ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ନୂଆ ରୂପରେ ଚମକୁଛି ବିଜୁବାବୁଙ୍କ ପ୍ରିୟ ‘ଡାକୋଟା’ ବିମାନ। ଲାଗୁଛି ସତେ ଯେମିତି ଶତ୍ରୁପକ୍ଷଙ୍କୁ ଏବେ ଏବେ ହରାଇ ଆକାଶ ମାର୍ଗରୁ ଓହ୍ଲାଇଛି ଏହି ବିମାନ। ‘ଡାକୋଟା’ର ବୀରତ୍ୱର କାହାଣୀ ଶୁଣିବାକୁ ବିମାନ ବନ୍ଦରରେ ଲୋକଙ୍କ ଭିଡ଼ ଜମୁଛି।

କିଏ ବିଜୁବାକୁଙ୍କର ଏହି ସନ୍ତକକୁ ଟିକିଏ ଛୁଇଁ ଦେଉଛି ତ ଆଉ କିଏ ତା’ ସହ ସେଲ୍ଫି ନେଉଛି। ଜନସାଧାରଣଙ୍କ ପାଇଁ ମାର୍ଚ୍ଚ ୫ ତାରିଖରେ ‘ଡାକୋଟା ଡିସି-୩’କୁ ଓଡ଼ିଶାର ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ  ଲୋକର୍ପଣ କରାଯାଇଛି। ଭୁବନେଶ୍ଵର ବିମାନବନ୍ଦରର ଟର୍ମିନାଲ-୧ ସମ୍ମୁଖରେ ଏହି ବିମାନଟିକୁ ଲୋକାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

‘ଡାକୋଟା’ ବିଜୁବାବୁଙ୍କ ସାହସିକତାର ପ୍ରତୀକ ଭାବେ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ। ଏହା ବିଶ୍ଵବାସୀଙ୍କ ସମ୍ମୁଖରେ ଓଡ଼ିଶାର ମର୍ଯ୍ୟାଦାକୁ ଆହୁରି ବଢ଼ାଇବ ବୋଲି ‘ଡାକୋଟା’ର ଲୋକାର୍ପଣ ଅବସରରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

‘ଡାକୋଟା’ ବିମାନ ଦୀର୍ଘ ୫୦ ବର୍ଷରୁ ଅଧିକ ସମୟ ଧରି କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବହେଳିତ ଅବସ୍ଥାରେ ପଡ଼ି ରହିଥିଲା। ରାଜ୍ୟ ସରକାର ବିଜୁ ବାବୁଙ୍କର ଏହି ସନ୍ତକକୁ ଓଡ଼ିଶା ଆଣିବାକୁ ଯୋଜନା କରିଥିଲେ।

ଗତ ଜାନୁଆରି ୧୮ ତାରିଖରେ କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ‘ଡାକୋଟା’କୁ ୩ଟି ଲରିରେ ଭୁବନେଶ୍ଵର ଅଣାଯାଇଥିଲା। ମରାମତି ପରେ ଏବେ ନୂଆ ରୂପରେ ଚମକୁଛି ବିଜୁବାବୁଙ୍କ ‘ଡାକୋଟା’।

Tags: #Dakota #BijuPatnaik #BijuBabu #BijuPatnaikInternationalAirport

Comment