ଓଡ଼ିଶାଲାଇଭ୍ ବ୍ୟୁରୋ
୩୮ ଦିନର ଲୁଚକାଳି ଶେଷ ହୋଇଛି। ଶେଷରେ ହରିୟାଣା ପୋଲିସର ମୋଷ୍ଟ ୱାଣ୍ଟେଡ ତାଲିକାରେ ଥିବା ଗୁରୁମିତ୍ ରାମରହିମଙ୍କ ଧରମ ଝିଅ ‘ହନିପ୍ରୀତ ଇନ୍ସାନ୍’ ଗିରଫ ହୋଇଛନ୍ତି। ତାଙ୍କୁ ବୁଧବାର କୋର୍ଟ ଚାଲାଣ କରାଯିବ ବୋଲି ପଞ୍ଚକୁଳା ପୋଲିସ କମିଶନର ଏଏସ୍ ଚାୱଲା କହିଛନ୍ତି।
‘ହନିପ୍ରୀତ’ ହରିୟାଣାରେ ଥିବା ପୋଲିସ ଜାଣିପାରି ତାଙ୍କୁ ଧରିବା ପାଇଁ ପୋଲିସ ଜାଲ ବିଛାଇଥିଲା। ହରିୟାଣାର ପ୍ରବେଶ ପଥକୁ ସିଲ୍ କରାଯିବା ସହ ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଥିଲା। ଏହାସହ ବରିଷ୍ଠ ପୋଲିସ ଅଫିସରଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା ହରିୟାଣା ପୋଲିସ।
ଅଗଷ୍ଟ ୨୫ରେ ଗୁରୁମିତ୍ ରାମରହିମଙ୍କ ଦଣ୍ଡାଦେଶ ଶୁଣାଯିବା ପରେ ପଞ୍ଚକୁଳାରେ ଦଙ୍ଗା ଦେଖାଦେଇଥିଲା। ଏହି ଦଙ୍ଗାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ରାମରହିମଙ୍କ ଧରମ ଝିଅ ‘ହନିପ୍ରୀତ’ ଏହି ଦଙ୍ଗାକୁ ଉସ୍କାଇଥିଲେ ବୋଲି ଅଭିଯୋଗ ହୋଇଥିଲା। ଫଳରେ ହନିପ୍ରୀତଙ୍କ ସମେତ ୪୨ ଜଣ ପୋଲିସର ମୋଷ୍ଟୱାଣ୍ଟେଡ ତାଲିକାରେ ରହିଥିଲେ। ସେହିଦିନଠାରୁ ହନିପ୍ରୀତ ଫେରାର ହୋଇଯାଇଥିଲେ।
ହନିପ୍ରୀତ ନୋପଳରେ ଲୁଚିଛନ୍ତି କିଏ କହିଲା ତ ପୁଣି କିଏ କହିଥିଲା ସେ ରାଜସ୍ଥାନରେ ଆତ୍ମଗୋପନ କରିଛନ୍ତି। ତାଙ୍କୁ ଧରିବା ପାଇଁ ପୋଲିସ ଜୋରଦାର ଉଦ୍ୟମ କରି ବିଫଳ ହୋଇଥିଲା। ଶେଷରେ ହନିପ୍ରୀତ ନୂଆଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଘୂରି ବୁଲୁଥିବା ଖବର ଜଣାପଡ଼ିବା ପରେ ହରିୟାଣା ପୋଲିସ ତାଙ୍କୁ ଧରିବା ପାଇଁ ତତ୍ପର ହୋଇ ଉଠିଥିଲା।