ନୀଳାମ୍ବର ରଥ

ସାର୍ଥକ ମ୍ୟୁଜିକ୍‌ର  ଅଧ୍ୟକ୍ଷ ସୀତାରାମ ଅଗ୍ରୱାଲ୍‌ ଓ ତାଙ୍କ ପତ୍ନୀ ତଥା ବିଶିଷ୍ଟ ଗାୟିକା ନମିତା ଅଗ୍ରୱାଲ୍‌ଙ୍କ ଏକ ନୂଆ ସ୍ୱପ୍ନ ସାର୍ଥକ ୯୧.୯ ଏଫ୍‌ଏମ୍‌ ଆଜିଠାରୁ ଶୁଭାରମ୍ଭ ହୋ‍ଇଛି। ଓଡ଼ିଆ ମନୋରଞ୍ଜନ ଜଗତ ପାଇଁ ଏହା ନିଶ୍ଚିତ ଭାବରେ ଏକ ନୂଆ ଅଭିଯାନ, ନୂଆ ହଲ୍‌ଚଲ୍‍। ସେହିପରି ଓଡ଼ିଶାର ଏଫ୍‌ଏମ୍‌ ରେଡିଓ ଜଗତ ପାଇଁ ସମ୍ଭବତଃ ସବୁଠାରୁ ବଡ଼ ଆହ୍ୱାନ!

ସାର୍ଥକ ୯୧.୯ ଏଫ୍‌ଏମ୍‌ର ଶୁଭାରମ୍ଭ ଅବସରରେ ବିଭିନ୍ନ ମିଡିଆରେ ବିଜ୍ଞାପନ ଦେଇ ସାର୍ଥକ ପକ୍ଷରୁ କୁହାଯାଇଛି ଯେ “ସ୍ୱପ୍ନ ସତ ହେଲା। ଆଜିଠାରୁ ଶୁଭାରମ୍ଭ ହେଲା କେବଳ ଓଡ଼ିଆ ଗୀତ ବାଜୁଥିବା ପ୍ରଥମ ଏଫ୍‌ଏମ୍‌ ରେଡିଓ”। ଦିନେ ଜଗନ୍ନାଥ ଇଲେକ୍ଟ୍ରୋନିକ୍ସ ବା ଜେଇ ବ୍ରାଣ୍ଡରେ କ୍ୟାସେଟ୍‌ ଓ ସିଡି ବଜାରରେ ହଲଚଲ କରିଥିବା ସୀତାରାମ ବାବୁ ପରବର୍ତ୍ତୀ ସମୟରେ  ସାର୍ଥକ ପ୍ରଡକ୍ସନ୍‍ ବ୍ୟାନରରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିବା ସହ ବ୍ୟାବସାୟିକ ସିନେମା ନିର୍ମାଣ କ୍ଷେତ୍ରରେ ବିଶେଷ ସଫଳତା ଅର୍ଜନ କରିଥିଲେ। ତାଙ୍କଦ୍ୱାରା ଆରମ୍ଭ ହୋ‍ଇଥିବା ଟେଲିଭିଜନ ଚ୍ୟାନେଲ ’ସାର୍ଥକ ଟିଭି’ ମଧ୍ୟ ପରବର୍ତ୍ତୀ ସମୟରେ ଟେଲିଭିଜନ ଜଗତର ଏକ ଆଗ ଧାଡ଼ିର ମାଧ୍ୟମ ଭାବରେ ପରିଚିତ ହୋ‍ଇପାରିଥିଲା। ଟିଭି ଚ୍ୟାନେଲକୁ ଜି ଟିଭିକୁ ବିକିଦେବା ପରେ ଏବେ ସାର୍ଥକ ଗୋଟିଏ ପଟେ ଡିଜିଟାଲ୍‌ ମାଧ୍ୟମରେ ସଫଳତା ପାଇଁ ଚେଷ୍ଟା କରୁଥିବା ବେଳେ ଏବେ ଏଫ୍‌ଏମ୍‌ ରେଡିଓ ଦୁନିଆରେ ପ୍ରବେଶ କରିଛନ୍ତି।

ଆଜିଠୁ ପ୍ରାୟ ଦଶ ବର୍ଷ ତଳେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ଏଫ୍‌ଏମ୍‌ ରେଡିଓର ଯେଉଁ ଯୁଗ ଆରମ୍ଭ ହୋ‍ଇଥିଲା ସେଥିରେ ବାଜିମାତ କରିଥିଲା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ ପ୍ରସ୍ତୁତ ଧୂମ୍‍ ମିଠା ରେଡିଓ ଚକଲେଟ୍‍ ଏଫ୍‌ଏମ୍‌ ୧୦୪। ରାଜ୍ୟରେ ଆକାଶବାଣୀର ଏଫ୍‌ଏମ୍‌ ଷ୍ଟେସନ ’ରେନ୍‌ବୋ’ର ପ୍ରସାରଣ ସହିତ ଘରୋ‌ଇ କ୍ଷେତ୍ରରେ ରେଡ୍‌ ଏଫ୍‌ଏମ୍‌ ଏବଂ ବିଗ୍‌ ଏଫ୍‌‍ଏମ୍‌ ଭିଡ଼ରେ ରେଡିଓ ଚକଲେଟ୍‍ ଲଗାତାର ଭାବରେ ଆଗଧାଡ଼ିରେ ରହି ଲୋକପ୍ରିୟତା ଏବଂ ବ୍ୟାବସାୟିକ ସଫଳତା ବଜାୟ ରଖିଛି। ଏବେ ଏଫ୍‌ଏମ୍‌ ଶ୍ରୋତାଙ୍କ ନଜରରେ ଅସଲ ଲଢେଇ ହେବ ଚକଲେଟ୍‌ ଓ ସାର୍ଥକ ମଧ୍ୟରେ । ସମ୍ଭବତଃ ଆଗାମୀ ଗୋଟିଏ ବର୍ଷ ଭିତରେ ଏହି ଦୌଡ଼ରେ କିଏ କାହାକୁ ଟପି ଆଗକୁ ଯାଉଛି ତାହା ସ୍ପଷ୍ଟ ହୋ‍ଇଯିବ।

ଓଡ଼ିଆ ଇଲେକ୍ଟ୍ରୋନିକ୍‍ ମିଡିଆ କ୍ଷେତ୍ରରେ ୨୦୦୨ ଜାନୁଆରି ୨୭ ତାରିଖରେ ରାମୋଜୀ ରାଓ ’ଇଟିଭି’ ନାମକ ଯେଉଁ ବୋମା ପକାଇଥିଲେ, ତାହା ବେଶ୍‌ କିଛି ବର୍ଷ ମନୋରଞ୍ଜନ ଓ ନ୍ୟୁଜ୍‌ର ଦୁନିଆକୁ ହଲଚଲ କରି ରଖିଥିଲା। ପରବର୍ତ୍ତୀ ସମୟରେ ଜାଗିମଙ୍ଗତ ପଣ୍ଡାଙ୍କ ନ୍ୟୁଜ୍‌ ଚ୍ୟାନେଲ୍‍ ’ଓଟିଭି’ ଏବଂ ମନୋରଞ୍ଜନଧର୍ମୀ ଚ୍ୟାନେଲ୍‌ ’ତରଙ୍ଗ’, ଓଡ଼ିଆ ଟେଲିଭିଜନ ଶିଳ୍ପକୁ ଏକ ନୂଆ ମୋଡ଼ ଦେଇଥିଲା। ବିଭିନ୍ନ ଐତିହାସିକ କାରଣରୁ ଇଟିଭି ପଛକୁ ରହିଗଲା। ଏହି ଦୌଡ଼ରେ ଆଗକୁ ଯାଇ ଜାଗି ପଣ୍ଡାଙ୍କ ଓଡ଼ିଶା ଟେଲିଭିଜନ କମ୍ପାନି ଲଞ୍ଚ କଲା ସ୍ୱତନ୍ତ୍ର ଭକ୍ତି ଚ୍ୟାନେଲ୍‍ ’ପ୍ରାର୍ଥନା’ ଏବଂ ମ୍ୟୁଜିକ୍‍ ଚ୍ୟାନେଲ୍‍ ’ତରଙ୍ଗ ମ୍ୟୁଜିକ୍‍’। ଜାଗି ମଧ୍ୟ ଆଉ କିଛି ପାଦ ଆଗକୁ ଯାଇ ନିଜ ନେଟୱାର୍କରେ ଯୋଡ଼ିଛନ୍ତି ସିନେମା ଚ୍ୟାନେଲ୍‍ ’ଅଳଙ୍କାର’ ଏବଂ ଡିଜିଟାଲ୍‍ ଚ୍ୟାନେଲ୍‍ ’ସିଟି ପ୍ଲସ୍‍’। ତେବେ ସୀତାରାମ ଅଗ୍ରୱାଲଙ୍କ ’ସାର୍ଥକ ଟିଭି’ ତରଙ୍ଗକୁ ଯେଉଁ ଝଟକା ଦେଲା, ତାହା ଓଡ଼ିଆ ଟେଲିଭିଜନ ଜଗତ ପାଇଁ ଥିଲା ଏକ ନୂଆ ମୋଡ଼।

ଏବେ ଏଫ୍‌ଏମ୍‌ ରେଡିଓ କ୍ଷେତ୍ରରେ ଯେଉଁ ପ୍ରତିଯୋଗିତା ଆଜିଠାରୁ ଆରମ୍ଭ ହେଲା, ତାହା ଓଡ଼ିଶାର ରେଡିଓ ଶିଳ୍ପକୁ ଦେବ ଏକ ଭିନ୍ନ ଅନୁଭୂତି। ଆଶା କରିବା, ଏହି ପ୍ରତିଯୋଗିତାରୁ ଶ୍ରୋତାମାନଙ୍କୁ ବିଶେଷକରି ଓଡ଼ିଶାର ସଙ୍ଗୀତ ଓ ସଂସ୍କୃତିପ୍ରେମୀଙ୍କୁ ବିଶେଷ ଫାଇଦା ମିଳିବ। ଓଡ଼ିଶାରେ ଟେଲିଭିଜନ ନ୍ୟୁଜ୍‍ କ୍ଷେତ୍ରରେ ବର୍ତ୍ତମାନ ଯେଉଁ ମାଛହାଟ ଭଳି ଅବସ୍ଥା ସୃଷ୍ଟି ହୋ‍ଇଛି, ତାହା ଅନେକ ସମୟରେ ନ୍ୟୁଜ୍‌ ମିଡିଆର ମୂଳ ଆଭିମୁଖ୍ୟ ଏବଂ କ୍ୱାଲିଟି କଣ୍ଟେଣ୍ଟଠାରୁ ଆମକୁ ଦୂରକୁ ନେଇଯାଉଛି। ମୁଁ ଭାବୁଛି, ଓଡ଼ିଆ ଏଫ୍‌ଏମ୍‌ ପ୍ରତିଯୋଗିତା ଭିତରେ ଏଭଳି ଅବସ୍ଥା ସୃଷ୍ଟି ନହେଉ।

ସାର୍ଥକ ମିଡିଆର ବିଭିନ୍ନ ଉଦ୍ୟମ ବେଳେ ଯେଉଁ ସଫଳତା ମିଳିଛି, ତା’ର ଏକ ପ୍ରମୁଖ ଶ୍ରେୟ ଯିବ ସାର୍ଥକ ପରିବାରର ଷ୍ଟାର ଆଟ୍‌ରାକ୍ସନ ନମିତା ଅଗ୍ରୱାଲ୍‌ଙ୍କ ପାଖକୁ। ଟେଲିଭିଜନ ଏବଂ ରେଡିଓର ସଫଳତା ପଛରେ ବ୍ୟାବସାୟୈକ ବୁଦ୍ଧି ବା ଷ୍ଟାଟର୍ଜି ସହ ସବୁଠାରୁ ବଡ଼ ଭୂମିକା ଗ୍ରହଣ କରିଥାଏ କଣ୍ଟେଣ୍ଟ। ନମିତା ଏହି ବିଭାଗର ଅନ୍ୟତମ ମାର୍ଗଦର୍ଶକ ବୋଲି କହିଲେ ବୋଧହୁଏ ଭୁଲ୍‌ ହେବନାହିଁ।

ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ସୀତାରାମ ଅଗ୍ରୱାଲ୍‌ ଓ ନମିତା ଅଗ୍ରୱାଲ୍‌ଙ୍କ ଦୀର୍ଘ ୨୫ ବର୍ଷର ସ୍ୱପ୍ନ ସତ ହୋ‍ଇଛି! ଏଥିପାଇଁ ଓଡ଼ିଶାର ଏହି ସଫଳ ମିଡିଆ ଯୋଡ଼ିଙ୍କୁ ମୋର ଅଭିନନ୍ଦନ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଓ ଓଡ଼ିଶାଲାଇଭ୍‌ର ସମ୍ପାଦକ।)

1 COMMENT

LEAVE A REPLY

Please enter your comment!
Please enter your name here