ରୁଦ୍ର ପ୍ରସନ୍ନ ରଥ

ଇଣ୍ଟରନେଟ୍‌ରେ ଓଡିଆ ଭାଷାକୁ ପ୍ରୋତ୍ସାହିତ କରିବା ପାଇଁ ଏଯାଏଁ ଯେଉଁସବୁ ପଦକ୍ଷେପ ନିଆଯାଇଛି ତାହା ଯେ ସମୁଦ୍ରକୁ ଶଙ୍ଖେ ତା’ ନୁହେଁ। ବରଂ ଏଥିରେ ସରକାରଙ୍କର ଯାଇତାଇ କାମ ଚଳାଇନେବାର ମାନସିକତା ବେଶୀ ବାରି ହୋଇ ପଡୁଛି।

ଇଣ୍ଟରନେଟ୍‌ର ବ୍ୟବହାର ଏବେ ଆମ ଜୀବନ ସହ ଏପରି ଅଂଗାଂଗୀ ଭାବେ ଜଡିତ ହେଲାଣି ଯେ କ୍ରମେ ଏହା ଖାଦ୍ୟ, ବସ୍ତ୍ର ଏବଂ ବାସଗୃହ ପରି ଏକ ମୌଳିକ ଆବଶ୍ୟକତା ରୂପେ ପରିଗଣିତ ହେଉଛି । ଏହାର ବହୁଳ ବ୍ୟବହାର ଏବଂ ଉପଯୋଗିତା ବଳରେ ଆମେ ଆମ ଜୀବନର ଅନେକ ଜଟିଳ ସମସ୍ୟାର ସମାଧାନ କରିପାରୁଛେ । ଏହି ଇଣ୍ଟରନେଟ୍ ଯୋଗୁଁ ଆମ ଜୀବନ ସରଳ ଏବଂ ସୁଗଠିତ ହେଉଛି।
ଇଣ୍ଟରନେଟ୍ ବ୍ୟବହାର କରୁଥିବା ଯେ କୌଣସି ବ୍ୟକ୍ତି ଏହା ସ୍ୱୀକାର କରିବ ଯେ ଗୋଟିଏ ଭାଷାର ପ୍ରଚଳନ, ଏହାର ଲୋକପ୍ରିୟତା ଏବଂ ଏହାକୁ ବିଶ୍ୱସ୍ତରୀୟ କରିବାରେ ଇଣ୍ଟରନେଟ୍‌ର ବିଶେଷ ଭୂମିକା ରହିଛି । ଯଦି ଏକ ଆଂଚଳିକ ଭାଷା ଇଣ୍ଟରନେଟ୍‌ରେ ଅଧିକରୁ ଅଧିକ ବ୍ୟବହାର ହୁଏ ତେବେ ଏ ଭାଷାକୁ ଜାଣିବାକୁ ଅଧିକରୁ ଅଧିକ ଲୋକ ଚେଷ୍ଟା କରନ୍ତି । ଏହାକୁ ନେଇ ଅଧିକ ଆଲୋଚନା ହୁଏ । ଏକ ଆଂଚଳିକ ଭାଷା କ୍ରମେ ବିଶ୍ୱସ୍ତରୀୟ ଭାଷାର ମାନ୍ୟତା ପାଇବ । ଏହି ପରିପ୍ରେକ୍ଷୀରେ ଇଣ୍ଟରନେଟ୍‌ରେ ଓଡ଼ିଆ ଭାଷାର ବ୍ୟବହାରକୁ ନେଇ ଆଲୋଚନା ହେବା ଦରକାର।
ଦେଖିବାକୁ ଗଲେ ଇଣ୍ଟରନେଟ୍ର ବ୍ୟବହାର ମୁଖ୍ୟତଃ ତିନୋଟି କାରଣରୁ ହୋଇଥାଏ । ସର୍ଚ୍ଚିଂ ବା ଖୋଜିବା, ଚାଟିଂ ବା ଭାବ ବିନିମୟ ଏବଂ ମେଲ୍ ବା ପତ୍ର ବିନିମୟ । ଏ ତିନୋଟିକୁ ଛାଡି ଯଦିଓ ଅନ୍ୟ କାମ ପାଇଁ ମଧ୍ୟ ଇଣ୍ଟରନେଟର ବ୍ୟବହାର କରାଯାଇପାରିବ। ହେଲେ ଏହି ତିନୋଟି କାମ ପାଇଁ ଯୁବବର୍ଗ ଇଣ୍ଟରନେଟ୍‌କୁ ହିଁ ବେଶୀ ବ୍ୟବହାର କରନ୍ତି । ଆଉ ଭାଷାପ୍ରତି ଇଣ୍ଟରନେଟ୍ ଏବଂ ଯୁବବର୍ଗର ଆକର୍ଷଣ ନ ରହିଲେ ଭାଷାର ବିକାଶ ହେବା ଅସଂଭବ ହୋଇପଡିବ । ଏଣୁ ଏ ତିନୋଟି ବିଶେଷ କ୍ଷେତ୍ରରେ ଯୁବବର୍ଗ ଇଣ୍ଟରନେଟ୍‌ର ବ୍ୟବହାର କିପରି କରୁଛନ୍ତି ତାହା ଉପରେ ନଜର ରଖାଯିବା ଆବଶ୍ୟକ ।
ପ୍ରଥମତଃ, ସର୍ଚ୍ଚିଂ ବା ଖୋଜିବା ପାଇଁ ଯୁବପିଢିମାନେ ସାଧାରଣତଃ ଗୁଗୁଲ ପରି ସର୍ଚ୍ଚ ଇଂଜିନ୍‌ର ସହାୟତା ନେଇଥା’ନ୍ତି । କୁହାଯାଏ ଯେ ଦୁନିଆରେ ଏମିତି କୌଣସି ପ୍ରଶ୍ନ ନାହିଁ ଯାହାର ଉତ୍ତର ଗୁଗୁଲ ଦେଇପାରିବେ ନାହିଁ । କୌଣସି ଏକ ସ୍ୱତନ୍ତ୍ର ସୁସ୍ୱାଦୁ ଖାଦ୍ୟର ପ୍ରସ୍ତୁତି ପ୍ରଣାଳି ହେଉ କିମ୍ବା ମନେ ପଡୁନଥିବା ଏକ ଉପନ୍ୟାସର ଲେଖିକାଙ୍କ ନାମ ଏସବୁ ପ୍ରଶ୍ନର ଉତ୍ତର ମାତ୍ର କେଇ ସେକେଣ୍ଡ ମଧ୍ୟରେ ଯେ କେହି ପାଇପାରିବେ । ମାତ୍ର ଏଥିପାଇଁ ଆପଣଙ୍କୁ ବିଷୟ ଅନୁଯାୟୀ ନିର୍ଦ୍ଦିଷ୍ଟ ପ୍ରଶ୍ନ ଟାଇପ କରିବା ଆବଶ୍ୟକ।
ଏବେ ଆସିବା ଇଣ୍ଟରନେଟ୍‌ରେ ଯୁବବର୍ଗମାନଙ୍କ ଦ୍ୱାରା ହେଉଥିବା ଅନ୍ୟତମ ନିୟମିତ କାର୍ଯ୍ୟ ମେଲ ବା ପତ୍ର ବିନିମୟକୁ । ସେ ସରକାରୀ ବା ବେସରକାରୀ କର୍ମଚାରୀ ହୁଅନ୍ତୁ ଅଥବା କଲେଜ ଛାତ୍ର କିମ୍ବା ଗୃହିଣୀ ଆଜିକାଲି ପ୍ରାୟ ସମସ୍ତେ ଇଣ୍ଟରନେଟ୍ ମାଧ୍ୟମରେ ହିଁ ପତ୍ର ଦିଆନିଆ ହେଉଛନ୍ତି । ସମସ୍ତେ ଦୈନିକ ଏକାଧିକ ପତ୍ର ଇଣ୍ଟରନେଟ୍ ମାଧ୍ୟମରେ ପାଉଛନ୍ତି ଏବଂ ଏହାର ଉତ୍ତର ମଧ୍ୟ ରଖୁଛନ୍ତି । ପୁଣି ସେମିତି ଦେଖିବାକୁ ଗଲେ ଏବେ ଦେଶରେ ମୋଟ ଲୋକସଂଖ୍ୟାଠାରୁ ଇ-ମେଲ ଆକାଉଣ୍ଟର ସଂଖ୍ୟା ଅଧିକ ଅଛି । ଯଦିଓ ଆଜିକାଲି ଓଡିଆରେ ଇ-ମେଲ୍ ଲେଖାଯାଇ ପାରୁଛି ତଥାପି ପ୍ରେରକର ଠିକଣା ଏବଂ ଚିଠି ପତ୍ରର ବିଷୟବସ୍ତୁକୁ ଓଡିଆରେ ଲେଖିବା କାଠିକର ପାଠ ହୋଇପଡୁଛି ।  ଓଡିଆରେ ଇ-ମେଲ୍ ଲେଖିବା ପାଇଁ ଯଦିଓ ଅନେକଙ୍କର ଆଗ୍ରହ ରହିଛି ତଥାପି ଏହାକୁ ଶିଖାଇବାକୁ କେହିନାହିଁ । ଆଣ୍ଡ୍ରଏଡ୍ କିମ୍ବା ଗୁଗୁଲ ପରି ସଂସ୍ଥା ଏଦିଗରେ କାମ ଆରମ୍ଭ କରିଥିଲେ ବି ଏହା ଯଥେଷ୍ଟ ନୁହେଁ । ପୁଣି ଏସବୁ କ୍ଷେତ୍ରରେ ରହିଥିବା ଏକାଧିକ ଅବରୋଧକୁ ହଟାଇବାକୁ କେହିନାହିଁ ।  ଯଦି ସଂଖ୍ୟାଧିକ ଲୋକ ଓଡିଆରେ ଇଣ୍ଟରନେଟ୍ ମାଧ୍ୟମରେ ପତ୍ର ବିନିମୟ କରିପାରନ୍ତେ ତେବେ ଓଡିଆ ଭାଷା ବିଶ୍ୱରେ ବହୁଳ ଭାବରେ ପରିଚିତ ହୋଇପାରନ୍ତା ।
ଇଣ୍ଟରନେଟ୍ ମାଧ୍ୟମରେ କରାଯାଉଥିବା ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ କାମଟି ହେଉଛି ଚାଟିଂ । ନିଜଠୁ ଦୂରରେ ଥିବା ସଂପର୍କିୟ, ବନ୍ଧୁ, ସଖା ଏବଂ ସହୋଦରଙ୍କ ସହ କଥା ହେବା ପାଇଁ ଏବେ ସାମାଜିକ ଗଣମାଧ୍ୟମ ସାଇଟ୍‌ଗୁଡିକର ବ୍ୟାପକ ବ୍ୟବହାର ହେଉଛି । ଏହିସବୁ ସାଇଟ୍‌ଗୁଡିକରେ ଭାବ ବିନିମୟର ପ୍ରମୁଖ ମାଧ୍ୟମ ହେଉଛି ଲିଖିତ ଭାଷା ଆଉ ଏଠାରେ ମଧ୍ୟ ଇଂରାଜୀର ମଧ୍ୟ ପ୍ରାବଲ୍ୟ ରହିଛି । ଅନେକ ସ୍ଥାନରେ ମଣିଷଟେ ଅକପଟ ନିରୁତା ଓଡିଆ ଭାବର ପରିପ୍ରକାଣ ପାଇଁ ଉପଯୁକ୍ତ ଇଂରାଜୀ ଭାଷା ଖୋଜି ପାଉନାହିଁ । “ଅଭିମାନ” ପରି ଛୋଟ ଅଥଚ ମୃଦୁଭାବକୁ ଲେଖିବାକୁ ଯାଇ ଇଂରାଜୀ ଭାଷାର ଶବ୍ଦକୋଶକୁ ପୂରା ପଢିଲେ ବି ଶବ୍ଦ ମିଳୁନାହିଁ । ଯଦିଓ କିଛି କିଛି ସାଇଟରେ ଏନେଇ ବ୍ୟବସ୍ଥା ହୋଇଛି ତେବେ ତାହା ସ୍ୱୟଂସଂପୂର୍ଣ୍ଣ, ସହଜଲଭ୍ୟ କିମ୍ବା ବ୍ୟବହାର ସାପେକ୍ଷ ନୁହେଁ। ଏଦିଗରେ ଆଗକୁ ଆହୁରି ତ୍ୱରିତ୍ କାର୍ଯ୍ୟକ୍ରମ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି ।
ଇଣ୍ଟରନେଟ୍‌ରେ ଓଡିଆ ଭାଷାକୁ ପ୍ରୋତ୍ସାହିତ କରିବା ପାଇଁ ଏଯାଏଁ ଯେଉଁସବୁ ପଦକ୍ଷେପ ନିଆଯାଇଛି ତାହା ଯେ ସମୁଦ୍ରକୁ ଶଙ୍ଖେ ତା’ ନୁହେଁ। ବରଂ ଏଥିରେ ସରକାରଙ୍କର ଯାଇତାଇ କାମ ଚଳାଇନେବାର ମାନସିକତା ବେଶୀ ବାରି ହୋଇ ପଡୁଛି ।

ଓଡିଆକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ମିଳିବା ପରେ ସରକାର ଯେତିକି ପ୍ରୟାସ କରିବା କଥା ତା’ ନକରି ଛୁଟିରେ ପଳାଇ ଯିବାପରି ଲାଗୁଛନ୍ତି । ଶାସ୍ତ୍ରୀୟତା ହାସଲ କଲେ ହୁଏତ ଆମ ଭାଷାର ପ୍ରାଚୀନତା ଏବଂ ମୌଳିକତାକୁ ସମ୍ମାନ ମିଳିପାରେ ମାତ୍ର ଯଦି ଏହାର ପ୍ରାୟୋଗିକତାର ସୀମାକୁ ବଢାଇ ଦିଆନଯାଏ ତେବେ ଓଡିଆ ଭାଷା ନିଜର ଆକର୍ଷଣ ହରାଇବ ।

ଯଦିଓ ପୂର୍ବରୁ ସରକାର କମ୍ପ୍ୟୁଟର ମାଧ୍ୟମରେ ସରଳ ଭାଷାରେ ଓଡିଆ ଭାଷାକୁ ଟାଇପ୍‍ ଏବଂ ବ୍ୟବହାରକ୍ଷମ କରିବା ପାଇଁ ଘୋଷଣା କରିଛନ୍ତି ଏବଂ ଏଥିନେଇ କିଛି ବିଶ୍ୱବିଦ୍ୟାଳୟ ସହିତ ପ୍ରାରମ୍ଭିକ ଆଲୋଚନା ବି ହୋଇଛି ତେବେ ଏହାର ପରିଣାମ ବେଶ୍‌ କିଛି ସନ୍ତୋଷଜନକ ନୁହେଁ । ଏବେ ଓଡିଆ ଭାଷାର ଶାସ୍ତ୍ରୀୟତାକୁ ନେଇ ଆମେ ଯେତିକି ଖୁସି ହେବା କଥା ତା’ଠୁ ଅଧିକ ଚିନ୍ତା ଆମେ ଏହାର ପ୍ରାୟୋଗିକତାକୁ ନେଇ କରିବା ଉଚିତ ।
ଇଣ୍ଟରନେଟ୍‌ରେ ଓଡିଆ ଭାଷା ବ୍ୟବହାରକାରୀଙ୍କ ଆବଶ୍ୟକତାକୁ ଆଖି ଆଗରେ ରଖି ଓଡିଆ ସଫ୍ଟଓୟାର ଉଭୟ ବିକାଶ ଏବଂ ଆବଶ୍ୟକତା ଭିତ୍ତିରେ ଏହାର ପରିବର୍ତ୍ତନ ଆମର ନିକଟ ଭବିଷ୍ୟତର ଲକ୍ଷ୍ୟ ହେବା ଉଚିତ । ନହେଲେ ଆମେ ଶାସ୍ତ୍ରୀୟତାର ସୁଖ ସ୍ୱପ୍ନରେ ମସଗୁଲ ହେବା ଖୁବ ସହଜ ହେବ ମାତ୍ର କମ୍ପ୍ୟୁଟରରେ ଭାଷାର ପ୍ରାୟୋଗିକତା କଥା ଉଠିଲା ବେଳକୁ ଆମ ଆଖିକୁ ନିଦ ଆସୁନଥିବ ।
(ଲେଖକ ଜଣେ ସ୍ତମ୍ଭକାର, ସମସାମୟିକ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ଆଗ୍ରହକୁ ନଜରରେ ରଖି ସେ ଅଭିମତ ଓ ଫିଚର ଲେଖନ୍ତି| ବର୍ତ୍ତମାନ ସେ ୟୁନିସେଫ୍‍ର ଜଣେ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଛନ୍ତି)
Tags: Rudra Prasanna Rath, UNICEF, Internet, Odia, Odia Language, Use of Odia, Odia Software, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

LEAVE A REPLY

Please enter your comment!
Please enter your name here