ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଆ ଆତ୍ମଜୀବନୀର ଜଣେ ନିଆରା ସଂଗ୍ରାହକ ହେଉଛନ୍ତି ବୈଷ୍ଣବ ଚରଣ ମହାନ୍ତି। କେବଳ ଓଡ଼ିଆ ଭାଷାରେ ଲେଖା ହୋଇଥିବା ୩୦୦ରୁ ଅଧିକ ଆତ୍ମଜୀବନୀ ନିଜ ପାଖରେ ସେ ସାଇତି କରି ରଖିଛନ୍ତି। ତା’ ଭିତରେ ରହିଛି ଅନେକ ବିରଳ ଓ ନିଆରା ଆତ୍ମଜୀବନୀ।

ବହୁ ଶ୍ରମ ସ୍ୱୀକାର କରି ଏସବୁକୁ ନିଜ ବ୍ୟକ୍ତିଗତ ପାଠାଗାର ‘ବୈଷ୍ଣବର ବହିଘର’ରେ ସାଇତି ରଖିଛନ୍ତି ବୈଷ୍ଣବ। ଭୁବନେଶ୍ୱର ଉପକଣ୍ଠ ନହରକଣ୍ଟାରେ ଅବସ୍ଥାନ କରୁଥିବା ବୈଷ୍ଣବ ଆଗକୁ ଆହୁରି ଅନେକ ଆତ୍ମଜୀବନୀ ଖୋଜିବାରେ ଲାଗିଛନ୍ତି।

ବୈଷ୍ଣବଙ୍କ ବହିଘରେ ଜଣେ ଡାକୁଙ୍କ ଆତ୍ମଜୀବନୀ :

ଏକଦା ଜଗତସିଂହପୁର ଅଞ୍ଚଳରେ ଲୁଟ୍ ଓ ଡକାୟତିରେ ଆତଙ୍କ ସୃଷ୍ଟି କରିଥିବା ଜଣେ ଡାକୁ ବିହାରୀ ନାୟକ ମଧ୍ୟ ଓଡ଼ିଆ ଭାଷାରେ ଲେଖିଛନ୍ତି ନିଜ ଆତ୍ମଜୀବନୀ। ସେଥିରେ ସେ ନିଜ ଡକାୟତି ସମୟର ବ୍ୟାଖ୍ୟା କରିଛନ୍ତି। ପୋଲିସକୁ ସବୁବେଳେ ଚକ୍‌‍ମା ଦେଇ ଖସିଯାଉଥିବା ଡାକୁ ବିହାରୀ ଲୁଟ୍ ଓ ଡକାୟତି ବ୍ୟତୀତ ଅନ୍ୟ କୌଣସି ଗର୍ହିତ ଅପରାଧ କରୁନଥିଲେ। ଏଭଳି ଜଣେ ଦୁର୍ଦ୍ଦାନ୍ତ ଡାକୁ ବି ଆତ୍ମଜୀବନୀ ଲେଖିପାରନ୍ତି, ତାହା ହୁଏତ ସମସ୍ତଙ୍କ ପାଇଁ ଅବିଶ୍ୱାସ ମନେହୋଇପାରେ। କିନ୍ତୁ ତାହା ସତ ଏବଂ ସେହି ଆତ୍ମଜୀବନୀକୁ ଡାକୁ ବିହାରୀଙ୍କ ବୋହୂଙ୍କଠାରୁ ସଂଗ୍ରହ କରି ନିଜ ବହିଘରେ ସାଇତି ରଖିଛନ୍ତି ବୈଷ୍ଣବ ଚରଣ।

ବିସ୍ମୟର କଥା ହେଉଛି ଡାକୁ ବିହାରୀ ନାୟକଙ୍କ ଆତ୍ମଜୀବନୀ ବାବଦରେ ବିଏ ପାଠ୍ୟକ୍ରମର ପରୀକ୍ଷାରେ ପ୍ରଶ୍ନ ଆସିଥିଲା। ଏହା ବ୍ୟତୀତ ଆହୁରି ଅନେକ ବିରଳ ଓ ଦୁଷ୍ପ୍ରାପ୍ୟ ଓଡ଼ିଆ ଆତ୍ମଜୀବନୀ ସେ ସଂଗ୍ରହ କରିଛନ୍ତି, ପଢ଼ିଛନ୍ତି ସବୁ ଓ ସେଥିରେ ବିଭୋର ମଧ୍ୟ ହୋଇଛନ୍ତି।

୧୦ ହଜାର ବହିର ସଂଗ୍ରାହକ :

“ଇତିହାସ ହେଉଛି ରାଜନୈତିକ ଚିତ୍ରର ଦସ୍ତାବିଜ। କିନ୍ତୁ ଆତ୍ମଜୀବନୀ ହେଉଛି ଯେ କୌଣସି ସମୟର ଭାଷା, ସଂସ୍କୃତି, ସାହିତ୍ୟ, ପରମ୍ପରା, ଚଳଣି, ଖାଦ୍ୟପେୟ, ଶିକ୍ଷା, ଧର୍ମ ଧାରଣା- ଏସବୁର ଜୀବନ୍ତ ସମାହାର। ତେଣୁ ମୁଁ ଆତ୍ମଜୀବନୀ ପଢେ଼ ଓ ସଂଗ୍ରହ କରିବାକୁ ଭଲପାଏ”, କହନ୍ତି ବୈଷ୍ଣବ।

କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ‘ଅଙ୍ଗେ ଯାହା ନିଭାଇଛି’, ‘କୁଞ୍ଜବିହାରୀ ଦାଶଙ୍କ ‘ମୋ କାହାଣୀ’, କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ‘ମୋ ସମୟର ଓଡ଼ିଶା’, କାଳୀଚରଣ ପଟ୍ଟନାୟକଙ୍କ ‘କୁମ୍ଭାର ଚକ’, ଚିନ୍ତାମଣି ମିଶ୍ରଙ୍କ ‘ଅର୍ଦ୍ଧ ଶତାବ୍ଦୀର ଅନୁଭୂତି’, ଭାରତ ନାୟକଙ୍କ ‘ମୋ ପୂର୍ବ ସ୍ମୃତିକଥା’, ରତ୍ନାକର ପତିଙ୍କ ‘ଚରିତ ଓ ଆତ୍ମଚରିତ’, ବୈକୁଣ୍ଠନାଥ ମହାନ୍ତିଙ୍କ ‘ସ୍ମୃତିର ସୁରଭି’, ବୈରାଗୀ ମିଶ୍ରଙ୍କ ‘ସ୍ୱଭାବ ନିୟତ ଜୀବନ ଯୁଦ୍ଧ’ ଭଳି ଆତ୍ମଜୀବନୀ ସେ ପଢ଼ିବା ପରେ ବେଶ୍ ପ୍ରଭାବିତ ହୋଇଛନ୍ତି।

୨୦ ବର୍ଷ ତଳୁ ଆତ୍ମଜୀବନୀ ସଂଗ୍ରହ କରିବାର ନିଶା ତାଙ୍କୁ ଲାଗିଥିଲା। ବୈଷ୍ଣବ ଜଗତସିଂହପୁର ଜିଲ୍ଲା ରାହାମାର ଭରାଳୋରେ ୧୯୫୪ ମସିହାରେ ଜନ୍ମ ଗ୍ରହଣ କରିଥିଲେ।। ଦୁଃଖର କଥା ସେଠାରେ ଥିବା ତାଙ୍କର ୧୦ ହଜାର ବହି ୧୯୯୯ ମହାବାତ୍ୟାରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲା। ଏବେ ମଧ୍ୟ ବୈଷ୍ଣବଙ୍କ ‘ବହିଘର’ରେ ରହିଛି ୧୦ ହଜାରରୁ ଅଧିକ ପୁସ୍ତକ ।

ଖୋଜିବାର ଇଚ୍ଛା ଦେଇଛି ଏହି ନିଶା :

ଓଡ଼ିଆ ଭାଷାରେ ଯଥେଷ୍ଟ ପରିମାଣର ଆତ୍ମଜୀବନୀ ଲେଖାହୋଇ ନାହିଁ। ତାହା ପୁଣି ପ୍ରଚାର ପ୍ରସାର ଅଭାବ ଏବଂ ଅତି ସୀମିତ ମୁଦ୍ରଣ ଯୋଗୁ ତାହାକୁ ସଂଗ୍ରହ କରିବା କଷ୍ଟକର। ଏ କ୍ଷେତ୍ରରେ ବୈଷ୍ଣବ ଚରଣ ମହାନ୍ତିଙ୍କୁ ବେଶ୍ କିଛି ଶ୍ରମ ଓ ବ୍ୟୟ ସ୍ୱୀକାର କରିବାକୁ ପଡ଼ିଛି।

ଭାରତ ନାୟକଙ୍କ ଆତ୍ମଜୀବନୀ ‘ମୋ ପୂର୍ବ ସ୍ମୃତିକଥା’ର ଦାମ୍ ହେଉଛି ମାତ୍ର ୧୨ ଟଙ୍କା। କିନ୍ତୁ ତାକୁ ସହଗ୍ରହ କରିବା ପାଇଁ ବୈଷ୍ଣବ ଗାଡ଼ିଭଡ଼ା କରି ବଲାଙ୍ଗିର ଯାଇ ବହି ଆଣିବାକୁ ପଡ଼ିଲା। ସେହିପରି ଜଣେ ଶିକ୍ଷାବିତ୍‌‌ଙ୍କ ଆତ୍ମଜୀବନୀର ଦାମ୍ ପ୍ରାୟ ୩୦୦ ଟଙ୍କା ଥିଲା। ବହିଟି ରଖିଥିବା ବ୍ୟକ୍ତି ଜଣକ ତାକୁ ଦେବାକୁ ରାଜି ନଥିଲେ। କିନ୍ତୁ ବୈଷ୍ଣବ ତାଙ୍କୁ ପ୍ରାୟ ୬ ହଜାର ଟଙ୍କାର ବହି ବିନିମୟ କରି ଆତ୍ମଜୀବନୀଟିକୁ ପାଇବାରେ ସଫଳ ହୋଇଥିଲେ।

ଏଭଳି ଅନେକ ଥର ଗୋଟିଏ ଆତ୍ମଜୀବନୀ ସଂଗ୍ରହ କରିବା ବେଳେ ସେ ଅନେକ ପରିଶ୍ରମ ଓ ପଇସା ଖର୍ଚ୍ଚ କରିଛନ୍ତି। ଖୋଜିବାର ଇଚ୍ଛା ଯୋଗୁ ତାଙ୍କ ଆତ୍ମଜୀବନୀ ସଂଗ୍ରହ କରିବା ସଉକ ଦୀର୍ଘ ବର୍ଷ ହେଲା ଚାଲିଆସିଛି।

ନିଜର ୨ଟି ଆତ୍ମଜୀବନୀ ଲେଖୁଛନ୍ତି :

ବୈଷ୍ଣବ ଚରଣ ମହାନ୍ତି ଏବେ ନିଜର ଆତ୍ମଜୀବନୀ ଲେଖୁଛନ୍ତି। ଗୋଟିଏ ଦାପ୍ତରିକ ଅର୍ଥାତ୍ ନିଜ ବୃତ୍ତିଗତ ଜୀବନର କଥା ଯାହାର ଶୀର୍ଷକ ରହିଛି ‘ହାଣ ଖାଉଥିବା ଗୋଟିଏ ଛେଳିର ଆତ୍ମ କାହାଣୀ’ ଏବଂ ଅନ୍ୟଟି ନିଜ ବ୍ୟକ୍ତିଗତ ସ୍ମୃତିକଥା ଯାହାର ଶୀର୍ଷକ ହେଉଛି ‘ପରିବର୍ତ୍ତିତ ପର୍ବ’। ଖୁବ୍ ଶୀଘ୍ର ସେ ଏହାକୁ ପ୍ରକାଶ କରିବେ। ବୈଷ୍ଣବଙ୍କ ପତ୍ନୀ ଶିକ୍ଷାବିତ୍ ମଞ୍ଜୁବାଳା ଦାସ ମଧ୍ୟ ନିଜ ଆତ୍ମଜୀବନୀ ଲେଖିଛନ୍ତି।

ଶିକ୍ଷା ନିର୍ଦ୍ଦେଶାଳୟର ସହକାରୀ ନିର୍ଦ୍ଦେଶକ ପଦରୁ ୫ ବର୍ଷ ତଳେ ଅବସର ନେଇସାରିଛନ୍ତି ବୈଷ୍ଣବ। ଏବେ ସାହିତ୍ୟରେ ଅବସର ସମୟ କଟୁଛି। ସାହିତ୍ୟ ସଙ୍ଗଠନ ପାଇଁ ସେ ଏକ ଅଭିନବ ପ୍ରୟାସ କରିଛନ୍ତି।

ସମ୍ ହସ୍ପିଟାଲ ନିକଟରେ ସେ ନିଜ ଘରେ ପ୍ରତିଷ୍ଠା କରିଛନ୍ତି ‘ବନ୍ଧୁଘର ସାହିତ୍ୟ ପିଣ୍ଡା’, ଯେଉଁଠି ପ୍ରତି ମାସରେ ଗୋଟିଏ ଦିନ ଲେଖକ ଓ ବୁଦ୍ଧିଜୀବୀ ବନ୍ଧୁମାନେ ଏକାଠି ହେଉଛନ୍ତି।

ବୈଷ୍ଣବ ଚରଣ ମହାନ୍ତିଙ୍କ ଦ୍ୱାରା ‘ପାନ’ ଉପରେ ଗବେଷଣାଧର୍ମୀ ପୁସ୍ତକ ‘ପାନ ଓ ପ୍ରିୟତମା’ ୨୦୦୩-୦୪ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛି।

(ପ୍ରସ୍ତୁତି: ସନ୍ତୋଷ)

 

1 COMMENT

Comment