ଓଡ଼ିଶାଲାଇଭ୍‍ ବ୍ୟୁରୋ

ବନ୍ୟାରେ ଭାସିଗଲା ଆଦିବାସୀଙ୍କ ସ୍ୱପ୍ନ, ସମ୍ବଳ

ଜୁଲାଇ ମାସ ୧୬ ତାରିଖ ରବିବାର ସକାଳ ୮ଟା। ରାୟଗଡ଼ା ଜିଲ୍ଲାରେ ଅଚାନକ ମାଡ଼ି ଆସିଲା ବନ୍ୟା। ଉଛୁଳିଲା ନାଗାବଳୀ ଓ କଲ୍ୟାଣୀ ନଦୀ। ସବୁ ଧୋଇନେଲା ବନ୍ୟାଜଳ। ବନ୍ୟାବିପନ୍ନ ଲୋକଙ୍କ ପାଖରେ ଏବେ ମୁଣ୍ଡ ଗୁଞ୍ଜିବାକୁ ଛାତ ଓ ପିନ୍ଧିବାକୁ କନା ନାହିଁ। ପେଟ ପାଇଁ ଖାଇବା ନାହିଁ। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅଭାବ ଅନଟନରେ ଯେଉଁ ତେଲ ଲୁଣର ସଂସାର ଚଳିଆସୁଥିଲା, ଏବେ ବନ୍ୟା ପରେ ଆଦିବାସୀଙ୍କ ଦୈନିକ ଗୁଜୁରାଣର ସବୁ ମୌଳିକ ମାଧ୍ୟମ ଛଡ଼ାଇ ନେଇଛି ବନ୍ୟା।

ସାଂଘାତିକ କ୍ଷତି କରିଛି ବନ୍ୟା :

ବନ୍ୟାରେ କଲ୍ୟାଣସିଂହପୁର ବ୍ଲକରୁ କେବଳ ପ୍ରାୟ ୫୦ଟି ଗାଁ ପ୍ରଭାବିତ ହୋଇଛି। କାଶୀପୁର, କୋଲନରା, ପଦ୍ମପୁର, ଗୁଡ଼ାରୀ ବ୍ଲକ ଆଂଶିକ ପ୍ରଭାବିତ ହୋଇଛନ୍ତି। ରାୟଗଡ଼ା ବ୍ଲକର ୧୦ଟି ଗାଁ ବନ୍ୟା ପ୍ରଭାବିତ ହୋଇଛି। କଲ୍ୟାଣସିଂହପୁର ବ୍ଲକର ପ୍ରାୟ ୧୦ ହଜାର ଲୋକେ ବିପନ୍ନ ହୋଇଛନ୍ତି।

ବନ୍ୟାପାଣିର ପ୍ରଖର ସୁଅରେ ୫ଟି ପୋଲ ଧୋଇଯାଇଥିଲା। କଲ୍ୟାଣସିଂହପୁର ନିକଟସ୍ଥ ବଡ଼ଦ୍ୱାର ସାହି ସେତୁ, ବିନିଶପୁର ନାଗାବଳୀ ନଦୀ ଉପରେ ନିର୍ମାଣାଧୀନ ଝୁଲାପୋଲ, କୁମ୍ଭାରଗୁଡ଼ା ସେତୁ ଭାଙ୍ଗିଯାଇଥିଲା। ରାୟଗଡ଼ା-ଆନ୍ଧ୍ରପ୍ରଦେଶ ମୁଖ୍ୟରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହୋଇଥିଲା। ଥେରୁବାଲି-ସିଙ୍ଗପୁର ରୋଡ୍ ଷ୍ଟେସନ ମଧ୍ୟରେ ପୂଜାରୀଗୁଡ଼ା ନିକଟରେ ୫୮୫ ନମ୍ବର ରେଲୱେ ପୋଲ ଧୋଇଯାଇଥିଲା। ଗୁଡ଼ାରୀ ନିକଟରେ ବାଇନାଗୁଡ଼ା ପୋଲ ଭାସିଯାଇଥିଲା। ସେହିପରି ଡଙ୍ଗରିଆ କନ୍ଧ ସମ୍ପ୍ରଦାୟର ଲୋକେ ରହୁଥିବା ନିୟମଗିରି ପାହାଡ଼ ଅଞ୍ଚଳରେ ଲଗାଣ ବର୍ଷା ରଚିଥିଲା ତାଣ୍ଡବ। ପାହାଡ଼ର ପାର୍ସାଲି ପଞ୍ଚାୟତ ଅଞ୍ଚଳରେ ସ୍ଥିତି ଦୋହଲି ଯାଇଥିଲା।

ଚାଷୀର ମେରୁଦଣ୍ଡ ଭାଙ୍ଗିଦେଇଛି ବନ୍ୟା :

ରାୟଗଡ଼ା ଜିଲ୍ଲାରେ ଆକସ୍ମିକ ବନ୍ୟା ଚାଷୀର ମେରୁଦଣ୍ଡ ଭାଙ୍ଗିଦେଇଛି। ନାଗାବଳୀ ଓ କଲ୍ୟାଣୀ ନଦୀରେ ବନ୍ୟା ଲାଗି କଲ୍ୟାଣସିଂହପୁର ବ୍ଲକର ୧୯୦୦ ଏକର ଜମିରେ ବାଲିଚର ମାଡ଼ିଯାଇଛି। ବ୍ଲକର ୮ଟି ପଞ୍ଚାୟତର ୩୪ ଗାଁର ଚାଷଜମି ବନ୍ୟା ପ୍ରଭାବିତ ହୋଇଛି। ଚାଷୀର ସାଇତା ଧାନ, ଚାଉଳ ନଷ୍ଟ ହେବା ପରେ ବର୍ଷଯାକ ଚଳିବେ କେମିତି, ସେନେଇ ଚିନ୍ତା ବଢ଼ିଛି। ବ୍ଲକ ଜନସଂଖ୍ୟାର ପ୍ରାୟ ୮୦ ଭାଗ ଲୋକ ଚାଷ ଉପରେ ନିର୍ଭରଶୀଳ। ୧୭୯ ହେକ୍ଟର ଜମିର ଧାନରୁଆ ସରିଥିଲା ଓ ୩୦ ହେକ୍ଟର ଜମିରେ ତଳି ପଡ଼ିଥିଲା, ଯେଉଁଥିରେ ଏବେ ବାଲିଚର ମାଡ଼ିଯାଇଛି।

ମାଟିରେ ସମ୍ପୂର୍ଣ୍ଣ ମିଶିଗଲା ୨ଟି ଗାଁ :

ବନ୍ୟା ଯୋଗୁ କଲ୍ୟାଣସିଂହପୁର ବ୍ଲକର ପୋଇଗୁଡ଼ା ଓ କୁମ୍ଭାରୀଗୁଡ଼ା ଗାଁର ପ୍ରାୟ ସବୁ ଘର ମାଟିରେ ମିଶିଯାଇଛି। ଲୋକଙ୍କ ଜିନିଷପତ୍ର ବନ୍ୟାରେ ଭାସିଯାଇଛି। ଏ ଦୁଇଟି ଗ୍ରାମ ନଦୀକୂଳରେ ଅବସ୍ଥିତ। ଗତ ରବିବାର ସକାଳେ ହଠାତ୍ ବନ୍ୟାପାଣି ଆସିବା ପରେ ଲୋକେ ଘରୁ କିଛି ନେଇନପାରି ଜୀବନ ବିକଳରେ ଘର ଛାଡ଼ି ଚାଲିଯାଇଥିଲେ। ଗୋଟିଏ ରାତିର ବର୍ଷାରେ ବନ୍ୟାପାଣି ଲହଡ଼ି ମାରିଥିଲା। ସେହି ଲହଡ଼ିରେ କୁମ୍ଭାରୀଗୁଡ଼ାର ୩୩ ଘର ଓ ପୋଇଗୁଡ଼ାର ୧୮ ଘର ନଦୀଗର୍ଭରେ ଲୀନ ହୋଇଗଲା। ପ୍ରାୟ ୨୫୦ ପରିବାର ସର୍ବସ୍ୱାନ୍ତ ହୋଇଗଲେ। ଘରର ମୂଳଦୁଆ ଧୋଇନେଇଛି ବନ୍ୟା। ସେହି ଅଞ୍ଚଳର ଲୋକମାନେ ଏବେ ବାସହରା।

ଏଭଳି ବନ୍ୟା ଦେଖିନଥିଲେ ଲୋକେ :

ରାୟଗଡ଼ା ଜିଲ୍ଲାରେ ପ୍ରବାହିତ ହୋଇଛନ୍ତି ନାଗାବଳୀ ଓ କଲ୍ୟାଣୀ ନଦୀ। ପୂର୍ବରୁ ଏହି ଦୁଇ ନଦୀ ଏପରି ପ୍ରକୋପ କେବେ ଦେଖାଇ ନଥିଲେ। ୨୦୦୭ରେ ବନ୍ୟା ଯୋଗୁ ହାତୀପଥର ପର୍ଯ୍ୟଟନ ସ୍ଥଳୀ ବୁଡ଼ିଯାଇଥିଲା। ସେତେବେଳେ ଏଥର ଭଳି ସେତେ କ୍ଷୟକ୍ଷତି ହୋଇନଥିଲା। ୧୯୯୨ ମସିହାର ବନ୍ୟାକୁ ଲୋକେ ଅଙ୍ଗେ ଲିଭେଇଥିଲେ। କଲ୍ୟାଣସିଂହପୁରର ଉଭୟପଟେ ନାଗାବଳୀ ନଦୀ ଓ କଲ୍ୟାଣୀ ନଦୀ। ନାଗାବଳୀରେ ୧୯୪୦, ୧୯୯୨, ୨୦୦୭ରେ ବଡ଼ ବନ୍ୟା ଆସିଥିଲା; କିନ୍ତୁ ଚଳିତ ବର୍ଷର ବନ୍ୟା ବେଶୀ ଭୟଙ୍କର ଥିଲା। ଏଥରର ବନ୍ୟାରେ ଗରିବ ଲୋକର ସ୍ୱପ୍ନ ଓ ସମ୍ବଳ ଭାସିଗଲା।

ବନ୍ୟା ନିୟନ୍ତ୍ରଣ ପାଇଁ ପ୍ଲାନିଂ ଅଭାବ :

୨୦୦୭ରେ ଯେଉଁ ବନ୍ୟା ଆସିଥିଲା, ସେଥିରୁ ସରକାର କିଛି ଶିଖିଲେ ନାହିଁ। ବନ୍ୟା ନିୟନ୍ତ୍ରଣ ପାଇଁ କିଛି ପଦକ୍ଷେପ ନିଆଗଲା ନାହିଁ। ବନ୍ୟା ସମୟରେ କଲ୍ୟାଣସିଂହପୁର ଉପରମୁଣ୍ଡରେ ନାଗାବଳୀର ଜଳପତ୍ତନ ଜାଣିବା ପାଇଁ ସେଭଳି କିଛି ବ୍ୟବସ୍ଥା ରହିନାହିଁ। ତେଣୁ ବନ୍ୟା ଆସିଲେ ଏହାକୁ ନିୟନ୍ତ୍ରଣ କରିବା ତଥା ଆଗୁଆ ସୂଚନା ପାଇବାର କୌଣସି ସୁଯୋଗ ନାହିଁ।

ନଦୀ ଅବବାହିକାରେ ରହୁଥିବା ଗ୍ରାମବାସିନ୍ଦାକୁ ଖବର ଦେବା ପାଇଁ ବନ୍ୟା ନିୟନ୍ତ୍ରଣ କେନ୍ଦ୍ର ସ୍ଥାପନ ହୋଇନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ରାୟଗଡ଼ା ଜିଲ୍ଲାରେ ଏ ପର୍ଯ୍ୟନ୍ତ ଜଳସେଚନ ଡିଭିଜନ ଖୋଲିନାହିଁ। ପାରଳାଖେମୁଣ୍ଡିସ୍ଥିତ ଡିଭିଜନ ତତ୍ତ୍ୱାବଧାନରେ ଏହା ଚାଲିଛି। ଉପର ମୁଣ୍ଡରେ ଡ୍ୟାମ୍ ହୋଇଥିଲେ ବନ୍ୟାଜଳ ନିୟନ୍ତ୍ରଣ ହେବା ସହ ସ୍ଥାନୀୟ ଅଞ୍ଚଳର ଚାଷଜମି ଜଳସେଚିତ ହୋଇପାରିଥା’ନ୍ତା ଓ ତଳମୁଣ୍ଡର ଲୋକେ ନିରାପଦ ରହିଥା’ନ୍ତେ। ତେବେ ନଦୀର ଅବବାହିକାରେ ଥିବା ଜମିଗୁଡ଼ିକ ହେଉଛି ଘରୋଇ ଜମି। ତାକୁ ଅଧିକ ଅର୍ଥ ଦେଇ କିଣିବା ପରେ ନଦୀବନ୍ଧ ନିର୍ମାଣ କରିବା ମୁସ୍କିଲ ବୋଲି କେତେକ ଅଧିକାରୀ ମତ ରଖିଆସିଛନ୍ତି। ଅନ୍ୟପକ୍ଷରେ କଲ୍ୟାଣସିଂହପୁର ନିକଟରେ ନଦୀର ସୁରକ୍ଷା ପ୍ରାଚୀର ନାହିଁ। ସେଥିପାଇଁ ନଦୀତଟରେ ପଥର ପ୍ୟାକିଂ ଜରୁରୀ ହୋଇପଡ଼ିଛି ।

(ପ୍ରସ୍ତୁତି: ସନ୍ତୋଷ)

2 COMMENTS

LEAVE A REPLY

Please enter your comment!
Please enter your name here