ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାନଦୀ ଜଳ ବିବାଦରେ ଓଡ଼ିଶାକୁ କିଛି ଭଲ ଫଳ ମିଳିବା ଆରମ୍ଭ ହୋଇଛି। ନବୀନ ପଟ୍ଟନାୟକଙ୍କ ସରକାରଙ୍କ ପାଇଁ ଏହା ଏକ ପ୍ରକାର ଖୁସିର ଖବର। ମହାନଦୀ ଜଳ ବିବାଦର ସମାଧାନ ପାଇଁ ଟ୍ରିବୁନାଲ ଗଠନ ପାଇଁ କେନ୍ଦ୍ର ସରକାର ରାଜି ହୋଇଛନ୍ତି।

କିଛି ଦିନ ପୂର୍ବରୁ ଜାତୀୟ ପରିବେଶ ଟ୍ରିବ୍ୟୁନାଲ ମହାନଦୀ ଉପର ମୁଣ୍ଡରେ ୬ଟି ପ୍ରସ୍ତାବିତ ପ୍ରକଳ୍ପ କାର୍ଯ୍ୟ ବନ୍ଦ କରିବା ପାଇଁ ଛତିଶଗଡକୁ ନିର୍ଦ୍ଦେଶ ଦେଇଥିଲେ। ଧର୍ମର ଜୟ କୁହନ୍ତୁ କି ଅତି ଲେମ୍ବୁ ଚିପୁଡ଼ିଲେ ପିତା କୁହନ୍ତୁ, ମହାନଦୀ ପାଣିକୁ ନେଇ ଛତିଶଗଡ ଯେଉଁ ଦାଦାଗିରି କରୁଥିଲା ତାହା ଏବେ ଥଣ୍ଡା ପଡ଼ିଛି।

ରାଜ୍ୟସଭାରେ ସାଂସଦ ଏ ଭି ସ୍ୱାମୀଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କେନ୍ଦ୍ର ଜଳସମ୍ପଦ ରାଷ୍ଟ୍ର ମନ୍ତ୍ରୀ ସଞ୍ଜୀବ କୁମାର ବାଲିଆଁ କହିଛନ୍ତି ଯେ ଆପୋଷ ଆଲୋଚନା ଜରିଆରେ ସମସ୍ୟାର ସମାଧାନ କରିବାରେ କେନ୍ଦ୍ର ବିଫଳ ହେବା ପରେ ତାଙ୍କ ମନ୍ତ୍ରାଳୟ ପକ୍ଷରୁ ଏକ ଟ୍ରିବୁନାଲ ଗଠନ ପାଇଁ ନିଷ୍ପତ୍ତି ନିଆଯାଇଛି। ଏନେଇ ଏକ ଚିଠା ରିପୋର୍ଟ ପ୍ରସ୍ତୁତ କରିବାକୁ ମଧ୍ୟ କୁହାଯାଇଛି।

ଗତ ବର୍ଷ ନଭେମ୍ବର ୧୪ ତାରିଖରେ ଟ୍ରିବ୍ୟୁନାଲ ଗଠନ ପାଇଁ ଓଡ଼ିଶା ସରକାର କେନ୍ଦ୍ରକୁ ଚିଠି ଲେଖିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସଫା କହିଥିଲେ ଯେ ମହଜୁଦ ପରିସ୍ଥିତିରେ ମିଳାମିଶା ମଇଲମ କାମ ଦେବନି।

ବିଗତ ଦୁଇ ବର୍ଷ ଧରି ମହାନଦୀକୁ ନେଇ ଉଭୟ ଓଡ଼ିଶା ଓ ଛତିଶଗଡ ମଧ୍ୟରେ ଟଣାଓଟରା ଚାଲିଆସିଛି। ମହାନଦୀର ଉପର ମୁଣ୍ଡରେ ଛତିଶଗଡ ପକ୍ଷରୁ ଏକତରଫା ଭାବରେ ବନ୍ଧ ନିର୍ମାଣକୁ ବିରୋଧ କରଆସିଛନ୍ତି ଓଡ଼ିଶା ସରକାର। ନିକଟରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନରେ ମଧ୍ୟ ବିଜେଡି ଏହାକୁ ପ୍ରସଙ୍ଗ କରି ଲୋକଙ୍କ ପାଖରେ ଠିଆ ହୋଇଥିଲା।

ମହାନଦୀ ବିବାଦର ସମାଧାନ ପାଇଁ ତୁରନ୍ତ ଏକ ଟ୍ରିବ୍ୟୁନାଲ ଗଠନ ପାଇଁ ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ମଧ୍ୟ ଆବେଦନ କରିସାରିଛନ୍ତି।

ଖାଲି ସେତିକି ନୁହେଁ, ଜୁନ୍ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବା ବେଳେ ମଧ୍ୟ ଟ୍ରିବ୍ୟୁନାଲ ଗଠନ ପାଇଁ ଦାବି କରିଥିଲେ। ବିଶେଷକରି କଲ୍‌ମା ବ୍ୟାରେଜରେ ଗେଟ୍‌ ନିର୍ମାଣ ପାଇଁ ଛତିଶଗଡ଼ର ପଦକ୍ଷେପ ପରେ ନବୀନ ମୋଦିଙ୍କ ନିକଟରେ ଅଭିଯୋଗ କରିଥିଲେ।

ମହାନଦୀ ପାଣିକୁ ନେଇ ଇତି ମଧ୍ୟରେ ଢେର ରାଜନୀତି ମଧ୍ୟ ହୋଇଛି। ବିଜେଡି-ବିଜେପି ଭିତରେ ରାଜନୀତି ଓ ବିଜେପି-ବିଜେପି ଭିତରେ ରାଜନୀତି ଓ ବୟାନବାଜି।

ମଝିରେ ପ୍ରସ୍ତାବ ଆସିଲା ଯେ ମହାନଦୀ ପ୍ରସଙ୍ଗକୁ ନେଇ ଏକ ଯୁଗ୍ମ ନଦୀ ବୋର୍ଡ ଗଠନ ହେଉ। ଓଡ଼ିଶା ସରକାରଙ୍କ ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା। ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ମଧ୍ୟ ଏହି ରିଭର ବୋର୍ଡର ସୀମିତ ଭୂମିକା ସମ୍ପର୍କରେ ଅବଗତ କରାଇଥିଲେ।

ଓଡ଼ିଶା ମହାନଦୀ ଜଳର ନ୍ୟାୟପୂର୍ଣ୍ଣ ଅଧିକାରରୁ ବଞ୍ଚିତ ହେବା ଉଚିତ ନୁହେଁ ବୋଲି ବିଜୟ ମହାପାତ୍ର ଭିନ୍ନ ମତ ଦେବା ପରେ ରାଜ୍ୟ ବିଜେପି ନେତାମାନଙ୍କୁ ଏଥିପାଇଁ ବ୍ୟାକଫୁଟରେ ରହିବାକୁ ପଡ଼ିଥିଲା।

ଟ୍ରିବ୍ୟୁନାଲ ଗଠନ ସମ୍ପର୍କିତ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ବିଜୟ ମହାପାତ୍ର ଯାହା କହିଛନ୍ତି ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେ କହିଛନ୍ତି,”ଯେହେତୁ ଜଣେ ବିଚାରପତିଙ୍କ ଅଧ୍ୟକ୍ଷତାରେ ଟ୍ରିବ୍ୟୁନାଲ ଗଠିତ ହେବ ଆମେ ଆଶା କରିବା କଥା ଟ୍ରିବ୍ୟୁନାଲରୁ ସଠିକ ରାୟ ଆସିବ ଓ ମହାନଦୀ ପାଣି ବିବାଦର ସମାଧାନ ସକାଶେ ସବୁଦିନ ପାଇଁ ବାଟ ଫିଟିବ।”

LEAVE A REPLY

Please enter your comment!
Please enter your name here