ଓଡ଼ିଶାଲାଇଭ୍‍ ବ୍ୟୁରୋ

କଲର୍ସ ଓଡ଼ିଆ ଚ୍ୟାନେଲ୍‌ରେ ପ୍ରସାରିତ ‘ମିଠା ମିଠା ଯୋଡ଼ି’ର ବିଜେତା ଜ୍ୟୋତି ରଞ୍ଜନ ନାୟକ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିରେ ତାଙ୍କ ଅଭିନୟ ତଥା ନାଚର ଜାଦୁରେ ଦର୍ଶକଙ୍କ ମନ ଜିତି ସାରିଛନ୍ତି। ତାଙ୍କ ପାଖରେ ସିନେମା ହିରୋ ହେବାର ସମ୍ପୂର୍ଣ୍ଣ ପ୍ରତିଭା ଅଛି ବୋଲି ସିନେପ୍ରେମୀମାନେ ମତ ଦିଅନ୍ତି।

ବଙ୍ଗୀୟ ହିରୋ‍ଇନ୍‍ ମାଳବିକାଙ୍କ ସାଙ୍ଗରେ ‘ଦେଲେ ଧରା କଥା ସରେ’ ଓ ତମନ୍ନାଙ୍କ ସାଙ୍ଗରେ ‘ନିଝୁମ ରାତିର ସାଥୀ’ ପରେ ପିଙ୍କି ପ୍ରିୟଦର୍ଶିନୀଙ୍କ ସାଙ୍ଗରେ ‘ଦିଲ୍‍ କା ରାଜା’ ସିନେମାରେ ବିଭିନ୍ନ ପ୍ରକାରର ଚରିତ୍ରରେ ଅଭିନୟ କରି ଜ୍ୟୋତି ଓଡ଼ିଆ ସିନେ ଜଗତରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିସାରିଛନ୍ତି। ବର୍ତ୍ତମାନ ସେ ଓଲିଉଡର ଆଗ ଧାଡ଼ିର ନାୟିକା ଝିଲିକ୍‍ଙ୍କ ସହିତ ‘ତୁ ମୋ ହିରୋ’ ସିନେମାର ସୁଟିଙ୍ଗରେ ବ୍ୟସ୍ତ ଅଛନ୍ତି।

ଏହି ସିନେମାର ସୁଟିଙ୍ଗ ପ୍ରାୟ ସରିଆସିଲାଣି। “ଏହି ସିନେମାରେ ମୁଁ ଏକ ବସ୍ତି ପିଲାର ଭୂମିକାରେ ଅଭିନୟ କରୁଛି। ଝିଲିକ୍‍ ଜଣେ ଧନୀ ଘରର ଝିଅ ହୋ‍ଇ ମଧ୍ୟ ମୋ ଷ୍ଟାଇଲକୁ ଭଲପାଇବା ପରେ ଧୀରେ ଧୀରେ ଆମେ ଦୁହେଁ ପ୍ରେମରେ ପଡ଼ିଯାଇଛୁ। ପରିବାରର ଅରାଜି ସତ୍ତ୍ୱେ ଆମେ ଦୁହେଁ ବାହା ହୋ‌ଇଯାଉଛୁ ଓ ତା’ପରେ ଜୀବନର କଠିନ ସତ୍ୟ ସହ ଲଢିବାକୁ ପଡୁଛି। ଏହା ହିଁ ସିନେମାର ମୂଳ କଥାବସ୍ତୁ”, ଓଡ଼ିଶାଲାଇଭ୍‌ ସହ କଥା ହେବାବେଳେ ଜ୍ୟୋତି ଏହା କହିଛନ୍ତି।

ଜ୍ୟୋତି ରଞ୍ଜନ ନିଜେ ଜଣେ ଉଚ୍ଚକୋଟିର ଡାନ୍‌ସର ହୋ‌ଇଥିବାରୁ ଏହି ସିନେମାର କୋରିଓଗ୍ରାଫର ପ୍ରେମ ଗୋପୀ ତାଙ୍କୁ ବହୁତ ଭଲ ଭାବରେ ନଚେଇଛନ୍ତି ଯାହା ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ସେ କହିଛନ୍ତି। ଖାଲି ସେତିକି ନୁହେଁ, ଏହାର ଟାଇଟଲ୍‍ ଟ୍ରାକ୍‌ରେ ସେ ପପ୍‍କିଙ୍ଗ ମାଇକେଲ ଜ୍ୟାକସନ ଓ ଗୋବିନ୍ଦାଙ୍କ ଷ୍ଟାଇଲରେ ମଧ୍ୟ ନାଚିଛନ୍ତି, ଯାହା ଓଡ଼ିଆ ସିନେମା ଜଗତ ପାଇଁ ନିଆରା। ବିଶେଷ ଭାବେ କହିବାକୁ ଗଲେ ନାଚଗୁଡ଼ିକ ପୂରାପୂରି ବଲିଉଡ୍‍ ଷ୍ଟାଇଲ୍‌ର ହୋ‍ଇଛି ବୋଲି ଜ୍ୟୋତି କହିଛନ୍ତି।

“ଝିଲିକ୍‌ ମୋଠାରୁ ସିନିୟର ଅଭିନେତ୍ରୀ। ତାଙ୍କର ମୋର ଅନ୍‍-ସ୍କ୍ରିନ୍‍ କେମେଷ୍ଟ୍ରି ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ଆଶା କରୁଛି”, କହିଛନ୍ତି ଜ୍ୟୋତି।

ଗୀତ ସିନ୍‌ଗୁଡ଼ିକ ମନାଲି, ଲଦାଖ ଓ ଚଣ୍ଡୀଗଡ଼ରେ ସୁଟିଙ୍ଗ୍‍ କରାଯାଇଛି। ସିନେମାରେ ଥିବା ଛଅଟି ଗୀତ ପ୍ରାୟ ୧୫ ଦିନ ଧରି ସୁଟିଙ୍ଗ‍ କରାଯାଇଛି। ଦିଲ୍ଲୀପ ପଣ୍ଡା ଏହି ସିନେମାର ନିର୍ଦ୍ଦେଶନା ଦେଇଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାଶ ଓ ସଂଳାପ ରଚନା କରିଛନ୍ତି ରଜନୀ ରଞ୍ଜନ। ଅନ୍ୟାନ୍ୟ ଭୂମିକାରେ ଜୀବନ ପଣ୍ଡା, ଗୁଡ୍ଡୁ ଓ କେକେ ମଧ୍ୟ ଅଭିନୟ କରୁଥିବାର ନଜର ଆସିବେ। ଏହି ସିନେମାର ପୋଷ୍ଟ ପ୍ରଡକ୍ସସନ୍ସ କାମ ଆରମ୍ଭ ହୋ‌ଇସାରିଛି ଏବଂ ଆସନ୍ତା ମାସରେ ପରଦା ଉପରକୁ ଆସିବାର ସମ୍ଭାବନା ରହିଛି।

Comment