ଓଡ଼ିଶାଲାଇଭ୍ ବ୍ୟୁରୋ
ବିଦେଶକୁ ଯାଉଥିବା ବିମାନଯାତ୍ରୀଙ୍କ ପାଇଁ ଖୁସି ଖବର। ଖୁବ୍ ଶୀଘ୍ର ଭୁବନେଶ୍ୱରରୁ ସ୍ପାଇସ୍ ଜେଟ୍ ସିଧାସଳଖ ସାରାଜାହକୁ ଉଡାଣ ଆରମ୍ଭ କରିବାକୁ ଯାଉଛି। ଏହାସହ ଭୁବନେଶ୍ୱରରୁ ନୂଆଦିଲ୍ଲୀକୁ ମଧ୍ୟ ଏହି ବିମାନ ଉଡ଼ାଣ ଆରମ୍ଭ କରିବ।
ଏବେ ସପ୍ତାହକୁ ୫ ଥର ଭୁବନେଶ୍ୱରରୁ ସିଧାସଳଖ ମାଲେସିଆର କୁଆଲାଲୁମ୍ପୁରକୁ ବିମାନ ଚଳାଚଳ କରୁଛି। ପୂର୍ବରୁ ଦକ୍ଷିଣ ଏସିଆର କୁଆଲାଲୁମ୍ପୁରକୁ ବିମାନସେବା ଆରମ୍ଭ ହୋଇଥିବା ବେଳେ ଏବେ ମଧ୍ୟପ୍ରାଚ୍ୟ ଦେଶ ସହ ସେବା ଆରମ୍ଭ ହେବାକୁ ଯାଉଛି। ଏହାଦ୍ୱାରା ଓଡ଼ିଶାରୁ ମଧ୍ୟପ୍ରାଚ୍ୟ ତଥା ୟୁରୋପ ଓ ଆମେରିକାକୁ ଯାତ୍ରା ସୁବିଧାଜନକ ହୋଇପାରିବ।
ଏହା ପର୍ଯ୍ୟଟକ ଏବଂ ସାଧାରଣ ଯାତ୍ରୀଙ୍କ ପାଇଁ ଉପଯୋଗୀ ହେବ ବୋଲି ସମସ୍ତେ ଆଶା କରିଛନ୍ତି। ଓଡ଼ିଶାରୁ ଅନେକ ଯାତ୍ରୀ ମୁମ୍ବାଇ ଓ ନୂଆଦିଲ୍ଲୀ ବିମାନବନ୍ଦରରୁ ଦୁବାଇ, କତାର, ସାରଜାହ ପ୍ରଭୃତି ଅଞ୍ଚଳକୁ ଯାତ୍ରା କରୁଛନ୍ତି। କଷ୍ଟମ ଓ ଇମିଗ୍ରେସନକୁ ନେଇ ସେମାନଙ୍କୁ ଦୀର୍ଘ ସମୟ ଅଟକି ରହିବାକୁ ପଡୁଛି। ତେଣୁ ସ୍ପାଇସ୍ ଜେଟର ଏହି ସିଧାଳସଖ ବିମାନସେବାକୁ ଉଭୟ ଯାତ୍ରୀ ଓ ଟ୍ରାଭେଲ ଏଜେଣ୍ଟମାନେ ଅପେକ୍ଷା କରିଛନ୍ତି।
ଏପଟେ ଏୟାର ଏସିଆ ମଧ୍ୟ ଭୁବନେଶ୍ୱରରୁ ଘରୋଇ ବିମାନ ଉଡ଼ାଣ ଆରମ୍ଭ କରିଛି। ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଏୟାର ଏସିଆର ବିମାନ ବେଙ୍ଗାଲୁର ଓ କୋଲକାତା ସହ ଭୁବନେଶ୍ୱର ବିମାନ ଯାତ୍ରୀଙ୍କୁ ଯୋଡ଼ିବ।
ବର୍ତ୍ତମାନ ଭୁବନେଶ୍ୱରରୁ ପ୍ରତିଦିନ ୨୮ଟି ବିମାନ ୧୦ଟି ବିଭିନ୍ନ ସହରକୁ ଯାତ୍ରା କରୁଛି। ଏୟାର ଇଣ୍ଡିଆ, ଇଣ୍ଡିଗୋ, ଗୋ ଏୟାର, ଭିସ୍ତାରା, ଏୟାର ଏସିଆ ପ୍ରଭୃତି ବିମାନ ସେବା ପ୍ରଦାନକାରୀ କମ୍ପାନୀ ବିମାନସେବା ପ୍ରଦାନ କରୁଛନ୍ତି।
ପୂର୍ବରୁ ଏୟାର ଏସିଆ କୁଆଲାଲୁମ୍ପୁର ଏବଂ ମାଲେସିଆ ମଧ୍ୟରେ ବିମାନସେବା ଆରମ୍ଭ କରିଥିଲା। ଏହା ପୂର୍ବରୁ ଏୟାର ଏସିଆ କମ୍ପାନୀ ବେଙ୍ଗାଲୁରୁ ବିଶାଖାପାଟଣା, କୋଲକାତା, କୋଚି, ହାଇଦ୍ରାବାଦ, ଚେନ୍ନାଇ, ତିରୁଚିରାପାଲ୍ଲୀ ଓ ନୂଆଦିଲ୍ଲୀରୁ ସିଧାସଳଖ କ୍ୱାଲାଲୁମ୍ପରକୁ ବିମାନସେବା ଯୋଗାଇ ଦେଇଥିଲା।
(ପ୍ରସ୍ତୁତି: ସରୋଜ)