ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ସଫଳତା ପାଇବା ପରେ ଭାରତୀୟ ଜନତା ପାର୍ଟି (ବିଜେପି) ଓଡ଼ିଶା ମୁହାଁ ହୋଇ ଯାଇଛି। ଏପ୍ରିଲ୍‍ ୧୫ ଓ ୧୬ରେ ରାଜଧାନୀ ଭୁବନେଶ୍ୱରରେ ଜାତୀୟ କାର୍ଯ୍ୟକାରିଣୀ ବୈଠକ କରିବା ପରେ ଏବେ ବିଜେପି ଓଡ଼ିଶାରେ ମୋଦି ସରକାରଙ୍କ ୩ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରିବାକୁ ଯାଉଛି। ସାଧାରଣ ଲୋକଙ୍କ ସହ ସିଧାସଳଖ ଯୋଗସୂତ୍ର ରକ୍ଷା କରିବା ପାଇଁ ରାଜ୍ୟରେ ୭୬ଟି  ସଭା ଆୟୋଜନ କରିବାକୁ ବିଜେପି ଲକ୍ଷ୍ୟ ରଖିଛି।

ସେହିପରି ମୋଦି ଫେଷ୍ଟ ସମସ୍ତ ୩୦ଟି ଜିଲ୍ଲା ମୁଖ୍ୟାଳୟରେ ଅନୁଷ୍ଠିତ ହେବାର ଯୋଜନା କରାଯାଇଥିବା ବେଳେ ୪୬ଟି ‘ସବକା ସାଥ ସବକା ବିକାଶ’ର କାର୍ଯ୍ୟକ୍ରମ ସାରା ରାଜ୍ୟରେ ଅନୁଷ୍ଠିତ ହେବ ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।

ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମ ‘ସବକା ସାଥ ସବକା ବିକାଶ’ କାର୍ଯ୍ୟକ୍ରମ ରାୟଗଡା ଜିଲ୍ଲାର ଗୁଣୁପୁରଠାରେ ଉଦ୍‍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ମୋଟରେ ଅନୁଷ୍ଠିତ ହେବାକୁ ଥିବା ଏହି ୭୬ଟି କାର୍ଯ୍ୟକ୍ରମରେ ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ସମେତ ୯ ଜଣ କେନ୍ଦ୍ର ମନ୍ତ୍ରୀ, ୫ ଜଣ ସାଂସଦ ଓ ଛତିଶଗଡ ସରକାରର ୭ ଜଣ ମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏଥିରୁ ସ୍ପଷ୍ଟ ସୂଚନା ମିଳୁଛି ଯେ, ୨୦୧୯ ନିର୍ବାଚନ ପାଇଁ ଓଡ଼ିଶାକୁ ହାତମୁଠାକୁ ଆଣିବା ପାଇଁ ବିଜେପି ପୂର୍ଣ୍ଣ ପ୍ରୟାସ ଆରମ୍ଭ କରି ଦେଇଛି।

ଓଡ଼ିଶା ଦଖଲ ପାଇଁ ବିଜେପି ୨୦୧୪ ନିର୍ବାଚନରେ ଅଙ୍କ କଷିଥିଲା। ହେଲେ ନବୀନ ପଟ୍ଟନାୟକଙ୍କ ହାୱା ମୋଦି ହାୱାକୁ ଫିକା କରି ଦେଇଥିଲା। ୨୧ ଲୋକସଭା ଆସନରୁ ବିଜେପି ମାତ୍ର ଗୋଟିଏରେ ସନ୍ତୁଷ୍ଟ ରହିଥିଲା। ଦେଶର ଅନ୍ୟ ରାଜ୍ୟରେ ମୋଦି ହାୱା କାମ ଦେଇଥିବା ବେଳେ ଓଡ଼ିଶାରେ କାର୍ହିକି ଫିକା ପଡ଼ିଲା ତାକୁ ନେଇ ବିଜେପି ଶିବିରରେ ମନ୍ଥନ ଆରମ୍ଭ ହୋଇଥିଲା। ଫଳରେ ନବୀନଙ୍କ ଲୋକପ୍ରିୟତାକୁ ହ୍ରାସ କରିବା ପାଇଁ ବିଜେପି ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲା।

ସଭ୍ୟ ସଂଗ୍ରହ ଅଭିଯାନଠାରୁ ଆରମ୍ଭ କରି କେନ୍ଦ୍ର ନେତା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘନଘନ ଓଡ଼ିଶା ଗସ୍ତ ବିଜେଡି ଶିବିରକୁ ହଲଚଲ କରିଥିଲା। ତଥାପି ନବୀନଙ୍କ ଲୋକପ୍ରିୟ ଓଡ଼ିଶାରେ ଅତୁଟ ରହିଥିଲା। ହେଲେ ଗତ ପଞ୍ଚାୟତ ନିର୍ବାଚନ ଫଳାଫଳ ବିଜେଡି ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଛି। ଯେଉଁ ଗାଁ ଗହିଳର ଭୋଟରଙ୍କୁ ନେଇ ବିଜେଡି ଆଣ୍ଟ ଦେଖାଉଥିଲା ସେଠି ବିଜେପି ତାର କାୟା ବିସ୍ତାର କରିଛି।

୨୦୦୦ରୁ ୨୦୧୪ ପର୍ଯ୍ୟନ୍ତ ଓଡ଼ିଶାରେ ଯେତେ ନିର୍ବାଚନ ହୋଇଛି ସବୁଥିରେ ବିଜେଡି କେବଳ ବିଜୟୀ ହୋଇ ଆସୁଥିଲା। ହେଲେ ୨୦୧୭ ପଞ୍ଚାୟତ ଭୋଟ ବିଜେଡି ପାଇଁ ସତର୍କ ଘଣ୍ଟି ବଜାଇଛି। ୨୦୧୨ ତୁଳନାରେ ୨୦୧୭ରେ ବିଜେପିର ଭୋଟହାର ବୃଦ୍ଧି ପାଇଛି। ୨୦୧୨ରେ ବିଜେପି ୩୬ ଜିଲ୍ଲାପରିଷଦ ଆସନ ପାଇଥିବା ବେଳେ ଗତ ପଞ୍ଚାୟତ ଭୋଟରେ ୨୯୭ ଜିଲ୍ଲାପରିଷଦ ଆସନ ପାଇ ବିଜେଡିକୁ ଚାପରେ ରଖିଛି। ମୋଦି ହାୱା ବିଜେଡିର ରଥୀ ମହାରଥୀଙ୍କ ଗଡ଼ରେ ପ୍ରବେଶ କରିଛି।

ପଞ୍ଚାୟତ ଭୋଟରେ ସଫଳତା ପାଇବା ପରେ ବିଜେପି କର୍ମୀ ଓ ନେତା ଉତ୍ସାହିତ ହୋଇ ଯାଇଛନ୍ତି। ଏହି ଉତ୍ସାହକୁ ୨୦୧୯ ପର୍ଯ୍ୟନ୍ତ ବଳବତ୍ତର ରଖିବା ପାଇଁ କେନ୍ଦ୍ର ନେତାମାନେ ରାଜ୍ୟ ନେତୃବୃନ୍ଦଙ୍କ ସହ ଯୋଗସୂତ୍ର ରଖି ଆସୁଛନ୍ତି। ଆଉ ଏହାକୁ ଆଗକୁ ବଢ଼ାଇବା ପାଇଁ ବିଜେପି ‘ମୋଦି ଫେଷ୍ଟ’ ନାମରେ ଅଭିଯାନ ଆରମ୍ଭ କରିଛି। ମୋଦି ସରକାରଙ୍କ ୩ ବର୍ଷ ପୂର୍ତ୍ତି ଉତ୍ସବ ଉପଲକ୍ଷେ ବିଜେପି ଗାଁ ଗହଳିର ଭୋଟରଙ୍କ ପାଖରେ ନିଜ ସଫଳତାର କାହାଣୀ ବଖାଣିବା ପାଇଁ ଲକ୍ଷ୍ୟ ରଖିଛି। 

ରାଜନୀତି ପର୍ଯ୍ୟବେକ୍ଷକଙ୍କ ମତରେ ଏବେ ବି ତୃଣମୂଳ ସ୍ତରରେ ନବୀନଙ୍କ ଲୋକପ୍ରିୟତା କମିନି। କାରଣ ଓଡ଼ିଶାରେ ନବୀନଙ୍କ ବିକଳ୍ପ ନଥିବାରୁ ଓଡ଼ିଶାବାସୀ ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଆସୁଛନ୍ତି। ଏଣୁ ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇବା ହେଉଛି ବିଜେପିର ପ୍ରଥମ କାମ। ମୋଦିଙ୍କ ଯୋଜନାକୁ ଯଦି ରାଜ୍ୟ ନେତାମାନେ ଠିକ୍‍ ଭାବେ ଲୋକଙ୍କ ପାଖରେ ପହଞ୍ଚାଇପାରିବେ ତାହାଲେ ୨୦୧୯ରେ ରାଜ୍ୟ ରାଜନୀତିର ଦୃଶ୍ୟପଟ୍ଟ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ବୋଲି ଦଳ ବିଶ୍ୱାସ ରଖୁଛି।

(ପ୍ରସ୍ତୁତି : ସରୋଜ)

LEAVE A REPLY

Please enter your comment!
Please enter your name here