ଓଡ଼ିଶାଲାଇଭ ବ୍ୟୁରୋ
ଆଇଆଇଏମ୍ସିର ପ୍ରତିଷ୍ଠା ଦିବସ ଅବସରରେ ଭାରତୀୟ ଜନ ସଞ୍ଚାର ସଂସ୍ଥାନ ଢେଙ୍କାନାଳଠାରେ ‘ପ୍ରେସ୍, ଜାତୀୟତାବାଦ ଓ ଭାରତର ସ୍ୱାଧୀନତା ସଂଗ୍ରାମ’ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।
“ସ୍ୱାଧୀନତା ପୂର୍ବରୁ ଦେଶବାସୀଙ୍କ ମଧ୍ୟରେ ଜାତୀୟତାବାଦ ଜାଗରଣ କରିବାରେ ଆଞ୍ଚଳିକ ଭାଷା ଖବରକାଗଜର ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ସେତେବେଳେ ଖବରକାଗଜଗୁଡ଼ିକ ବ୍ରିଟିଶ ଶାସନ ବିରୋଧରେ ସ୍ୱର ଉତ୍ତୋଳନ କରୁଥିଲେ। ବିଭିନ୍ନ ଆଞ୍ଚଳିକ ଭାଷାର ଖବରକାଗଜ ବିଶେଷତଃ ଉର୍ଦ୍ଦୁ ଖବରକାଗଜରେ ଉତ୍ତେଜନାପୂର୍ଣ୍ଣ ଲେଖା ବିଦ୍ରୋହକୁ ଆହୁରି ତୀବ୍ର କରୁଥିଲା” କହିଛନ୍ତି ପ୍ରଫେସର ପ୍ରୀତିଶ ଆଚାର୍ଯ୍ୟ।
ପ୍ରଥମ ବକ୍ତବ୍ୟ
ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍ସି), ଢେଙ୍କାନାଳର ୨୭ତମ ପ୍ରତିଷ୍ଠା ଦିବସ ବକ୍ତୃତାରେ ଯୋଗଦେଇ ପ୍ରଫେସର ଆଚାର୍ଯ୍ୟ ‘ପ୍ରେସ୍, ଜାତୀୟତାବାଦ ଓ ଭାରତର ସ୍ୱାଧୀନତା ସଂଗ୍ରାମ’ ଉପରେ ବକ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି, “୧୮୧୩ରେ ଲର୍ଡ ହାଷ୍ଟିଙ୍ଗ୍ ଆସିବା ପରେ ଭାରତୀୟ ପ୍ରେସ୍ ପାଇଁ ବ୍ରିଟିଶ ସରକାର ଆରମ୍ଭ କରିଥିବା ଉଦାରମନା ନୀତି ୧୮୫୭ ବିଦ୍ରୋହ ପରେ ସମାପ୍ତ ହୋଇଥିଲା। ୧୮୭୦ ସୁଦ୍ଧା ଏକ ଆକଳନ ଅନୁସାରେ ଦେଶରେ ପ୍ରାୟ ୬୪୪ଟି ଖବରକାଗଜ ପ୍ରକାଶ ପାଉଥିଲା। ତେବେ ଏଥିମଧ୍ୟରୁ ୪୦୦ଟି ଥିଲା ଆଞ୍ଚଳିକ ଭାଷାର ଖବରକାଗଜ।“
୧୮୬୫-୬୬ରେ ଓଡ଼ିଶାରେ ଗୌରୀଶଙ୍କର ରାୟଙ୍କ ଦ୍ୱାରା କଟକରୁ ‘ଉକ୍ରଳ ଦୀପିକା’ ଓ ପରବର୍ତ୍ତୀ ସମୟରେ ଫକୀରମୋହନ ସେନାପତିଙ୍କ ଦ୍ୱାରା ବାଲେଶ୍ୱରରୁ ‘ସମ୍ବାଦ ବାହିକା’ର ପ୍ରକାଶନ ଆରମ୍ଭ ହୋଇଥିଲା। ଏହି ଦୁଇଟି ଆଞ୍ଚଳିକ ଖବରକାଗଜ ପଶ୍ଚିମବଙ୍ଗ ବାହାରେ ପୂର୍ବ ଭାରତରେ ଜାତୀୟତାବାଦ ଆନ୍ଦୋଳନକୁ ଆଗକୁ ନେବାରେ ମୁଖ୍ୟ ଆୟୁଧ ସାଜିଥିଲା। ଏହାସହ ଇଂରାଜୀ ଭାଷାରେ ସୁରେନ୍ଦ୍ରନାଥ ବାନାର୍ଜୀଙ୍କ ‘ବେଙ୍ଗଲି’, ହରିଶ ଚନ୍ଦ୍ର ମୁଖାର୍ଜୀ ଓ ଗିରିଶ ଚନ୍ଦ୍ର ଘୋଷଙ୍କ ‘ହିନ୍ଦୁ ପାଟ୍ରିଅଟ୍’, କେଶବ ଚନ୍ଦ୍ର ସେନ୍ଙ୍କ ‘ଇଣ୍ଡିଆନ୍ ମିରର୍’, ଶିଶିର କୁମାର ଘୋଷଙ୍କ ‘ଆନନ୍ଦ ବଜାର ପତ୍ରିକା’ ଖୁବ୍ ପ୍ରଭାବ ପକାଇପାରିଥିଲେ। ସେହିପରି ୧୮୭୮ରେ ମାଡ୍ରାସ୍ (ବର୍ତ୍ତମାନର ଚେନ୍ନାଇ)ରୁ ‘ଦି ହିନ୍ଦୁ’ ପ୍ରକାଶ ପାଇଥିବାବେଳେ ଏଥିରେ ଜାତୀୟତାବାଦୀ ସ୍ୱର ପ୍ରତିଫଳିତ ହୋଇଥିଲା ବୋଲି ପ୍ରଫେସର ଆଚାର୍ଯ୍ୟ ମତବ୍ୟକ୍ତ କରିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, “ଇଂରାଜୀ ଓ ଆଞ୍ଚଳିକ ଭାଷାରେ ଜାତୀୟତାବାଦୀ ଚିନ୍ତାଧାରା ନେଇ ପ୍ରକାଶ ପାଉଥିବା ଖବରକାଗଜଗୁଡ଼ିକ ଶିକ୍ଷିତ ଶ୍ରେଣୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ମଧ୍ୟରେ ପ୍ରଭାବ ପକାଇପାରୁଥିଲେ। ଏହିସବୁ ଜାତୀୟତାବାଦୀ ପ୍ରେସ୍ର ପ୍ରଭାବକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ବ୍ରିଟିଶ ସରକାରଙ୍କ ପୃଷ୍ଠପୋଷକତାରେ ଟାଇମ୍ସ ଅଫ୍ ଇଣ୍ଡିଆ (୧୮୬୧), ଦି ପାୟୋନିୟର (୧୮୬୭) ଓ ଦି ଷ୍ଟେଟ୍ସମ୍ୟାନ୍ (୧୮୭୫) ପ୍ରକାଶିତ ହେଲା। ଏହା ସତ୍ତ୍ଵେ ବି ଆଞ୍ଚଳିକ ପ୍ରେସ୍ର ପ୍ରଭାବ ଏତେ ଥିଲା ଯେ ବ୍ରିଟିଶ ସରକାରଙ୍କୁ ଏହା ଅନେକ ସମୟରେ ଚେତାବନୀ ଦେଇପାରୁଥିଲା।“
“ପରବର୍ତ୍ତୀ ସମୟରେ ଦେଶର କୋଣଅନୁକୋଣରେ ଜାତୀୟତାବାଦୀ ଚେତନା ପହଞ୍ଚାଇବାରେ ପ୍ରେସ୍ ସବୁଠୁଁ ଆଗରେ ଥିଲା। ସମାଜର ଦଳିତ ବର୍ଗର ଲୋକଙ୍କ ପକ୍ଷରେ ଏହା ମତବ୍ୟକ୍ତ କରୁଥିଲା। ଯଦିଓ ଖବରକାଗଜର ଗ୍ରାହକ ମୁଖ୍ୟତଃ ଶିକ୍ଷିତ ଶ୍ରେଣୀର ଥିଲେ, ତେବେ ସାଧାରଣ ଲୋକ ବି ଏଥିରେ ପ୍ରକାଶିତ ଖବର ପାଇପାରୁଥିଲେ। ଜାତୀୟତାବାଦକୁ ଆହୁରି ମଜଭୁତ କରିବା ତଥା ଉପନିବେଶବାଦ ବିରୋଧରେ ସ୍ୱର ଉତ୍ତୋଳନ ତୀବ୍ର କରିବା ପ୍ରେସ୍ର ଉଦ୍ଦେଶ୍ୟ ଥିଲା । ଏମିତିକି ବ୍ରିଟିଶ ସରକାରର ନିୟମକୁ ଚ୍ୟାଲେଞ୍ଜ ଦେବାର ସାହସ ଜୁଟାଇପାରିଥିଲା ପ୍ରେସ୍” କହିଛନ୍ତି ପ୍ରିତିଶ ଆଚାର୍ଯ୍ୟ।
ଦ୍ଵିତୀୟ ବକ୍ତବ୍ୟ
ଅନ୍ୟତମ ବକ୍ତାଭାବେ ଶିକ୍ଷାବିତ୍ ସୁବୀର ଘୋଷ କହିଛନ୍ତି, “ସ୍ୱାଧୀନ ଭାରତରେ ଉନ୍ନୟନ ପ୍ରକ୍ରିୟା ଓ ଜନତାଙ୍କ ମଧ୍ୟରେ ଏକ ବଡ଼ ଫାଟକ ସୃଷ୍ଟି ହୋଇଥିଲା। ଶାସକ ତଥା ପ୍ରକାଶକ ଏବଂ ଜନତା ତଥା ତୃଣମୂଳସ୍ତରର ଲୋକଙ୍କ ମଧ୍ୟରେ ଏକ ସେତୁ ଗଢ଼ିବାରେ ସାମ୍ବାଦିକତାର ଏକ ବଡ଼ ଭୂମିକା ରହିଛି। ଏହି ଉଦ୍ଦେଶ୍ୟରେ ୧୯୬୫ ରେ ନୂଆଦିଲ୍ଲୀରେ ଭାରତୀୟ ଜନ ସଞ୍ଚାର ସଂସ୍ଥାନ ପ୍ରତିଷ୍ଠା ହୋଇଥିଲା। କେବଳ ସାମ୍ବାଦିକଙ୍କୁ ତାଲିମ୍ ଯୋଗାଇବା ଏହି ସଂସ୍ଥାନର ଉଦ୍ଦେଶ୍ୟ ନଥିଲା, ବରଂ ଏହାର ବୃହତ୍ତର ଉଦ୍ଦେଶ୍ୟ ଥିଲା ଉନ୍ନୟନ ପ୍ରକ୍ରିୟାରେ ଲୋକଙ୍କୁ ଯୋଡ଼ିବା।”
ସେ ଆହୁରି ମଧ୍ୟ କହିଛନ୍ତି, “ଏତେ ବଡ଼ ଦେଶରେ ଏହି ଏକମାତ୍ର ସଂସ୍ଥାନ ଯଥେଷ୍ଟ ହୋଇନଥିବାରୁ ୧୯୯୩ରେ ଏହାର ପ୍ରଥମ ଶାଖା ଢେଙ୍କାନାଳରେ ଖୋଲିଥିଲା। ବର୍ତ୍ତମାନ ଦେଶର ବିଭିନ୍ନ ଗଣମାଧ୍ୟମ ସଂସ୍ଥା ତଥା ଉନ୍ନୟନମୂଳକ କ୍ଷେତ୍ରରେ ଆଇଆଇଏମ୍ସିର ଶିକ୍ଷାର୍ଥୀ କାର୍ଯ୍ୟ କରି ଦେଶର ବିକାଶ ପ୍ରକ୍ରିୟାରେ ସହାୟକ ହୋଇପାରୁଛନ୍ତି।“
ଆରମ୍ଭରୁ ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ମୃଣାଳ ଚାଟାର୍ଜୀ କହିଥିଲେ, “ଆଇଆଇଏମ୍ସି, ଢେଙ୍କାନାଳରେ ପଢ଼ିଥିବା ଛାତ୍ରଛାତ୍ରୀ ସଂସ୍ଥାନର ମାନକୁ ଆହୁରି ଉଜ୍ଜ୍ୱଳ କରିଛନ୍ତି। ସେମାନେ ନିଜ ପ୍ରତିଭାର ପ୍ରତିଫଳନ କରି ଆଜି ଦେଶବିଦେଶରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଛନ୍ତି। ସାମ୍ବାଦିକତା ଶିକ୍ଷା କ୍ଷେତ୍ରରେ ସଂସ୍ଥାନର ଭୂମିକା ନିଶ୍ଚିତଭାବେ ଉଲ୍ଲେଖଯୋଗ୍ୟ।“
ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ
ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ଇଂରାଜୀ ପ୍ରବନ୍ଧ ପ୍ରତିଯୋଗିତାର ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରୀ ରୁପା କୁମାରୀ, ଦ୍ୱିତୀୟ ସ୍ଥାନ ପାଇଁ କଲ୍ୟାଣ ଚକ୍ରବର୍ତ୍ତୀ ଓ ତୃତୀୟ ସ୍ଥାନ ପାଇଁ କୋମଲ ଯୋଶୀଙ୍କୁ ପୁରସ୍କୃତ କରାଯାଇଛି। ଓଡ଼ିଆ ପ୍ରବନ୍ଧ ପ୍ରତିଯୋଗିତାରେ ବିନୋଦ କୁମାର ବେହେରା, ଦେବଶ୍ରୀ ଦେବସ୍ମିତା ଓ ପ୍ରଜ୍ଞା ନିବେଦିତା ନାୟକ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହି ପୁରସ୍କୃତ ହୋଇଛନ୍ତି।
ସେହିପରି ଇଂରାଜୀ ତର୍କ ପ୍ରତିଯୋଗିତାରେ ଯତୀନ ଗ୍ରୋଭର, ପ୍ରୀତମ କଶ୍ୟପ ଓ କୋମଲ ଯୋଶୀ ଏବଂ ଓଡ଼ିଆ ତର୍କ ପ୍ରତିଯୋଗିତାରେ ରଜତ କୁମାର ପଣ୍ଡା ପ୍ରଥମ, ସୋନାଲି ଓଝା ଦ୍ୱିତୀୟ ଓ ନୀଳାଦ୍ରି ନିବାସିନୀ ଦାସ ଏବଂ ସୌମ୍ୟ ସ୍ୱରୂପା ଦାସ ଯୁଗ୍ମ ଭାବେ ତୃତୀୟ ସ୍ଥାନରେ ରହି ପୁରସ୍କୃତ ହୋଇଛନ୍ତି। ଶେଷରେ ଧନ୍ୟବାଦ ଅର୍ପଣ କରିଛନ୍ତି ସହାୟକ ପ୍ରଫେସର ଡ. ଜ୍ୟୋତି ପ୍ରକାଶ ମହାପାତ୍ର।