ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାରର ୩ ବର୍ଷ ପୂର୍ତ୍ତି ପାଳନ ଗତ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଦୀର୍ଘ ୨୦ ଦିନ ଧରି ଏହି ସଫଳତାର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ବିଧିବଦ୍ଧ ଯୋଜନା ହୋଇଛି। ତେବେ ଯଦି ରାଜନୈତିକ ଦୃଷ୍ଟିକୋଣରୁ ଦେଖାଯାଏ ଆଗାମୀ ଦୁଇ ବର୍ଷ ବା ୨୦୧୯ ନିର୍ବାଚନ ପର୍ଯ୍ୟନ୍ତ ବିଜେପି ଓ ମୋଦି ସରକାରଙ୍କ ଫୋକସ୍ ହେବ ୩ଟି ରାଜ୍ୟ। ଏହି ରାଜ୍ୟଗୁଡ଼ିକ ହେଉଛି: ବଙ୍ଗଳା, କେରଳ ଓ ଓଡ଼ିଶା।

ସ୍ଥିର ହୋଇଥିବା କାର୍ଯ୍ୟସୂଚୀ ଅନୁସାରେ ବିଜେପି ପକ୍ଷରୁ ଏହି ତିନୋଟି ରାଜ୍ୟରେ ଦୁଇ ଡଜନରୁ ଅଧିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏହିସବୁ କାର୍ଯ୍ୟକ୍ରମରେ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ କେନ୍ଦ୍ରମନ୍ତ୍ରୀ ଓ ଦଳର ତୁଙ୍ଗ କାର୍ଯ୍ୟକର୍ତ୍ତା ଯୋଗଦେବେ। ମୋଦି ସରକାରର ସଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବା ସହ ଏହି ୩ଟି ରାଜ୍ୟରେ ଦଳ ଲାଗି ଅନୁକୂଳ ପରିସ୍ଥିତି ସୃଷ୍ଟି କରିବା ପାଇଁ ନିଷ୍ପତ୍ତି ହୋଇଛି। ତେବେ ମମତା ବାନାର୍ଜୀଙ୍କ ନେତୃତ୍ୱରେ ଚାଲିଥିବା ତୃଣମୂଳ ସରକାରକୁ ହଟାଇବା ଏତେ ସହଜ ନୁହେଁ। ଏହି କାରଣରୁ ବିଜେପି ବଙ୍ଗଳାରେ ମୁଖ୍ୟ ବିରୋଧୀ ଦଳର ମର୍ଯ୍ୟାଦା ହାସଲ କରିବାକୁ ଚାହୁଁଛି। ଅନ୍ୟ ଅର୍ଥରେ ବିଜେପି ପାଇଁ ମୁଖ୍ୟ ଚ୍ୟାଲେଞ୍ଜ୍ ହେଉଛି ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ସରକାର।

କେରଳରେ କିନ୍ତୁ ପରିସ୍ଥିତି ସାମାନ୍ୟ ଅଲଗା। ଏଠି ବିଜେପି ଏ ପର୍ଯ୍ୟନ୍ତ ଖାତା ଖୋଲିନଥିବା ବେଳେ ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଦଳର ଭୋଟ୍ ପରିମାଣ ଆଶାତୀତ ଭାବେ ବୃଦ୍ଧି ପାଇଛି। ତେବେ କେରଳରେ ସରକାର ଗଢ଼ିବାର ସ୍ୱପ୍ନ ବିଜେପି ଦେଖୁନାହିଁ। କାରଣ ସେଠାକାର ରାଜନୈତିକ ସ୍ଥିତି ଯାହା ସେଥିରେ ବିଜେପିର ଅନୁପ୍ରବେଶ କଷ୍ଟକର।

ଏହିସବୁ ବାସ୍ତବ ସ୍ଥିତିକୁ ଚାହିଁ ବିଜେପି ସଭାପତି ଅମିତ ଶାହା ଓ ତାଙ୍କ ସହଯୋଗୀମାନେ ଏହି ତିନୋଟି ରାଜ୍ୟରେ ଅନେକ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ଅଣ୍ଟା ଭିଡ଼ିଛନ୍ତି। କେବଳ ପଶ୍ଚିମବଙ୍ଗରେ ବିଜେପି ୬୦ଟି କାର୍ଯ୍ୟକ୍ରମ ଆୟୋଜନ କରିବ ବୋଲି ଜଣାପଡ଼ିଛି। ବଙ୍ଗଳା ପାଇଁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କୁ ଦାୟିତ୍ୱ ଦିଆଯାଇଛି। ଆସାନସୋଲ୍‌ରେ ସେ କିଛି କାର୍ଯ୍ୟକ୍ରମରେ ଯୋଗଦେବେ। ସେହିଭଳି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ସାହାଯ୍ୟ ମଧ୍ୟ ଲୋଡ଼ାଯାଇଛି। କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ, ପାର୍ଲାମେଣ୍ଟାରୀ ବିଭାଗ ମନ୍ତ୍ରୀ ଅନନ୍ତ କୁମାର, ରେଳମନ୍ତ୍ରୀ ସୁରେଶ ପ୍ରଭୁ ପ୍ରମୁଖ ବଙ୍ଗଳାରେ ଡେରା ପକାଇବେ। ଖାଲି ସେତିକି ନୁହେଁ ଉତ୍ତରପ୍ରଦେଶରୁ ମଧ୍ୟ ବହୁ ମନ୍ତ୍ରୀ ପଶ୍ଚିମବଙ୍ଗ ଆସି ବିଭିନ୍ନ ସଭାରେ ଭାଷଣ ଦେବେ।

ଓଡ଼ିଶାରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନରେ ବିଜେପିର ସଫଳତା ପରେ ବିଗତ ୩ ମାସ ଧରି ଦଳ ତା’ର ରାଜନୈତିକ କାର୍ଯ୍ୟକ୍ରମକୁ ଜୋରଦାର କରିଛି। ଏବେ ଏହା ଆହୁରି ଅଧିକ ଜୋରଦାର ହେବାକୁ ଯାଉଛି। ଓଡ଼ିଶା ପାଇଁ ଯେଉଁ ବିଜେପି ନେତାମାନଙ୍କୁ ବଛାଯାଇଛି ସେମାନଙ୍କ ଭିତରେ ଅଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ, ନଗର ଉନ୍ନୟନ ମନ୍ତ୍ରୀ ଏମ୍. ଭେଙ୍କୟାନାଇଡୁ, ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପର୍ଯ୍ୟଟନ ମନ୍ତ୍ରୀ ମହେଶ ଶର୍ମା, କୃଷିମନ୍ତ୍ରୀ ରାଧାମୋହନ ସିଂହ, ରାଷ୍ଟ୍ରମନ୍ତ୍ରୀ ଭି. କେ. ସିଂହ, ବାବୁଲ ସୁପ୍ରିୟ ଏବଂ ରାମ କୃପାଳ ଯାଦବ। ଏ ସମସ୍ତେ ବିଭିନ୍ନ ସହରରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗ ଦେବେ ଏବଂ ବିଜେପିର ସ୍ଥିତିକୁ ଦୃଢ଼ କରିବାରେ ସାହାଯ୍ୟ କରିବେ।

ମୋଦି ସରକାରଙ୍କ ୩ ବର୍ଷ ଶାସନର ପୂର୍ତ୍ତି ଅବସରରେ ଏବେ ଦେଶର ବିଭିନ୍ନ ସ୍ଥାନରେ ଯେଉଁ ‘ମୋଦି ଉତ୍ସବ’ ପାଳନ ହେବାକୁ ଯାଉଛି, ତା’ର ଏକ ବଡ଼ କ୍ଷେତ୍ର ହେଉଛି ଓଡ଼ିଶା। ବିଜେପିର ଆଭିମୁଖ୍ୟ, ୨୦୧୯ରେ ରାଜ୍ୟରେ ମୋଦିଲହର ସୃଷ୍ଟି କରିବା।

Comment