ନୀଳାମ୍ବର ରଥ

ଯୁଦ୍ଧନୀତି ହେଉ କି ରାଜନୀତି ସବୁଠି ଆବଶ୍ୟକ ଶକ୍ତି ଓ ସଂଖ୍ୟା।। ଏହି ଖେଳରେ ଯେଉଁ ପକ୍ଷ ସାମାନ୍ୟ ଦୁର୍ବଳ ହୋ‌ଇଗଲା, ସେ ଗଲା ବୋଲି ଜାଣ। ସଂଯୁକ୍ତ ଜନତା ଦଳ ବା ଜେଡିୟୁର ପୁରୁଖା ନେତା ତଥା ଅନ୍ୟତମ ମଙ୍ଗୁଆଳ ଶରଦ ଯାଦବ ଏବେ ଏହି ସଂଖ୍ୟା ଖେଳରେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କଠାରୁ ପଛରେ ପଡ଼ିଯାଇଛନ୍ତି!

କିଛି ଦିନ ତଳେ ବିହାର ରାଜନୀତିରେ ଯେଉଁ ହାଇଭୋଲଟେଜ ଡ୍ରାମା ନୀତୀଶ କୁମାର କରାଇଲେ, ତାହା ଭାରତୀୟ ରାଜନୀତିରେ ଆଗରୁ ବିରଳ ଥିଲା। ୨୪ ଘଣ୍ଟା ମଧ୍ୟରେ ନୀତୀଶ ତାଙ୍କ ସରକାରର ମୁଖ୍ୟ ସହଯୋଗୀ ଆରଜେଡିର ହାତ ଛାଡ଼ି ବିଜେପି ବେକରେ ବରଣମାଳା ଦେଲେ। ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ତ ୨୪ ଘଣ୍ଟା ମଧ୍ୟରେ ପୁଣି ହେଲେ ମୁଖ୍ୟମନ୍ତ୍ରୀ। କେବଳ ଯାହା ବଦଳିଗଲା ମେଣ୍ଟ ଓ ଗଣିତ।

ଏହି ଘଟଣାରେ ବିହାର ରାଜନୀତିରେ ହଟଚମଟ ସୀମିତ ହୋ‌ଇ ରହିଲା ନାହିଁ। ମାତ୍ର କିଛି ଦିନ ମଧ୍ୟରେ ନୀତୀଶ କୁମାର ଏବଂ ଜେଡିୟୁର ପୁରୁଣା ମଙ୍ଗୁଆଳ ଶରଦ ଯାଦବଙ୍କ ମଧ୍ୟରେ ଦୂରତା ବଢିଲା। ଦିନେ ନୀତୀଶଙ୍କ ସମତା ପାର୍ଟି ଶରଦଙ୍କ ଜେଡିୟୁରେ ବିଲୀନ ହୋ‍ଇଥିଲା। ହେଲେ ସବୁ ଖେଳ ଆଜିର ଦିନକୁ ନେଇ। ନୀତୀଶ ବର୍ତ୍ତମାନ ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଛନ୍ତି। ଏହାର ସୁଯୋଗ ନେଇ ସେ ଶରଦଙ୍କୁ ସଫା କରିବା ପାଇଁ କାମ ଆରମ୍ଭ କରିଦେଇଛନ୍ତି। ନିକଟରେ ରାଜ୍ୟସଭାରେ ଜେଡିୟୁର ଦଳୀୟ ନେତା ପଦରୁ ଶରଦଙ୍କୁ ହଟାଇ ନୀତୀଶ ତାଙ୍କର ଜଣେ ଅନୁଗତଙ୍କୁ ସେହି ପଦବୀରେ ବସାଇବା ପରେ କ୍ଷୀର କ୍ଷୀର ଓ ପାଣି ପାଣି ଜଣାପଡ଼ିଯାଇଛି।

ଏବେ ଜେଡିୟୁର ଅସଲ ନେତା ଶରଦ ଯାଦବ କି ନୀତୀଶ କୁମାର ତାକୁ ନେଇ ଦଳ ଭିତରେ ଚାଲିଛି ଘମାଘୋଟ ଲଢେଇ। ରାଜନୀତିରେ ଗୋଛି କଟାକଟି ବା ଚୌକି ଘୋଷରା କିଛି ନୂଆ କଥା ନୁହେଁ। କିନ୍ତୁ ଭାରତୀୟ ରାଜନୀତିର ଦୁଇ ପ୍ରମୁଖ ନେତା ତଥା ନିଜକୁ ଆଦର୍ଶ ରାଜନୀତିର ଅଂଶୀଦାର ବୋଲି କହି ଆସୁଥିବା ନୀତୀଶ ଓ ଶରଦଙ୍କ ଭିତରେ ଏ ଯେଉଁ ନୂଆ ଗେମ୍‍ ଆରମ୍ଭ ହୋ‍ଇଛି, ତାହା ସବୁ ପୁରୁଣା କାହାଣୀକୁ ପଛରେ ପକାଇଦେଇଛି। 

କ୍ଷମତା ରାଜନୀତି ପାଇଁ ଶତ୍ରୁ ମିତ୍ର ଏବଂ ମିତ୍ର କେତେବେଳେ ଶତ୍ରୁ ପାଲଟେ, ତାହା ସାଧାରଣ ଲୋକ ବୁଝିବା ପୂର୍ବରୁ ଖେଳ ସରିଯାଇଥାଏ।

ଆଜି ନୀତୀଶଙ୍କ ଗୋଷ୍ଠୀ ଦାବି କରୁଛନ୍ତି ଯେ ବିହାର ହେଉଛି ଜେଡିୟୁର ସବୁଠାରୁ ବଡ଼ ପ୍ରୟୋଗଶାଳା। ତେଣୁ ନୀତୀଶ କୁମାର ହିଁ ଦଳର ସର୍ବେସର୍ବା। ସେପଟେ ଶରଦ ଯାଦବଙ୍କ ସମର୍ଥକମାନେ ଏହାର ପାଲଟା ଜବାବ ଦେବା ପାଇଁ ପ୍ରସ୍ତୁତ ଅଛନ୍ତି। ସେମାନେ କହିବା କଥା ଯେ ଶରଦଙ୍କ ସହ ୧୪ଟି ପ୍ରାଦେଶିକ ସଭାପତିଙ୍କ ପୂର୍ଣ୍ଣ ସମର୍ଥନ ରହିଛି। ତେଣୁ ବିଜେପି ସହ ମିଶି ନୀତୀଶ କୁମାର ବିହାରରେ ଯେଉଁ ରାଜନୈତିକ ଖେଳ ଖେଳିବାକୁ ଚେଷ୍ଟା କରୁଛନ୍ତି, ତାହା ଗ୍ରହଣୀୟ ନୁହେଁ। ଜେଡିୟୁର ଅନ୍ୟତମ ପ୍ରାଣକେନ୍ଦ୍ର ତଥା ଜନତା ପରିବାରର ପୁରୁଖା ନେତା ଶରଦଙ୍କୁ ରାଜ୍ୟସଭାର ସଂସଦୀୟ ଦଳର ନେତା ପଦରୁ ବହିଷ୍କାର କରି ନୀତୀଶ ମସ୍ତବଡ଼ ଭୁଲ୍‍ କରିଛନ୍ତି।

ରାଜନୀତିରେ ମୂଳ ଶକ୍ତି ହେଉଛି ସଂଖ୍ୟା। ଆଦର୍ଶ ବୋଲି ଆଉ କିଛି ନାହିଁ। ଯେଉଁ ସଂଖ୍ୟା ପାଇଁ ନୀତୀଶ ବିହାରର ମହାମେଣ୍ଟରୁ ଓହରି ବିଜେପିର ହାତ ଧରିଲେ, ସେହି ସଂଖ୍ୟା ଆଗାମୀ ଦିନରେ ତାଙ୍କ ପାଇଁ କେତେ ଭଲ କି ଭେଲ ହେବ, ତାହା ପରବର୍ତ୍ତୀ ଭୋଟ ବେଳେ ହୁଏତ ଜଣାପଡ଼ିବ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଓ ଓଡ଼ିଶାଲାଇଭ୍‌ ୱେବ୍‍ ଚ୍ୟାନେଲ୍‍ର ପ୍ରତିଷ୍ଠାତା ସମ୍ପାଦକ)

Tags: Bihar Politics, BJP, Indian Politics, JDU, Narendra Modi, Nitish Kumar, Politics, Sharad Yadav, Nilambar Rath, Coalition Politics

Comment