ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜୁ ଯୁବ ଜନତା ଦଳର ଅଧ୍ୟକ୍ଷ ଅମରେଶ ପତ୍ରୀଙ୍କ ସହ ସାକ୍ଷାତକାର

ଓଡ଼ିଶାଲାଇଭ୍‌: ରାଜ୍ୟ ଯୁବ ବିଜେଡି ସଭାପତି ହେବା ପରେ ସଙ୍ଗଠନ ସଜାଡ଼ିବା ପାଇଁ କି ପଦକ୍ଷେପ ନେଇଛନ୍ତି ?

ଅମରେଶ: ମୁଁ ପ୍ରଥମେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଉଛି। ସେ ଯେଉଁ ବୟସ ସୀମା ନିର୍ଦ୍ଧାରଣ କଲେ ସେଥିରେ ବହୁ ଯୁବକ ସଙ୍ଗଠନରେ ସାମିଲ ହେବାର ସୁଯୋଗ ମିଳିଛି। ଆଗରୁ ଭୁବନେଶ୍ୱରରେ ଯୁବ ବିଜେଡିର ବହୁ କାର୍ଯ୍ୟକ୍ରମ କରାଯାଉଥିଲା। ଆମେ ଏବେ ବ୍ଲକ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛୁ। ଗୋଟିଏ ଗୋଟିଏ ଜିଲାକୁ ମିଶାଇ ଜୋନ୍‍ ଗଠନ ହୋଇଛି। ଆମେ ଏବେ ଜୋନ୍‌ରେ କାର୍ଯ୍ୟକ୍ରମ କରୁଛୁ। ଏହାପରେ ଆମେ ବିଭିନ୍ନ ନିର୍ବାଚନମଣ୍ଡଳୀରେ କାର୍ଯ୍ୟକ୍ରମ କରିବା ପରେ ପଞ୍ଚାୟତ ସ୍ତରକୁ ଯିବୁ। ପଞ୍ଚାୟତ ସ୍ତରରେ ଆମେ ତାଲିମ୍‍ ଶିବିର ଆୟୋଜନ କରିବାର ଯୋଜନା ରହିଛି  ।

ଓଡ଼ିଶାଲାଇଭ୍‌: ଦଳର କର୍ମକର୍ତ୍ତାଙ୍କୁ କ’ଣ ତାଲିମ୍‍ ଦେବେ?

ଅମରେଶ: ୧୭ ବର୍ଷ ମଧ୍ୟରେ ବିଜେଡି ସରକାର ବହୁ ଲୋକପ୍ରିୟ ଯୋଜନା ପ୍ରଣୟନ କରିଛନ୍ତି। ଏତେ ଯୋଜନା କରିଛନ୍ତି ଯେ, ଅନ୍ୟ ରାଜ୍ୟ ସରକାର ସେହି ପରିମାଣର ଯୋଜନା କରି ନ ଥିବେ। ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଆମେ ପ୍ରୟାସ କରିବୁ। ଏଣୁ ଆମେ ତାଲିମ୍‍ ଶିବିରରେ ଯୁବ ବିଜେଡି କର୍ମକର୍ତ୍ତାଙ୍କୁ ବିଭିନ୍ନ ଯୋଜନା କିପରି ଲୋକଙ୍କ ପାଖରେ ପହଞ୍ଚିବ ସେ ସମ୍ପର୍କରେ ତାଲିମ୍‍ ଦେବୁ।

ଓଡ଼ିଶାଲାଇଭ୍‌: ଯୁବ ବିଜେଡିର ସଭ୍ୟ ହେବା ପାଇଁ ମାପଦଣ୍ଡ କ’ଣ ?

ଅମରେଶ: ଯେଉଁମାନେ ଛାତ୍ର ବିଜେଡିରେ ଆଗରୁ କାମ କରିଛନ୍ତି ଏବଂ ଯେଉଁମାନେ ବିଜେଡି ଓ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ଆମେ ସେମାନଙ୍କୁ ଯୁବ ବିଜେଡିରେ ସାମିଲ୍‍ କରୁଛୁ।

ଓଡ଼ିଶାଲାଇଭ୍‌: ଯୁବ ବିଜେଡି ସଭାପତି ପାଇଁ ବହୁ ଆଶାୟୀ ରହିଥିଲେ। ଆପଣ କେମିତି ବାଜି ମାରିନେଲେ ?

ଅମରେଶ: ଏଥିରେ ରହସ୍ୟ କିଛି ନାହିଁ। ଦଳ ଯାହା ନିଷ୍ପତ୍ତି ନେଇଛି ତାହାକୁ ଆମେ ସମସ୍ତେ ଗ୍ରହଣ କରିଛୁ। ଏଣୁ ଏ ସମ୍ପର୍କରେ କିଛି କହିବାର ନାହିଁ ।

ଓଡ଼ିଶାଲାଇଭ୍‌: ଆପଣଙ୍କୁ ସଭାପତି କରିବାରେ ଅରୁଣ ସାହୁଙ୍କ ହାତ ରହିଛି ବୋଲି ଚର୍ଚ୍ଚା ହେଉଛି। କ’ଣ କହିବେ ?

ଅମରେଶ: କୌଣସି ନିର୍ଦ୍ଦିଷ୍ଟ ନେତାଙ୍କ କଥା କହିବିନି। ଆମ ଦଳରେ ଯାହା ହୁଏ, ସେସବୁ ନବୀନ ପଟ୍ଟନାୟକଙ୍କ ପରାମର୍ଶରେ ହିଁ ହୋଇଥାଏ। ମୁଁ ମଧ୍ୟ ସେହି ନିଷ୍ପତ୍ତି ଅନୁଯାୟୀ ଯୁବ ବିଜେଡି ସଭାପତି ହୋଇଛି।

ଓଡ଼ିଶାଲାଇଭ୍‌: ରାଜ୍ୟ ଯୁବ ବିଜେଡି ସଭାପତି ହେବା ପରେ ଆପଣଙ୍କୁ ରାତାରାତି ଜୋନ୍‍ ସଭାପତି କରିଦିଆଗଲା କାହିଁକି ?

ଅମରେଶ: ଦୁର୍ଭାଗ୍ୟବଶତଃ ଏମିତି ଏକ ବ୍ୟତିକ୍ରମ ହୋଇଥିଲା। ହେଲେ ପୁଣି ତା’ ପରଦିନ ଦଳ ପକ୍ଷରୁ କୁହାଗଲା ଯେ ରାଜ୍ୟ ସହ ଜୋନ୍‍ ଦାୟିତ୍ୱ ଦିଆଯାଇଛି। ଏହାଛଡ଼ା ଯିଏ ଯେଉଁ ଅଞ୍ଚଳରୁ ଆସିଛନ୍ତି ସେମାନଙ୍କୁ ମଧ୍ୟ ଜୋନ୍‍ ଦାୟିତ୍ୱ ମିଳିଛି।

ଓଡ଼ିଶାଲାଇଭ୍‌: ବାରମ୍ବାର କମିଟି ବଦଳିବାର କାରଣ କ’ଣ ?

ଅମରେଶ: ବିଜେଡି ଓଡ଼ିଶାର ଏକ ବଡ ଦଳ ହୋଇଥିବାରୁ ଏଥିରେ ବହୁ ସଦସ୍ୟ ଅଛନ୍ତି। ସେମାନଙ୍କର ଆଶା ବି ବହୁତ କିଛି ଅଛି। ୯ ବର୍ଷ ହେଲା ଯୁବ ବିଜେଡି ସଭାପତିରେ ପରିବର୍ତ୍ତନ ହୋଇ ନଥିଲା। ଏଣୁ ବହୁତ ଲୋକ ଏଥିପାଇଁ ଆଶାୟୀ ଥିଲେ। ସେମାନଙ୍କୁ କମିଟିରେ ସାମିଲ୍‍ କରାଯାଉଛି।

ଓଡ଼ିଶାଲାଇଭ୍‌: ବିଜେଡି ଏକ ବଡ ଦଳ ହେଲେ ମଧ୍ୟ ଏବେ ବିଜେପିକୁ ଭୟ କରୁଛି କି ?

ଅମରେଶ: ବିଜେପିକୁ ଆମେ ଆଦୌ ଭୟ କରୁନୁ। ଜାତୀୟ ଏବଂ ରାଜ୍ୟସ୍ତରରେ କଂଗ୍ରେସ ତାର ଅସ୍ଥିତ୍ୱ ହରାଇଥିବାରୁ ବିଜେପି ସେହି ଜାଗା ନେବାକୁ ଉଦ୍ୟମ କରୁଛି। ବିଜେଡି କିନ୍ତୁ ତା ସ୍ଥାନରେ ଠିକ୍‍ ରହିଛି। ଆଗକୁ ଆମ ଦଳ ବହୁ କାର୍ଯ୍ୟକ୍ରମ କରିବାର ଯୋଜନା ରହିଛି।

ଓଡ଼ିଶାଲାଇଭ୍‌: ବିଜେଡି ଅଣ୍ଡାମାଡ଼ରେ ବିଶ୍ୱାସ କରେ କି ନାହିଁ?

ଅମରେଶ: ବିଜେଡି ଏକ ଶାନ୍ତିପ୍ରିୟ ଦଳ। ଆମ ସଭାପତି ଶାନ୍ତିପୂର୍ଣ୍ଣ ରାଜନୀତିରେ ବିଶ୍ୱାସ କରନ୍ତି। ଆମେ ଅଣ୍ଡାମାଡ଼ଠୁ ବହୁ ଦୂରରେ।

ଓଡ଼ିଶାଲାଇଭ୍‌: ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କୁ ଅଣ୍ଡା ମାଡ଼ ହେବ ବୋଲି ଆପଣ କାହିଁକି କହିଲେ?

ଅମରେଶ: ମୁଁ ସେକଥା କହିନି। ବିଜେପି ଯେଉଁ କାର୍ଯ୍ୟକ୍ରମ କରୁଛି ସେଥିରେ ଓଡ଼ିଶାବାସୀ ଅସନ୍ତୁଷ୍ଟ ହୋଇ ରହିଛନ୍ତି। ଏଣୁ ଶାହା ଓଡିଶା ଲୋକଙ୍କ ରୋଷର ଶିକାର ହେବେ ବୋଲି ମୁଁ କହିଥିଲି। ଏଣୁ ଅଣ୍ଡା ମାଡ଼ ହେବାର ଆଶଙ୍କା ରହିଛି।

ଓଡ଼ିଶାଲାଇଭ୍‌: ଗତ ୩ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ବହୁ କାମ କରିଛନ୍ତି। ତେବେ ରୋଷର ଶିକାର କାହିଁକି ହେବେ ?

ଅମରେଶ: କେନ୍ଦ୍ରର ଏନଡିଏ ସରକାର କିଛି ନୂଆ ଯୋଜନା କରିନାହାନ୍ତି। ପୂର୍ବର ଉପା ସରକାର କରିଥିବା ବିଭିନ୍ନ ଯୋଜନାର ନାଁ ବଦଳାଇ ବିଜେପି ବାଃବାଃ ନେଉଛି। ବିଜେପି ନେତା କେବଳ କଥା କହି ଜାଣିଛନ୍ତି। କିନ୍ତୁ ଆମ ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି ତାହା କରନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବଳ ବିଦେଶ ଗସ୍ତରେ ବିଶ୍ୱାସ କରନ୍ତି ଆଉ ବାହାସ୍ଫୋଟ ମାରୁଛନ୍ତି।

ଓଡ଼ିଶାଲାଇଭ୍‌: ଅନ୍ୟ ଦଳର ଯୁବ ସଙ୍ଗଠନ ଭଳି ବିଜେଡି ଯୁବ ସଙ୍ଗଠନ ସେଭଳି ଆଖିଦୃଶିଆ କାର୍ଯ୍ୟକ୍ରମ ଗ୍ରହଣ କରିବାରେ ସମର୍ଥ ହୋଇନି କାହିଁକି?

ଅମରେଶ: ଅନ୍ୟ ଦଳ କେବଳ ଗଣମାଧ୍ୟମରେ ଚର୍ଚ୍ଚାରେ ରହିବା ପାଇଁ କାମ କରୁଛନ୍ତି। କିନ୍ତୁ ଆମେ ବହୁ କାର୍ଯ୍ୟକ୍ରମ କରୁଛୁ। ଓଡ଼ିଶା ପ୍ରତି କେନ୍ଦ୍ର ସରକାର ବୈମାତୃକ ମନୋଭାବ ପୋଷଣ କରୁଥିବାରୁ ଆମେ ରାଜରାସ୍ତାକୁ ଆସିଛୁ। ଆଗାମୀ ଦିନରେ ମଧ୍ୟ ବ୍ୟାପକ କାର୍ଯ୍ୟକ୍ରମ କରିବୁ। ଓଡ଼ିଶାର ଯୁବକ କିପରି ଆତ୍ମନିର୍ଭରଶୀଳ ହୋଇପାରିବେ ସେ ନେଇ ଆମେ ପଦକ୍ଷେପ ନେବୁ।

ଓଡ଼ିଶାଲାଇଭ୍‌: ପୂର୍ବତନ ଯୁବ ବିଜେଡି ସଭାପତି ସଞ୍ଜୟ ଦାସବର୍ମା ବିଭିନ୍ନ କାର୍ଯ୍ୟକ୍ରମରେ ଆଗରେ ରହୁଥିବାରୁ ଆପଣଙ୍କ ଭୂମିକା ଗୌଣ ହୋଇ ଯାଉଛି କି?

ଅମରେଶ: ସେମିତି କିଛି ନୁହେଁ। ଆମେ ଛାତ୍ର ରାଜନୀତିରୁ ଯୁବ ବିଜେଡିରେ ପ୍ରବେଶ କରିଛୁ। ସାଙ୍ଗଠନିକ କାର୍ଯ୍ୟକ୍ରମରେ ପୂର୍ବତନ ସଭାପତିଙ୍କ ବହୁ ଅଭିଜ୍ଞତା ରହିଛି। ତାଙ୍କଠାରୁ ଆମେ ବର୍ତ୍ତମାନ କିଛି ଶିଖୁଛୁ।

ଓଡ଼ିଶାଲାଇଭ୍‌: ୨୦୧୯ରେ ଯୁବ ବିଜେଡିର ଭୂମିକା କ’ଣ ରହିବ?

ଅମରେଶ: ମୁଖ୍ୟମନ୍ତ୍ରୀଙ୍କ ‘ଆମ ଗାଁ, ଆମ ବିକାଶ’ କାର୍ଯ୍ୟକ୍ରମରେ ଯୁବ ବିଜେଡି ସଭ୍ୟମାନେ ସାମିଲ୍‍ ହୋଇଛନ୍ତି। ଆଗାମୀ ଦିନରେ ଆମ ସଭାପତିଙ୍କ ଯାହା ନିର୍ଦ୍ଦେଶ ଆସିବ ତାକୁ ନେଇ କାମ କରିବୁ। ଯୁବକମାନଙ୍କ ବିଭିନ୍ନ ସମସ୍ୟା ସମାଧାନ କରି ୨୦୧୯ ପାଇଁ କ୍ଷେତ୍ର ପ୍ରସ୍ତୁତ କରିବୁ।

ଓଡ଼ିଶାଲାଇଭ୍‌: ଯୁବ ବିଜେଡି କେନ୍ଦ୍ର ବିରୋଧରେ ରାସ୍ତାକୁ ଓହ୍ଲାଉଛି। ସୁଫଳ କ’ଣ ମିଳୁଛି?

ଅମରେଶ: ବିଗତ ଦିନରେ ରାଜ୍ୟର ସ୍ୱାର୍ଥ ପାଇଁ ଆମେ କେନ୍ଦ୍ର ବିରୋଧରେ ଅନେକବାର ରାଜରାସ୍ତାକୁ ଓହ୍ଲାଇଛୁ। ଆନ୍ଦୋଳନ କରିଛୁ। ତେବେ ଏକ ରାଜନୀତି ପ୍ରକ୍ରିୟାରେ ସୁଫଳ ହଠାତ୍‍ ମିଳେନି, ସୁଫଳ ମିଳିବା ପାଇଁ ସମୟ ଲାଗିବ।

(ପ୍ରସ୍ତୁତି: ସରୋଜ)

LEAVE A REPLY

Please enter your comment!
Please enter your name here