ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାରେ ବସ୍ତ୍ର ଉତ୍ପାଦନ ଓ ବିପଣନ କ୍ଷେତ୍ରରେ ଏକ ନୂଆ କଥା ହେବାକୁ ଯାଉଛି। ସରକାରଙ୍କ ପକ୍ଷରୁ ପ୍ରତିଷ୍ଠା କରାଯାଇଥିବା ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଏ ଦିଗରେ କିଛି ବାଟ ଆଗେଇ ଥିବା ଜଣାପଡ଼ିଛି।

ସ୍କିଲ୍ ଡେଭେଲପମେଣ୍ଟ ଅଥରିଟିର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀଙ୍କ କହିବା ଅନୁଯାୟୀ ଓଡ଼ିଶାରେ ଯେଉଁ ଆପାରେଲ ପାର୍କ ସ୍ଥାପନ ହେବ ସେଥିରେ ତିରୁପୁରର କିଛି ଉଦ୍ୟୋଗୀଙ୍କ ପକ୍ଷରୁ  ସାହାଯ୍ୟ ଓ ସହଯୋଗର ହାତ ବଢିବ।

ବାଗ୍‌ଚୀ କହିଛନ୍ତି,”ତିରୁପୁର ରପ୍ତାନି ସଂଘର କର୍ମକର୍ତ୍ତାଙ୍କ ସହିତ କଥା ବାର୍ତ୍ତା ଆଗେଇଛି ଏବଂ ଆମେ ଆଶା କରୁଛୁ ଖୁବ୍‌ ଶୀଘ୍ର ସେମାନେ ଓଡ଼ିଶା ପରିଦର୍ଶନରେ ଆସିବେ। ସେମାନେ ଓଡ଼ିଶାକୁ ଆସିବାର ଯଥେଷ୍ଟ କାରଣ ରହିଛି। ତିରୁପୁରର ଗାର୍ମେଣ୍ଟ ଫାକ୍ଟରିରେ କାମ କରୁଥିବା ୪ ଲକ୍ଷ ଲୋକଙ୍କ ମଧ୍ୟରୁ ଅଧା ଅଧି ହେଉଛନ୍ତି ଓଡ଼ିଆ।”

ବାଗ୍‌ଚୀଙ୍କ କହିବା ଅନୁଯାୟୀ ପୋଷାକ ରପ୍ତାନି ପାଇଁ ଓଡ଼ିଶା ହେଉଛି ପ୍ରକୃଷ୍ଟ ଜାଗା କାରଣ ଏଠି ପ୍ରଚୁର ପରିମାଣରେ ଶ୍ରମ ଶକ୍ତି ରହିଛି। ସେ କହିଛନ୍ତି ଯେ ତିରୁପୁରର ବସ୍ତ୍ର ରପ୍ତାନିକାରୀମାନେ ଆଗାମୀ ଦିନରେ ସେମାନଙ୍କ ବ୍ୟବସାୟକୁ ଏକ ଲକ୍ଷ କୋଟିରେ ପହଞ୍ଚାଇବାର ଲକ୍ଷ୍ୟ ରଖିଛନ୍ତି। ବର୍ତ୍ତମାନ ବାର୍ଷିକ ଏହା ୪୫ ହଜାର କୋଟି ଟଙ୍କାରେ ରହିଛି।

କିଛି ଦିନ ତଳେ ଓଡ଼ିଶା ସରକାରଙ୍କ ବୟନ ଶିଳ୍ପ ବିଭାଗର ଅଧିକାରୀ ତିରୁପୁର ଯାଇ ସେଠାକାର ବ୍ୟବସାୟ ଓ ତାଙ୍କ ସଫଳତାକୁ ନିରେଖି ଆସିଛନ୍ତି।

ଓଡିଶା ସରକାର ଚଳିତ ବର୍ଷ ଏକ ନୂଆ ବସ୍ତ୍ର ନୀତି ଆଣିଛନ୍ତି । ଏଥିରେ ବିଶେଷ କରି ପୋଷାକ ରପ୍ତାନି ଉପରେ ଗୁରୁତ୍ୱ ଦିଆଯାଇଛି। ରାଜ୍ୟରୁ କିପରି ଅଧିକ ପୋଷାକ ବିଦେଶକୁ ରପ୍ତାନି ହୋଇପାରିବ ସେ କ୍ଷେତ୍ରରେ ତିରୁପୁର ବ୍ୟବସାୟୀଙ୍କ ସହଯୋଗ ନିଆଯିବା ସେହି ନୀତିର ଅଂଶବିଶେଷ। ତା’ ଛଡ଼ା ଏଠାକାର ଯୁବକମାନଙ୍କୁ ଆବଶ୍ୟକ ଥିବା ତାଲିମ କାର୍ଯ୍ୟକ୍ରମରେ ମଧ୍ୟ ତିରୁପୁରର ସାମିଲ କରାଯିବ।

ଅଳ୍ପ କିଛି ଦିନ ତଳେ ଓଡିଶା ସରକାର ଭୁବନେଶ୍ୱରରେ ଏକ ଆପାରେଲ ପାର୍କ ପ୍ରତିଷ୍ଠା କରାଯିବ ବୋଲି ଘୋଷଣା କରିଛନ୍ତି। ଏଥିସହିତ ଅନ୍ୟତ୍ର ଆଉ ଦୁଇଟି ପାର୍କ ମଧ୍ୟ ବସାଯିବ।

ତିରୁପୁରରେ ପୋଷାକ ତିଆରି କରୁଥିବା ବଡ଼ ବଡ଼ କମ୍ପାନି ଯଥା ଡଲାର, ଲକସ, ରୂପାକୁ ମଧ୍ୟ ଏଥିରେ ଅଧିକ କିଛି ସହଯୋଗ କରିବାକୁ ଅନୁରୋଧ କରାଯାଇଛି ବୋଲି ବୟନ ଶିଳ୍ପ ବିଭାଗର ଜଣେ ଅଧିକାରୀ କହିଛନ୍ତି।

ତିରୁପୁର ରପ୍ତାନି ସଂଘ ସଭାପତି ଟି ଆର ବିଜୟ କୁମାର କହିଛନ୍ତି ଯେ ଓଡ଼ିଶା ବ୍ୟତୀତ ତେଲେଙ୍ଗାନା ସରକାରଙ୍କ ପକ୍ଷରୁ ମଧ୍ୟ ଏହି ଭଳି ସହଯୋଗ ଲୋଡ଼ାଯାଇଛି।

Comment