ଭାସ୍କର ପରିଛା

ମହାନଦୀ ଜଳ ବିବାଦରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଯେଉଁ ସବୁ ପଦକ୍ଷେପ ଗ୍ରହଣ କରାଯାଇଛି ସେଥିରେ ଯାବତୀୟ ତ୍ରୁଟି ବିଚ୍ୟୁତି ଥିବା ସତ୍ତ୍ୱେ ପ୍ରସଙ୍ଗଟି ଯେ ଗମ୍ଭୀର ଓ ଓଡ଼ିଶା ତା’ର ହକ୍‌କୁ କଦାପି ଛାଡ଼ି ପାରିବ ନାହିଁ ଏହା ନିଶ୍ଚିତ।

ପାଖାପାଖି ଦୁଇ ବର୍ଷ ଧରି ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳକୁ ନେଇ ଯେଉଁ ବିବାଦ ଚାଲିଛି ସେଥିରେ କାହାର ଲାଭ ଓ କିଏ କ୍ଷତିରେ ଅଛି ବୋଲି ଯଦି ଆପଣ ପଚାରିବେ, ସ୍ପଷ୍ଟ ଭାବରେ ବିଜୁ ଜନତା ଦଳ ହିଁ ପୂରା ଫାଇଦାରେ ରହିଛି ବୋଲି ଧରି ନେବାକୁ ହେବ। ଏଇ କିଛି ଦିନ ମଧ୍ୟରେ ବିଜେପି ଏହି ପ୍ରସଙ୍ଗରେ ଢ଼େର ମାତ୍ରାରେ ତା’ର ସ୍ଥାନକୁ ହରାଇସାରିଛି।

ବର୍ଷକ ତଳେ ମହାନଦୀ ବିବାଦ ଗୁରୁତର ଆକାର ଧାରଣ କଲା ପରେ ଛତିଶଗଡ଼ ସରକାର ଏକରକମର ଦାଦାଗିରି ଚଳାଇ ଆସିଛି ଏହି ଧାରଣା କ୍ରମଶଃ ବୃଦ୍ଧି ପାଉଛି ଏବଂ ଜନସଧାରଣ ବିଳମ୍ବରେ ହେଲେ ବି ବୁଝିଲେଣି କଥା କୋଉଠି। ବିଶେଷକରି କଲ୍‌ମା ବ୍ୟାରେଜରୁ ପାଣି ନ ଛାଡ଼ିବା ପାଇଁ ରମଣ ସିଂହ ସରକାରର ନିଷ୍ପତ୍ତି ଏହି ବିବାଦକୁ ଆହୁରି ବିବାଦୀୟ କରିଛି। ସତ କେବେ ଲୁଚି ରହେନା ଏହି ଉକ୍ତିଟି ଏଠି ପୂରା ପ୍ରଯୁଜ୍ୟ।

କଲ୍‌ମା ଜଳଭଣ୍ଡାରର ପାଣି ହୀରାକୁଦକୁ ନ ଆସିବା ଓ ବିଶେଷକରି ମେ ମାସ ଭଳି ତିରୋଟ ସମୟରେ ଏ ନେଇ ଛତିଶଗଡ଼ ଗେମ୍ ଖେଳିବା ରମଣ ସିଂହ ସରକାରର ଅସଲ ଚେହେରାକୁ ପଦାରେ ପକାଇଛି। ଅନ୍ୟ କେହି ଏହା କୁହନ୍ତୁ କି ନା ଜାଗା ମୁଣ୍ଡରେ ସ୍ଥିତି କିନ୍ତୁ ସଙ୍ଗୀନ।

ଓଡ଼ିଶା ସରକାର କଲ୍‍ମା ପ୍ରସଙ୍ଗରେ ଛତିଶଗଡ଼ ମିଛ କହୁଛି ବୋଲି ଯେଉଁ ଅଭିଯୋଗ କରିଛନ୍ତି ତାହା ଭିତ୍ତିହୀନ ନୁହେଁ ବରଂ ଏଥିରେ ସତ୍ୟତା ରହିଛି। ଏହାର ଏକମାତ୍ର ପ୍ରମାଣ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସରକାରଙ୍କ ଜଳସମ୍ପଦ ମନ୍ତ୍ରୀ ଉମା ଭାରତୀଙ୍କ ପାଖକୁ ଲେଖିଥିବା ଚିଠି।

ମହାନଦୀ ଜଳ ବିବାଦରେ ଧର୍ମେନ୍ଦ୍ରଙ୍କ ସମେତ ସମଗ୍ର ଓଡ଼ିଶା ବିଜେପି ନେତୃତ୍ୱ ଏ ପର୍ଯ୍ୟନ୍ତ ଯେଉଁ ଭଳି କେନ୍ଦ୍ରକୁ ଓ ଛତିଶଗଡ଼ ସରକାରଙ୍କୁ ଡ଼ିଫେଣ୍ଡ କରି ଆସୁଥିଲେ ତାହା କଲ୍‌ମା ପ୍ରସଙ୍ଗରେ ଦେଖାଯାଉନାହିଁ। ଏଥିରୁ ସ୍ପଷ୍ଟ ପ୍ରମାଣିତ ହୋଇଛି ଯେ ରମଣ ସିଂହଙ୍କ ସରକାର ଭୁଲ୍‌ ବାଟରେ ଯାଉଛି ଓ ଧର୍ମେନ୍ଦ୍ରଙ୍କ ସହିତ ଓଡ଼ିଶା ବିଜେପିର ନେତ୍ରୁମଣ୍ଡଳୀ ଏକଥା ଠିକ୍‌ ଭାବରେ ବୁଝିଛନ୍ତି ଓ ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି।

ତୁରନ୍ତ କଲ୍‌ମା ଗେଟ ଖୋଲିବାକୁ ଛତିଶଗଡ଼କୁ କୁହାଯାଉ ବୋଲି ଧର୍ମେନ୍ଦ୍ର ପ୍ରଧାନ ଉମାଙ୍କ ପାଖକୁ ଲେଖିଥିବା ଚିଠିରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ କଥା ରହିଛି। ପ୍ରଥମତଃ, ଓଡ଼ିଶାକୁ ଅବାଧ ଜଳ ପ୍ରବେଶ ହେବା ଦରକାର ଓ ଦ୍ୱିତୀୟରେ, ଅଣ‍-ମୌସୁମୀ ସମୟରେ ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ଯେତିକି ପାଣି ରହିବା କଥା ବର୍ତ୍ତମାନ ତା’ଠାରୁ ଯଥେଷ୍ଟ କମ୍‌ ରହିଛି।

ଶତକଡ଼ା ହିସାବରେ ଏହା ୭୮% କମ୍‌। ଧର୍ମେନ୍ଦ୍ର ତାଙ୍କ ପତ୍ରରେ ଏକଥା ମଧ୍ୟ ଲେଖିଛନ୍ତି ଯେ ହୀରାକୁଦ ଜଳଭଣ୍ଡାରର ଅଚଳାବସ୍ଥା ଯୋଗୁଁ ଚାଷୀ ଓ ଅନ୍ୟ ଅର୍ଥରେ ଓଡ଼ିଶାର ଲୋକେ ହନ୍ତସନ୍ତ ହେଉଛନ୍ତି। ଉପରମୁଣ୍ଡରେ ପାଣି ନ ରହିଲେ କ୍ୟାଚ୍‌ମେଣ୍ଟର ତଳ ଭାଗ ପ୍ରଭାବିତ ହେବା କଥା ଏହି ଚିଠିରେ ସ୍ପଷ୍ଟ ଭାବରେ ଲେଖାଯାଇଛି।

କେହି ଏଥିରେ ବିଶ୍ୱାସ କରିବେ ନାହିଁ କି ଯୁକ୍ତି କରିବେ ନାହିଁ ଯେ ପରିସ୍ଥିତିର ଗମ୍ଭୀରତାକୁ ନବୁଝି ଧର୍ମେନ୍ଦ୍ର ଉମାଙ୍କ ପାଖରେ ଫେରାଦ ହୋଇଛନ୍ତି। ଆବଶ୍ୟକ ହେଲେ ସେ ପ୍ରଧାନମନ୍ତ୍ରୀଙ୍କୁ ଏକଥା ଜଣାଇବା ପାଇଁ ଧର୍ମେନ୍ଦ୍ର ପଶ୍ଚାତ୍‌ପଦ ହେବେ ନାହିଁ ବୋଲି ଧର୍ମେନ୍ଦ୍ରଙ୍କ ନିକଟ ସୂତ୍ରରୁ ଜଣାପଡ଼ିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖକୁ ଚିଠି ଲେଖି କଲ୍‌ମା ମାମଲାରେ ଯେଉଁ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ତାହା ଘଟଣାର ଆଉ ଏକ ଦିଗ। ସେ ଏହି ମାମଲାରେ କେତେଦୂର ସଫଳ ‍ହେଉଛନ୍ତି ସେକଥା ଅପେକ୍ଷା କରି ଦେଖିବାକୁ ହେବ। କିନ୍ତୁ ଏହା ପରେ ଛତିଶଗଡ଼ ସରକାର ଯେ ନିଜ ବଦମାସୀକୁ ଲୁଚାଇ ପାରିବେ ତାହା ଦେଖାଯାଉନାହିଁ।
ଶୁକ୍ରବାର ସ୍ଥାନୀୟ ଏକ ଗଣମାଧ୍ୟମର ରିପୋର୍ଟରେ ଛତିଶଗଡ଼ ସରକାରଙ୍କ ମିଛ ପେଡ଼ି ଖୋଲିବା ବିଷୟ ଉଲ୍ଲେଖ କରାଯାଇଛି। ଏଥିରେ କୁହାଯାଇଛି ଯେ ମହାନଦୀ ଓ ତାର ଉପନଦୀରେ ୬ ନୁହେଁ ୧୦ଟି ବଡ଼ ବ୍ୟାରେଜ୍ ଛତିଶଗଡ଼ ନିର୍ମାଣ କରିଛି।

ମହାନଦୀ ଜଳ ବିବାଦ ସୃଷ୍ଟି ହେବା ପରଠାରୁ ଗୋଟିଏ ଦୁର୍ଭାଗ୍ୟପୂର୍ଣ୍ଣ କଥା ହୋଇଛି ଯେ ବିଜେଡି ସରକାର ନିଜ ହମବଡା ନୀତି ଯୋଗୁଁ ହେଉ କି ଉପଯୁକ୍ତ ପଦକ୍ଷେପ ନେବା ପାଇଁ ଅସମର୍ଥ ହେବା କାରଣରୁ ହେଉ ଏକଘରକିଆ ହୋଇ ପଡ଼ିଛନ୍ତି। ରାଜନୈତିକ ସମର୍ଥନର ଅଭାବ ଓ ନିଜର ଦାବିକୁ ଠିକଣା ଢଙ୍ଗରେ ଉପସ୍ଥାପନ ନ କରିପାରିବା ହେତୁ ଛତିଶଗଡ଼ ଆଖିରେ ଆଙ୍ଗୁଠି ପୂରେଇ ପାଣି ହଡ଼ପ କରିବାରେ ସଫଳ ହୋଇଛି। ଏହାଠାରୁ ଅଧିକ ବିଡ଼ମ୍ବନା ଆଉ କ’ଣ ଥାଇପାରେ?

ମହାନଦୀ ଜଳ ବିବାଦରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଯେଉଁ ସବୁ ପଦକ୍ଷେପ ଗ୍ରହଣ କରାଯାଇଛି ସେଥିରେ ଯାବତୀୟ ତ୍ରୁଟି ବିଚ୍ୟୁତି ଥିବା ସତ୍ତ୍ୱେ ପ୍ରସଙ୍ଗଟି ଯେ ଗମ୍ଭୀର ଓ ଓଡ଼ିଶା ତା’ର ହକ୍‌କୁ କଦାପି ଛାଡ଼ି ପାରିବ ନାହିଁ ଏହା ନିଶ୍ଚିତ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଏବଂ ଓଡିଶା ଲାଇଭର ପରାମର୍ଶଦାତା ସମ୍ପାଦକ)

Comment