ଭାସ୍କର ପରିଛା

ନବୀନଙ୍କ ଉପରେ ବିଜେପି ଯେଉଁଭଳି ଅହରହ ଆକ୍ରମଣ ଚଲାଇଛି ସେଥିରୁ ଜଣାଯାଉଛି ଦଳ ଆଉ ସମ୍ଭାଳି ରହିପାରିବ ନାହିଁ। ଏପଟେ ବିଜେଡି ମଧ୍ୟ ବିଜେପିକୁ ତାର ପ୍ରଥମ ଶତ୍ରୁ ବୋଲି ଧରି ନେଇଛି। ନବୀନଙ୍କ ସତର ବର୍ଷର ଶାସନରେ କଂଗ୍ରେସ ହିଁ ଥିଲା ଶତ୍ରୁ। ଏବେ ସେହି ସ୍ଥାନ ନେଇଛି ବିଜେପି।…

ମେ ୨୦୧୪ରେ ଓଡିଶାର ମୁଖ୍ୟମନ୍ତ୍ରୀ ଭାବରେ ଚତୁର୍ଥ ଥର ପାଇଁ ନିର୍ବାଚିତ ହୋଇଥିଲେ ନବୀନ ପଟ୍ଟନାୟକ। ଇତିମଧ୍ୟରେ ୩ ବର୍ଷ ଶେଷ ହୋଇଛି ତାଙ୍କ ସରକାରର। ଏଇ ହଜାରେ ଦିନ ଭିତରେ ତାଙ୍କ ସରକାର କେତେ ସଫଳ ଓ କେତେ ବିଫଳ ତାର ଏକ ହିସାବ ନିକାସ ଜରୁରୀ।

ପ୍ରଥମ  ହିସାବ ହେଉଛି ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବା ସକାଶେ ସେ କେତେ ସୁଯୋଗ ସୃଷ୍ଟି କରି ପାରିଛନ୍ତି। ଅନ୍ୟ ଅର୍ଥରେ ମିଳିତ ବିରୋଧୀ ଦଳ ପକ୍ଷରୁ ତାଙ୍କ ପାଇଁ କେତେ ପ୍ରତିବନ୍ଧକ ସୃଷ୍ଟି କରାଯାଇଛି। ବିଜେଡି ସରକାର ପ୍ରତି ବିପଦ ସୃଷ୍ଟି ହୋଇଛି ନା ନବୀନ ଏବେ ବି ସୁବିଧାରେ?

ଅବଶ୍ୟ ବିଧାନସଭା ନିର୍ବାଚନ ଆହୁରି ଦୁଇ ବର୍ଷ ବାକି ଅଛି। କିନ୍ତୁ ରାଜନୈତିକ ପରିବେଶକୁ ଯଦି ଲକ୍ଷ୍ୟ କରାଯାଏ ତେବେ ପୂରା ପାଞ୍ଚ ବର୍ଷ ସରକାର ଚାଲିବ କି? ନା ନବୀନ ନିର୍ବାଚନକୁ ଆଗେଇ ନେବେ, ୨୦୦୪ ମସିହାରେ ସେ ଏଭଳି କରିଥିଲେ?

ଚାହିଁଲେ ନବୀନ ବାକି ଦୁଇ ବର୍ଷ ଭିତରେ ଦଳର ଅଖଚକ ସବୁ ସଜାଡି ଦେଇପାରିବେ ଓ ଦଳକୁ ନିର୍ବାଚନ ମଇଦାନକୁ ପୂରା ଜୋସ୍‍ରେ ପଠାଇ ପାରିବେ।

ତେଣେ ବିରୋଧୀ ବି ଯେ ଖୁବ୍‍ ଭଲ ଅବସ୍ଥାରେ ଅଛନ୍ତି ତାହା ନୁହେଁ। ବିପକ୍ଷ ବିଶେଷକରି ବିଜେପି ପଞ୍ଚାୟତ ନିର୍ବାଚନ ପରେ ବେଶ୍ ଉତ୍ସାହିତ ଓ ଉତ୍‌ଫୁଲ୍ଲିତ ହୋଇ ପଡ଼ିଛ ସତ, କିନ୍ତୁ ନିର୍ବାଚନ ମହାନଦୀ ପାର ହେବା ପାଇଁ ମୋଦି-ସାହାଙ୍କ ଦଳକୁ ଢ଼େର କସରତ କରିବାକୁ ପଡ଼ିବ। କାରଣ ନବୀନଙ୍କ ସରକାରକୁ ପଲଟେଇବା ଏତେ ସହଜ ନୁହେଁ ଯାହା ବିଜେପି ଭାବୁଛି।

ନବୀନ ସରକାରଙ୍କ ଅନ୍ୟ ହିସାବ ନିକାସ କଥା। ଏଇ ବର୍ଷକ ମଧ୍ୟରେ ରାଜ୍ୟରେ ଅବଶ୍ୟ ବହୁ କଥା ଘଟିଯାଇଛି। ପଞ୍ଚାୟତ ନିର୍ବାଚନରେ ବିଜେଡି କିଛି ପ୍ରଭାବ ହରାଇଛି। ଦଳ ଭିତରେ ମଧ୍ୟ ନବୀନଙ୍କ କଥା, ନିର୍ଦ୍ଦେଶ ଓ ଉପଦେଶ ଏତେ କାମ କରୁନାହିଁ।

ଦୁଇ ବର୍ଷ ତଳେ ନବୀନ ପଟ୍ଟନାୟକ ଥିଲେ ଦଳ ଓ ସରକାରର ସୁପ୍ରିମୋ। ବିଜେପିକୁ ତ କେହି ପାସଙ୍ଗରେ ବି ପକାଉ ନଥିଲେ। କଂଗ୍ରେସ ତ ମହାନିଦ୍ରାରେ! ଏହି  ଦଳ ପୁଣି କେବେ ଓଡିଶାର ରାଜନୀତିରେ ମୁଣ୍ଡ ଟେକି ଚାଲିପାରିବ ତାହା ଦେଖା ଯାଉନାହିଁ। ଏଣୁ ଓଡିଶା ରାଜନୀତି କହିଲେ ଆଜିର ଦିନରେ କେବଳ ବିଜେଡି ଓ ବିଜେପି ଭିତରେ ହିଁ ସୀମିତ।

ବର୍ଷକ ତଳେ ଏମିତି ପରିସ୍ଥିତି ଥିଲା ଯେ ବିଜେଡି ତଥା ବିଜେପି ମଧ୍ୟରେ କେତେବେଳେ ଗରମ କେତେବେଳେ ଥଣ୍ଡା ତାହା ଜଣା ପଡୁ ନଥିଲା। ଏପରିକି ଅଲଗା ହୋଇଥିବା ସ୍ୱାମୀ-ସ୍ତ୍ରୀ ଭଳି ଦୁଇ ଦଳ ପୁଣି ଏକାଠି ହୋଇପାରନ୍ତି ଏ ଧରଣର ଆଲୋଚନା ବି ଶୁଣିବାକୁ ମିଳୁଥିଲା। ବିଜେପି ଓ କଂଗ୍ରେସଠାରୁ ସମାନ ଦୂରତା ରଖାଯିବ ବୋଲି ନବୀନ ତୁହାକୁ ତୁହା ଯାହା କହି ଆସୁଥିଲେ ତାହା ଧୂଆଁବାଣ ଛଡ଼ା ଆଉ କିଛି ନୁହେଁ ବୋଲି ରାଜନୈତିକ ଲୋକେ ମତ ଦେଉଥିଲେ।

ଏବେ କିନ୍ତୁ ସେ କଥା ଆଉ ନାହିଁ। ଉଭୟ ଦଳ ବର୍ତ୍ତମାନ ଯୁଦ୍ଧ ପାଇଁ ପୂରା ପ୍ରସ୍ତୁତ। ନବୀନଙ୍କ ଉପରେ ବିଜେପି ଯେଉଁଭଳି ଅହରହ ଆକ୍ରମଣ ଚଲାଇଛି ସେଥିରୁ ଜଣାଯାଉଛି ଦଳ ଆଉ ସମ୍ଭାଳି ରହିପାରିବ ନାହିଁ। ଏପଟେ ବିଜେଡି ମଧ୍ୟ ବିଜେପିକୁ ତାର ପ୍ରଥମ ଶତ୍ରୁ ବୋଲି ଧରି ନେଇଛି। ନବୀନଙ୍କ ସତର ବର୍ଷର ଶାସନରେ କଂଗ୍ରେସ ହିଁ ଥିଲା ଶତ୍ରୁ। ଏବେ ସେହି ସ୍ଥାନ ନେଇଛି ବିଜେପି।

ମଜା କଥା ହେଉଛି ବିଜେଡି-ବିଜେପି ମେଣ୍ଟ ବିଷୟରେ ଆଉ ଆଲୋଚନା ହେଉନାହିଁ, ହେଉଛି ବିଜେଡି-କଂଗ୍ରେସ ମେଣ୍ଟକୁ ନେଇ। ଏହାର ଏକମାତ୍ର ଉଦ୍ଦେଶ୍ୟ ହେଉଛି ବିଜେପି ରଥକୁ ଆଗକୁ ବଢ଼ିବାରେ ରୋକ ଲଗାଇବା।

ପ୍ରଥମେ ଉତ୍ତର ପ୍ରଦେଶରେ ଦଳର ସଫଳତା ଓ ପରେ ଭୁବନେଶ୍ୱରରେ ଜାତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବା ପରେ ବିଜେପିର ରାଜ୍ୟ ନେତା ଓ ସଧାରଣ କର୍ମୀଙ୍କ ମନରେ ଆଉ କୌଣସି ପ୍ରକାର ସନ୍ଦେହ ନାହିଁ ଯେ ବିଜେଡି ସହିତ ମିଶି ସରକାର ଗଠନ କରିବାର ପ୍ରଶ୍ନ ହିଁ ନାହିଁ। ସେମାନେ ଜାଣି ସାରିଲେଣି ସବୁ ବଳ ଲଗାଇ ବିଜେଡି ସହିତ ନିର୍ବାଚନ ଲଢ଼େଇରେ ଅବତୀର୍ଣ୍ଣ ହେବାକୁ ପଡିବ।

ତେବେ ପ୍ରଶ୍ନ ହେଉଛି, ପଞ୍ଚାୟତ ନିର୍ବାଚନରେ ବିଜେପିର ସଫଳତାକୁ ନେଇ ଦଳ ତରଫରୁ ଯେଉଁ ବିଜୟ ବୈଜୟନ୍ତୀ ଉଡାଯାଉଛି ତାହା କଣ ଯଥେଷ୍ଟ ନବୀନଙ୍କୁ ଟକ୍କର ଦେବା ପାଇଁ?

ସତ କଥାଟି ହେଉଛି ବିଜେପିର ଏହି ସଫଳତା ଅନେକ ପରିମାଣରେ ଫୋଟକା, ବୋମା ନୁହେଁ। ଦଳର ପଞ୍ଚାୟତ ସମିତି ଅଭିଯାନ ଏକ ଆଂଶିକ ସଫଳତା ମାତ୍ର। ଯଦି ଆପଣ ଗ୍ରାଉଣ୍ଡ ପରିସ୍ଥିତି ଉପରେ ନଜର ପକେଇବା ଆରମ୍ଭ କରିବେ ଦେଖିବେ ବିଜେପିକୁ ଏବେ ବି ଅନେକ ବାଟ ଯିବାକୁ ହେବ।

ତେବେ ରାଜନୀତିରେ ଆପଣ ଯଦି ଧାରଣା ସୃଷ୍ଟି କରାଇ ପାରିଲେ ଜାଣନ୍ତୁ ଯୁଦ୍ଧ ଅଧା ଜିତି ପାରିଛନ୍ତି। ବିଜେପି କ୍ଷେତ୍ରରେ ଏୟା ହିଁ ହୋଇଛି। ମିଡିଆ ସାହାଯ୍ୟରେ ହେଉ କି ନିଜ ପ୍ରଚାର ଶକ୍ତି ବଳରେ ହେଉ ବିଜେପି ଓଡିଶାର ଭୋଟରମାନଙ୍କ ମଧ୍ୟରେ ଏକ ଧାରଣା ସୃଷ୍ଟି କରିପାରିଛି ଯେ ଏହି ଦଳ ହିଁ ବିଜେଡି ଓ ନବୀନଙ୍କ ବିକଳ୍ପ।

ତେବେ ଆମେ ଯଦି ଭାବିବା ନବୀନ ଏଥିରେ ଚୁପଚାପ ବସି ପଡ଼ିଛନ୍ତି ତାହା ଠିକ୍‍ ନୁହେଁ। ବରଂ ସେ ବୁଝିଛନ୍ତି ଯେ ଲଢେଇ ଆଗକୁ  ଜୋରଦାର ହେବ ଏବଂ ତାଙ୍କ ବିନା ଏହା ଲଢ଼ିବା ଅସମ୍ଭବ।

ଦଳ ଭିତରେ ଓ ବାହାରେ ସବୁ କଥା ସେ ନିଜେ ସମ୍ଭାଳିବା ଆରମ୍ଭ କରିଛନ୍ତି। ନବୀନଙ୍କ ସମଝକୁ ବି ପ୍ରଶଂସା କରିବାକୁ ପଡ଼ିବ। ସେ ଦେଖୁଛନ୍ତି ୧୭ ବର୍ଷ ଶାସନ ଭାର ଗ୍ରହଣ କରିବା ପରେ କିଛି ନା କିଛି ଅସନ୍ତୋଷ ବାହାରିବ। ଏଣୁ ଏଥିରେ ସେ ଆଦୌ ବିଚଳିତ ନୁହନ୍ତି। ବରଂ କେମିତି ସମୟକୁ ସାମ୍ନା କରିବାକୁ ହେବ ତା’ର ମୂଳକୁ ସେ ଯିବା ଆରମ୍ଭ କରିଛନ୍ତି। ଦଳ ଭିତରେ ଯେଉଁ ଅସନ୍ତୋଷ ଦେଖା ଦେଇଛି ତାହାକୁ ସାପ ନ ମରିବା ଓ ବାଡ଼ି ନ ଭାଙ୍ଗିବା ନ୍ୟାୟରେ ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି। ବିଚକ୍ଷଣ ରାଜନୀତିର ଏହା ଏକ ନିଦର୍ଶନ।

କେତୋଟି ପ୍ରସଙ୍ଗ ଓ ବିଷୟରେ ମଧ୍ୟ ସେ ନିଜର ପାରଦର୍ଶିତାକୁ ପ୍ରମାଣ କରିପାରିଛନ୍ତି। ଉଦାହରଣ ହେଉଛି ବାରିପଦା ମେଡ଼ିକାଲ କଲେଜ ପ୍ରସଙ୍ଗ।

ବିଜେଡି ଓ ନବୀନଙ୍କ ପାଇଁ ସବୁଠାରୁ ବଡ଼ ସମ୍ପତ୍ତି ହେଉଛି ଯେ ଏଯାଏଁ ଦଳ କିମ୍ବା ସୁପ୍ରିମୋଙ୍କ ପ୍ରତି ଗଣ ଅସନ୍ତୋଷ କି କ୍ରୋଧ କି  ଅବମାନନା ସୃଷ୍ଟି ହୋଇ ନାହିଁ। ବିଜେଡି ପ୍ରତି ଏବେବି ଲୋକଙ୍କ ଭରସା ରହିଛି।

ଆଉ ଏଇଥିପାଇଁ ନବୀନ ପଟ୍ଟନାୟକ ନିଜକୁ ପୁନଃଆବିଷ୍କାର କରିବା କାମରେ ଲାଗିଛନ୍ତି। ଅଧିକ ସମ୍ବେଦନଶୀଳ, ନିକଟ ଓ ଲୋକପ୍ରିୟ ନେତା ଭାବରେ ସେ ସାମ୍ନାକୁ ଆସିବା ପାଇଁ ଉତ୍ସୁକ। ପୂର୍ବର ଗମ୍ଭୀର ମୁହଁର ସ୍ଥାନ ଏବେ ନେଇଛି ସହାସ୍ୟତା। ଭାବକୁ ନିକଟ ଅଭାବକୁ ଦୂର ଏହି ଢଗରେ ସେ ଆଉ ବିଶ୍ୱାସ ରଖୁ ନାହାନ୍ତି। ପାଖ – ଦୂର ଏଭଳି ଶବ୍ଦ ହିଁ  ନାହିଁ ତାଙ୍କ ନିକଟରେ।

ମୋଟାମୋଟି, ନବୀନ ପଟ୍ଟନାୟକ ସୁବିଧାରେ ହିଁ ଥିଲା ଭଳି ଲାଗୁଛି। ମାନେ: ୨୦୧୯ ହୁଏତ ଏକ ଅଜେୟ ଯୁଦ୍ଧ ନୁହେଁ!

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଏବଂ ଓଡିଶା ଲାଇଭର ପରାମର୍ଶଦାତା ସମ୍ପାଦକ)

5 COMMENTS

    • Thank you so much for your feedback. Please keep visiting our portal and share posts with others. – Team OdishaLIVE

Comment