ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶିଶୁଟିଏ କୋଳକୁ ଆସିବା ପରେ ଆନନ୍ଦରେ ଆତ୍ମହରା ହୋଇପଡ଼ନ୍ତି ବାପା ମା’। ଶିଶୁଟିକୁ ଲାଳନ ପାଳନ କରିବାର ଦାୟିତ୍ୱ ମଧ୍ୟ ଛୋଟ କଥା ହୋଇନଥାଏ। ପ୍ରଥମ କଥା ହେଉଛି ଶିଶୁଟି ବଢ଼ିବା ପାଇଁ ଯଥେଷ୍ଟ ଖାଦ୍ୟ ମିଳୁଛି କି ନା ଦେଖିବା।

କେମିତି ଜାଣିବେ ଶିଶୁଟିକୁ ଯଥେଷ୍ଟ ମା’ କ୍ଷୀର ମିଳୁଛି କି ନା?

  • ଶିଶୁ ଜନ୍ମ ହେବା ମାତ୍ରେ ଯେତେ ଶୀଘ୍ର ସମ୍ଭବ ଶିଶୁକୁ ମା’ ସ୍ତନରେ ଲଗାନ୍ତୁ।
  • ଯଦି ଶିଶୁ ଠିକ୍ ଭାବରେ ଚୁଚୁମି ପାରୁ ନାହିଁ, ସ୍ତନାଗ୍ର ଶିଶୁ ପାଟି ଭିତରେ ଭର୍ତ୍ତି କରାଇ ଧୀରେ ଧୀରେ ସ୍ତନକୁ ଚାପି ଶିଶୁକୁ ଚୁଚୁମିବାରେ ସାହାଯ୍ୟ କରନ୍ତୁ।
  • ଲକ୍ଷ୍ୟ କରନ୍ତୁ ଯେ ଶିଶୁ ଅତିକମ୍‌ରେ ୨୪ ଘଣ୍ଟା ମଧ୍ୟରେ ୬ଥର ପରିସ୍ରା କରୁଛି।
  • ଯେତେ ଅଧିକ ସମୟ ସମ୍ଭବ ପ୍ରଥମ କିଛି ଦିନ ଶିଶୁକୁ ମା’ ସ୍ତନରେ ଲଗାଇ ରଖନ୍ତୁ।
  • ପ୍ରଥମ ୬ମାସ ପର୍ଯ୍ୟନ୍ତ କେବଳ ମା’ କ୍ଷୀର ଶିଶୁ ପାଇଁ ଯଥେଷ୍ଟ ହୋଇଥାଏ।

ଯଦି ଶିଶୁ ମା’ ସ୍ତନରେ ଲାଗିବା ସତ୍ତ୍ୱେ କାନ୍ଦେ ବା ଆଦୌ ପରିସ୍ରା କରେ ନାହିଁ ବା ଖୁବ୍ କମ୍ ପରିସ୍ରା କରେ ତେବେ ଯଥେଷ୍ଟ ମା’ କ୍ଷୀର ହେଉନାହିଁ ବୋଲି ସନ୍ଦେହ କରିବେ।

ବେଳେବେଳେ ପ୍ରଥମ ଥର ମା’ ହୋଇଥିବା ପିତାମାତା ଏହା ଜାଣିପାରନ୍ତି ନାହିଁ। ଯଦି ମା’ର କ୍ଷୀର ହେଉନଥାଏ କିନ୍ତୁ ଶିଶୁ ଯଥେଷ୍ଟ ଚୁଚୁମୁ  ଥାଏ ସେମାନେ ଏହି ଭ୍ରମରେ ରହନ୍ତି ଯେ ଶିଶୁ ଖାଉଛି।  କିନ୍ତୁ ଶିଶୁକୁ ଖାଦ୍ୟ ନମିଳିଲେ ସେ ଲଗାତର ଭାବରେ କାନ୍ଦେ। ତେଣୁ ଯଦି ଶିଶୁ ଲଗାତର କାନ୍ଦୁଥାଏ ଡାକ୍ତରଙ୍କ ସହ ପରାମର୍ଶ କରିବେ। ମା’ର ସ୍ତନ ଚିପି କ୍ଷୀର ବାହାରୁଛି କି ନା ପରୀକ୍ଷା କରି ଦେଖିବେ।

ପ୍ରଥମ କେତେଦିନ ଆବଶ୍ୟକ ହେଲେ ଗିନାରେ ମା’ କ୍ଷୀର ବାହାର କରି ଶିଶୁକୁ ଖୁଆଇବେ। ଆଜିକାଲିର ଅଣୁ ପରିବାରରେ କେବଳ ସ୍ୱାମୀ ସ୍ତ୍ରୀ ରହୁଥିବାରୁ ବେଳେ ବେଳେ ଏହା ଜାଣିପାରିନଥା’ନ୍ତି। ଶିଶୁର କାନ୍ଦ ବନ୍ଦ କରିବା ପାଇଁ ବିଭିନ୍ନ ପ୍ରକାର ଔଷଧ ଦେଇଥା’ନ୍ତି। ମୂଳ କାରଣ  ବିଷୟରେ କେହି ଚିନ୍ତା କରନ୍ତି ନାହିଁ। ସୁସ୍ଥ ଭାବରେ ଜନ୍ମ ହୋଇଥିବା ଶିଶୁ ମା’ କ୍ଷୀର ନପାଇ ଖାଦ୍ୟ ଅଭାବରୁ ମୃତ୍ୟୁବରଣ କରିଥାଏ।  ବେଳେବେଳେ ଏହି କାରଣରୁ ଶିଶୁର ହୃଦଘାତ ହୋଇଥାଏ। ତେଣୁ ଶିଶୁକୁ ଯଥେଷ୍ଟ ଖାଦ୍ୟ ମିଳୁଛି ସୁନିଶ୍ଚିତ କରିବା ନିହାତି ଆବଶ୍ୟକ।

ଯଦି ମା’ଙ୍କର ସ୍ତନ କର୍କଟ, ପଲିସିଷ୍ଟିକ୍ ଓଭାରିଆନ୍ ସିଣ୍ଡ୍ରୋମ ପରି କୌଣସି ରୋଗ ରହିଥାଏ ଯାହାକି ମା’ କ୍ଷୀର ହେବାକୁ ପ୍ରଭାବିତ କରିପାରେ, ସେ କ୍ଷେତ୍ରରେ ଡାକ୍ତରଙ୍କ ସହ ପରାମର୍ଶ କରି ଆରମ୍ଭରୁ ଶିଶୁକୁ ବାହାର ଖାଦ୍ୟ ଦେବା ଆରମ୍ଭ କରନ୍ତୁ।

LEAVE A REPLY

Please enter your comment!
Please enter your name here