ଓଡ଼ିଶାଲାଇଭ୍‍ ବ୍ୟୁରୋ

ଜାତୀୟ ସ୍ତରରେ ଦେଶର ପ୍ରଥମ ର’ ଷ୍ଟାର ବିଜେତା ଭାବେ ହଜାର ହଜାର ସଙ୍ଗୀତପ୍ରେମୀଙ୍କ ପ୍ରିୟଭାଜନ ହେବାର ପ୍ରାୟ ତିନି ବର୍ଷ ପରେ ଓଡ଼ିଆ ଗାୟକ ଋତୁରାଜ ମହାନ୍ତି ପ୍ରଥମ ଥର ପାଇଁ ଓଡ଼ିଆ ସିନେମାରେ କଣ୍ଠଦାନ କରିବାର ସୁଯୋଗ ପାଇଛନ୍ତି। ତରଙ୍ଗ ସିନେ ପ୍ରଡକ୍ସନ୍‍ର ରଜ ଉପଲକ୍ଷେ ରିଲିଜ୍‍ ହେବାକୁ ଥିବା ସିନେମା ‘ସିଷ୍ଟର ଶ୍ରୀଦେବୀ’ ପାଇଁ ସେ କଣ୍ଠଦାନ କରିଛନ୍ତି।

“ଏହି ସିନେମାରେ କଣ୍ଠଦାନ କରିବାର ଏ ସୁଯୋଗକୁ ମୁଁ ହାତଛଡ଼ା କରିବାକୁ ଚାହୁଁନଥିଲି। ଏହା ମୋ ପାଇଁ ସୌଭାଗ୍ୟର କଥା। ମୁମ୍ବାଇରେ ରହିଲେ ମଧ୍ୟ, ମୋ ଭାଷାରେ ଗୀତ ଗାଇବା ପାଇଁ ମୁଁ ସବୁବେଳେ ଆଗ୍ରହୀ ହେବି। ଉପଯୁକ୍ତ ସୁଯୋଗ ମିଳିଲେ ମୁଁ ଆହୁରି ଅନେକ ଓଡ଼ିଆ ଗୀତ ଗାଇବାକୁ ଚାହିଁବି”, କହିଛନ୍ତି ଋତୁରାଜ, ଯିଏକି ନିଜର ସୁଫିଆନା ଗାୟନ ଶୈଳୀ ପାଇଁ ପରିଚିତ। ତାଙ୍କର ଦୁଇଟିଯାକ ଗୀତ ଏକ ହସିନା… ଏବଂ ସୁନୟନା… ରଜ ବଜାରରେ ଓଡ଼ିଶାର ଗାଁ ଗହଳିରେ ଲୋକଙ୍କ ମନକୁ ଛୁଇଁବ ବୋଲି ତାଙ୍କର ବିଶ୍ୱାସ।

ଗୀତଗୁଡିକର ସଂଯୋଜନା ଯୁବ ସଙ୍ଗୀତପ୍ରେମୀଙ୍କ ପସନ୍ଦ ଅନୁଯାୟୀ କରାଯାଇଛି। ଗୀତର ରେକର୍ଡିଂ କଟକରେ ହୋ‍ଇଥିଲା ଏବଂ ପରେ ଅଡିଓ ମିକ୍ସିଂ ମୁମ୍ବାଇରେ କରାଯାଇଥିଲା ବୋଲି ଋତୁରାଜ ଓଡ଼ିଶାଲାଇଭ୍‌କୁ କହିଛନ୍ତି।

ଭୁବନେଶ୍ୱରସ୍ଥିତ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରୁ ଓଡ଼ିଶୀ ସଙ୍ଗୀତ ଶିକ୍ଷା କରିବା ପରେ ଋତୁରାଜ ମୁମ୍ବାଇ ଯାଇ ନିଜର ଭାଗ୍ୟ ପରୀକ୍ଷା କରିବା ପାଇଁ ଅନେକ ସଂଘର୍ଷ କରିଥିଲେ। ଅମିର ଖାନ୍‍ଙ୍କ ସୋ ‘ସତ୍ୟମେବ ଜୟତେ’ରେ ଆମ୍‌କେ ଆମ୍‍… ଗୀତ ଲୋକଙ୍କୁ ତାଙ୍କ ପ୍ରଭାବଶାଳୀ କଣ୍ଠ ତଥା ଗାୟକୀର ପରିଚୟ ଦେଇଥିଲା।

“ସବୁ ପ୍ରକାର ଗୀତ ଗାଇବାକୁ ମତେ ଭଲଲାଗେ। ହେଲେ, ସୁଫିଆନା ଶୈଳୀ ମୋର ପ୍ରିୟ। ଏହା ହିଁ ମୋତେ ସଙ୍ଗୀତ ଜଗତରେ ପରିଚିତି ଆଣିଦେଇଛି”, କହିଛନ୍ତି ଋତୁରାଜ। ମୁମ୍ବାଇରେ ରହି ସେ ଅନେକ ଷ୍ଟେଜ୍‌ ସୋ କରିବା ସହ ବିଭିନ୍ନ ମ୍ୟୁଜିକ୍‍ ପ୍ରୋଜେକ୍ଟରେ କାମ କରୁଛନ୍ତି। ଜାତୀୟପୁରସ୍କାର ପ୍ରାପ୍ତ ସିନେମା ’ବୁଦ୍ଧିଆ ସିଂ ବର୍ନ-ଟୁ-ରନ୍‍’ରେ ସେ ଗାଇଥିବା ଗୀତ ସୁନାପୁଅ ଗେହ୍ଲାପୁଅ… ଲୋକଙ୍କୁ ବହୁତ ଭଲ ଲାଗିଥିଲା।

“ଆମ ଇଣ୍ଡଷ୍ଟ୍ରିରେ ଅନେକ ପ୍ରତିଭା ଅଛନ୍ତି। ତାଙ୍କୁ ଉପଯୁକ୍ତ ସୁଯୋଗ ମିଳିଲେ, ଜାତୀୟ ସ୍ତରରେ ଆମେ ସୁନାମ ଅର୍ଜନ କରିପାରିବା”, ଓଡ଼ିଶାଲାଇଭ୍‌ ସହ କଥାବାର୍ତା ବେଳେ ଆଶା ପ୍ରକାଶ କରିଛନ୍ତି ଗାୟକ ଋତୁରାଜ।

Comment