ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ୨୦୧୯ ନିର୍ବାଚନ ପାର ହେବା ପାଇଁ ନିଜ ନିଜର ଯୁବବାହିନୀ ଉପରେ ପୂରା ଫୋକସ୍‌ କରିଛନ୍ତି।

୨୦୧୯ ନିର୍ବାଚନ ପାଇଁ ଏବେ ଓଡ଼ିଶାର ୩ ପ୍ରମୁଖ ଦଳ ତତ୍ପର ହୋଇଉଠିଛନ୍ତି। କିଏ କେଉଁ ଉପାୟରେ କାହାକୁ ଚେକ୍‍ ଦେବ ତାକୁ ନେଇ ରଣନୀତି ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ବିଜେଡି, ବିଜେପି, କଂଗ୍ରେସ ଯୁବକମାନଙ୍କୁ ମୁଖ୍ୟ ଅସ୍ତ୍ର କରିଛନ୍ତି। ଯୁବ କର୍ମକର୍ତ୍ତାଙ୍କୁ ଆୟୁଧ କରି ନିର୍ବାଚନ ବୈତରଣୀ ପାର ହେବାକୁ ଆଶା ରଖିଛନ୍ତି।

ଅଣ୍ଡା ମାଡ଼, ବିକ୍ଷୋଭ, ରାଲି ଆଦିକୁ ନେଇ ଗତ କିଛି ମାସ ତଳେ ଚର୍ଚ୍ଚାରେ ରହିଥିବା ଯୁବ କଂଗ୍ରେସ ଗତ ୧୭ ତାରିଖରେ ରାଜଧାନୀ ଭୁବନେଶ୍ୱରର ପିଏମ୍‍ଜିଠାରେ ଶକ୍ତି ପ୍ରଦର୍ଶନ କରିଛି । ‘ଯୁବ ଅଧିକାର ସମାବେଶ’ ଆୟୋଜନ କରି ଦଳ ସରକାରଙ୍କୁ ଘେରିଥିଲା। ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ତୃତୀୟ ସ୍ଥାନକୁ ଖସି ଆସିବା ପରେ ଏଭଳି ବଡ଼ ଧରଣର ରାଲି କରି କଂଗ୍ରେସ ଚର୍ଚ୍ଚାରେ ରହିଛି। ଶତାଧିକ ଯୁବ କଂଗ୍ରେସ କର୍ମୀଙ୍କୁ ରାସ୍ତାକୁ ଓହ୍ଲାଇ କଂଗ୍ରେସ ତା’ର ଶକ୍ତି ପ୍ରଦର୍ଶନ କରି ୨୦୧୯ ପାଇଁ ବିଗୁଲ ଫୁଙ୍କିଥିବା କୁହାଯାଉଛି। ଆଗାମୀ ଦିନରେ ମଧ୍ୟ ଏହି ଧାରା ଜାରି ରହିବ ବୋଲି ରାଜ୍ୟ ଯୁବ କଂଗ୍ରେସ କାର୍ଯ୍ୟକାରୀ ସଭାପତି ଲୋକନାଥ ମହାରଥୀ କହିଛନ୍ତି।

ଯୁବକମାନଙ୍କ ଅଧିକାର ସରକାରଙ୍କ ହାତରୁ ଛଡାଇ ଆଣିବା ପାଇଁ ଯୁବ କଂଗ୍ରେସ ନୂଆ ପଦକ୍ଷେପ ଗ୍ରହଣ କରିଛି। ଜୁନ୍‍ ଶେଷ ସପ୍ତାହ କିମ୍ବା ଜୁଲାଇ ପ୍ରଥମ ସପ୍ତାହରୁ ୩୦ଟି ଜିଲାର ପାଖାପାଖି ୬୦ରୁ ୭୦ଟି ନିର୍ବାଚନମଣ୍ଡଳୀରେ ଯୁବ ଅଧିକାର ସମାବେଶ ଆୟୋଜନ କରିବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି। ଏହାସହ ସେପ୍ଟେମ୍ବର କିମ୍ବା ଅକ୍ଟୋବର ମାସରେ ୧ ଲକ୍ଷ ଯୁବକଙ୍କୁ ଏକାଠିକରି ଭୁବନେଶ୍ୱରରେ ପୁଣି କଂଗ୍ରେସ ତା’ର ଶକ୍ତି ଦେଖାଇବ ବୋଲି ମହାରଥୀ ଓଡ଼ିଶାଲାଇଭ୍‍କୁ ସୂଚନା ଦେଇଛନ୍ତି।

ଏପଟେ ବିଜେପି ମଧ୍ୟ ଚୁପ୍‍ ବସିନି। ପଞ୍ଚାୟତ ନିର୍ବାଚନରେ ଭୋଟ ହାର ବୃଦ୍ଧି ପାଇଥିବାରୁ ଦଳର କର୍ମକର୍ତ୍ତାମାନେ ଉତ୍ସାହିତ ହୋଇପଡ଼ିଛନ୍ତି। ବିଭିନ୍ନ ପ୍ରସଙ୍ଗକୁ ନେଇ ଦଳର ଯୁବ ମୋର୍ଚ୍ଚା ରାଜରାସ୍ତାକୁ ଓହ୍ଲାଇବା ସହ ନବୀନ ସରକାରଙ୍କୁ ଅଡୁଆରେ ପକାଇ ଆସୁଛି। ନରେନ୍ଦ୍ର ମୋଦିଙ୍କ ୩ ବର୍ଷ ସରକାରର ସଫଳତାକୁ ନେଇ ବିଜେପି କର୍ମକର୍ତ୍ତା ବୁଥ୍‍ ସ୍ତରକୁ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଏହି ଅଭିଯାନ ଆସନ୍ତା ଜୁନ୍‍ ୫ରୁ ଆରମ୍ଭ ହେଉଥିବା ସୂଚନା ମିଳିଛି। ରାଷ୍ଟ୍ରୀୟ ସଭାପତି ଅମିତ୍‍ ଶାହା ମଧ୍ୟ ଏହି ଅଭିଯାନରେ ସାମିଲ ହେବାର ସମ୍ଭାବନା ରହିଛି।

ସବୁଠୁ ବଡ଼ କଥା ହେଉଛି ପଞ୍ଚାୟତ ସଫଳତା ପରେ ବିଜେପି ଏହି ସୁଯୋଗକୁ ହାତଛଡ଼ା କରିବାକୁ ଚାହୁଁନି। ଓଡ଼ିଶାରେ ମୋଦି ଲହର ଖେଳାଇବା ପାଇଁ ବିଜେପି ପ୍ରାଣପଣେ ଉଦ୍ୟମ ଚଳାଇଛି। ଓଡିଶାରେ ଜାତୀୟ କାର୍ଯ୍ୟକାରିଣୀଠୁଁ ଆରମ୍ଭକରି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ବିଜେଡି ସରକାରର ପତ୍ତନ ଘଟାଇବାକୁ ଚାହୁଁଛି। ଏଥିପାଇଁ ଦଳ ଆଗାମୀ ଦିନରେ ଯୁବବର୍ଗକୁ ଅସ୍ତ୍ର କରିବ ବୋଲି ଦଳର ଜଣେ ବରିଷ୍ଠ ନେତା ଆଲୋଚନା ବେଳେ ସୂଚନା ଦେଇଛନ୍ତି।

କଂଗ୍ରେସ ଏବଂ ବିଜେପି ପରି ବିଜେଡି ମଧ୍ୟ ଯୁବ ଶକ୍ତିଙ୍କୁ ଅସ୍ତ୍ର କରି ଦଳର ଶକ୍ତି ପ୍ରଦର୍ଶନ ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି। ୯ ବର୍ଷ ପରେ ଯୁବ ସଭାପତି ପଦବୀରେ ଅଦଳବଦଳ କରିବା ପରେ ମେ ୨୮ ତାରିଖରେ ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରିଣୀ ବୈଠକ ଆୟୋଜନ କରି ଅନ୍ୟ ଦଳର ଯୁବ ଶକ୍ତିକୁ କଡା ଚାଲେଞ୍ଜ କରିବାକୁ ସଙ୍କେତ ଦେଇଛି। ୨୦୧୯ ନିର୍ବାଚନକୁ ଆଖିରେ ରଖି ଦଳ ସାଙ୍ଗଠନିକ ରୋଡ୍‍ ମ୍ୟାପ ପ୍ରସ୍ତୁତ କରିଛି। ଜୁନ୍‍ ୧୧ରେ ବାଲେଶ୍ୱର, ୨୧ରେ ବ୍ରହ୍ମପୁର, ଜୁଲାଇ ୨ରେ ସମ୍ବଲପୁର, ୯ରେ କଟକ, ୨୩ରେ ବଲାଙ୍ଗୀର, ୩୦ରେ ପୁରୀରେ ସମାବେଶ ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି।

ଏହାସହ ସୋସିଆଲ ମିଡିଆରେ ଯୁବବାହିନୀଙ୍କୁ ଅଧିକ ସକ୍ରିୟ ରହିବାକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି। ଆସନ୍ତା ୧ ବର୍ଷ ମଧ୍ୟରେ ୨୦ ଲକ୍ଷ ଯୁବକ ଯୁବତୀଙ୍କୁ ସଙ୍ଗଠନରେ ସାମିଲ କରିବାକୁ ଦଳ ଲକ୍ଷ୍ୟ ରଖିଛି।

ବିଜେଡି ଯୁବ ଜନତା ଦଳର କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ସାଧାରଣ ସମ୍ପାଦକ (ଯୁବବ୍ୟାପାର ସଞ୍ଜୟ କୁମାର ଦାସବର୍ମା, ଦଳର ମନ୍ତ୍ରୀ ଏବଂ ବରିଷ୍ଠ ନେତାମାନଙ୍କୁ ମଧ୍ୟ କହିଥିଲେ ଯେ ଦଳକୁ ମଜବୁତ କରିବାକୁ ହେଲେ ଏହାର ଯୁବବାହିନୀକୁ ଗୁରୁତ୍ୱ ଦେବାକୁ ପଡ଼ିବ। ତେଣୁ ସମସ୍ତେ ସଂଗଠନ ପାଇଁ ଅଧିକ ସମୟ ଦେବାକୁ ସେ ଅନୁରୋଧ କରିବା ସହ ଯୁବ ଓ ଛାତ୍ର ସଂଗଠନକୁ ସାଙ୍ଗରେ ଧରି ଚାଲିବାକୁ ସେ ପରାମର୍ଶ ଦେଇଛନ୍ତି।

ଯୁବଶକ୍ତିକୁ ନେଇ ରାଜ୍ୟର ୩ ପ୍ରମୁଖ ଦଳ ଯେଉଁ ରଣନୀତି ପ୍ରସ୍ତୁତ କରୁଛନ୍ତି ତାହା ନିଜ ନିଜ ଦଳକୁ ଆଗାମୀ ଦିନରେ କେତେ ମଜବୁତ କରିବ ଓ ଅନ୍ୟ ଦଳର ରଣନୀତିର ମୁକାବିଲା ପାଇଁ କେତେ ବଳ ଯୋଗାଇବ ତାହାହିଁ ହେଉଛି ସବୁଠୁ ବଡ଼ କଥା।

(ପ୍ରସ୍ତୁତି – ସରୋଜ)

Comment