ଗୋବିନ୍ଦ ଚନ୍ଦ୍ର ଚାନ୍ଦ

ଲେଖକ ଏବଂ ଇଂରାଜୀ ଭାଷାର ପ୍ରଫେସର ସ୍ୱର୍ଗତଃ ଗଣେଶ୍ୱର ମିଶ୍ରଙ୍କ ସମ୍ପର୍କରେ ସମାଜର ବିଭିନ୍ନ ବର୍ଗର ପରିଚିତ ବ୍ୟକ୍ତିଙ୍କ ସ୍ମୁତିଚାରଣ। ବର୍ତ୍ତମାନ ଓ ପରବର୍ତ୍ତୀ ପିଢିସହ ଗଣେଶ୍ୱରଙ୍କୁ ଯୋଡ଼ିବାଲାଗି ଓଡ଼ିଶାଲାଇଭ୍ ପକ୍ଷରୁ ଏହି କ୍ଷୁଦ୍ର ପ୍ରୟାସ।

୧୯୫୬ ମସିହା। ସେ ଲେଖିଥିଲେ ଗୋଟିଏ ଶିଶୁ ମନଲାଖି କବିତା ‘ମୁଢ଼ି ଆଉ ନଡ଼ିଆ’। ଏହା ଶିଶୁ-ସାହିତ୍ୟ ପତ୍ରିକା ‘ଟୁଆଁଟୁଇଁ’ ପ୍ରକାଶିତ ହୋଇଥିଲା ଓ ଛପା ଅକ୍ଷରରେ ନିଜର ଏଇ ଲେଖାକୁ ଦେଖି ଲେଖକ ଖୁବ୍‌ ଉଲ୍ଲସିତ ହୋଇଥିଲେ। ସେହି ସମୟ କଥା। ସେ ଯାଇଥିଲେ ତାଙ୍କର ଜଣେ ସହିପାଠୀ ବନ୍ଧୁଙ୍କ ଘରକୁ। କଥାବାର୍ତ୍ତା ସାରି ତାଙ୍କ ଘରୁ ବାହାରି ଆସିବା ବେଳକୁ ପ୍ରାଥମିକ ସ୍କୁଲରେ ପଢ଼ୁଥିବା ତାଙ୍କର ସାନଭାଇ ଓ ଭଉଣୀ ବଡ଼ପାଟିରେ ଗାଇ ଚାଲିଥିଲେ – “ମୁଢ଼ି ଆଉ ନଡ଼ିଆ/ ଲାଗେ ଭାରି ବଢ଼ିଆ/ ଆଈ କୋଳେ ବସି ସୁଖେ/ହେଣ୍ଡିମାରେ ଧଡ଼ିଆ।”

ପିଲାମାନେ ପୂରା କବିତାଟିକୁ ମୁଖସ୍ଥ କରିଦେଇଥିଲେ। ଏହା ଥିଲା ଲେଖକଙ୍କ ପାଇଁ ମନେରଖିବା ଭଳି ଅନୁଭୂତି। ଗୀତଟି ପିଲାମାନଙ୍କୁ ଭଲ ଲାଗିବ ଆଉ ସେମାନେ ଏହାକୁ ପୂରା ମୁଖସ୍ଥ କରି ଗାଇବେ ଏହା ତାଙ୍କ ମନକୁ ରେଖାଙ୍କିତ କରିଥିଲା। ପୁରୀ ଜିଲ୍ଲା ସ୍କୁଲରୁ ପ୍ରକାଶିତ ଷାଣ୍ମାସିକ ସାହିତ୍ୟ ପତ୍ରିକା ‘ମହୋଦଧି’ରେ ପ୍ରକାଶିତ ହୋଇଥିଲା ତାଙ୍କର ପ୍ରଥମ ଲେଖା। ସେଦିନଠାରୁ ଆଜି ପର୍ଯ୍ୟନ୍ତ – ଦୀର୍ଘ ଛ’ ଦଶନ୍ଧିରୁ ଅଧିକକାଳ ଧରି ସେ ଲେଖି ଚାଲିଥିଲେ ଆମର ଶିଶୁ-କିଶୋରମାନଙ୍କ ପାଇଁ। ଜୀବନର ଅପରାହ୍ନରେ ସେ ମନେ ପକାଉଥିଲେ ସେ ଦିନର କଥା, “ସେମାନେ ଗାଉଥିଲେ ମୋ’ କବିତାଟି।

କବିତାଟି ସେମାନଙ୍କର ମୁଖସ୍ଥ ଥିଲା। ସେମାନେ ୟା’ ଭିତରେ କବିତାଟି ଭୁଲିଯାଇଥିଲେ ନିଶ୍ଚୟ। ତେବେ, ସେମାନେ ମୋ’ କବିତାଟି ଗାଉଥିବା ତଥାପି ମୁଁ ଶୁଣିପାରୁଛି।” ପ୍ରଥମ ଲେଖା ପ୍ରକାଶ ହେବାର ପଚାଶ ବର୍ଷ ପରେ ପ୍ରାରିସ୍‌ରୁ ଷୋହଳ ବର୍ଷୀୟ ସୁଜେନ୍ ଲୋପେଜ୍‌ଙ୍କ ଚିଠିଟି ଲେଖକଙ୍କ ପାଖରେ ପହଞ୍ଚିଲା। ସେ ଚିଠିରେ ଲେଖାଥିଲା, “ମୁଁ ଏବେ ଆପଣଙ୍କୁ ଆବିଷ୍କାର କରୁଛି…। ଆପଣଙ୍କର ଇଂରାଜୀ କବିତା କେତୋଟି ପଢ଼ିଲି। ସତରେ ଚମତ୍କାର…।” ଓଡ଼ିଆ ଶିଶୁ-କିଶୋରଙ୍କଠାରୁ ପ୍ୟାରିସ୍‌ର ଯୁବକଙ୍କ ପର୍ଯ୍ୟନ୍ତ ଅନେକଙ୍କୁ ତାଙ୍କ ଲେଖା ଛୁଉଁଥିଲ ଆଉ ଏ ସମ୍ପର୍କରେ ଆଉ ଉପଲବ୍ଧ ଥିଲା, “ଲେଖାଟିଏ ପ୍ରକାଶିତ ହେବା ପରେ ସେଥିରେ ଡେଣା ଲାଗିଯାଏ ଓ ତାହା ଜୀବନ୍ୟାସ ପାଇ ବାହାରକୁ ଉଡ଼ିଯାଏ।

ସେଇ ଉଡ଼ନ୍ତା ଜୀବନଟି କେବେ ବସେ ଆପଣଙ୍କ ପଡ଼ୋଶୀ ବନ୍ଧୁଙ୍କ ବଗିଚାର ବୃକ୍ଷ ଡାଳରେ ତ କେବେ ହଜିଯାଏ ସୁଦୂର ଆକାଶରେ- କେହି ଜଣେ ତାକୁ ଚିହ୍ନିପକାଏ ପ୍ୟାରିସ୍‌ର କେଉଁ ଆପାର୍ଟମେଣ୍ଟରେ। ଲେଖାଟି ସ୍ଥବିର ନୁହେଁ – ଉଡୁଥିବା ଅବସ୍ଥାରେ ସେ କାହାରି ନା କାହାରି ଦୃଷ୍ଟିରେ ପଡ଼େ ନିଶ୍ଚୟ।” (ଲେଖାର ଡେଣା)

ଏ ସ୍ରଷ୍ଟା ପ୍ରଫେସର ଗଣେଶ୍ୱର ମିଶ୍ର (୧୯୪୨-୨୦୧୫)। ଛ’ ଦଶନ୍ଧି ଧରି  ସାରସ୍ୱତ ଯାତ୍ରାରେ ପଡ଼ିଛି ପୂର୍ଣ୍ଣଛେଦ। ସେ ହୋଇଯାଇଛନ୍ତି ଅଫେରା ପଥର ଯାତ୍ରୀ। ପୁରୀ ଜିଲ୍ଲାର ଶ୍ରୀପୁରୁଷୋତ୍ତମପୁର ଜନ୍ମସ୍ଥାନରୁ ପୁରୀ ସହରର ପଥୁରିଆ ସାହି ଓ ସେଠାରୁ ଭୁବନେଶ୍ୱର ଗଜପତି ନଗରର କର୍ମଭୂମି ଜୀବନର ଅନେକ ଉତ୍‌ଥାନ ପତନର  ସାକ୍ଷୀ ହୋଇଛି।

ଉଚ୍ଚଶିକ୍ଷା, ବିଦେଶରେ ଗବେଷଣା, ବୃତ୍ତିଗତ ଜୀବନରେ ନିଜକୁ ପ୍ରମାଣିତ କରିଥିବା ଶ୍ରୀ ମିଶ୍ର ନିଜର ଛଅ ଦଶନ୍ଧି ଧରି ଯେଉଁ ସାରସ୍ୱତ ବିଭାଗଟିକୁ ଆପଣାଇ ନେଇଥିଲେ ତାହା ହେଉଛି ଶିଶୁ-କିଶୋର ସାହିତ୍ୟ। ସବୁବେଳେ ସେ ଶୁଣିଥିଲେ, କେହି ପିଲାମାନେ ଯେପରି ଗାଉଛନ୍ତି, “ମୁଢ଼ି ଆଉ ନଡ଼ିଆ/ ଲାଗେ ବଡ଼ ବଢ଼ିଆ।” କଥା ସାହିତ୍ୟ ଓ ପ୍ରବନ୍ଧ ଆଲୋଚନା ସାହିତ୍ୟରେ ନିଜକୁ ପ୍ରତିପାଦିତ କରିଥିବା ଏହି ସ୍ରଷ୍ଟା କିନ୍ତୁ ଶିଶୁ-କିଶୋର ସାହିତ୍ୟକୁ ସମାନ ଗୁରୁତ୍ୱ ଦେଇଆସିଥିଲେ। ଓଡ଼ିଆର ଲୋକଗପ, ମନ୍ଦିର ଗପ ଓ ଆଦିବାସୀ ଗପକୁ ପିଲାମାନଙ୍କ ପାଇଁ ଇଂରାଜୀରେ ରଚନା କରି ଓଡ଼ିଶାର ସାହିତ୍ୟ ଓ ସଂସ୍କୃତିକୁ ଏକ ବିପୁଳ ପୃଥ୍ୱୀକୁ ଭେଟି ଦେଇଥିଲେ, ଯାହା ଆମ ସାହିତ୍ୟରେ ସବୁବେଳେ ଏକ ବଡ଼ ଆହ୍ୱାନ ହୋଇରହିଛି।

‘ଦି ଷ୍ଟୋରୀ ଅଫ୍ ମାଇଁ ଚାଇଲ୍ଡ ହୁଡ୍’ ଭିତରେ ବେଶ୍‌ ସରଳ ଓ ସାବଲୀଳ ଶୈଳୀରେ ନିଜର ଜୀବନ କଥା କହିବା ଭିତରେ ଗାଁ’ର ଛବି ଓ ଓଡ଼ିଆର ବାଲିଚଳନକୁ ଉପସ୍ଥାପନ କରିଛନ୍ତି। ସେତେବେଳର ଓଡ଼ିଶାର ନିଟୋଳ ଛବି ଏଥିରେ ରହିଛି, ଯେମିତି ରହିଛି ତାଙ୍କର ଆତ୍ମଜୀବନୀ ପୁସ୍ତକ ‘ନିଜ ଠିକଣା’।

ସାରା ଜୀବନ ଠିକଣା ଖୋଜି ଚାଲିଥିଲେ ସେ। ଜୀବନକୁ ବୁଝୁଥିଲେ। ଜୀବନାନୁଭୂତି ସାଉଁଟୁଥିଲେ ଓ ସେହି ଜୀବନାନୁଭୂତି ରୂପ ପାଉଥିଲା ସାହିତ୍ୟର ବିବିଧ ବିଭାଗରେ। ଦୀର୍ଘ ଦିନର ସମ୍ପର୍କ। ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଥିବା ବେଳେ ଅନେକ ବାର କହୁଥିବ କେବେ ଘର ଆଡ଼େ ଆସ। ସେତେବେଳେ ଦୁଇତିନି ଥର ମଧ୍ୟ ଘରକୁ ଯାଇଥିଲି। ବିଭିନ୍ନ ପ୍ରସଙ୍ଗରେ କଥାବାର୍ତ୍ତା। ସାହିତ୍ୟ ଏକାଡେମୀ ପୁରସ୍କାରରେ ରହିଯାଇଥିବା ତ୍ରୁଟିକୁ ମଧ୍ୟ ମୁକ୍ତମନରେ ସ୍ୱୀକାର କରିଥିଲେ।

କହିଥିଲେ, ହଁ, ଗୋଟିଏ ଦୁଇଟି ବିଭାଗରେ ବିଚାର ଠିକ୍‌ ହେଲା ନାହିଁ। କଟକ ମର୍କତନଗରରେ ସମୁଦି ପ୍ରସନ୍ନ ମିଶ୍ରଙ୍କ ଘରକୁ ଆସୁଥିବା ବେଳେ ଡାକରାରେ ସେଠାରେ ପହଞ୍ଚିବାକୁ ଦେଉଥିଲା। ଦିନେ ଦିନେ ଫୋନ୍‌ କରି କହିବେ ‘ଘର ଆଡ଼େ ଆସିବ’। ସେତେବେଳେ ସମ୍ବାଦପତ୍ର ‘ଖବର’ରେ କାର୍ଯ୍ୟ କରୁଥାଏ। ତାଙ୍କ ଘରକୁ ଯିବା ପାଇଁ ବସ୍‌ରେ ନଆସି ଗାଡ଼ି ନେଇ ଆସେ। ସନ୍ଧ୍ୟାରେ ଅଫିସ୍‌ କାମ ସରିଲେ ତାଙ୍କୁ ସାକ୍ଷାତ୍‌ କରେ।

ଗଜପତି ନଗର ଘରର ଉପର ମହଲା ବାଲକୋନିରେ ବସି ବି କିଛି ଅନ୍ତରଙ୍ଗ ମୁହୂର୍ତ୍ତ ଅତିବାହିତ ହୋଇଯାଉଥିଲା। ପ୍ରକାଶ ପାଇଥିବା ପୁସ୍ତକ ସେ ଆଣି ଦେଉଥିବେ। ଆଗକୁ କିଛି କରିବାର ଯୋଜନା ସମ୍ପର୍କରେ କହୁଥିବେ। ସେଥିରେ ମୁଁ ସଂପୃକ୍ତ ହୁଏ, ତାହା ମଧ୍ୟ ଚାହୁଁଥିଲେ। ଏହି ଅନ୍ତରଙ୍ଗ ମୁହୂର୍ତ୍ତରେ ବର୍ତ୍ତମାନର ଜୀବନ, ସମୟ ସମ୍ପର୍କରେ ନିଜର ଉପଲବ୍ଧିଟି କହିଚାଲିଥିବେ। ଘରକୁ ଡକାଇ ଦୀର୍ଘ ସମୟ କଥାବାର୍ତ୍ତା କରିବା ଭିତରେ ଅନେକ କଥା କହୁଥିବେ।

‘ଖବର’ରେ ସମୀକ୍ଷା କରିବା ପାଇଁ ମଧ୍ୟ କିଛି ବହି ବଢ଼ାଇ ଦେଉଥିବେ। ମୁଁ ସାଥୀରେ ନେଇଥିବା ବହି ବା ପତ୍ରିକା ତାଙ୍କୁ ବଢ଼ାଇ ଦିଏ। ‘ଓଡ଼ିଶା ଶିଶୁ- ସାହିତ୍ୟ ଲେଖକ ସମ୍ମେଳନ’ ସମାବର୍ତ୍ତନ ଉତ୍ସବରେ ଆମ୍ଭେମାନେ ତାଙ୍କୁ ଅତିଥି କରିଥାଉ। ମାତ୍ର ଅସୁବିଧାବଶତଃ ସେ ଆସି ପାରିଲେ ନାହିଁ। ପରେ ତାଙ୍କ ଘରକୁ ଯାଇ ଏହାର ମୁଖପତ୍ର ‘କିଶଳୟ’ ତାଙ୍କୁ ଦେଇ ଆସିଲି। ପରେ ସେହି ମୁଖପତ୍ରରେ ବିଭିନ୍ନ ଶିଶୁ-ସାହିତ୍ୟ ସ୍ରଷ୍ଟାଙ୍କ ସମ୍ପର୍କରେ ପ୍ରକାଶ ପାଇଥିବା କିଛି ଲେଖା ‘ପ୍ରମେୟ’ ସମ୍ବାଦପତ୍ରରେ ସେ ପ୍ରକାଶ କରିଥିଲେ। ଫୋନ୍ କରି କହିଲେ ‘କିଶଳୟ’ ଭଲ କାମରେ ଲାଗିଲା। ଦିନେ ମୋର ତାଙ୍କ ନିକଟକୁ ଯିବାର ଥାଏ। ଏକାଠି ଗଲୁ ଡକ୍ଟର ଶାନ୍ତି ମହାପାତ୍ର (ବଳ) ଓ ମୁଁ। ଡକ୍ଟର ମହାପାତ୍ର (ବଳ)ଙ୍କୁ ଦେଖି ସେ ଖୁବ୍‌ ଖୁସି ହୋଇଗଲେ। ଫିଟିଗଲା ଅନୁଭୂତିର ଅନେକ ଖିଅ।

‘ଖବର’ରେ ସାହିତ୍ୟ ପୃଷ୍ଠା ‘ସାହିତ୍ୟ ଜଗତ’ ସମ୍ପାଦନା କରିବା ବେଳକୁ ସେହି ପୃଷ୍ଠାରେ ତାଙ୍କର ଧାରାବାହିକ ସ୍ତମ୍ଭ ପ୍ରକାଶ ପାଇଆସୁଥିଲା। ଅଳ୍ପରେ ସାହିତ୍ୟ ଓ ସାହିତ୍ୟ ସମ୍ପର୍କୀୟ ଜୀବନାନୁଭୂତିକୁ ବାଢ଼ୁଥିଲେ ସେ।

ସମ୍ପାଦକ ଅଧ୍ୟାପକ  ବିଶ୍ୱରଞ୍ଜନ ସେ ଲେଖାଟି ବଢ଼ାଇ ଦେଉଥିଲେ ମୋ ହାତକୁ। ସେହି ଲେଖା ଭିତରେ ଲେଖକଙ୍କ ପରିବ୍ୟାପ୍ତ ଦୃଷ୍ଟିକୁ ପ୍ରତ୍ୟକ୍ଷ କରିବାକୁ ହୁଏ। ଏହି ସ୍ତମ୍ଭ ସହ ‘ବିଶ୍ୱ ସାହିତ୍ୟ’ ଶୀର୍ଷକ  ସ୍ତମ୍ଭରେ ଡକ୍ଟର ଶୈଳେନ୍ଦ୍ର ନାରାୟଣ ତ୍ରିପାଠୀଙ୍କ ଲେଖା ମଧ୍ୟ ସେତେବେଳେ ଏହି ପୃଷ୍ଠାରେ ପ୍ରକାଶ ପାଉଥିଲା। ଜୀବନର ଯାତ୍ରା ପଥରେ ଅନେକ ସାରସ୍ୱତ ସହଯାତ୍ରୀଙ୍କ ପାଇଁ କିଛି ନା କିଛି କରିଚାଲିଥିଲେ ସେ।

ସାରସ୍ୱତ ଭିତ୍ତିଟି ପକାଇବାଠାରୁ ଗ୍ରନ୍ଥ ସମ୍ପାଦନା ଯାଏଁ ଅନେକ କାର୍ଯ୍ୟ। କେତେକଙ୍କ ନିକଟରେ ରହିଛି ଏହିପରି ଅକପଟ ଶ୍ରଦ୍ଧା। ‘ସମାଜ’, ‘ପ୍ରମେୟ’ ପରି ଅନେକ ସମ୍ବାଦପତ୍ର ଓ ପତ୍ରପତ୍ରିକାର ସମ୍ପାଦନା, ଉତ୍କଳ ବିଶ୍ୱବିଦ୍ୟାଳୟ ଇଂରାଜୀ ଭାଷାସାହିତ୍ୟ ବିଭାଗର ପ୍ରଫେସର, ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଭାବେ ଦାୟିତ୍ୱ ନିର୍ବାହ, ତାଙ୍କ କର୍ମମୟ ସାରସ୍ୱତ ଜୀବନର ଅନ୍ୟ ଗୋଟିଏ ଗୋଟିଏ ଉଜ୍ଜ୍ବଳ ଦିଗ।

ଜୀବନରେ ଅନେକ ଝଡ଼ ଦେଖିଛନ୍ତି ସେ। ମାତ୍ର ଚାରିବର୍ଷ ବୟସରେ ମା’ଙ୍କୁ ସେ ହରାଇଥିଲେ ଆଉ ଜୀବନର ଅପରାହ୍ନରେ ପୁତ୍ର ବିୟୋଗକୁ ମଧ୍ୟ ସାମ୍ନା କରିଥିଲେ। ନିଜ ଭିତରୁ ଉତୁରି ଆସୁଥିବା କୋହକୁ ସେ ଚାପି ଦେଉଥିଲେ। ମା’ ଗୌରୀ ଓ ପିତା ବାନାମ୍ବରଙ୍କ ସେ ପୁତ୍ର ଥିଲେ ଓ ଯଥାର୍ଥରେ ତାଙ୍କ ନାମକରଣ କରାଯାଇଥିଲା ଗଣେଶ୍ୱର।

ବିଭିନ୍ନ ଭାଷା- ସାହିତ୍ୟରେ ବିଦ୍‌ବତ୍ତା, ମୌଳିକ ଦୃଷ୍ଟିକୋଣ ତାଙ୍କୁ ଅନ୍ୟମାନଙ୍କଠାରୁ ସ୍ୱତନ୍ତ୍ର ଭାବେ ଚିହ୍ନଟ କରୁଥିଲା। ଇଂରାଜୀ ଭାଷା ସାହିତ୍ୟରେ ଶିକ୍ଷା, ଗବେଷଣା ଓ ଅଧ୍ୟାପନା ମାତ୍ର ଓଡ଼ିଆ ସାହିତ୍ୟରେ ତାଙ୍କର ଥିଲା ସ୍ୱତନ୍ତ୍ର ପରିଚିତି। ଉପନ୍ୟାସ ‘ସାମୁଦ୍ରିକ’ ତ ନିଜ ନିଜସ୍ୱ ଦୀପ୍ତିରେ ଦୀପ୍ତିମାନ। ଏହାଛଡ଼ା ଆରୋହୀ, ନେତା, ସକାଳର ମୁହଁ ଅନେକ ସାରସ୍ୱତ ରଚନା।

ତେବେ ଶିଶୁ- ସାହିତ୍ୟ ରଚନା ‘ବିଲାତରେ ବାବୁ ଓ ବାପୁ’ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିବା ପ୍ରଫେସର ମିଶ୍ର ଶେଷ ଜୀବନରେ ମଧ୍ୟ ଶିଶୁ-ସୁଲଭ ମଣିଷ ଭାବେ ପରିଚିତ ଥିଲେ। ସେ ମଧ୍ୟ ସ୍ୱୀକାର କରିଥିଲେ, “My experience as a child is still fresh and vivid in my mind. I feel I am still a child. I cann’t believe that I am seventy- year old now. I think that my childhood was the happiest period of my life.” (The story of my childhood-p.47) ଶିଶୁ ମନଟି ନେଇ ବଞ୍ଚୁଥିଲେ ସେ। ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଶିଶୁ-ସାହିତ୍ୟକୁ ସମୃଦ୍ଧ କରୁଥିଲେ। ହଜି ଯାଉଥିବା ଗପକୁ ସାଉଁଟି ସେ ଉତ୍ତରପିଢ଼ିକୁ ଭେଟି ଦେଉଥିଲେ।

ବୃହତ୍ତର ପାଠକ ସମାଜ ନିକଟରେ ପହଞ୍ଚାଉଥିଲେ। ଉତ୍ତର ସତୁରୀରେ ନିଜକୁ ପିଲାଟି ବୋଲି ଭାବୁଥିବା ଆମ ସମୟର ଜଣେ ଭଲ ମଣିଷଙ୍କ ଅବର୍ତ୍ତମାନ ଅନେକଙ୍କ ପାଇଁ ସହଜରେ ଗ୍ରହଣ ହେଉନାହିଁ। ମନେ ହେଉଛି ସେ ଅଛନ୍ତି। ଅନ୍ୟମାନଙ୍କୁ ନିଜର ଅନୁଭୂତି ବାଣ୍ଟୁଛନ୍ତି। ନିଜକୁ ଖୋଲି କହିଚାଲିଛନ୍ତି କେତେ ନା କେତେ କଥା…।

ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ଆୟୋଜିତ କଥାକାର କାହ୍ନୁଚରଣ ମହାନ୍ତିଙ୍କ ଜୟନ୍ତୀ ଉତ୍ସବରେ ତାଙ୍କ ଉତ୍ତରପୁରୁଷ ସାରସ୍ୱତ ସ୍ରଷ୍ଟା ପ୍ରଫେସର ଗଣେଶ୍ୱର ମିଶ୍ର ପାଇଁ ନୀରବ ପ୍ରାର୍ଥନା କଲା ବେଳେ ମନେ ପଡ଼ୁଥିଲେ ଅନେକ ସ୍ମୃତିର ସେହି ମଣିଷ। ଆଉ ଆଖି ଲୁହରେ ଭରିଯାଉଥିଲା।

ସୌଜନ୍ୟ-‘ଗଣେଶ୍ୱର ଗରିମା’

LEAVE A REPLY

Please enter your comment!
Please enter your name here