ଓଡିଶାଲାଇଭ୍ ବ୍ୟୁରୋ
ପାର୍ବଣକୁ ନେଇ ସାରା ରାଜ୍ୟରେ ଉତ୍ସବର ମାହୋଲ ଦେଖାଦେଇଛି। ଆଉ ଏତିକି ବେଳେ କେନ୍ଦୁଝର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳିକାଙ୍କୁ ରାସ୍ତାରୁ ଉଠାଇ ନେଇ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ମୁହଁ ଖୋଲିଲେ ଜୀବନରୁ ମାରିଦେବା ପାଇଁ ଧମକ ଦିଆଯାଇଛି। ଏହି ଘଟଣା ଏବେ କେନ୍ଦୁଝରରେ ଚର୍ଚ୍ଚାର ବିଷୟ ହୋଇଛି।
ନାବାଳିକା ଜଣକ ବୁଧବାର ସକାଳେ ସାଙ୍ଗ ସହ କେନ୍ଦୁଝର ଟାଉନ୍ ଆସିଥିଲେ। ସେଠାରେ ଭିଣୋଇଙ୍କ ସାନଭାଇ ଦେଖାହେବାରୁ ୩ ଜଣ ସାନଘାଗରା ଯାଇଥିଲେ ବୁଲିବାକୁ। ସାନ ଘାଗରାରେ ମଉଜ ମସ୍ତି କରିବା ପରେ ବଡ଼ ଘାଗରା ଯାଉଥିଲେ। ରାସ୍ତାରେ ଦୁଇଜଣ ୩ ଜଣଙ୍କୁ ଅଟକାଇ ଟଙ୍କା ମାଗିଥିଲେ। ମାତ୍ର ନାବାଳିକାଙ୍କ ଭିଣୋଇଙ୍କ ଭାଇ ଟଙ୍କା ଦେବାକୁ ମନା କରିବାରୁ ଯୁବକମାନେ ଉତ୍କ୍ଷିପ୍ତ ହୋଇ ଛୁରା ଓ ବ୍ଲେଡରେ ଆକ୍ରମଣ ଉଦ୍ୟମ କରିଥିଲେ।
ଏଥିରେ ଭୟଭୀତ ହୋଇ ଭିଣୋଇଙ୍କ ସାନ ଭାଇ ଏବଂ ନାବାଳିକାଙ୍କ ସାଙ୍ଗ ଦୌଡ଼ିଥିଲେ। ହେଲେ ନାବାଳିକା ଜଣକ ଦୌଡି ନ ପାରି ଯୁବକଙ୍କ ହାବୁଡ଼ରେ ପଡିଯାଇଥିଲେ। ଟଙ୍କା ମାଗୁଥିବା ଯୁବକମାନେ ନାବାଳିକାଙ୍କୁ ଜୋର ଜବରଦସ୍ତ ରାସ୍ତାରୁ ଉଠାଇ ନେଇ ନିକଟସ୍ଥ ଜଙ୍ଗଲକୁ ଟେକିନେଇ ଗଣବଳାତ୍କାର କରିଥିବା ସଦର ଥାନାରେ ଅଭିଯୋଗ ହୋଇଛି। ପୋଲିସ ମାମଲା ରୁଜୁ କରି ୨ ଜଣଙ୍କୁ ଅଟକ ରଖିଛି।