ଭାସ୍କର ପରିଛା

ଉପ-ରାଷ୍ଟ୍ରପତି ନିର୍ବାଚନରେ ଏନଡ଼ିଏ ପ୍ରାର୍ଥୀ ଏମ ଭେଙ୍କାୟା ନାଇଡ଼ୁଙ୍କ ବିଜୟ ଅବଶ୍ୟ ପ୍ରଥମରୁ ହିଁ ଜଣାଥିଲା। କିନ୍ତୁ ଫଳ ପ୍ରକାଶ ପାଇବା ପରେ ଭାରତର ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ଆସିଛି। ଦେଶର ରାଜନୀତି ବର୍ତ୍ତମାନ ଏକଦଳୀୟ ହୋଇଛି ଓ ବିରୋଧୀ ବୋଲି ଆଉ କେହି ରହି ନାହାନ୍ତି।

ବିରୋଧୀ ଦଳର ମିଳିତ ପ୍ରାର୍ଥୀ ଗୋପାଳ କୃଷ୍ଣ ଗାନ୍ଧୀଙ୍କ ବିରାଟ ଭୋଟ ବ୍ୟବଧାନରେ ପରାଜୟ ପରେ ଦେଶର ସର୍ବ-ପୁରାତନ ଦଳ କଂଗ୍ରେସ ହାତରୁ କେନ୍ଦ୍ର ରାଜନୀତି ଓ କ୍ଷମତା ପୂରାପୂରି ଖସିଯାଇଛି। ଦଶ ବର୍ଷ ଧରି କ୍ଷମତାରେ ରହିବା ପରେ ୟୁପିଏ ବର୍ତ୍ତମାନ ତାର ସତ୍ତା ହଜାଇ ଦେବା ପରିସ୍ଥିତିକୁ ଆସିଯାଇଛି।

ଏଥିସହିତ ବିଜେପି ସଫଳତାର ଏକ ନୂତନ କୀର୍ତ୍ତି ପ୍ରତିଷ୍ଠା କରିବା ପାଇଁ ଯାଉଛି। ଏଥିରେ ଆଦୌ କୌଣସି ସନ୍ଦେହ ନାହିଁ ଯେ ଆଗାମୀ ଦିନରେ ଦେଶର କ୍ଷମତା ରାଜନୀତିରେ ଏହି ଦଳ ଆହୁରି ଶକ୍ତିଶାଳୀ ହେବ। ଗୋଟିଏ ସମୟରେ ଭାରତରେ ବହୁ ଦଳୀୟ ରାଜନୀତି ଚାଲୁଥିଲା। ଏବେ ଶାସକ ଦଳ ବ୍ୟତୀତ ଆଉ କୌଣସି ଦଳ ଆଖିରେ ପଡୁନାହାନ୍ତି।

ଦୁର୍ବଳ କଂଗ୍ରେସ

୨୦୧୭ରେ ଦେଶର ସାମ୍ବିଧାନିକ ପଦ ପାଇଁ ହୋଇଥିବା ଲଢ଼େଇ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ରାଷ୍ଟ୍ରପତି ଓ ଉପ-ରାଷ୍ଟ୍ରପତି ପଦରେ ଯେଉଁମାନେ ଅଧିଷ୍ଠିତ  ହୋଇଛନ୍ତି ସେ ଦୁଇ ଜଣ ବିଜେପିର ପସନ୍ଦର ପ୍ରାର୍ଥୀ। ଏହି ଦୁଇଟି ସାମ୍ବିଧାନିକ ପଦକୁ ଢେର ବର୍ଷ ଧରି କଂଗ୍ରେସ କବଜା କରି ରଖିଥିଲା। ଅନ୍ୟ ଅର୍ଥରେ, ଦେଶର ସର୍ବୋଚ୍ଚ ତିନିଟି ପଦବୀରେ ଆଜିର ଦିନରେ କଂଗ୍ରେସର କୌଣସି ନେତା ନାହାଁନ୍ତି। ଭେଙ୍କାୟା ନାଇଡୁ ଉପ-ରାଷ୍ଟ୍ରପତି ନିର୍ବାଚିତ ହେବା ପରେ କଂଗ୍ରେସର ଯେଉଁ ଶେଷ ଦୁର୍ଗଟି ବଞ୍ଚିଥିଲା, ସେଇଟି ମଧ୍ୟ ଭୂମିରେ ମିଶିଯାଇଛି।

ଏ ପର୍ଯ୍ୟନ୍ତ ବିରୋଧୀ ଦଳ ରାଜ୍ୟସଭାରେ ବିଜେପି ସରକାରକୁ କଡ଼ା ମୁକାବିଲା ଦେଇ ଆସୁଥିଲେ। ଏବେ ତାହା ଆଉ ହେବ ନାହିଁ।କିଛି ଗୁରୁତ୍ୱ ବିଲ୍‍ ଗୃହୀତ କରାଇବାକୁ ହେଲେ ମୋଦି ସରକାରଙ୍କୁ ଆଗରୁ ନାକେଦମ ହେବାକୁ ପଡ଼ୁଥିଲା। ଏବେ ସେ ସବୁ ଅନାୟାସରେ ହୋଇ ପାରିବ ଯଦିଓ ସଂଖ୍ୟା ଦୃଷ୍ଟିରୁ ବିଜେପି ପାଇଁ ତଥାପି କିଛି ସାଂସଦଙ୍କ ସମର୍ଥନ ଦରକାର ପଡିବ।

ବିଜେପି ନେତାମାନଙ୍କ କହିବା ଅନୁଯାୟୀ ଯଦିଓ ରାଜ୍ୟସଭାରେ ଏନଡିଏର ସଂଖ୍ୟା ଗରିଷ୍ଠତା ନାହିଁ, ତଥାପି ନାଇଡୁ ଅଧ୍ୟକ୍ଷ ଭାବେ କାର୍ଯ୍ୟ ଆରମ୍ଭ କରିବା ପରେ ଗୃହର ସ୍ଥିତିକୁ ଅନେକ ପରିମାଣରେ ନିୟନ୍ତ୍ରିତ କରାଯାଇପାରିବ। ଏହାର କାରଣ ନାଇଡୁ ଜଣେ ବରିଷ୍ଠ ସଂସଦୀୟ ନେତା ଓ ଗୃହର କାର୍ଯ୍ୟ କିଭଳି ସୁରୁଖୁରୁରେ ହୋଇ ପାରିବ ସେହି କଳାଟି ତାଙ୍କର ଅଛି।

ଗୃହ କାର୍ଯ୍ୟ ସମ୍ପାଦନରେ ନାଇଡୁ ବିପକ୍ଷର ସହଯୋଗ ତ ପାଇବେ। ତା’ଛଡ଼ା ବେଳେବେଳେ ଗୃହରୁ ଗାଏବ ହୋଇଯାଉଥିବା ବିଜେପି ସଦସ୍ୟଙ୍କୁ ମଧ୍ୟ ସେ କାବୁରେ ରଖି ପାରିବେ। ଗୃହ ଚଳାଇବା ବ୍ୟତୀତ, ନାଇଡୁଙ୍କୁ ଉପ-ରାଷ୍ଟ୍ରପତି କରିବା ଫଳରେ ବିଜେପି ଦକ୍ଷିଣ ଭାରତରେ ତା’ର କାୟା ବିସ୍ତାର କରିପାରିବ ବୋଲି ଆକଳନ କରାଯାଉଛି।

ରଣନୀତି ବଦଳିବ

ପରିବର୍ତ୍ତିତ ପରିସ୍ଥିତିରେ କଂଗ୍ରେସ ଦଳକୁ ଏବେ ତାହାର  ରଣନୀତି ବଦଳାଇବାକୁ ପଡ଼ିବ। ଆଗରୁ ରାଜ୍ୟସଭାରେ ବିରୋଧୀ ଓ ଶାସକ ଦଳ ସଦସ୍ୟଙ୍କ ମାଧ୍ୟରେ ଯେଉଁ ଭଳି ମୂଷା-ବିଲେଇ ଖେଳ ଚାଲୁଥିଲା, ଏବେ ତାହା ଆଉ ହେବ ନାହିଁ। ନାଇଡୁ ରାଜ୍ୟସଭା ଅଧ୍ୟକ୍ଷ ହେବା ପରେ କଂଗ୍ରେସ ଏହା ଅନୁଭବ କରିବା ଆରମ୍ଭ କରିସାରିଛି ଯେ ଏଣିକି ଗୃହରେ ହଟ୍ଟଗୋଳ ସୃଷ୍ଟି କରିବା ପାଇଁ ଆଉ ସୁଯୋଗ ମିଳିବ ନାହିଁ। ଏଣୁ କଂଗ୍ରେସକୁ ତା’ର କୌଶଳ ବଦଳାଇବା ଛଡ଼ା ଅନ୍ୟ ଉପାୟ ନାହିଁ।

ଭାଙ୍ଗିବ ବିରୋଧୀ ମେଣ୍ଟ

ନାଇଡୁ ଉପ-ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ଆଉ ଗୋଟିଏ କଥା ହୋଇଛି। ପ୍ରଥମ ଥର ପାଇଁ ଦେଶର ସର୍ବୋଚ୍ଚ ଏବଂ ଶକ୍ତିଶାଳୀ ୪ଟି ପଦବୀରେ ଆରଏସଏସ ସମର୍ଥିତ ଓ ଏହି ଅନୁଷ୍ଠାନ ସହିତ ମୂଳରୁ ଜଡ଼ିତ ଥିବା ନେତା ଅବସ୍ଥାପିତ ହୋଇପାରିଛନ୍ତି।
ଖାଲି ସେତିକି ନୁହେଁ, ଭାରତର ରାଜନୈତିକ ଇତିହାସରେ ପ୍ରଥମ ଥର ପାଇଁ ରାଷ୍ଟ୍ରପତି, ଉପ-ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଲୋକସଭା ଅଧ୍ୟକ୍ଷ ଗୋଟିଏ ଦଳର। ବିଶେଷଜ୍ଞଙ୍କ ମତରେ, ଉଭୟ ଗୃହର ଅଧ୍ୟକ୍ଷ ନିଜ ଦଳର ହୋଇ ଥିବାରୁ ବିଜେପି ଓ ସହଯୋଗୀ ଦଳର ସଦସ୍ୟମାନଙ୍କ ସାହସ ବି ବଢ଼ିବ। ଏହାର ପ୍ରଭାବ ଆଗମି ବିଧାନସଭା ନିର୍ବାଚନରେ ତ ନିଶ୍ଚିତ ଭାବରେ ପଡ଼ିବ। ତା’ଛଡ଼ା ୨୦୧୯ର ମହାଯୁଦ୍ଧ ବେଳେ ମଧ୍ୟ ଏହି ପ୍ରଭାବ ଦେଖିବାକୁ ମିଳିଵ।

ଅନ୍ୟ ଏକ ରୋଚକ କଥା ହେଉଛି ଅତୀତରେ ଏନଡିଏ ମେଣ୍ଟ ସରକାରରେ କିଛି ଗୁରୁତ୍ୱପୂର୍ଣ୍ଣ ପଦବୀ ସହଯୋଗୀ ଦଳଙ୍କ ପାଇଁ ରଖାଯାଉଥିଲା। କିନ୍ତୁ ଏଥର ମୋଦି ଓ ସାହା ଯୋଡ଼ି ଜାଣିଜାଣି ସବୁ ମହତ୍ତ୍ୱପୂର୍ଣ ପଦ ବିଜେପିର ନେତାଙ୍କୁ ହସ୍ତାନ୍ତର କରିଛନ୍ତି। ଏହାଫଳରେ ବିଜେପିର ନେତାମାନେ ଏବେ ଅଧିକ ଉତ୍ସାହିତ ହେବେ ତଥା ସେମାନଙ୍କ ମନୋବଳ ବଢିବ। ଏହାବ୍ୟତୀତ ବିରୋଧୀ ଦଳ ଏବେ ଧୂଳି ଚାଟିବାକୁ ବାଧ୍ୟ ହେବେ।

ମିଶନ ୨୦୧୯

ଉପ-ରାଷ୍ଟ୍ରପତି ନିର୍ବାଚନ ପରେ ଆଗକୁ ଆସୁଥିବା ବିଧାନସଭା ନିର୍ବାଚନରେ ବେଶ୍ କିଛି ମଜା କଥା ଦେଖିବାକୁ ମିଳିବ। ବିଜେପି ପାଇଁ ଏଥିରେ ଆଉ ଏକ ଫାଇଦା ମଧ୍ୟ ହେବ। ଯେଉଁଭଳି ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ ନିର୍ବାଚନ ଫଳାଫଳ ଦିଲ୍ଲୀ ମହାନଗର ନିଗମ ନିର୍ବାଚନରେ  ସହାୟକ ହୋଇଥିଲା, ସେହିପରି ଉପ-ରାଷ୍ଟ୍ରପତି ନିର୍ବାଚନ ହିମାଚଳ ପ୍ରଦେଶ, ଗୁଜରାଟ ଓ କର୍ଣ୍ଣାଟକ ବିଧାନସଭା ଲଢେ଼ଇରେ ବିଜେପିକୁ ସାଥ୍ ଦେବ ଏଥିରେ ଆଦୌ ସନ୍ଦେହ ନାହିଁ।

ଯଦି ଏହି ତିନିଟି ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପିକୁ ଆଶା ଅନୁଯାୟୀ ଫଳ ମିଳୁଛି, ସିଧାସଳଖ ଲୋକଙ୍କ ପାଖକୁ ଏହି ସଙ୍କେତ ଯିବ ଯେ ମୋଦି-ସାହା ଦ୍ୱୟଙ୍କ ନେତୃତ୍ୱ ଦଳ ପାଇଁ ନିହାତି ଆବଶ୍ୟକ। ଅନ୍ୟପ୍ରକାରେ କହିଲେ, ୨୦୧୯ ସଧାରଣ ନିର୍ବାଚନର ଫଳାଫଳ ଭୋଟଦାନ ପୂର୍ବରୁ ହିଁ ଆମେ ପାଇସାରିଥିବା ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଏବଂ ଓଡିଶା ଲାଇଭର ପରାମର୍ଶଦାତା ସମ୍ପାଦକ)

2 COMMENTS

Comment