ଡାକ୍ତର ସମ୍ରାଟ କର

ସାଇବର କ୍ଷେତ୍ରରେ ପୃଥିବୀର ଅନ୍ୟତମ ବିକଶିତ ରାଷ୍ଟ୍ର ଋଷରୁ ଆରମ୍ଭ ହୋଇଥିବା ବ୍ଲୁହ୍ୱେଲ ଗେମ୍ ଭାରତରେ କମ୍ପ୍ୟୁଟର ଓ ଇଣ୍ଟରନେଟରେ ଆସକ୍ତ ପିଲାମାନଙ୍କ ପାଇଁ ବିପଜ୍ଜନକ ଭାବେ ସଂକ୍ରମିତ ହେଉଛି। ଏହି ଅନ୍‌ଲାଇନ ଖେଳ ଦଶରୁ ଚଉଦ ବର୍ଷ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଓ ତାହା ପଚାଶ ଦିନରେ ଆତ୍ମହତ୍ୟାରେ ଶେଷ ହୋଇଥାଏ।

ଡିଜିଟାଲ ଯୁଗରେ ପିଲାମାନେ ଏକ ପ୍ରକାର କମ୍ପ୍ୟୁଟର, ଇଣ୍ଟରନେଟ, ମୋବାଇଲ, ସାଇବର ବ୍ୟବହାରରେ ଏତେ ପ୍ରକାର ଆସକ୍ତ ହୋଇଗଲେଣି ଯେ ସେମାନଙ୍କୁ ସଠିକ୍ ରାସ୍ତା ଦେଖାଇବା ପିତାମାତା, ଅଭିଭାବକ ପାଇଁ କାଠିକର ପାଠ ହୋଇଗଲାଣି। ନିକଟରେ ମୁମ୍ବାଇରେ ଜଣେ ଚଉଦ ବର୍ଷ ବୟସର ବାଳକ ‘ବ୍ଲୁହ୍ୱେଲ୍’ ବା ‘ନୀଳତିମି ଅନ୍‌ଲାଇନ’ ଆତ୍ମହତ୍ୟା କୁହାଯାଉଥିବା ଖେଳର ଶିକାର ହୋଇଛି। ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରେ ଏହି ଖେଳ ନିଶାରେ ଆତ୍ମହତ୍ୟା ଉଦ୍ୟମ କରୁଥିବା ପିଲାମାନଙ୍କୁ ଉଦ୍ଧାର କରାଯାଇ ନିଶ୍ଚିତ ମୃତ୍ୟୁମୁଖରୁ ସେମାନଙ୍କୁ କଢ଼ାଯାଇପାରିଛି।

ସାଇବର କ୍ଷେତ୍ରରେ ପୃଥିବୀର ଅନ୍ୟତମ ବିକଶିତ ରାଷ୍ଟ୍ର ଋଷରୁ ଆରମ୍ଭ ହୋଇଥିବା ବ୍ଲୁହ୍ୱେଲ ଗେମ୍ ଭାରତରେ କମ୍ପ୍ୟୁଟର ଓ ଇଣ୍ଟରନେଟରେ ଆସକ୍ତ ପିଲାମାନଙ୍କ ପାଇଁ ବିପଜ୍ଜନକ ଭାବେ ସଂକ୍ରମିତ ହେଉଛି। ଏହି ଅନ୍‌ଲାଇନ ଖେଳ ଦଶରୁ ଚଉଦ ବର୍ଷ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଓ ତାହା ପଚାଶ ଦିନରେ ଆତ୍ମହତ୍ୟାରେ ଶେଷ ହୋଇଥାଏ। ୨୦୧୩ରେ ଋଷରେ ଇଣ୍ଟରନେଟ ମାଧ୍ୟମରେ ଏହି ଖେଳ ଆରମ୍ଭ ହୋଇଥିଲା। ଫିଲିପ ବୁଦେକିନ୍ ନାମକ ଜଣେ ବିଶ୍ୱବିଦ୍ୟାଳୟ ମନସ୍ତତ୍ତ୍ୱ ଛାତ୍ର ଏହି ଅନ୍‌ଲାଇନ୍ ଖେଳର ଉଦ୍ଭାବକ। ସେ ଏକ ବିଚିତ୍ର ଯୁକ୍ତି ଦର୍ଶାଇଥିଲେ ଯେ ସମାଜରେ ଯେଉଁମାନଙ୍କର କୌଣସି ମୂଲ୍ୟନାହିଁ ସେମାନଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଏହି ଖେଳର ଉଦ୍ଦେଶ୍ୟ ଓ ଲକ୍ଷ୍ୟ।

ପରବର୍ତ୍ତୀ ସମୟରେ ଏହା ବିଶେଷ ଭାବେ ଜଣାପଡ଼ିଲା ଯେ ଋଷରେ ଟିନ୍ଏଜର ପିଲାମାନଙ୍କ ଭିତରେ ଏହି ଖେଳ ବ୍ୟାପକ ଭାବରେ ପ୍ରସାରିତ ହେଉଛି। ଏହାପରେ ସେହି ଉଦ୍ଭାବକ ଜଣଙ୍କୁ ସ୍ଥାନୀୟ ପୋଲିସ ଗିରଫ କଲା ଓ ଋଷ ଜାତୀୟ ଆତ୍ମହତ୍ୟା ନିବାରଣ ଆଇନ ପ୍ରଣୀତ କଲା କିନ୍ତୁ ଏହା ଭିତରେ ସମଗ୍ର ପୃଥିବୀରେ ପିଲାମାନଙ୍କ ଜୀବନ ନେଉଥିବା ଏହି ବିପଜ୍ଜନକ ଅନ୍‌ଲାଇନ ଖେଳ ଚର୍ତୁଦିଗରେ ପ୍ରସାରିତ ହୋଇଗଲାଣି।

ଏହି ଖେଳର ନିୟମ ବି ଗୋଟିଏ ଅଜବ। ପ୍ରତ୍ୟେହ ଏହାର ପରିଚାଳକମାନେ ଅଂଶଗ୍ରହଣକାରୀଙ୍କୁ କିଛି ନା କିଛି ଦାୟିତ୍ୱ ଦେଇଥା’ନ୍ତି।  ପିଲାମାନଙ୍କୁ ନିଜକୁ ଆଘାତ କରି ରକ୍ତାକ୍ତ କରିବା, ଭୟାନକ ଓ ବିପଜ୍ଜନକ ଚଳଚ୍ଚିତ୍ର ଦେଖିବା, ଭୂତପ୍ରେତଙ୍କ ଚିତ୍ର ଆଙ୍କିବା ଆଦି ଅନ୍ତର୍ଭୁକ୍ତ। ପରିଶେଷରେ ଅଂଶଗ୍ରହଣକାରୀଙ୍କ ଏକ ପ୍ରକାର ଆଖିବୁଜା ଆଜ୍ଞାବହ ସାଜିଥିବା ପିଲାମାନେ ଏହି ଅବଧିର ପଚାଶ ଦିନ ପୂରଣ ହେବା ପରେ ତାକୁ ଆତ୍ମହତ୍ୟା କରିବା ପାଇଁ ପ୍ରରୋଚିତ କରାଯାଏ। ପିଲାଟି ଏକ ପ୍ରକାର ବଶୀଭୂତ ହୋଇଯାଇ ନିଜ ମୂଲ୍ୟବାନ ଜୀବନକୁ ଜଳାଞ୍ଜଳି ଦେବା ପାଇଁ ପଛଘୁଞ୍ଚା ଦେଇନଥାଏ ।

ଏହି ବିପଜ୍ଜନକ ଖେଳ ଏ ଯାଏଁ ପୃଥିବୀର ଶହ ଶହ ପିଲାଙ୍କ ଜୀବନ ନେଲାଣି। ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଭାରତରେ ଅନେକ ପିଲା ନିଜ କମ୍ପ୍ୟୁଟର, ଲାପ୍‌ଟପ୍ ବା ମୋବାଇଲରେ ଏହି ଖେଳକୁ ଡାଉନ୍‌ଲୋଡ କରି ଲୁଚାଛପା ଭାବରେ ଦେଖୁଛନ୍ତି। ତେବେ ସେମାନେ ଏହି ଖେଳରେ ଅଂଶଗ୍ରହଣ କରିଛନ୍ତି କି ନାହିଁ ତାହା ଅନୁସନ୍ଧାନ ସାପେକ୍ଷ। ପୋଲିସ ଗୋଇନ୍ଦା ବିଭାଗ, ଇଣ୍ଟରପୋଲ ଓ ଫରେନସିକ୍ ବିଶେଷଜ୍ଞମାନେ ଏହାର ମୂଳ ଉଦ୍ଭାବକକୁ ଧରିବାକୁ ଯାଇ ଏହାର ସକ୍ରିୟ କମାଣ୍ଡରମାନଙ୍କୁ ଅନୁସନ୍ଧାନ କରୁଛନ୍ତି।

ଏପରି ଏକ ଭୟାନକ ଓ ଜୀବନ ନେଉଥିବା ଖେଳ କେତେ ଯେ ଦୁଃଖଦ ତାହା ଅବର୍ଣ୍ଣନୀୟ। ସାଧାରଣତଃ ଦଶରୁ ବାର ବର୍ଷ ବୟସର କିଶୋର ଅବସ୍ଥାରେ ଥିବା ପିଲାମାନଙ୍କ ଭିତରେ ସବୁବେଳେ ଏକ ପ୍ରକାର ଉକ୍ରଣ୍ଠା ଓ ଜିଜ୍ଞାସା ରହିଥାଏ। ତେବେ ଏହି ବୟସରେ ସେମାନେ ଯଦି ଭୟାନକ ଆତ୍ମହତ୍ୟାର ଖେଳକୁ ଆପଣାନ୍ତି ତାହାଲେ ଏହାଠାରୁ ଦୁଃଖଦ ଓ ବିପଦଜ୍ଜନକ ଆଉ କିଛି ନାହିଁ। ଏହି ନିଶା ଧୀରେ ଧୀରେ ବହୁଳ ପରିମାଣରେ ପିଲାମାନଙ୍କୁ ଆକ୍ରାନ୍ତ କରିବାର ଆଶଙ୍କା ମଧ୍ୟ ରହିଛି।

ଭାରତ ପରି ଏକ ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ବିକାଶଶୀଳ ରାଷ୍ଟ୍ରର କିଶୋର କିଶୋରୀମାନେ ଅଭିଭାବକମାନଙ୍କ ଅଜାଣତରେ ଏପରି ପାଠପଢ଼ା ସମୟରେ ଲୁଚାଇ ବିଭିନ୍ନ ପ୍ରକାର ଅନ୍‌ଲାଇନ ଗେମରେ ସମୟ ବିତାଉଛନ୍ତି, ଯାହାଦ୍ୱାରା ପ୍ରଥମତଃ ସେମାନଙ୍କ ପାଠପଢ଼ା ବ୍ୟାଘାତ ହେଉଛି, ଅମନଯୋଗୀ ହୋଇ ନିଜ ଖାଇବା ଓ ବିଶ୍ରାମରେ ସଠିକତା ରଖୁନାହାନ୍ତି, ପିତାମାତାଙ୍କ କଥାକୁ ଅବଜ୍ଞା କରୁଛନ୍ତି ଏବଂ କେତେକ କ୍ଷେତ୍ରରେ ସେମାନେ ଅନେକ ଅପରାଧପ୍ରବଣ କାର୍ଯ୍ୟରେ ନିଜକୁ ସାମିଲ କରୁଛନ୍ତି।

ଗଅଭିଭାବକ ଓ ଶିକ୍ଷକମାନେ ପିଲାମାନଙ୍କୁ ଏହି ତଥାକଥିତ ନୀଳତିମି ଆତ୍ମହତ୍ୟା ଖେଳ ଠାରୁ ଦୂରେଇ ରଖନ୍ତୁ। ନିୟମିତ ବ୍ୟବଧାନରେ ପିଲାଟିର ଆଚରଣ ପ୍ରତି ସତର୍କ ଦୃଷ୍ଟି ରଖନ୍ତୁ। ପିଲାଟି ଯଦି ଦେହରେ ଆଘାତ କରୁଥାଏ ବା ଚିତା କୁଟାଉଥାଏ ବା ଅନ୍ୟମନସ୍କ ରହୁଥାଏ ଏହାକୁ ଅଭିଭାବକମାନେ ହାଲ୍‌କା ଭାବେ ନିଅନ୍ତୁ ନାହିଁ।

ବିଳମ୍ବିତ ରାତି ପର୍ଯ୍ୟନ୍ତ ପିଲାମାନଙ୍କୁ ସୋସିଆଲ ମିଡ଼ିଆ‍ଠାରୁ ଦୂରେଇ ରଖନ୍ତୁ। ବରଂ ସେମାନେ ପରିବାରର ସଦସ୍ୟମାନଙ୍କ ସହିତ, ସେମାନଙ୍କ ସାଙ୍ଗସାଥୀମାନଙ୍କ ସହିତ କିପରି ଅଧିକ ସମୟ ବିତାଇବେ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ। ସେମାନେ ଯେପରି ଶାରୀରିକ କୁସ୍ତିକସରତ ଖେଳ ପ୍ରତି ଆଗ୍ରହୀ ହେବେ, ଯୋଗାଭ୍ୟାସ ପ୍ରତି ଶ୍ରଦ୍ଧା ରଖିବେ ଏହି ଦିଗକୁ ସେମାନଙ୍କୁ ପ୍ରେରିତ କରିବା କାର୍ଯ୍ୟ ହେଉଛି ଅଭିଭାବକମାନଙ୍କର।

ଆଜିକାଲି ପିଲାମାନେ ଅଧିକ ସମୟ ମୋବାଇଲ, ଇଣ୍ଟରନେଟ ଓ ସାଇବର କ୍ୟାଫେରେ ବିତାଉଥିବାରୁ ସେମାନଙ୍କୁ ଉଚିତ ରାସ୍ତା ଦେଖାନ୍ତୁ। ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେବା ଖୁବ୍ ଜରୁରୀ। ଆଜିର ସାଇବର ବିଶ୍ୱ ଯୁଗରେ ପିଲାମାନଙ୍କ ପ୍ରଯୁକ୍ତି ଜ୍ଞାନ ବଢ଼ୁଛି ନିଶ୍ଚୟ ଏହା ଖୁସିର କଥା କିନ୍ତୁ ସେମାନେ କୌଣସି ବିପଜ୍ଜନକ ଅନ୍‌ଲାଇନ୍ ଖେଳ ପ୍ରତି ଆଗ୍ରହୀ ହେଲେ ଏହା ପରିଶେଷରେ ଜୀବନ ନେବ।

(ଲେଖକ ଜଣେ ମାନସିକ ରୋଗ ବିଶେଷଜ୍ଞ)

Tags: Dr. Samrat Kar, Social Media, Blue Whale game, Blue Whale, Internet Game, Online Game, Human Psychology

Comment