ଠରୁ ଶନି ଅଭିମୁଖେ ଯାତ୍ର ଆରମ୍ଭ କରିଥିଲା ‘କାସିନି’।
ଜୁନ ୩୦, ୨୦୦୪। ଶନି କକ୍ଷପଥରେ ପ୍ରବେଶ କଲା ‘କାସିନି’। ୬ ବର୍ଷ ୨୬୧ ଦିନର ଯାତ୍ରା ପରେ ଶନି ଗ୍ରହର କକ୍ଷପଥରେ ଉପସ୍ଥାପିତ ହେବା ପରେ ପରିକ୍ରମଣ ଆରମ୍ଭ କଲା ଏହି ମହାକାଶ ଯାନ। ନାସା ନେତୃତ୍ଵରେ ଚାଲିଥିବା ଶନି ଅଭିଯାନର ସଫଳ ଅଧ୍ୟାୟ ଏହି ଦିନଠାରୁ ଆରମ୍ଭ ହେଲା। ଜାନୁଆରୀ ୧୪, ୨୦୦୫ ମସିହାରେ ଶନିର ପ୍ରାକୃତିକ ଉପଗ୍ରହ ‘ଟାଇଟାନ’ ପୃଷ୍ଠରେ ପହଁଚିଥିଲା ‘କାସିନି’। ଏହାପରେ ଏହି ମିସନର ସଫଳତା ଆକାଶଛୁଆଁ ହୋଇଥିଲା।
୧୩ ବର୍ଷରୁ ଅଧିକ ଦିନ ଧରି ଶନି ଚାରିପଟେ ପରିକ୍ରମା କରି ଗୋଟିଏ ପରେ ଗୋଟିଏ ତଥ୍ୟ ଦେଇଥିଲା ‘କାସିନି’। ଆମେ ଆଜି ଶନି ଗ୍ରହର ବଳୟର ଯେଉଁ ସୁନ୍ଦର ଫଟୋ ଦେଖୁଛେ, ତାହା ହେଉଛି ‘କାସିନି’ର ଅବଦାନ।
ଶନି ଓ ତାର ମଣ୍ଡଳର ଭିନ୍ନ ଭିନ୍ନ ଦିଗରୁ ପ୍ରାୟ ୪ ଲକ୍ଷ ଫଟୋ ପୃଥିବୀକୁ ପଠାଇଛି ‘କାସିନି’। ଉଚ୍ଚତର ଗବେଷଣା ପାଇଁ ୬୦୦ଜିବିର ଡାଟା ମଧ୍ୟ ଏହି ସ୍ପେସ କ୍ରାଫ୍ଟ ପଠାଇଛି।
ଶନି ଗ୍ରହର ଦୁଇଟି ଉପଗ୍ରହ ‘ଟାଇଟାନ’ ଏବଂ ‘ଏନକେଲାଡସ’ ସଂପର୍କରେ ଅନେକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ମିଳିଛି ନାସାର ଏହି ସଫଳ ମିସନରେ।
ଶନିର ‘ଚନ୍ଦ୍ରମଣ୍ଡଳ’, ଆଉ ଏକ ଛୋଟ ସୌର ମଣ୍ଡଳ ଭଳି ପ୍ରତ୍ୟୟ ହେଉଥିବା ଜାଣିଥିବା ମିଳିଥିଲା ଏହି ଗବେଷଣାରୁ। ସେହିପରି ‘ଟାଇଟାନ’ରେ ମିଥେନ ଗ୍ୟାସ ଏବଂ ‘ଏନକେଲାଡସ’ରେ ଲୁଣ ପାଣିର ଉତ୍ସ ଥିବା ଜଣାଇଥିଲା ‘କାସିନି’।
ଶନିର ବଳୟ ଧୁଳିକଣା ଓ ଧୁଆଁରେ ଭର୍ତ୍ତି ହୋଇଥିବା ଜାଣିବାକୁ ମିଳିଥିଲା। ଶନି ଓ ତା’ର ଉପଗ୍ରହରେ ଜୀବସତ୍ତା ଅଛି କି ନାହିଁ, ସେ ସଂପର୍କରେ ତଥ୍ୟ ଦେବା ପାଇଁ ‘କାସିନି’ରେ ବ୍ୟବସ୍ଥା ନଥିଲା।
ତେବେ ଆଉ ଗୋଟିଏ ତଥ୍ୟ ହାସଲ ପାଇଁ ଉଦ୍ୟମ ହୋଇଥିଲେ ବି ସଫଳତା ମିଳିନଥିଲା, ତାହା ହେଲା ଶନି ଗ୍ରହରେ ଗୋଟିଏ ଦିନ କେତେ ସମୟ ରହିଥାଏ। ଏହି ତଥ୍ୟ ଦେବାରେ ଫେଲ ମାରିଥିଲା ‘କାସିନି’।
ଏତେ ବଡ଼ ମିଶନର ଅନ୍ତ ହେଲା କାହିଁକି?
ଅନ୍ତରୀକ୍ଷ ଯାନ ‘କାସିନି’ରେ ଇନ୍ଧନ ସରି ଆସୁଥିଲା। ଏହାର ମୁଖ୍ୟ ଇଞ୍ଜିନକୁ ଇନ୍ଧନ ଯୋଗାଉଥିଲା ରେଡିଓ ଆଇସୋଟପ୍ ଥର୍ମୋ-ଇଲେକଟ୍ରିକ ଜେନେରେଟର। ଧୀରେ ଧୀରେ ଇନ୍ଧନ ସରିଆସୁଥିବା ଜଣାପଡିବା ପରେ ଏହି ସଫଳ ମିସନର ଅନ୍ତ ଘଟାଇବାକୁ ନିଷ୍ପତି ନେଇଥିଲେ ବୈଜ୍ଞାନିକ। ଏହା ନହୋଇଥିଲେ ‘କାସିନି’ ପିଟି ହୋଇଯାଇଥାନ୍ତା ‘ଟାଇଟାନ’ ସହ। ‘ଟାଇଟାନ’ରେ ଜୀବସତ୍ତା ଥାଇପାରେ ବୋଲି ବୈଜ୍ଞାନିକମାନଙ୍କ ସନ୍ଦେହ ରହିଛି। ‘ଟାଇଟାନ’ ପୃଷ୍ଠ ପ୍ରଦୂଷଣ ହେବା ଆଶଙ୍କା ଥିବାରୁ ‘କାସିନି’ର ମିସନକୁ ଶେଷ କରାଗଲା।
ଶୁକ୍ରବାର ଥିଲା ‘କାସିନି’ର ଶେଷ ଦିନ। ଶେଷ ଦିନରେ ବି ପୃଥିବୀକୁ ସିଗନାଲ ପଠାଇଥିଲା ଏହି ସ୍ପେସ କ୍ରାଫ୍ଟ। ଆମେରିକାର ସ୍ଥାନୀୟ ସମୟ ୭ଟା ୫୫ ମିନିଟରେ ନାସା ରେକର୍ଡ କରିଥିଲା ଏହାର ଶେଷ ସିଗନାଲ। କକ୍ଷପଥରୁ ‘କାସିନି’କୁ ବିଚ୍ୟୁତ କରିବା ପରେ ମାଧ୍ୟାକର୍ଷଣ ଯୋଗୁଁ ଶନି ମଣ୍ଡଳ ମଧ୍ୟକୁ ଏହା ପ୍ରବେଶ କରିଥିଲା। ଏହା ପରେ ଅନ୍ତରୀକ୍ଷରେ ଜଳିଯାଇଥିଲା ‘କାସିନି’। ଆଉ ଅନ୍ତରୀକ୍ଷ ବିଜ୍ଞାନୀଙ୍କୁ ଦେଇଯାଇଥିଲା ଅନେକ ରହସ୍ୟର ସମାଧାନ।
Tags: Cassini, Saturn, NASA, Cassini Spacecraft, death dive, CassiniSaturn, Cassini mission, Saturn probe, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories
Beautiful story.