ନବୀନ ସରକାରର ଚତୁର୍ଥ ଇନିଂସ୍‍ ତୃତୀୟ ବର୍ଷ ପୂର୍ତ୍ତି ପାଳିବାକୁ ବିଜେଡି ଶିବିରରେ ଚାଲିଛି ଜୋରଦାର ପ୍ରସ୍ତୁତି

ନବୀନ ପଟ୍ଟନାୟକଙ୍କ ଚତୁର୍ଥ ପାଳି ସରକାରକୁ ମେ’୨୧ରେ ୩ ବର୍ଷ ପୂରିବାକୁ ଯାଉଛି। ଏହାକୁ ଧୂମଧାମରେ ପାଳନ କରିବା ପାଇଁ ଶାସକ ବିଜେଡି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ‌ଆରମ୍ଭ ହୋ‍ଇଛି। ଗୋଟିଏ ପଟେ ୩ ବର୍ଷ ଭିତରେ ରାଜ୍ୟ ସରକାର କରିଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନାର ସଫଳତା ଏବଂ ଅନ୍ୟପଟେ କେନ୍ଦ୍ର ସରକାରଙ୍କ ବିଫଳତାର ବାର୍ତ୍ତା ପ୍ରଚାର କରିବା ପାଇଁ ଏଭଳି ପ୍ରସ୍ତୁତି ବିଜେଡି ଶିବିରରେ ଚାଲିଛି।

ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ଓଡିଶାରେ ଲଗାତର ଭାବେ ୪ ଥର କ୍ଷମତାସୀନ ହେଲାଣି। ହେଲେ ପୂର୍ବ ବର୍ଷ ଅପେକ୍ଷା ଚଳିତବର୍ଷ ଦଳ ଧୂମଧାମରେ ପୂର୍ତ୍ତି ଉତ୍ସବ ପାଳନ କରିବାକୁ ଯାଉଛି । କାରଣ କେନ୍ଦ୍ରର ବିଜେପି ସରକାର ମେ’ ୨୬ରେ ତିନି ବର୍ଷ ପୂର୍ତ୍ତି ପାଳନ କରୁଥିବାରୁ ବିଜେଡି ଏଭଳି କାଉଣ୍ଟର ପଦକ୍ଷେପ ନେଇଛି। ବିଜେପିକୁ ସବୁ କ୍ଷେତ୍ରରେ ଚେକ୍‍ ଦେବା ପାଇଁ ବିଜେଡି ପୂର୍ଣ୍ଣମାତ୍ରାରେ ଉଦ୍ୟମ ଆରମ୍ଭ କରିଛି।

ଲୋକାଭିମୁଖୀ ଯୋଜନା

୧୧୭ ବିଧାୟକଙ୍କୁ ନେଇ ୨୦୧୪ ମେ’ ୨୧ରେ ନବୀନ ତାଙ୍କର ଚତୁର୍ଥ ଇନିଂସ ଆରମ୍ଭ କରିଥିଲେ। ଏହି ଇନିଂସ ଆରମ୍ଭ ହେବାର କିଛିଦିନ ପରେ ଅର୍ଥାତ୍‍ ୨୦୧୫ ଏପ୍ରିଲ ୨ରେ ‘ଆହାର’ ଯୋଜନାର ଶୁଭାରମ୍ଭ କରିଥିଲେ। ଏହି ଯୋଜନା ମାଧ୍ୟମରେ ନବୀନ ୫ଟି ପ୍ରମୁଖ ସହରରେ ୫ ଟଙ୍କାରେ ଭାତ-ଡାଲ୍‍ମା ଯୋଗାଇ ଦେଇଥିଲେ। ପରବର୍ତ୍ତୀ ସମୟରେ ଏହାର ଆଉ ୫ଟି ସହରରେ ଶୁଭାରମ୍ଭ କରାଯାଇଥିଲା।

ଆହାର ପରେ ନବୀନ ବାବୁ ୨୦୧୫ ମେ’ ପହିଲାରୁ ‘ନିରାମୟ’ ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନାରେ ରୋଗୀଙ୍କୁ ମାଗଣା ଔଷଧ ବଣ୍ଟନ କରିବା ପାଇଁ ଘୋଷଣା ହୋଇଥିଲା। ସେହିପରି ଦୁଆର ମୁହଁରେ ଆଇନ୍‍ ସେବା ପହଞ୍ଚାଇବା ପାଇଁ ‘ମଧୁବାବୁ ଆଇନ୍‍ ସହାୟତା’ ଯୋଜନା, ଅନାଥ ଶିଶୁଙ୍କୁ ଏଚ୍‍ଆଇଭି ଆକ୍ରାନ୍ତରୁ ସୁରକ୍ଷା ଦେବା ପାଇଁ ‘ବିଜୁ ଶିଶୁ ସୁରକ୍ଷା’ ଯୋଜନା, ନିର୍ମାଣ ଶ୍ରମିକଙ୍କୁ ସହାୟତା ଦେବା ପାଇଁ ‘ନିର୍ମାଣ ଶ୍ରମିକ ପେନ୍‍ସନ୍‍’ ଯୋଜନା, ଲିଙ୍ଗଗତ ବୈଷମ୍ୟ ଦୂର କରିବା ପାଇଁ ‘ବିଜୁ କନ୍ୟା ରତ୍ନ’ ଯୋଜନା, ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ୧ ପ୍ରତିଶତରେ ଋଣ ପ୍ରଦାନ ପାଇଁ ‘କଳିଙ୍ଗ ଶିକ୍ଷା ସାଥୀ’ ଯୋଜନା, ବରିଷ୍ଠ ବୁଣାକାରଙ୍କୁ ସହଯୋଗ କରିବା ପାଇଁ ‘ବରିଷ୍ଠ ବୁଣାକାର ସହାୟତା’ ଯୋଜନା, ଡ୍ରାଇଭରଙ୍କ ଇନସ୍ୟୁରାନ୍ସ ପାଇଁ ‘ବିଜୁ ଗାଡି ଚାଳକ ବୀମା’ ଯୋଜନା ଏବଂ ‘ନିର୍ମାଣ ଶ୍ରମିକ ପକ୍କା ଘର’ ଯୋଜନା ଭଳି ଲୋକାଭିମୁଖୀ ଯୋଜନା ପ୍ରଣୟନ କରିଛନ୍ତି। ଏହା ସହିତ ବୃଦ୍ଧବୃଦ୍ଧାଙ୍କୁ ତୀର୍ଥଯାତ୍ରାର ସୁଯୋଗ ଦେବା ପାଇଁ ନବୀନ ବାବୁଙ୍କ ସରକାର ତୀର୍ଥଯାତ୍ରୀ ଯୋଜନା ଚାଲୁ କରିଛନ୍ତି।

ସେହିପରି ଅସହାୟ ଲୋକଙ୍କ ଶବ ମେଡିକାଲରୁ ବୋହିନେବା ପାଇଁ ୨୦୧୬ରେ ‘ମହାପ୍ରୟାଣ’ ଯୋଜନାର ଶୁଭାରମ୍ଭ କରାଯାଇଛି । ଦାନ ମାଝି ଘଟଣାରେ ନିନ୍ଦିତ ହେବା ପରେ ଏହି ଯୋଜନାର ତୁରନ୍ତ ପ୍ରଚଳନ କରାଯାଇଥିଲା।

ଗତ ୩ ବର୍ଷ ଭିତରେ ଏଭଳି ଯୋଜନା ପ୍ରଣୟନ କରିବାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଲୋକମୁଖରେ ସରକାରଙ୍କ ଲୋକପ୍ରିୟତା ବଜାୟ ରଖିବା। ହେଲେ ୨୦୧୭ ପଞ୍ଚାୟତ ନିର୍ବାଚନରେ ଯେଉଁ ଫଳାଫଳ ଆସିଲା ତାହା ଥିଲା ବିଜେଡି ପାଇଁ ଏକ ଶକ୍ତ ଧକ୍କା। ଏହି ନିର୍ବାଚନରେ ବିଜେଡି ୧ ନମ୍ବର ସ୍ଥାନ ବଜାୟ ରଖିଥିଲେ ମଧ୍ୟ ଦଳର ଭୋଟ୍‌ ହାର ୩ ପ୍ରତିଶତ ହ୍ରାସ ପାଇଥିଲା, ଯେଉଁଥିପାଇଁ ବିଜେଡି ବିଚଳିତ ହୋଇପଡିଥିବା ଲକ୍ଷ୍ୟ କରାଯାଉଛି। ଏହି ଭୋଟ୍‌ ହାର ହ୍ରାସ କେମିତି ହେଲା ଏଯାଏଁ ତାର ସମୀକ୍ଷା ଚାଲିଛି। ଏସବୁର କାରଣ ଖୋଜିବା ଭିତରେ ନବୀନ ସରକାରଙ୍କ ଚତୁର୍ଥ ଇନିଂସର ତୃତୀୟ ବର୍ଷପୂର୍ତ୍ତି ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି।

ବିବାଦରେ ସରକାର

ଚତୁର୍ଥ ଇନିଂସର ୩ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ପାଇଁ ବିଭିନ୍ନ ଲୋକପ୍ରିୟ ଯୋଜନା ପ୍ରଣୟନ କରିଥିଲେ ମଧ୍ୟ ବିବାଦ ତାଙ୍କ ସରକାରର ପିଛା ଛାଡି ନଥିଲା। ଏମିତି କିଛି ବିବାଦକୁ ନେଇ ସରକାର ଅପଦସ୍ତ ହୋଇଥିବାର ନଜିର ରହିଛି। ୧୧୭ ବିଧାୟକଙ୍କୁ ଜିତାଇ ନବୀନ ପ୍ରଶଂସା ସାଉଁଟୁ ଥିବା ବେଳେ ଚିଟଫଣ୍ଡ ଠକେଇ ତାଙ୍କ ସରକାରର ବିଫଳତାକୁ ପଦାରେ ପକାଇ ଦେଇଥିଲା। ଘରେ ନ ପଶୁଣୁ ମୁଣ୍ଡରେ ଚାଳ ବାଜିବା ଭଳି ଚତୁର୍ଥ ପାଳି ସରକାର ଆରମ୍ଭ ହେବାର ମାତ୍ର ଦିନ କେଇଟା ଭିତରେ ବିଜେଡିର ବରିଷ୍ଠ ବିଧାୟକ ପ୍ରଭାତ ତ୍ରିପାଠୀ ଏଟି ଚିଟଫଣ୍ଡ ଠକେଇ ମାମଲାରେ ଛନ୍ଦି ହୋଇ ଗିରଫ ହୋଇଥିଲେ।

ସେହିପରି ମୟୂରଭଞ୍ଜ ସାଂସଦ ରାମଚନ୍ଦ୍ର ହାଁସଦା ମଧ୍ୟ ନବଦିଗନ୍ତ ଚିଟ୍‌ଫଣ୍ଡ ଠକେଇରେ ବନ୍ଧା ହୋଇଥିଲେ। ଖାଲି ସେତିକି ନୁହେଁ, ଅନେକ ଶାସକ ଦଳର ନେତା ମଧ୍ୟ ସିବିଆଇ ସ୍କାନରରେ ରହିଥିଲେ। ସବୁଠୁ ବଡ କଥା ହେଉଛି ନବୀନ ନିବାସର ବିଶ୍ୱସ୍ତ କର୍ମଚାରୀ ସରୋଜ ସାହୁଙ୍କୁ ସିବିଆଇ ଜେରା କରିବା ପରେ ବିଜେଡି ସୁପ୍ରିମୋ ଅକଳିଆରେ ପଡିଯାଇଥିଲେ।

୨୦୧୫ ନବକଳେବରକୁ ନେଇ ମଧ୍ୟ ସରକାର ଲମ୍ବା ବିବାଦରେ ଛନ୍ଦି ହୋଇ ଯାଇଥିଲେ। ଦାରୁ ଚୟନଠାରୁ ଆରମ୍ଭକରି ଘଟ ପରିବର୍ତ୍ତନ ପର୍ଯ୍ୟନ୍ତ ସବୁଥିରେ ଶାସକ ଦଳର ବିଫଳତା ନେଇ ତୀବ୍ର ସମାଲୋଚବା ହୋଇଥିଲା। ରାସନ କାର୍ଡ ଆବଣ୍ଟନରେ ଅନିୟମିତତା ଏବଂ ବରିଷ୍ଠ-କନିଷ୍ଠ ନେତାଙ୍କ ମଧ୍ୟରେ କଥା କଟାକଟିକୁ ନେଇ ବିଜେଡି ଅଡୁଆରେ ପଡିଥିଲା। ଗତ ୧୪ ବର୍ଷରେ ଓଡିଶାରେ ଦକ୍ଷ ବିରୋଧୀ ଦଳ ନ ଥିବାରୁ ବିଜେଡି ନିଷ୍କଣ୍ଟକ  ଶାସନ କରି ଆସୁଥିଲା। ହେଲେ ଗତ ୩ ବର୍ଷ ମଧ୍ୟରେ ବିଜେପିର ଓଡିଶାରେ ଅଭ୍ୟୁଦୟ ହେବା ପରେ ବିଜେଡି ଏବେ ଚିନ୍ତାରେ ପଡିଛି।

ଗତ ୩ ବର୍ଷର ସଫଳତା ଏବଂ ବିଫଳତାକୁ ପାଥେୟ କରି ବିଜେଡିର ପ୍ରଗତି ରଥ ଆଗକୁ ଗଡୁଥିଲେ ମଧ୍ୟ ଦଳ ଓ ନେତାଙ୍କ ପାଇଁ ପଞ୍ଚାୟତ ନିର୍ବାଚନ ଏକ ସତର୍କ ଘଣ୍ଟି ବଜାଇଛି। ଏଣୁ ଆଗାମୀ ୨ ବର୍ଷ କେମିତି ସୁରୁଖୁରୁରେ ଯିବ ଏବଂ ୨୦୧୯ରେ କେମିତି ପୂର୍ବ ସ୍ଥିତି ବଜାୟ ରହିବ ତାକୁ ନେଇ ବିଜେଡି ମହଲରେ ଚିନ୍ତା ବଢିଛି, ଯେଉଁଥିପାଇଁ ନବୀନ ମେ’ ୨୧ରେ ୩ ବର୍ଷର ହିସାବ ନିକାଶ କରିବା ପାଇଁ ଅଣ୍ଟା ଭିଡିଛନ୍ତି।

(ପ୍ରସ୍ତୁତି: ସରୋଜ)

Comment