ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିହାରରେ ନୀତିଶ କୁମାରଙ୍କ ଜେଡି(ୟୁ) ସହ ଭାରତୀୟ ଜନତା ପାର୍ଟି ମେଣ୍ଟ କରିବା ପରେ ଏବେ ଅନ୍ୟତମ ପୂର୍ବାଞ୍ଚଳ ରାଜ୍ୟ ଓଡ଼ିଶା ଉପରେ ଫୋକସ୍‍ କରିଛି ଏହି ଜାତୀୟ ଦଳ। ଏଥିପାଇଁ ବିଜେପି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୨୦୧୪ ନିର୍ବାଚନର ସତ୍ୟପାଠକୁ ଅସ୍ତ୍ର କରିଛି।

ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଏହି ପ୍ରସଙ୍ଗରେ ନର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତାଙ୍କ ପ୍ରାର୍ଥୀତ୍ୱକୁ ଅସିଦ୍ଧ ଘୋଷଣା କରିବାକୁ ଦାବି କରିଛି। ଆକାଉଣ୍ଟ ନମ୍ବର ୧୦୦୯୧୮୦୫୫୭୩ରୁ ବିଜେଡି ଦଳୀୟ ଆକାଉଣ୍ଟ ୧୦୦୯୧୭୫୫୨୪୬କୁ କୋଟି କୋଟି ଟଙ୍କା କେଉଁ ପରିସ୍ଥିତିରେ ଆସିଲା ତା’କୁ ନେଇ ବିଜେପି ପ୍ରଶ୍ନ ଉଠାଇଛି। ଫଳରେ  ଏହାକୁ ନେଇ ଓଡ଼ିଶା ରାଜନୀତିରେ ଭ୍ରୁକୁଞ୍ଚନ ସୃଷ୍ଟି ହୋଇଛି।

ବିଜେଡି ପାଣ୍ଠିକୁ ନେଇ ବିଜେପି ପ୍ରତିଦିନ ଆକ୍ରମଣ କରିଚାଲିଛି। ଏହି ଘଟଣାକୁ ବିଜେପି ଯେଉଁଭଳି ଭାବେ ଉପସ୍ଥାପନ କରୁଛି ସେଥିରେ ବିଜେଡି ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା କରାଯାଉଛି। ଏଣୁ ବିଜେପିକୁ କାଉଣ୍ଟର ଜବାବ ଦେବା ପାଇଁ ବିଜେଡି ବିଳମ୍ବ କରିନି।

ବରିଷ୍ଠ ସାଂସଦ ପିନାକୀ ମିଶ୍ର ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ବିଜେପିର ଅଭିଯୋଗକୁ ଖଣ୍ଡନ କରିଥିଲେ ମଧ୍ୟ ଏହି ହଟଚମଟ ଥମିବାର ନାଁ ଧରୁନି।

ପାଣ୍ଠିକୁ ନେଇ ବିଜେପି ଆଞ୍ଚଳିକ ଆୟକର କମିଶନର, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ଭାରତର ମୁଖ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେବା ପରେ ଇଡିର ଦ୍ୱାରସ୍ଥ ହୋଇଛି। ଏହି ଘଟଣାର ତଦନ୍ତ ପାଇଁ ଦାବି କରାଯାଇଛି।

ବିଜେପି ଅଭିଯୋଗ କରିଛି ଯେ, ନୋଡାଲ ଏଜେନ୍ସି ଇଣ୍ଡିଆ ଆଇଡିଆଜରୁ କୋଟି କୋଟି ଟଙ୍କା ବିଜେଡି ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଛି। ଏହି ସଂସ୍ଥା କାହାର ଏବଂ ବିଜେଡିକୁ କାହିଁକି ଏତେ ଟଙ୍କା ଦେଇଛି ତାହାର ତଦନ୍ତ ଦାବି କରିଛି ବିଜେପି। ବିଜେଡି ମୁଖପାତ୍ରମାନେ ବିଜେପିକୁ ଜବାବ ଦେଉଥିଲେ ମଧ୍ୟ ତାହା ଏହି ବିବାଦକୁ ପ୍ରଶମିତ କରିପାରି ନାହିଁ। ଫଳରେ ବଡ ଧରରଣ ରାଜନୈତିକ ଝାମେଲା ଓଡ଼ିଶାରେ ସୃଷ୍ଟି ହୋଇପାରେ ବୋଲି ରାଜନୀତି ପଣ୍ଡିତ ଆଶଙ୍କା କରୁଛନ୍ତି। ଏହି ପାଣ୍ଠି ନେଣଦେଣକୁ ନେଇ ବିଜେପି ବିଜେଡିକୁ ଅଡୁଆରେ ପକାଇବାକୁ ଉଦ୍ୟମ କରୁଛି। ବିହାର ଭଳି ଓଡ଼ିଶାକୁ ଦଖଲ କରିବା ପାଇଁ ବିଜେପି ପୂର୍ଣ୍ଣ ପ୍ରୟାସ ଆରମ୍ଭ କରି ଦେଇଥିବା ଚର୍ଚ୍ଚା ହେଉଛି।

ଅମିତ ଶାହା ରାଷ୍ଟ୍ରୀୟ ସଭାପତି ହେବା ପରେ ପୂର୍ବାଞ୍ଚଳ ମିଶନ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ଏଥିରେ ବିହାର, ପଶ୍ଚିମବଙ୍ଗ ଏବଂ ଓଡ଼ିଶା ରହିଥିଲା। ୨୦୧୫ରେ ବିହାରରେ ବିଜେପି ବଡ ଝଟକା ଖାଇବା ପରେ ୨୦୧୬ ବିଧାନସଭା ନିର୍ବାଚନରେ ବି ପଶ୍ଚିମବଙ୍ଗ ବିଜେପି ହାତେଇ ପାରିଲା ନାହିଁ। ହେଲେ ଦୁଇ ବର୍ଷ ପରେ ଏକ ଘଟଣାକ୍ରମରେ ବିଜେପି ନୀତିଶ କୁମାରଙ୍କ ସହ ମେଣ୍ଟ କରି ପୁଣି ଥରେ ମେଣ୍ଟ ଶାସନରେ ଭାଗିଦାର ହୋଇଛି।

ପଶ୍ଚିମବଙ୍ଗକୁ ୨୦୧୯ରେ କବଜା କରିବା ପାଇଁ ବିଜେପି ଉଦ୍ୟମ ଚଳାଇଥିବା ବେଳେ ଓଡ଼ିଶାରେ ମଧ୍ୟ ରଣନୀତି ପ୍ରସ୍ତୁତ ଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ ଦୋଷ ଦୁର୍ବଳତାକୁ ବିଜେପି ଅସ୍ତ୍ର କରି ରାଜରାସ୍ତାକୁ ଓହ୍ଲାଉଛି। ହେଲେ ଏହା ବିଜେପି ପାଇଁ ଫଳପ୍ରଦ ହୋଇ ନଥିଲା। ଏବେ ବିଜେଡି ପାଣ୍ଠିକୁ ବିଜେପି ମୁଖ୍ୟ ଅସ୍ତ୍ର କରିଛି। ବିଜେଡିକୁ ଅଡୁଆରେ ପକାଇବା ପାଇଁ ବିଜେପି ନେତାମାନେ ଲାଗି ପଡିଛନ୍ତି। ତେବେ ଏହି ପାଣ୍ଠି ପ୍ରସଙ୍ଗକୁ ଟାର୍ଗେଟ କରି ବିଜେପି ଆଗାମୀ ଦିନରେ କି ପ୍ରକାରର ଗେମ୍‍ ଖେଳୁଛି ଏବଂ ବିଜେଡିର ରଣନୀତି କ’ଣ ରହୁଛି, ତା’ ଉପରେ ସମସ୍ତଙ୍କ ନଜର ରହିଛି।

(ପ୍ରସ୍ତୁତି: ସରୋଜ)

Comment