ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍ୱାମୀ-ସ୍ତ୍ରୀର ସମ୍ପର୍କରେ ସନ୍ଦେହର ନିଆଁ କୁହୁଳିଲେ ତା’କୁ ଲିଭାଇବା ସାଧ୍ୟ ହୁଏ ନାହିଁ। ଏହି ନିଆଁରେ ଭଲପାଇବାର ବନ୍ଧନରେ ବାନ୍ଧି ହୋଇ ସଂସାର ଗଢ଼ିଥିବା ନାରୀ ଓ ପୁରୁଷ ଦଗ୍‌‍ଧ ହୋଇଯା’ନ୍ତି। ବିବାହ କେବଳ ଏକ ସାମାଜିକ ବନ୍ଧନ ନୁହେଁ, ବରଂ ଏହା ଏକ ସଂସ୍କାର। ପରସ୍ପର ପ୍ରତି ମନରେ ଥିବା ଆବେଗ ଓ ବିଶ୍ୱାସ ପୁଣି ତେଜି ଉଠିଲେ ଦୁନିଆର କୌଣସି ନିୟମ ବା କାନୁନ୍ ତାକୁ ଆବଦ୍ଧ କରିପାରେ ନାହିଁ। ଅନେକ ଘାତ-ପ୍ରତିଘାତ ପରେ ପୁଣି ଥରେ ପ୍ରେମର ହୁଏ ଜୟ, ତଥା ପରିବାରବର୍ଗ ମଧ୍ୟ ଦିଅନ୍ତି ସ୍ୱୀକୃତି। ଏହା ହିଁ ଥିଲା ୧୯୬୪ ମସିହାରେ ମୁକ୍ତିଲାଭ କରିଥିବା ତଥା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଓଡ଼ିଆ ସିନେମା ‘ସାଧନା’ର ମୂଳ କଥାବସ୍ତୁ।

ପୁଣି ଥରେ ଅତୀତର ଏଇ କ୍ଲାସିକ୍‌‍ ସିନେମା ଦେଖି ବିଭୋର ହୋଇଥିଲେ ଦର୍ଶକ ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ। ଫିଲ୍ମ ଜର୍ଣ୍ଣାଲିଷ୍ଟ ଫୋରମର ତ୍ରୟୋଦଶ ସ୍ମୃତିଛାୟା ଅବସରରେ ଶରତ ପୂଜାରୀ ଓ ମୀନତି ମିଶ୍ର ଅଭିନୀତ ଏହି ସିନେମା ପ୍ରଦର୍ଶିତ ହୋଇଥିଲା।

ଏହି ସିନେମାରେ ଅନ୍ୟାନ୍ୟ ଭୂମିକାରେ ଅନନ୍ତ ମହାପାତ୍ର, ରାଧାରାଣୀ ସରକାର, ଧୀର ବିଶ୍ୱାଳ, ପ୍ରଶାନ୍ତ ନନ୍ଦ, ସାମୁଏଲ ସାହୁ ପ୍ରମୁଖ ଅଭିନୟ କରିଥିଲେ। ଏଥିରେ ସଙ୍ଗୀତ ସଂଯୋଜନା କରିଥିଲେ ବାଳକୃଷ୍ଣ ଦାଶ ଓ ନିର୍ଦ୍ଦେଶନା ଦେଇଥିଲେ ପ୍ରଭାତ ମୁଖାର୍ଜୀ।

ବିଶିଷ୍ଟ ଔପନ୍ୟାସିକା ଆଶାପୂର୍ଣ୍ଣା ଦେବୀଙ୍କ ବଙ୍ଗଳା କାହାଣୀ ‘ଛିନ୍ନପତ୍ର’ ଉପରେ ପର୍ଯ୍ୟବସିତ ଏହି ସିନେମାର ସଂଳାପ ଲେଖିଥିଲେ ମୀନତି, ଶିଳାଦିତ୍ୟ ଓ ଶରତ ବେହେରା। କେବଳ ଅଭିନୟ ନୁହେଁ, ଶରତ ପୂଜାରୀ ଏହି ସିନେମାକୁ ପ୍ରଯୋଜନା କରିବା ସହିତ ଏଥିରେ ସଂଳାପ ମଧ୍ୟ ଦେଇଥିଲେ।

ହୀରାକୁଦ, ସମ୍ବଲପୁର ଓ ଦେବଗଡ଼ର ପ୍ରଧାନପାଟରେ ‘ସାଧନା’ର ସମ୍ପୂର୍ଣ୍ଣ ସୁଟିଂ ଶେଷ କରାଯାଇଥିଲା। ‘ସାଧନା’ର ବିତରଣ ଓ ପ୍ରଦର୍ଶନରେ ଅବ୍ୟବସ୍ଥା ଯୋଗୁଁ ଏହା ସେ ସମୟରେ ବ୍ୟବସାୟିକ ସଫଳତା ପାଇନଥିଲା। କିନ୍ତୁ ସର୍ବଭାରତୀୟ ସ୍ତରରେ ଅନେକ ବିଶିଷ୍ଟ  ଚଳଚ୍ଚିତ୍ର ସମାଲୋଚକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଜାତୀୟ ଚଳଚ୍ଚିତ୍ର ସମ୍ମାନ ସ୍ୱରୂପ ୧୯୬୪ ମସିହାରେ ଆଞ୍ଚଳିକ ଚଳଚ୍ଚିତ୍ର ପର୍ଯ୍ୟାୟରେ ରାଷ୍ଟ୍ରପତିଙ୍କ ରୌପ୍ୟ ପଦକ ପାଇଥିଲା ‘ସାଧନା’।

ଏହି ସିନେମାକୁ ପୁଣି ଥରେ ଦେଖିବାକୁ ସୁଯୋଗ ପାଇ ଦର୍ଶକ ବିମୋହିତ ହୋଇଥିଲେ। ଶରତ ଓ ମୀନତିଙ୍କ ନିଚ୍ଛକ ଭାବୋଦ୍ଦୀପକ ଅଭିନୟ, ପ୍ରଗତିଶୀଳ ଭିତ୍ତିଭୂମି, ହୃଦୟସ୍ପର୍ଶୀ ଡାଇଲଗ୍ ଦର୍ଶକଙ୍କୁ ଆଚମ୍ବିତ କରିଥିଲା।

“ଏହି ସିନେମା ସହିତ ମୁଁ ଅନ୍ତରଙ୍ଗ ଭାବେ ଜଡ଼ିତ ହୋଇ ରହିଥିଲି। ସିନେମାର ଗୀତ ରେକର୍ଡିଂଠାରୁ ଆରମ୍ଭକରି ସମସ୍ତ ରିହର୍ସଲ, ସୁଟିଂ ସବୁକିଛି ମୋର ଅନ୍ତରଙ୍ଗ। ସେ ସମୟରେ ଆମେ ଅଭିନୟ କରୁନଥିଲୁ, ଗୋଟେ ଚରିତ୍ର ମଧ୍ୟରେ ନିଜକୁ ବିଲୀନ କରିଦେଉଥିଲୁ। ହେଲେ, ବର୍ତ୍ତମାନ ସମୟ ଆଉ ସେପରି ନାହିଁ। ଓଡ଼ିଆ ସିନେମା ହେଉ ଅଥବା ହିନ୍ଦୀ ସିନେମା ଯୁବପିଢ଼ି ସ୍ୱତଃପ୍ରବୃତ୍ତ ଅଭିନୟର ପରାକାଷ୍ଠା ପ୍ରଦର୍ଶନ କରିବାରେ ପ୍ରାୟତଃ ସମର୍ଥ ହେଉନାହାନ୍ତି” ଓଡ଼ିଶାଲାଇଭକୁ କଥା ହେବା ବେଳେ କହିଛନ୍ତି ଅଭିନେତା ତଥା ଥିଏଟର କଳାକାର ଓ ନିର୍ଦ୍ଦେଶକ ଅନନ୍ତ ମହପାତ୍ର। ସେ ମଧ୍ୟ ‘ସାଧନା’ ସିନେମାରେ ମୀନତିଙ୍କ ଭାଇ ଭୂମିକାରେ ଅଭିନୟ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଏହି ଅବସରରେ ବରିଷ୍ଠ ଅଭିନେତା ବିଜୟ ମହାନ୍ତି, ରାଧାରାଣୀ ସରକାର ଉପସ୍ଥିତ ଥିଲେ। ହେଲେ କଳା ଓ ଅଭିନୟ ସହିତ ଜଡ଼ିତ ଯୁବପିଢ଼ି ଏପରି ଏକ ସିନେମାକୁ ପୁଣି ଥରେ ଦେଖିବାର ଆଗ୍ରହ ଦେଖାଉନଥିବା ଦୁଃଖର କଥା ।

Comment