ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): “ଆସନ୍ତା ସାଧାରଣ ନିର୍ବାଚନରେ ଓଡ଼ିଶାର ୨୧ଟି ଲୋକସଭା ନିର୍ବାଚନମଣ୍ଡଳୀରେ ୩୩ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରାଯିବ। ସେମାନଙ୍କୁ ଲୋକସଭାରେ ପ୍ରତିନିଧିତ୍ୱ କରିବା ପାଇଁ ସୁଯୋଗ ଦିଆଯିବ”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

କେନ୍ଦ୍ରାପଡ଼ା ଜିଲ୍ଲାର ବାରୋ ପଡ଼ିଆରେ ମୁଖ୍ୟମନ୍ତ୍ରୀ ମିଶନଶକ୍ତିର ଏକ ବିଶାଳ ମହିଳା ସମାବେଶରେ ଏହା ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଜୁବାବୁ ତାଙ୍କ ଶାସନ ସମୟରେ ସବୁଥିରେ ମହିଳାମାନଙ୍କୁ ୩୩ ପ୍ରତିଶତ ସଂରକ୍ଷଣର ବ୍ୟବସ୍ଥା ଆରମ୍ଭ କରିଥିଲେ। ୨୦୧୨ ମସିହାରେ ଆମ ସରକାର ପଞ୍ଚାୟତିରାଜ ବିଭାଗରେ ପ୍ରତିନିଧିତ୍ୱ କରିବାକୁ ୫୦ ପ୍ରତିଶତ ମହିଳାଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରିଥିଲା।

ନବୀନ କହିଥିଲେ, “୨୦୧୭ରେ ଆମ ସରକାର ଉଭୟ ବିଧାନସଭା ଓ ସଂସଦରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରିବାକୁ ବିଲ୍ ପାସ୍ କରିଥିଲେ। ଏହାକୁ ସମର୍ଥନ କରିବା ପାଇଁ ଆମେ ବିଭିନ୍ନ ରାଜନୀତିକ ଦଳର ସମର୍ଥନ ଲୋଡ଼ିଥିଲୁ। ଭାରତକୁ ଆଗୁଆ ଦେଶ ଭାବରେ ଗଢ଼ିବାକୁ ହେଲେ ମହିଳାମାନଙ୍କୁ ସଶକ୍ତ କରିବା ଆବଶ୍ୟକ।”

ଏହି ସମାବେଶରେ ରାଜ୍ୟ ମିଶନ ଶକ୍ତିର ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ ଯୋଗ ଦେଇଥିଲେ। ସେ କହିଥିଲେ ଯେ ମହିଳାମାନେ ଘର କୋଣରେ ଆଉ ବସି ରହୁ ନାହାନ୍ତି। ମିଶନଶକ୍ତି ଜରିଆରେ ରାଜ୍ୟ ସରକାର ସେମାନଙ୍କୁ ସ୍ୱାବଲମ୍ବୀ କରିଛନ୍ତି। ମହିଳାମାନେ ଏବେ ଟଙ୍କା ରୋଜଗାର କରି ପରିବାର ଚଳାଇବାରେ ସକ୍ଷମ ହୋଇଛନ୍ତି।

ଏହି ସମାବେଶରେ ସମଗ୍ର କେନ୍ଦ୍ରାପଡ଼ା ଜିଲା, କଟକ ଜିଲ୍ଲାର ୪ଟି ବ୍ଲକରୁ ମହିଳାମାନେ ଯୋଗ ଦେଇଥିଲେ।

କେନ୍ଦ୍ରାପଡ଼ା ଜିଲ୍ଲାରେ ୧ କୋଟି ଟଙ୍କା ବ୍ୟୟରେ ଏକ ମିଶନ ଶକ୍ତି ଗୃହ ନିର୍ମାଣ କରାଯିବ। ଏନେଇ ରାଜ୍ୟ ମିଶନ ଶକ୍ତି ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ଏହାଛଡ଼ା ନୁଆ ସ୍ଵୟଂସହାୟିକ ଗୋଷ୍ଠୀମାନଙ୍କୁ ମୁଖ୍ୟମନ୍ତ୍ରୀ ୧୫ ହଜାର ଟଙ୍କାର ଫଣ୍ଡ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here