ଚାହୁଁ ଚାହୁଁ ନରେନ୍ଦ୍ର ଦାମୋଦର ଦାସ ମୋଦିଙ୍କ ନେତୃତ୍ୱାଧୀନ ଏନ୍‍ଡିଏ ସରକାରଙ୍କୁ ମେ’ ୨୬ରେ ୩ ବର୍ଷ ପୂରି ଯାଇଛି ।

ରାଜନୀତିରେ ୩ ବର୍ଷ କିଛି କମ୍‍ ସମୟ ନୁହେଁ। ଏହି ସମୟ ଭିତରେ ମୋଦି ଦେଶର ବିକାଶକୁ ନୂଆ ଢାଞ୍ଚାରେ ଗତିଶୀଳ କରିବା ପାଇଁ ପ୍ରୟାସ କରିଛନ୍ତି। ରାଜନୀତିରେ ନୂତନତା ଆଣିବା ପାଇଁ ଉଦ୍ୟମ କରିଛନ୍ତି। କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ମୋଦିଙ୍କ ଦବ୍‍ଦବା ରହିଛି।

ମୋଦିଙ୍କ ନୀତି ଏବଂ କାର୍ଯ୍ୟଶୈଳୀ ଭାରତର ଜନତାଙ୍କୁ ଖୁସି ଦେଇଥିବା ବେଳେ ବିରୋଧୀ ଦଳଙ୍କ ମୁହଁ ବନ୍ଦ କରି ଦେଇଛି। ମୋଦି ଲହରରେ ସ୍ଥିରତା ଆସିବାକୁ ବିରୋଧୀ ଅପେକ୍ଷା କରିଥିଲେ ମଧ୍ୟ ଲହର ଖତମ୍‍ ହେବାର ନାଁ ଧରୁନି। ଗୋଟିଏ ପରେ ଗୋଟିଏ ଚକମା ଦେଖା ମୋଦି ବିରୋଧୀଙ୍କୁ ସ୍ତମ୍ଭୀଭୂତ କରିଛନ୍ତି। ୩ ବର୍ଷ ସରକାରର ସଫଳତା ବଖାଣି ମୋଦି ଆଗାମୀ ୨ ବର୍ଷ ପାଇଁ ସ୍ୱପ୍ନ ଦେଖାଇଛନ୍ତି। ‘ସାଥ୍‍ ହୈ, ବିଶ୍ୱାସ ହୈ, ହୋ ରହା ବିକାଶ ହୈ ସ୍ଲୋଗାନ୍‍ ଦେଇ ମୋଦି ଆଗକୁ ଯିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି  ।

୩ ବର୍ଷ ତଳେ ଅର୍ଥାତ୍‍ ୨୦୧୪ ମେ ୨୬ରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଶପଥ ଗ୍ରହଣ ଉତ୍ସବ ଦିନରୁ ହିଁ ମୋଦି ଚର୍ଚ୍ଚାରେ ରହି ଆସିଛନ୍ତି। ସାର୍କ ଦେଶ ସମୂହର ନେତୃବୃନ୍ଦଙ୍କୁ ଶପଥ ଗ୍ରହଣ ଉତ୍ସବକୁ ଆମନ୍ତ୍ରିତ କରି ମୋଦି ସମସ୍ତଙ୍କୁ ଚକିତ କରିଥିଲେ।

ଖାଲି ସେତିକି ନୁହେଁ, ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା, ସେଲିବ୍ରିଟି ଏବଂ କର୍ପୋରେଟ୍‍ ସେକ୍ଟରର ମୁଖ୍ୟମାନେ ମଧ୍ୟ ଶପଥ ଗ୍ରହଣ ଉତ୍ସବକୁ ଆମନ୍ତ୍ରିତ ହୋଇଥିଲେ। ଇତିମଧ୍ୟରେ ୩ ବର୍ଷ ପୂରି ଯାଇଥିଲେ ମଧ୍ୟ ମୋଦି ବହୁ ଲୋକପ୍ରିୟ ଯୋଜନା ପ୍ରଣୟନ କରିଛନ୍ତି। ମାତ୍ର ନିର୍ବାଚନ ବେଳର ପ୍ରତିଶ୍ରୁତି ରକ୍ଷା କରିବାରେ ମୋଦି ବିଫଳ ହୋଇଛନ୍ତି ବୋଲି ରାଜନୀତି ପଣ୍ଡିତମାନେ ମତ ଦେଉଛନ୍ତି।

ମୋଦି ସରକାରଙ୍କ ସଫଳତା

ଜନଧନ ଯୋଜନା ପ୍ରଣୟନ କରି ମୋଦି ସରକାର ପ୍ରଥମେ ବଡ ସଫଳତା ସାଉଁଟିଥିଲେ ବୋଲି ବିଜେପି ନେତାମାନେ ଦାବି କରୁଛନ୍ତି। ଏହି ଯୋଜନା ମାଧ୍ୟମରେ ଗରିବ ଲୋକଙ୍କ ଆକାଉଣ୍ଟ ଖୋଲି ମୋଦି ଚର୍ଚ୍ଚାରେ ରହିଥିଲେ। ଗୋଟିଏ ସପ୍ତାହରେ ସର୍ବାଧିକ ଆକାଉଣ୍ଟ ଖୋଲି ଏହି ଯୋଜନା ଗିନିଜ ବୁକ୍‍ ଅଫ୍‍ ୱାର୍ଲ୍‌ଡ୍‌ ରେକର୍ଡରେ ସ୍ଥାନ ପାଇଥିଲା।

ମୋଦିଙ୍କର ଆଉ ଏକ ସଫଳତା ହେଉଛି ଏଲପିଜି ସବ୍‍ସିଡ୍‍ ଛାଡ। ପେଟ୍ରୋଲିୟମ୍‍ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ପକ୍ଷରୁ ଏହି ଲୋକହିତକର ଯୋଜନା ପ୍ରଣୟନ କରାଯାଇଥିଲା। ଉପଭୋକ୍ତାଙ୍କ ଆକାଉଣ୍ଟକୁ ସିଧାସଳଖ ସବ୍‍ସିଡ୍‍ ପ୍ରଦାନ ପାଇଁ ଏହି ଯୋଜନା ପ୍ରଣୟନ କରାଯାଇଥିଲା।

ସେହିପରି ପରିମଳ ବ୍ୟବସ୍ଥାକୁ ସଜାଡିବା ପାଇଁ ମୋଦି ସରକାର ସ୍ୱଚ୍ଛ ଭାରତ ଅଭିଯାନ ଶୁଭାରମ୍ଭ କରିଥିଲେ। ଏହି ଅଭିଯାନକୁ ବ୍ୟାପକ ଜନ ସମର୍ଥନ ମିଳିଥିଲା। ଏହି ଯୋଜନା ମାଧ୍ୟମରେ ସରକାର ଶୌଚାଳୟ ନିର୍ମାଣକୁ ଗୁରୁତ୍ୱ ଦେଉଛନ୍ତି।

ପଡୋଶୀ ଦେଶ ସହ ସମ୍ପର୍କ ମଜଭୁତ ପାଇଁ ଇଣ୍ଡୋ-ପାକ୍‍ ଏବଂ ଇଣ୍ଡୋ-ନେପାଳ ରିଲେସନ୍‍ ପ୍ରତିଷ୍ଠା କରିଥିଲେ। ଜୁନ୍‍ ୨୧କୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରିବା ସହ ରେଡିଓରେ ‘ମନ୍‍ କି ବାତ୍‍’ କାର୍ଯ୍ୟକ୍ରମ ମାଧ୍ୟମରେ ମୋଦି ଦେଶର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରି ଦେଶବାସୀଙ୍କ ମନ ଜିଣିଥିଲେ।

ଡିଜିଟାଲ ଇଣ୍ଡିଆ, ମେକ୍‍ ଇନ୍‍ ଇଣ୍ଡିଆ, ନୀତି ଆୟୋଗ ଭଳି ଯୋଜନା କରି ମୋଦି ସରକାର ସଫଳତାର ପାହାଚ ଚଢ଼ିଥିଲେ। ୨୦୧୬ରେ ମୋଦି ସରକାରଙ୍କ ବଡ ସଫଳତା ହେଉଛି ବିମୁଦ୍ରୀକରଣ ନୀତି। ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‍ ଅଚଳ କରି ମୋଦି ଚର୍ଚ୍ଚାରେ ରହିଥିଲେ।

ବଡ଼ ବିଫଳତା

୨୦୧୪ ନିର୍ବାଚନ ପ୍ରଚାରରେ ବିଜେପିର ପୋଷ୍ଟର ବୟ ସାଜିଥିବା ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ପ୍ରତିଶ୍ରୁତିର ପାହାଡରେ ଛିଡା କରିଥିଲେ। ହେଲେ ମୋଦି ସରକାରକୁ ୩ ବର୍ଷ ପୁରିଥିବା ବେଳେ ଦେଶବାସୀ ତାଙ୍କ ପ୍ରତିଶ୍ରୁତିକୁ ମନେ ପକାଉଛନ୍ତି।

ନିର୍ବାଚନ ବେଳେ ମୋଦି ଦୁର୍ନୀତି, ଏନ୍‍ପିଏ, କଳାଧନ, ଗଙ୍ଗା ସଫେଇ, ଦାଉଦ/ହାଫିଜ, ଆତଙ୍କବାଦ ଏବଂ ପଡୋଶୀ ଦେଶ ସହ ସମ୍ପର୍କ ମଜଭୁତ କରିବା କହି ଭୋଟ ନେଇଥିଲେ। ମାତ୍ର ଏହି ସ୍ଲୋଗାନ୍‍ କେତେଦୂର କାର୍ଯ୍ୟକାରୀ ହୋଇଛି ତାର ହିସାବ ମାଗୁଛନ୍ତି ଦେଶବାସୀ।

ଗଙ୍ଗା ନଦୀ ସଫେଇ ପାଇଁ ମୋଦି ଅଭିଯାନ ଆରମ୍ଭ କରିଥିଲେ। ଯାହାର ନାମ ଥିଲା ‘ନମାମି ଗଙ୍ଗେ’। ଏଥିପାଇଁ ଗତ ୨ ବର୍ଷ ଭିତରେ ୨,୯୫୮ କୋଟି ସରକାରୀ ତହବିଲରୁ ଖର୍ଚ୍ଚ ହୋଇଥିଲା। ମାତ୍ର ହିନ୍ଦୁ ଧର୍ମାବଲମ୍ବୀଙ୍କ ପବିତ୍ର ଗଙ୍ଗା କେତେ ପରିମାଣରେ ସଫା ହୋଇଛି ତାହା ଗଙ୍ଗା କୂଳର ଅଧିବାସୀମାନେ ଭଲଭାବେ କହିପାରିବେ। ମୋଦିଙ୍କ ଅନ୍ୟତମ ପ୍ରତିଶ୍ରୁତି ଥିଲା କଳାଧନ ଜମାକାରୀଙ୍କ ନାମ ସର୍ବସାଧାରଣରେ ପ୍ରକାଶ କରିବା। ହେଲେ ତାଙ୍କ ସରକାରକୁ ୩ ବର୍ଷ ପୂରିଥିଲେ ମଧ୍ୟ କଳାଧନ ପ୍ରସଙ୍ଗ ମୁହଁରେ ଧରୁ ନାହାନ୍ତି ମୋଦି। କେଉଁ ଲୋକଙ୍କ କଳା ଟଙ୍କା ବିଦେଶରେ ଗଚ୍ଛିତ ରହିଛି ସେମାନଙ୍କ ନାମ ବି ପ୍ରକାଶ କରୁନାହାନ୍ତି।

କଳାଧନ ଅଧିକାରୀଙ୍କ ଗୁମର ଖୋଲିବା ଏବଂ ଜାଲ ନୋଟ କାରବାରକୁ ବନ୍ଦ କରିବା ଉଦ୍ଦେଶ୍ୟରେ ମୋଦି ନଭେମ୍ବର ୮ରେ ଦୁଇଟି ବଡ ନୋଟ୍‍ ଅଚଳ କରି ଦେଇଥିଲେ। ଏହାଦ୍ୱାରା କେତେ କଳାଧନ ରାଜକୋଷକୁ ଫେରି ଆସିଲା ତା’ର ହିସାବ ମୋଦି ଦେଉନାହାନ୍ତି। ଲୋକଙ୍କ ପାଖରେ ନୂଆ ୫୦୦ ଓ ୨୦୦୦ ଟଙ୍କିଆ ନୋଟ୍‍ ଅଭାବ ଥିବା ବେଳେ ଏବେ ବଜାରରେ ମାଳ ମାଳ ଜାଲ ନୋଟ ଛାଇ ଯାଇଛି। ତେବେ ଏଭଳି ବିମୁଦ୍ରୀକରଣର ମାନେ କ’ଣ ବୋଲି ଲୋକେ ପ୍ରଶ୍ନ କରୁଛନ୍ତି।

ଦୁର୍ନୀତି ବିରୋଧୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୋଦି କହିଥିଲେ ମଧ୍ୟ ତାହା ବି ଶୀତଳଭଣ୍ଡାରରେ ରହିଛି। ଆତଙ୍କବାଦୀଙ୍କୁ ଦମନ କରିବା ପାଇଁ ସର୍ଜିକାଲ ଷ୍ଟ୍ରାଇକ କରାଯାଇଥିଲେ ହେଁ ଆତଙ୍କବାଦ କାର୍ଯ୍ୟକଳାପ ବନ୍ଦ ହୋଇନି। ପଡୋଶୀ ପାକିସ୍ତାନ ଏବଂ ଚୀନ ସହ ସମ୍ପର୍କରେ ଏପର୍ଯ୍ୟନ୍ତ ଉନ୍ନତି ଆସିନି। ଅଣ୍ଡର ୱାର୍ଲ୍‌ଡ୍‌ ଡନ୍‍ ଦାଉଦ ଇବ୍ରାହିମ୍‍ ଏବଂ ଆତଙ୍କବାଦୀ ହାଫିଜ ସୟିଦଙ୍କୁ ଭାରତକୁ ଆଣିବା ତ ଦୂରର କଥା ସେମାନଙ୍କ ସାମ୍ରାଜ୍ୟ ଭାଙ୍ଗିବାରେ ସରକାର ସମର୍ଥ ହୋଇନାହାନ୍ତି।୨ କୋଟି ବେରୋଜଗାରୀଙ୍କୁ ରୋଜଗାର ଦେବା ଘୋଷଣା କେବଳ ଘୋଷଣାରେ ହିଁ ରହି ଯାଇଛି ବୋଲି ବିରୋଧୀ ଅଭିଯୋଗ କରୁଛନ୍ତି।

(ପ୍ରସ୍ତୁତି : ସରୋଜ)

Comment