୨୦୧୪ ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଛି କଂଗ୍ରେସ ଛାଡ଼ିବା ପର୍ବ। ଦଳର ନେତୃବୃନ୍ଦଙ୍କ କାର୍ଯ୍ୟଶୈଳୀରେ ଅସନ୍ତୁଷ୍ଟ ହୋଇ ବହୁ ତୁଙ୍ଗ ନେତା ଦଳ ଛାଡ଼ି ଚାଲି ଯାଇଥିବା ବେଳେ ଏବେ ମଧ୍ୟ ଏହି ପ୍ରକ୍ରିୟା ଜାରି ରହିଛି। ପିସିସି ସଭାପତିରେ ପରିବର୍ତ୍ତନ ହୋଇଥିଲେ ମଧ୍ୟ ଦଳ ଛାଡିବା ନୀତିରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନି। ଜଣଙ୍କ ପରେ ଜଣେ ନେତା କଂଗ୍ରେସ ଛାଡ଼ୁ ଥିବାରୁ କଂଗ୍ରେସ ଶିବିରରେ ଭ୍ରୂକୁଞ୍ଚନ ସୃଷ୍ଟି ହୋଇଛି।

ପଞ୍ଚାୟତ ବିଫଳତା ପରେ ରାହୁଲ ଗାନ୍ଧି ଘର ସଜାଡିବା ଉପରେ ଗୁରୁତ୍ୱ ଦେଇଥିଲେ। ପ୍ରଥମେ କଂଗ୍ରେସର ୩ ତୁଙ୍ଗ ନେତାଙ୍କୁ ଦିଲ୍ଲୀ ଡାକି ଆଲୋଚନା କରିବା ପରେ ପୁଣି ୧୧ ଜଣଙ୍କୁ ଡାକି ମନ୍ଥନ କରିଥିଲେ। ଆଶା କରାଯାଉଥିଲା ଖୁବଶୀଘ୍ର ରାଜ୍ୟ କଂଗ୍ରେସରେ ବ୍ୟାପକ ଅଦଳବଦଳ ହେବ। ହେଲେ ଏହି ଆଲୋଚନାକୁ ମାସେ ପୂରିବାକୁ ଯାଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ସଙ୍ଗଠନରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନି। ସଙ୍ଗଠନ ସଜାଡ଼ିବା କାମ ଯେତିକି ବିଳମ୍ବ ହେଉଛି ସେହି ପରିମାଣରେ ଜଣଙ୍କ ପରେ ଜଣେ କଂଗ୍ରେସ ନେତା ଦଳ ଛାଡୁଛନ୍ତି। ତୁଙ୍ଗ ନେତାମାନେ ଦଳ ଛାଡୁ ଥିବାରୁ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଚିନ୍ତା ବଢ଼ିଛି।

ରାହୁଲଙ୍କ ମନ୍ଥନ ପୂର୍ବରୁ ପ୍ରଥମେ ଦଳ ଛାଡ଼ିଥିଲେ ଅନୁଗୁଳୁ ଜିଲା କଂଗ୍ରେସ ସଭାପତି ପ୍ରତାପ ପ୍ରଧାନ। ରାଜ୍ୟ ନେତୃବୃନ୍ଦଙ୍କ ଉପରେ ଅସନ୍ତୁଷ୍ଟ ହୋଇ ପ୍ରତାପ ଏପ୍ରିଲ ୨ରେ ବିଜେପିରେ ଯୋଗ ଦେଇଥିଲେ। ପ୍ରତାପଙ୍କ ଦଳ ଛାଡ଼ିବାକୁ ନେଇ କଂଗ୍ରେସ ଶିବିର ହଲଚଲ ହୋଇ ଯାଇଥିବା ବେଳେ ଏପ୍ରିଲ ୩୦ରେ ଦଳ ଆଉ ଏକ ଝଟ୍‍କା ଖାଇଥିଲା। ଢେଙ୍କାନାଳର ପୂର୍ବତନ ବିଧାୟକ ତଥା ଜିଲା କଂଗ୍ରେସ ସଭାପତି ସୁଧିର ସାମଲ ବିଜେଡିରେ ସାମିଲ ହୋଇଥିଲେ।

ଅସନ୍ତୋଷକୁ ଦବାଇବା ପାଇଁ ରାହୁଲ ଦିଲ୍ଲୀରେ ଓଡିଶାର କଂଗ୍ରେସ ନେତାଙ୍କୁ ଡାକି ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ହେଲେ ଅସନ୍ତୋଷ ଦବିବା ବଦଳରେ ଦିନକୁ ଦିନ କୁହୁଳିବାରେ ଲାଗିଛି। ଏହାର ପ୍ରମାଣ ଗତ ୨ ତାରିଖରେ ଦେଖିବାକୁ ମିଳିଛି। କେନ୍ଦୁଝର, ଗଞ୍ଜାମ ଏବଂ ନୟାଗଡର କଂଗ୍ରେସ ନେତା ବିଜେପିରେ ଯୋଗ ଦେଇଥିବାରୁ କଂଗ୍ରେସ ଅଡୁଆରେ ପଡିଛି। କେନ୍ଦ୍ର ପେଟ୍ରୋଲିୟମ୍‍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ କଂଗ୍ରେସ ନେତା ପୃଥ୍ୱୀରାଜ କୁଅଁର, ସତ୍ୟବ୍ରତ ନାୟକ ଏବଂ ଧନୁର୍ଜୟ ସିଦ୍ଧୁ ବିଜେପିରେ ସାମିଲ ହେବା ପରେ କଂଗ୍ରେସର ଘର ସଜଡା ଫର୍ମୁଲା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯେଉଁ ୩ ଜଣ ବିଜେପିରେ ଯୋଗ ଦେଇଛନ୍ତି ସେମାନେ କଂଗ୍ରେସର ପ୍ରଭାବହୀନ ନେତା ନ ଥିଲେ, ସେମାନେ କଂଗ୍ରେସ ଟିକେଟରୁ ୨୦୦୯ ଏବଂ ୨୦୧୪ ନିର୍ବାଚନ ଲଢ଼ିଥିଲେ। ଏଣୁ ବିଜେପିରେ ମିଶିବା ପରେ କଂଗ୍ରେସକୁ ଏକ ବଡ଼ ଝଟକା ଲାଗିଥିବା ରାଜନୀତି କରିଡରରେ ଚର୍ଚ୍ଚା ହେଉଛି।

କେନ୍ଦୁଝର ଜିଲା ଘସିପୁରା ନିର୍ବାଚନମଣ୍ଡଳୀରୁ କୁଅଁର ୨୦୧୪ରେ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢ଼ିଥିବା ବେଳେ ନାୟକ ପାଟଣା ଆସନରୁ ୨୦୦୯ରେ କଂଗ୍ରେସ ପ୍ରାର୍ଥୀ ହୋଇଥିଲେ। ସେହିପରି ୨୦୦୪ରେ ଚମ୍ପୁଆ ବିଧାନସଭା ଆସନରୁ ସିଦ୍ଧୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ହେଲେ ୨୦୧୪ରେ ସେ ତେଲକୋଇ ନିର୍ବାଚନମଣ୍ଡଳୀରେ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ। କଂଗ୍ରେସରେ ଲାଗି ରହିଥିବା କନ୍ଦଳ ଯୋଗୁଁ ଏହି ୩ ହେଭିୱେଟ୍‍ ନେତା ଦଳ ଛାଡ଼ି ବିଜେପିରେ ନିଜ ସମର୍ଥକଙ୍କୁ ଧରି ସାମିଲ୍‍ ହୋଇଛନ୍ତି। ସେହିପରି ନୟାଗଡ଼ ବିଧାନସଭା ଆସନରୁ ୨୦୧୪ରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଲାଲା ମନୋଜ ରାୟ ମଧ୍ୟ ଦଳ ଛାଡ଼ିଛନ୍ତି। ସେହିପରି ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ କଂଗ୍ରେସ କମିଟି ସଭାପତି କେଦାରନାଥ ସ୍ୱାଇଁ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। ଜିଲ୍ଲା ଏବଂ ବ୍ଳକ କଂଗ୍ରେସ ସଭାପତି ଦଳ ଛାଡ଼ୁଥିବାରୁ ତୃଣମୂଳ ସ୍ତରରେ କଂଗ୍ରେସ ପ୍ରଭାବଶୂନ୍ୟ ହେଉଥିବା ଆଲୋଚନା ହେଉଛି।

ଖାଲି ସେତିକି ନୁହେଁ, ଗତ ୨୦୧୪ ନିର୍ବାଚନ ପୂର୍ବରୁ ମଧ୍ୟ ଦଳୀୟ ନେତୃବୃନ୍ଦଙ୍କ ଉପରେ ଅସନ୍ତୋଷ ପ୍ରକାଶକରି ବହୁ ତୁଙ୍ଗ ନେତା କଂଗ୍ରେସ ଛାଡ଼ିଥିବାର ନଜିର ରହିଛି। ୨୦୧୫ ମେ ୩୦ରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଦଳ ଛାଡିଥିବା ବେଳେ ଭୁପିନ୍ଦର ସିଂହ, ଅନୁପ ସାଏ, ସ୍ୱର୍ଗତ ହେମେନ୍ଦ୍ର ନାରାୟଣ ସିଂହ ମଧ୍ୟ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ। ୨୦୧୪ ନିର୍ବାଚନ ଅବ୍ୟବହିତ ପୂର୍ବରୁ କଂଗ୍ରେସ ଛାଡ଼ିବା ପର୍ବ ଆରମ୍ଭ ହୋଇଛି। ଏହି ପରିସ୍ଥିତିରେ ଦିନକୁ ଦିନ ଦଳର ଅବସ୍ଥା ଖରାପ ହେଉଥିଲେ ମଧ୍ୟ  ଦଳୀୟ ନେତୃତ୍ୱ ଓ ସାଙ୍ଗଠନିକ ସ୍ତରରେ ଘର ସଜାଡ଼ିବା ପାଇଁ ବିଶେଷ ପ୍ରୟାସ ଦେଖାଯାଉ ନାହିଁ। ୨୦୧୯କୁ ଆଖିରେ ରଖି ବିଜେପି ଓ ବିଜେଡି ନିଜ ନିଜର ଦୁର୍ଗ ସଜାଡ଼ିବାକୁ ଅଣ୍ଟା ଭିଡ଼ିଥିବା ବେଳେ କଂଗ୍ରେସ୍‌ର ଭାଗ୍ୟ କ’ଣ ହେବ ତାକୁ ନେଇ ଦଳରେ ଭାଳେଣି ପଡ଼ିଛି।

(ପ୍ରସ୍ତୁତି: ସରୋଜ)

Comment