୨୦୧୯ ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି ବିଜେପି ଓ ବିଜେଡି। ଭୋଟରଙ୍କ ନିକଟତର ହେବା ପାଇଁ ଏହି ଦୁଇ ପ୍ରମୁଖ ଦଳ ନୂଆ ରଣନୀତି ଆପଣାଉଛନ୍ତି। ସେଥିପାଇଁ ବିଜେପି ‘ମୋଦି ଫେଷ୍ଟ’ ନାମରେ କାର୍ଯ୍ୟକ୍ରମ ଆୟୋଜନ କରି କେନ୍ଦ୍ର ସରକାରଙ୍କ ସଫଳତା ବଖାଣୁଛି। ତେବେ ଏହି କାର୍ଯ୍ୟକ୍ରମ ଭିତରେ ଗୋଟିଏ କଥାକୁ ନେଇ ରାଜନୀତି ଜୋର୍‍ ଧରିଛି। ଦଳିତ ପରିବାରକୁ ଯାଇ ବିଜେପି ନେତାମାନେ ଭୋଜନ କରିବା ଘଟଣା ଏବେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି। ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇବା ପାଇଁ ଏବଂ ଓଡ଼ିଶା ଭୋଟର୍‌ଙ୍କ ମନ ଜିଣିବା ପାଇଁ ବିଜେପି ନେତାଙ୍କର ଏହା ଆଉ ଏକ ନୂଆ ଫର୍ମୁଲା ବୋଲି ରାଜନୀତି କରିଡରରେ ଚର୍ଚ୍ଚା ହେଉଛି।

ବିଜେପି ନେତାମାନେ ଏବେ ଯେଉଁ ‘ଭୋଜନ’ ଫର୍ମୁଲା ଆପଣାଇଛନ୍ତି ତାହା ରାଜନୀତିରେ କିଛି ନୂଆ ଘଟଣା ନୁହେଁ। ବିଗତ ଦିନରେ ଇନ୍ଦିରା ଗାନ୍ଧି, ସୋନିଆ ଗାନ୍ଧି ଏବଂ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ଏଭଳି ପନ୍ଥା ଆପଣାଇଥିଲେ। କିଛିବର୍ଷ ତଳେ ଓଡିଶା ଗସ୍ତରେ ଆସିଥିବା ବେଳେ ରାହୁଲ ଜଣେ ଆଦିବାସୀଙ୍କ ଘରେ ମାଣ୍ଡିଆ ଜାଉ ଖାଇଥିଲେ।

ଏହାଛଡା ଉତ୍ତରପ୍ରଦେଶ, ପଞ୍ଜାବ ଆଦି ଅଞ୍ଚଳରେ ମଧ୍ୟ ରାହୁଲ ଦଳିତ ପରିବାରରେ ରାତ୍ରି ଭୋଜନ କରିଥିବାର ନଜିର ରହିଛି। ରାହୁଲ ଏହି ଫର୍ମୁଲା କେନ୍ଦ୍ରରେ ଉପା ସରକାର ଥିବା ସମୟରେ ଆପଣାଇଥିଲେ। ହେଲେ ଭୋଟର ରାହୁଲଙ୍କ ଏହି ଫର୍ମୁଲାକୁ ଗ୍ରହଣ କରି ନାହାନ୍ତି। ଏବେ ବିଜେପି କେନ୍ଦ୍ରରେ କ୍ଷମତାରେ ରହିଥିବାରୁ ଅଣ ବିଜେପି ଶାସିତ ରାଜ୍ୟକୁ ଟାର୍ଗେଟ କରିଛି। ଯେନତେନ ପ୍ରକାରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଜେପି ନେତାମାନେ ଗୋଟି ଚଳାଉଛନ୍ତି।

ଏବେ ବିଜେପି ସମଗ୍ର ଦେଶରେ ସବ୍‍କା ସାଥ୍‍ ସବ୍‍କା ବିକାଶ କାର୍ଯ୍ୟକ୍ରମ ଆୟୋଜନ କରିଛି। ଏହି କାର୍ଯ୍ୟକ୍ରମ ଓଡିଶାରେ ମଧ୍ୟ ସଫଳତାର ସହ ଆୟୋଜନ ହେଉଛି। ମାଳମାଳ କେନ୍ଦ୍ର ମନ୍ତ୍ରୀ ଓଡିଶା ଗସ୍ତରେ ଆସି ରାଜ୍ୟ ରାଜନୀତି ଉଷ୍ଣ କରି ଦେଇଛନ୍ତି। ତେବେ ଏସବୁ ଭିତରେ କେନ୍ଦ୍ରମନ୍ତ୍ରୀଙ୍କ ଭୋଜନ କାର୍ଯ୍ୟକ୍ରମ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ନିକଟରେ କେନ୍ଦ୍ର ସହରାଞ୍ଚଳ ଉନ୍ନୟନ ତଥା ସୂଚନା ପ୍ରସାରଣ ମନ୍ତ୍ରୀ ଭେଙ୍କୟା ନାଇଡୁ ଭୁବନେଶ୍ୱର ଗସ୍ତରେ ଆସିଥିଲେ। ତାଙ୍କ ସାଙ୍ଗରେ ପେଟ୍ରୋଲିୟମ୍‍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ସଭାପତି ବସନ୍ତ ପଣ୍ଡା ମଧ୍ୟ ରହିଥିଲେ। କାର୍ଯ୍ୟକ୍ରମ ଶେଷ ହେବା ପରେ ଏହି ୩ ଜଣ ସାଲିଆ ସାହିର ସୁଚିତା ବେହେରା ନାମକ ଜଣେ ଦଳିତ ମହିଳାଙ୍କ ଘରେ ଭୋଜନ କରିଥିଲେ।

ସେହିପରି କେନ୍ଦ୍ର କୃଷି ମନ୍ତ୍ରୀ ରାଧା ମୋହନ ସିଂହ ଏବଂ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରାମକ୍ରିପାଲ ଯାଦବ ମଧ୍ୟ ଓଡିଶା ଗସ୍ତରେ ଆସିଥିଲେ। ଉଭୟ ମନ୍ତ୍ରୀ ମଧ୍ୟ ଦଳିତ ପରିବାରରେ ଭୋଜନ କରି ଚର୍ଚ୍ଚାରେ ରହିଥିଲେ। ଯାଦବ ଭଞ୍ଜନଗରରେ ବୁଦ୍ଧିଆ ନାଏକଙ୍କ ଘରକୁ ଯାଇ ଶାଳପତ୍ର ଖଲିରେ ମଧ୍ୟାହ୍ନ ଭୋଜନ ଖାଇଥିଲେ। ଏହାସହ ଗଜପତି ଜିଲାରେ ଜଣେ ଦଳିତ ବ୍ୟକ୍ତିଙ୍କ ଘରେ ବିଶ୍ରାମ ନେଇଥିଲେ।

ସେହିପରି ଅନ୍ୟତମ କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋ ଗତ ୧୫ରେ ଭଦ୍ରକ ଗସ୍ତରେ ଆସି ଭଣ୍ଡାରିପୋଖରୀର ଜଳମାଣ୍ଡୁଆ ଗ୍ରାମର ଦଳିତ ସାହିରେ ଭୋଜନ କରିଥିଲେ। ଆଗାମୀ ଦିନରେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ୍‍ ଶାହା ଓଡିଶା ଗସ୍ତରେ ଆସିବାର କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଛି। ସେ ଯାଜପୁର ଜିଲା ବିଞ୍ଝାରପୁର ଗସ୍ତରେ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ଜନୈକ ଦଳିତଙ୍କ ଘରେ ମଧ୍ୟାହ୍ନ ଭୋଜନ ଖାଇବାର ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି। ତେବେ ଦଳିତଙ୍କୁ ଆୟୁଧ କରି ବିଜେପି ନେତାମାନେ ୨୦୧୯ ନିର୍ବାଚନ ବୈତରଣୀ ପାର୍‍ ହେବାକୁ ଯେଉଁ ଆଶା ରଖିଛି ତାହାକୁ ବିଜେଡି ବିରୋଧ କରିଛି। ଦଳିତ ଓ ଆଦିବାସୀଙ୍କୁ ନେଇ ରାଜନୀତି ହେଉଥିବାରୁ ଏହି ସମ୍ପ୍ରଦାୟର ଲୋକଙ୍କ ପାଇଁ ମୋଦି ସରକାର ୩ ବର୍ଷ ଭିତରେ କ’ଣ କରିଛନ୍ତି ବୋଲି ବିଜେଡି ପ୍ରଶ୍ନ କରିଛି। ଗତ ୩ ବର୍ଷ ଭିତରେ ୩୩ଟି ଯୋଜନା ବନ୍ଦ କରି ଓଡିଶା ସହ କେନ୍ଦ୍ର ପ୍ରତାରଣା କରିଛି ବୋଲି ବିଜେଡି ଅଭିଯୋଗ କରିଛି।

ଅତୀତରେ ବିଜେଡି ମଧ୍ୟ ଆଦିବାସୀ ଓ ଦଳିତ ପ୍ରୀତି ଦେଖାଇଥିବା ନଜିର ରହିଛି। ନିକଟରେ ହୋଇଥିବା ମନ୍ତ୍ରିମଣ୍ଡଳ ଅଦଳବଦଳ ବେଳେ ୩ ଦଳିତଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇ ୨୦୧୯ ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇଛି। ଚନ୍ଦ୍ର ସାରଥୀ ବେହେରା, ଶଶୀଭୂଷଣ ବେହେରାଙ୍କୁ ମନ୍ତ୍ରୀ ପଦ ଦେଇ ନବୀନ ଦଳିତ କାର୍ଡ ଖେଳିଛନ୍ତି। ଖାଲି ସେତିକି ନୁହେଁ ବିଜେଡି ନେତା ମଧ୍ୟ ଭୋଜନ ରାଜନୀତିରୁ ଦୂରେଇ ରହିନାହାନ୍ତି। କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ମଧ୍ୟ ତାଙ୍କ ନିର୍ବାଚନମଣ୍ଡଳୀ ଗସ୍ତ କରିବା ବେଳେ ଲୋକଙ୍କ ନିକଟତର ହେବା ପାଇଁ ଦଳିତ ପରିବାରରେ ଭୋଜନ କରିଥିବାର ନଜିର ରହିଛି। ଏବେ ବି ଜୟ ପଣ୍ଡା ଏହି ଧାରାକୁ ଅବ୍ୟାହତ ରଖିଛନ୍ତି।

କେବଳ ଓଡିଶାରେ ନୁହେଁ ସମଗ୍ର ଦେଶରେ ବିଜେପି ନେତାମାନେ ଦଳିତ ପରିବାରରେ ଭୋଜନ କରି ରାଜନୀତିରେ ହଟଚମଟ ସୃଷ୍ଟି କରିଛନ୍ତି। କେନ୍ଦ୍ରମନ୍ତ୍ରୀ ମୁଖତାର ଆବାସ ନକ୍‍ଭି ମଧ୍ୟ ଜଣେ ଦଳିତ ପରିବାରରେ ଭୋଜନ ଗ୍ରହଣ କରିଥିବା ବେଳେ ଝାଡଖଣ୍ଡରେ ମଧ୍ୟ ଏହି ଧାରା ଜାରି ରହିଛି। ତେବେ ଏହି ଭୋଜନ ରାଜନୀତି ୨୦୧୯ରେ ବିଜେପିକୁ କେଉଁ ସ୍ଥିତିରେ ରଖୁଛି ତା ଉପରେ ନଜର ରହିଛି।

୮୦ ଦଶକରେ ଇନ୍ଦିରା ଗାନ୍ଧି ‘ଗରୀବ ହଟାଓ’ ସ୍ଲୋଗାନ୍‍ ଦେଇ ଦଳିତ ଭୋଟରଙ୍କୁ ଆକୃଷ୍ଟ କରୁଥିବା ବେଳେ ତାଙ୍କ ପରେ ସୋନିଆ ଗାନ୍ଧି ମଧ୍ୟ ଗରିବ ଦଳିତ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ମଧ୍ୟ ଅନୁରୂପ ପଦକ୍ଷେପ ନେଇଥିଲେ। ରାହୁଲ ବି ଏହି ରାସ୍ତାରେ ପାଦ ଦେଇଥିଲେ ହେଁ କଂଗ୍ରେସକୁ ଲୋକେ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି। ବିଜେପିର ଏହି ଭୋଜନ ରାଜନୀତି ଆଗକୁ କେଉଁ ମୋଡ଼ ନେଉଛି ତାହା ଅପେକ୍ଷା କରି ଦେଖିବାର କଥା।

(ପ୍ରସ୍ତୁତି: ସରୋଜ)

1 COMMENT

Comment