ଓଡିଶାଲାଇଭ୍ ବ୍ୟୁରୋ

ମନେହୁଏ ବିଜେଡି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଏବେ ଋଣ ଶୁଝିଵାରେ ଲାଗି ପଡିଛନ୍ତି। ଏହାର ଦୁଇଟି ଉଦାହରଣ ଦିଆଯାଇପାରେ। ମଂତ୍ରିମଣ୍ଡଳ ଅଦଳ ବଦଳରେ ବିଧାନସଭାରେ ଦଳର ମୁଖ୍ୟ ସଚେତକ ଅନନ୍ତ ଦାସଙ୍କୁ ମନ୍ତ୍ରୀ କରିବା ଓ ଏବେ ପ୍ରତାପ ଦେବଙ୍କୁ ରାଜ୍ୟସଭାକୁ ପଠାଇବା।

ଗତ 2014 ବିଧାନସଭା ନିର୍ବାଚନରେ ଆଳି ନିର୍ବାଚନମଣ୍ଡଳୀରୁ ଲଢ଼ି ଦେବେନ୍ଦ୍ର ଶର୍ମାଙ୍କଠାରୁ ଅଳ୍ପ ଭୋଟ ବ୍ୟବଧାନରେ ହାରିଯାଇଥିବା ଦେବ ବିଧାୟକ ନଥାଇ ବି ଯେତିକି କାମ ବିଜେଡି ପାଇଁ କରି ଆସୁଥିଲେ ତାହାର ପ୍ରତିଦାନସ୍ୱରୂପ ନବୀନ ତାଙ୍କୁ ରାଜ୍ୟସଭାକୁ ପଠାଇଛନ୍ତି।

ବିଜେଡିର ମୁଖପାତ୍ର ଭାବରେ ବିଗତ କିଛି ଦିନ ଧରି ବିଭିନ୍ନ ପ୍ରସଙ୍ଗରେ ଓ ସଙ୍କଟ ସମୟରେ ସେ ଯେଉଁଭଳି ମିଡିଆକୁ ଧରି ରଖିଥିଲେ ତାହା ଅନ୍ୟ କେହି କରି ପାରିନାହାନ୍ତି। ବିଶେଷକରି ମହାନଦୀ ଜଳ ବିବାଦରେ ଓଡିଶା ଓ ଛତିଶଗଡ଼ ସରକାରଙ୍କ ମଧ୍ୟରେ ଯେଉଁ ବାକ୍ୟଯୁଦ୍ଧ ଚାଲିଥିଲା ତାହାକୁ ଠିକଣା ବାଟରେ ପକାଇବାରେ ଦେବଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ବିଜେଡି ପକ୍ଷରୁ ଯେଉଁ ପାଞ୍ଚଜଣିଆ କମିଟି ରାୟପୁର ଯାଇଥିଲା ଦେବ ସେଥିରେ ଜଣେ ସଦସ୍ୟ ଥିଲେ।

ସେହି ରାୟପୁରର ସ୍କୁଲରୁ 12ଶ ପାସ ଏବଂ ଦିଲ୍ଲୀ ରାମଜସ୍ କଲେଜରୁ ବିଏ ଡିଗ୍ରୀ ଲାଭ କରିଥିବା ପ୍ରତାପ ଦେବ ଗତ ଥର ନବୀନ ପଟ୍ଟନାୟକ ମନ୍ତ୍ରିମଣ୍ଡଳରେ ବୈଷୟିକ ଶିକ୍ଷା ଓ ଆଇଟି ମନ୍ତ୍ରୀ ଥିଲେ। ଏଥର ହାରିଯିବା କାରଣରୁ ଓଡିଶା ଗୃହ ନିର୍ମାଣ ବୋର୍ଡ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବା ସହିତ ଦଳର ଆଭ୍ୟନ୍ତରୀଣ ବ୍ୟାପାର ବୁଝିଥିଲେ।

ପ୍ରତାପ ଦେବଙ୍କୁ ରାଜ୍ୟସଭା ସାଂସଦ ଭାବରେ ଅବସ୍ଥାପିତ କରି ନବୀନ ପଟ୍ଟନାୟକ ଏବେ ତାଙ୍କ ଉପରେ ଅନ୍ୟ ଦାୟିତ୍ୱ ନ୍ୟସ୍ତ କରିବା ନିଶ୍ଚିତ। ଭୁବନେଶ୍ୱରରେ ରହି ସେ ଯେଉଁଭଳି ଭାବରେ ଦଳର ବିଭିନ୍ନ ବିଷୟକୁ ଗଣମାଧ୍ୟମ ନିକଟରେ ପହଂଚାଉଥିଲେ, ସେହି କାର୍ଯ୍ୟ ସମ୍ପାଦନ ପାଇଁ ହୁଏତ ଅନ୍ୟ କାହାକୁ କୁହାଯିବ।ସମ୍ଭବତଃ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଏହି ଦାୟିତ୍ୱରେ ରଖାଯିବ।ପ୍ରତାପ ଦେବଙ୍କ ପାଇଁ ଅସଲ  କାର୍ଯ୍ୟ ହେବ ଦଳ ଭିତରେ ସମନ୍ୱୟ ରକ୍ଷା କରିବା।

ନବୀନ ସ୍ୱର୍ଗତ କଳ୍ପତରୁ ଦାସଙ୍କୁ ଯେଉଁ ଉଦ୍ଦେଶ୍ୟ ନେଇ ଦିଲ୍ଲୀ ପଠାଇଥିଲେ, ପ୍ରତାପ ଦେବ ଉଣା ଅଧିକ ସେହିପରି ଅନେକ କାର୍ଯ୍ୟ କରିବେ।

ପ୍ରତାପ ଦେବଙ୍କ ନାଁ ଘୋଷଣା ସହ ରାଜ୍ୟସଭା ପ୍ରାର୍ଥୀଙ୍କୁ ନେଇ ଯେଉଁ କଳ୍ପନା ଲାଗି ରହିଥିଲା ତାହା ଶେଷ ହୋଇଛି।

LEAVE A REPLY

Please enter your comment!
Please enter your name here