ଡକ୍ଟର ଗୀତା ଦାସ

ଗୋଟିଏ ପିଲା ଭିତରେ କୌଣସି ଅପରାଧର ଲକ୍ଷଣ ଦେଖିଲେ ତାକୁ ଏଡ଼ାଇ ଦେଇ ତା କାରଣ ନିରୂପଣ ପ୍ରତିକାର ପାଇଁ ମନୋବିଜ୍ଞାନୀଙ୍କ ସାହାଯ୍ୟ ନେବା ଦରକାର

କାହା ଦୋଷରୁ ପିଲା ବିପଥଗାମୀ ହେଉଛି ସେ ବିଷୟ ନେଇ ମନୋବିଜ୍ଞାନୀମାନେ ଯେତେ ଚିନ୍ତା କରନ୍ତି ନାହିଁ; କ’ଣ କଲେ ଏଇ ଦୋଷର ସଂଶୋଧନ ହେବ ସେ ଉପାୟ ବାହାର କରିବା ହେଲା ସେମାନଙ୍କର ମୂଳ ଲକ୍ଷ୍ୟ। ତେଣୁ ପିଲାର ଅସମ୍ଭାଳ ରାଗ ଯଦି-

(କ) ଶାରୀରିକ ତ୍ରୁଟି ଯୋଗୁଁ ହେଉଥାଏ, ତେବେ ଔଷଧ ପ୍ରୟୋଗ କରି ପିଲାର ରାଗ କମାଇ ତା’ର ମନ ପ୍ରଶାନ୍ତ ରଖିବାକୁ ସେମାନେ ଚେଷ୍ଟା କରିବେ।

(ଖ) ସଂଯମ ଶିକ୍ଷା ଅଭାବରୁ ଯଦି ଏପରି ହୋଇଥାଏ, ତେବେ ବାପାମାଆ କିପରି ପିଲାକୁ ସୁସଂଯତ ଓ ଶୃଙ୍ଖଳାପରାୟଣ କରିବେ ସେ ବିଷୟରେ ସେମାନଙ୍କୁ ଶିକ୍ଷା ଦେବେ।

(ଗ) ବାପାମାଆ ପିଲାକୁ ରାଗି ଅସମ୍ଭାଳ ହୋଇ ବାଡ଼ଉଥିବାରୁ ପିଲା ସେମାନଙ୍କୁ ଅନୁସରଣ କରି ଯଦି ଅସମ୍ଭାଳ ଭାବରେ ରାଗୁଥାଏ ତେବେ ସେଭଳି ପରିସ୍ଥିତିର ସଂଶୋଧନ କରିବେ।

(ଘ) ପିଲାର ଅସମ୍ଭାଳ ରାଗ ଦେଖି ଯଦି ସମସ୍ତେ ତାକୁ ଡରି କଥା ମାନି କାମ କରନ୍ତି, ତେବେ ସେ ଏଭଳି ବେଶି ବେଶି ରାଗିବ। ଏପରି କ୍ଷେତ୍ରରେ ପିଲାର ରାଗକୁ ଦେଖାତିର କରି କିଭଳି ସେ ରାଗ କମେଇବ ସେ କଥା ତାକୁ ମନୋବିଜ୍ଞାନୀ ଶିଖାଇବେ।

ଏଥିଲାଗି ଅପରାଧମୂଳକ ବ୍ୟବହାର ଶାରୀରିକ, ମାନସିକ ଓ ସାମାଜିକ କାରଣ ନିରୂପଣ କରିବାକୁ ମନୋବିଜ୍ଞାନୀମାନେ ଚେଷ୍ଟା କରନ୍ତି। ଯାହାର ଶାରୀରିକ ତ୍ରୁଟି ରହିଛି ତାକୁ ଯେତେ ଭଲ କଥା ଶିଖେଇଲେ ବା ସ୍ନେହ ଆଦର କଲେ ସେ ଭଲ ବାଟକୁ ଆସିବ ନାହିଁ।

ଯାହାର ସମସ୍ୟା ମୂଳତଃ ପାରିବାରିକ କାରଣରୁ ହେଉଛି ତାକୁ ଯେତେ ଔଷଧ ଖୁଆଇଲେ ସୁଦ୍ଧା ତା’ର ସ୍ୱଭାବଗତ ତ୍ରୁଟି ଉଭେଇ ଯିବ ନାହିଁ। ସେହିପରି ସୁସ୍ଥ ଓ ସ୍ୱାଭାବିକ ଲୋକ ଅର୍ଥନୀତିକ ଓ ସାମାଜିକ କାରଣ ଯୋଗୁଁ ଅପରାଧ ଓ ଦୁର୍ନୀତିର ପଥ ବରଣ କରୁଛନ୍ତି। ଯେଉଁ ପିଲା ବିନା ଟିକେଟରେ ଟ୍ରେନରେ ଯିବାଆସିବା କରୁଛି ବା ପରୀକ୍ଷାରେ କପି କରୁଛି ସେ ବିଦେଶ ଯାଇ ଅନ୍ୟ ସମାଜରେ ଚଳିଲାବେଳେ ଏପରି କରୁ ନାହିଁ। କାରଣ ସମାଜର ଅଧିକାଂଶ ଲୋକ ଯାହା କରନ୍ତି, ସେ କାମ ଅନୀତି ହେଲେ ମଧ୍ୟ ଲୋକେ ତାକୁ ଗୁରୁତର ଅନୀତି ବୋଲି ଭାବନ୍ତି ନାହିଁ। ଯେଉଁ ବ୍ୟବହାର ଅଧିକାଂଶ ଲୋକ ବରଦାସ୍ତ କରନ୍ତି, ସେ ବ୍ୟବହାର କାଳକ୍ରମେ ସମାଜରେ ସ୍ୱୀକୃତି ପାଇଥାଏ। ଏ କ୍ଷେତ୍ରରେ ସାମାଜିକ ପରିସ୍ଥିତି ନ ବଦଳିଲା ପର୍ଯ୍ୟନ୍ତ ବିପଥଗାମୀ ଲୋକଙ୍କୁ ଉପଦେଶ ଦେଇ ବା ଶାସନ କରି ଠିକ୍ ବାଟକୁ ଆଣିବା କଷ୍ଟକର।

ଏହିସବୁ କାରଣରୁ ପିଲାର ଅପରାଧପ୍ରବଣତାର କାରଣ ନିରୂପଣ ଓ ପ୍ରତିକାର କରିବାକୁ ହେଲେ ବିଶେଷଜ୍ଞ ମନୋବିଜ୍ଞାନୀଙ୍କର ସାହାଯ୍ୟ ଦରକାର। ଅନଭିଜ୍ଞ ଲୋକଙ୍କ ପକ୍ଷରେ ଏକୁଟିଆ ଏ ସମସ୍ୟାର ସମାଧାନ କରିବା କଷ୍ଟସାଧ୍ୟ। ମାତ୍ର ସେମାନେ ଏଭଳି ସମସ୍ୟା ଉଦୟ ହେବା ପୂର୍ବରୁ ଯଦି ପିଲାର ଯତ୍ନ ନିଅନ୍ତି, ତେବେ ବହୁକ୍ଷେତ୍ରରେ ପିଲାଠାରେ ଏଭଳି ସମସ୍ୟା ଦେଖାଯିବ ନାହିଁ।

ପିଲାର ସ୍ୱଭାବରେ ତ୍ରୁଟି ଦେଖାଦେବାର ପ୍ରଧାନ କାରଣ ହେଉଛି- ଅସ୍ୱାଭାବିକ ଓ ତ୍ରୁଟିପୂର୍ଣ୍ଣ ପାରିବାରିକ ସମ୍ପର୍କ ଏବଂ ଭୁଲ୍ ତତ୍ତ୍ୱାବଧାନ ଓ ସଂସର୍ଗର ଦୋଷ।

ଯେଉଁ ପିଲାମାନେ ଅପରାଧ କରି ଧରା ପଡ଼ିଛନ୍ତି ସେମାନଙ୍କୁ ପରୀକ୍ଷା କରି ଦେଖାଯାଇଛି ଯେ ସ୍ତ୍ରୀଲୋକ ତୁଳନାରେ ପୁରୁଷ ଅପରାଧୀଙ୍କର ସଂଖ୍ୟା ବେଶି। ସ୍ତ୍ରୀଲୋକଙ୍କର ଗତିବିଧିର ସୀମା ଘର ଭିତରେ ଆବଦ୍ଧ ଥିବାରୁ ସେମାନଙ୍କ ମଧ୍ୟରେ ଅପରାଧୀଙ୍କ ସଂଖ୍ୟା କମ୍। ସେଥିଲାଗି ବାପା ଓ ପୁଅର ସମ୍ପର୍କ ବିଶ୍ଳେଷଣ ଯେତେ ବ୍ୟାପକ ଭାବରେ ହେଉଛି ‘ମା ଓ ଝିଅ’ କିମ୍ବା ‘ବାପା ଓ ଝିଅ’ର ସମ୍ପର୍କର ବିଶ୍ଳେଷଣ ସେପରି ଭାବରେ ହୋଇନାହିଁ।

କେତେକ କ୍ଷେତ୍ରରେ ବାପା ଅପରାଧୀ ହେଇଥିବାରୁ ପୁଅକୁ ଏଭଳି ବ୍ୟବହାର ଶିଖାଇଥାଏ। ମାତ୍ର ଅଧିକାଂଶ କ୍ଷେତ୍ରରେ ବାପା ପୁଅକୁ ଶାସନ କରିବା ଉଦ୍ଦେଶ୍ୟରେ ଶାରୀରିକ ଉତ୍ପୀଡ଼ନ କରୁଥିବାରୁ ପିଲାଠାରେ ପ୍ରତିହିଂସାପରାୟଣତା ଆକ୍ରୋଶ, ବିଦ୍ୱେଷ ଓ ସମାଜବିରୋଧୀ ମନୋଭାବ ବିଶେଷ ପରିମାଣରେ ଦେଖିବାକୁ ମିଳେ। (ବାପା ଛଡ଼ା ବାପାର ପ୍ରତିନିଧି ଅନ୍ୟ ଅଭିଭାବକ ଯଦି ଏପରି ବ୍ୟବହାର କରନ୍ତି, ତେବେ ପିଲାଠାରେ ଏକାପ୍ରକାର ତ୍ରୁଟି ଦେଖାଦିଏ।) ପରବର୍ତ୍ତୀ ଜୀବନରେ ବାପା ପ୍ରତି ପିଲାର ଏଇ ବିଦ୍ୱେଷପୂର୍ଣ୍ଣ ଭାବ ଯେକୌଣସି କର୍ତ୍ତୃସ୍ଥାନୀୟ ବ୍ୟକ୍ତି ପ୍ରତି ସଂକ୍ରମିତ ହୁଏ। ସେଭଳି ଲୋକ ତା’ ପ୍ରତି ଭଲ ବ୍ୟବହାର କଲେ ସୁଦ୍ଧା ପୂର୍ବ ଅଭିଜ୍ଞତାର ତିକ୍ତତା ଯୋଗୁଁ ଏହିସବୁ ବୟସ୍କ ଲୋକଙ୍କୁ ବିଦ୍ୱେଷ ଓ ସନ୍ଦେହପୂର୍ଣ୍ଣ ମନ ନେଇ ବିଚାର କରେ।

ଯଦି ବାପା ସହିତ ତା’ର ଏପରି ସମ୍ପର୍କ ସ୍ୱଳ୍ପସ୍ଥାୟୀ ହୋଇଥାଏ, ତେବେ ବାପାର ବ୍ୟବହାର ବଦଳିଲେ ପୁଅ କିଛି ଦିନ ପରେ ଧୀରେ ଧୀରେ ବଦଳିବାକୁ ଆରମ୍ଭ କରେ। ମାତ୍ର ଯଦି ଦୀର୍ଘକାଳ ଧରି ବାପା ଓ ପୁଅ ଏଭଳି ଚଳି ଆସିଥାଆନ୍ତି ତେବେ ସେମାନଙ୍କର ପରସ୍ପର ପ୍ରତି ବ୍ୟବହାର ବଦଳେଇବା କଷ୍ଟକର ହୁଏ ଓ ପୁଅଠାରେ ଅନ୍ୟାନ୍ୟ ପ୍ରକାର ସମସ୍ୟା ଦେଖାଦିଏ।

ଏଠି ପ୍ରଶ୍ନ ଉଠିବ, ପିଲାକୁ ନ ବାଡ଼େଇ କିପରି ମଣିଷ କରିବ?

(୧) ଦେଖାଯାଇଛି ଯେ ନିଜର ମିଜାଜ୍ ଖରାପ ଥିଲେ ଲୋକେ ପିଲାଙ୍କୁ ବାଡ଼ାନ୍ତି। ପିଲାର ଦୋଷଗୁଣ ଅପେକ୍ଷା ବାପାମାଆଙ୍କର ମାନସିକ ଅବସ୍ଥା ଉପରେ ପିଲାର ମାଡ଼ ଖାଇବାଟା ବହୁ ପରିମାଣରେ ନିର୍ଭର କରେ।

(୨) ଆହୁରି ଜଣାଯାଇଛି ଯେ କେଉଁ ବୟସରେ ପିଲା କିଭଳି ବ୍ୟବହାର କରେ, ସେକଥା ଅନେକେ ଜାଣି ନଥିବାରୁ ପିଲାର କେତେକ ସ୍ୱାଭାବିକ ବ୍ୟବହାରକୁ ସେମାନେ ବଦମାସୀ ବୋଲି ଭାବନ୍ତି ଓ ସେଭଳି ବ୍ୟବହାର ଦେଖିଲେ ମାରନ୍ତି। ଯଥା- ଛଅମାସିଆ ପିଲା ଅଥୟ ହୋଇ କାନ୍ଦିବାରୁ ମା’ ଭାବେ ଯେ ତାକୁ ହଇରାଣ କରିବା ଲାଗି ପିଲା ସେମିତି କାନ୍ଦୁଛି। ସେଠୁ ସେ ପିଲାଙ୍କୁ ବାଡ଼ାଏ। ଏଭଳି ଶାସନର କୁଫଳ ଅତି ଜଣାଶୁଣା।

(୩) ପିଲାଙ୍କୁ କେମିତି ଚଳେଇବାକୁ ହବ ସେକଥା ବାପାମାଆଙ୍କୁ କେହି କେବେ ଶିଖାଇ ନାହିଁ। ଯେଉଁମାନେ ଧୈର୍ଯ୍ୟଶୀଳ, ସ୍ନେହପରାୟଣ ଓ ବିଚାରବାନ୍ ସେମାନେ ଆପେ ଆପେ ପିତାମାତାସୁଲଭ ଗୁଣଗୁଡ଼ିକ ଆୟତ୍ତ କରି ପିଲାକୁ ଭଲ ଭାବରେ ବଢ଼ାନ୍ତି। ବହୁ ଲୋକଙ୍କ ପାଖରେ ଏ ଗୁଣଗୁଡ଼ିକ ସ୍ୱତଃସ୍ଫୂର୍ତ୍ତ ଭାବରେ ଦେଖାଦିଏ ନାହିଁ। ସେଭଳି ଲୋକ ଠିକ୍ ଭାବେ ତତ୍ତ୍ୱାବଧାନ କରି ନ ପାରି ବିରକ୍ତ ହୋଇ ଶାସନ କରିବା ନାଁରେ ପିଲାଙ୍କୁ ନିର୍ଯାତନା ଦିଅନ୍ତି। ବିଶେଷକରି ଏମାନେ ପିଲାଠାରୁ ଅବାସ୍ତବ ଭଲ ବ୍ୟବହାର ଆଶା କରୁଥିବାରୁ ପିଲାଠାରେ ସାମାନ୍ୟ ଦୁଷ୍ଟାମି ଦେଖିଲେ ତାକୁ ମାରନ୍ତି। ପିଲା ମାଡ଼ ଖାଇ ମାଡ଼ୁଆ ହେଇଯାଏ ଓ ପରେ ମାଡ଼ଗାଳି ନ ଖାଇଲେ କଥା ଶୁଣେ ନାହିଁ।

ତେଣୁ ବୟସ ଅନୁସାରେ ପିଲାର କିଭଳି ବ୍ୟବହାର ସ୍ୱାଭାବିକ ଓ ପ୍ରତ୍ୟାଶିତ, ସେକଥା ବାପା-ମାଆଙ୍କର ଜାଣିବା କଥା। ବାଘୁଣୀ ମାଆ ପିଲାର ଦୁଷ୍ଟାମି ଦେଖିଲେ ତାକୁ ଦାନ୍ତରେ କାମୁଡ଼ି ଅନ୍ୟ ସ୍ଥାନକୁ ନେଇଯାଏ। ଯଦି ବହୁତ ଆସ୍ତେ କାମୁଡ଼ିବ, ତେବେ ପିଲା ଖସି ପଳାଇବ ଓ ଯଦି ଜୋରରେ କାମୁଡ଼ିବ ପିଲା ଖଣ୍ଡିଆ ହୋଇଯିବ। ସେହିପରି ମଣିଷ ପିଲାକୁ ଶାସନ କରିବା କଥା। ଅତି ହୁଗୁଳା ଶାସନ ହେଲେ ପିଲା କିଛି ଶିଖିବ ନାହିଁ। ଅତି କଡ଼ା ଶାସନ ହେଲେ ପିଲାର ମନ କ୍ଷତବିକ୍ଷତ ହେଇ ବିକୃତ ହେଇଯିବ। କେତେକ ଅପରାଧୀ ଯେପରି କଠୋର ନିପୀଡ଼ନ ସହି ବଢ଼ନ୍ତି ସେପରି ଆଉ କେତେକ ବିନା ଶାସନରେ ମୁରବି-ଶୂନ୍ୟ ହୋଇ ବଢ଼ନ୍ତି। ସେମାନଙ୍କର ବିଭିନ୍ନ ଦୁର୍ଗୁଣକୁ ବାପା ମାଆ ପ୍ରଶ୍ରୟ ଦିଅନ୍ତି ଓ ଅନେକ ସମୟରେ ଅନ୍ୟମାନଙ୍କଠାରୁ ମଧ୍ୟ ଲୁଚାନ୍ତି।

ଏପରି ଭାବରେ ବଢ଼ିଥିବା ପିଲାର ସଂଯମ ବା ଶୃଙ୍ଖଳାବୋଧ ବଢ଼େ ନାହିଁ। ବିଶେଷକରି ସେମାନଙ୍କର ମନରେ ନ୍ୟାୟ ଓ ଅନ୍ୟାୟର ସୀମାରେଖା ସୁସ୍ପଷ୍ଟ ହେଇ ଉଠେ ନାହିଁ। ସେମାନେ ଭାବନ୍ତି ଲୁଚେଇ ଅନ୍ୟାୟ କଲେ କିଛି କ୍ଷତି ନାହିଁ। ଲୋକଲଜ୍ଜା ଓ ଅନ୍ୟାନ୍ୟ ଶାସ୍ତି ଭୟରେ ସେମାନେ ନିଜର ଦୁର୍ନୀତି ଗୋପନ କରିବାକୁ ଶିଖନ୍ତି। ମାତ୍ର ଏଥିରୁ ନିବୃତ୍ତ ହେବାକୁ ଶିଖନ୍ତି ନାହିଁ। ଆମ ଦେଶରେ ପିଲା ପରୀକ୍ଷାରେ କପି କରିବାଠାରୁ ଆରମ୍ଭ କରି ବିନା ଟିକେଟରେ ଟ୍ରେନ ବସ୍‌ରେ ଯିବାଆସିବା କରିବା, ପଇସା ନ ଦେଇ ଦୋକାନରୁ ଛୋଟିଆ ଜିନିଷ ଉଠେଇ ଆଣିବା ଇତ୍ୟାଦି ଅପରାଧକୁ ଅଧିକାଂଶ ‘ଅପରାଧ’ ବୋଲି ଭାବନ୍ତି ନାହିଁ।

‘ସମସ୍ତେ ତ ଏଇଆ କରୁଛନ୍ତି, ମୁଁ କାହିଁକି କରିବି ନାହିଁ’- ଏହା ହେଲା ସେମାନଙ୍କର ମନୋଭାବ। ଯଦି ସେମାନେ ନିଜ ସମାଜରେ ବା ପରିବାରରେ ଏପରି କାମ କରି ନିନ୍ଦା ଓ ଲୋକଲଜ୍ଜା ପାଉଥାଆନ୍ତେ, ତେବେ ନିହାତି ଖରାପ ଅବସ୍ଥାରେ ନ ପଡ଼ିଲେ ଏସବୁ କାମ କରନ୍ତେ ନାହିଁ। ଥରେ ମଣିଷର ଅଭ୍ୟାସ ଖରାପ ହେଇଗଲେ ତାକୁ ଜେଲ, ଜୋରିମାନା ଇତ୍ୟାଦିର ଭୟ ଦେଖାଇ ନିବୃତ୍ତ କରିବା କଷ୍ଟ। ଅଧିକାଂଶ ଲୋକ ନିଜକୁ ନିଜେ ନିବୃତ୍ତ କରନ୍ତି। ପୋଲିସ୍ ସାହାଯ୍ୟ ଦ୍ୱାରା ଯଦି ପ୍ରତିଟି ଲୋକକୁ ଅନ୍ୟାୟ କାମରୁ ନିବୃତ୍ତ କରିବାକୁ ପଡ଼େ ତେବେ ସେ କ୍ଷେତ୍ରରେ ଅରାଜକତା ଦେଖାଦେବ।

ପ୍ରଥମତଃ, ଜଗିବାପାଇଁ ଏତେ ପୋଲିସ ଆସିବେ କେଉଁଠାରୁ? ଦ୍ୱିତୀୟରେ ନିଜ ସମାଜର ଲୋକଙ୍କୁ ପୋଲିସ୍ କଲେ ସେମାନେ ତ ନିଜେ ଦୁର୍ନୀତିଗ୍ରସ୍ତ ହେଇଥିବେ, ତେଣୁ ଜଗିବେ କାହାକୁ? ଏଥିଲାଗି ସବୁ ସମାଜରେ ମଣିଷ ଜୀବନର ବିବେକର ବିକାଶକୁ ଏତେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦିଆଯାଏ। ଅପରାଧପ୍ରବଣ ଚରିତ୍ରର ପ୍ରଧାନ ଲକ୍ଷଣ ହେଉଛି ‘ବିବେକବନ୍ଧନହୀନତା’। ପରିବାର ଓ ସମାଜର ତ୍ରୁଟି ଯୋଗୁଁ ହିଁ ପିଲାର ବିବେକର ବିକାଶ ବାଧାପ୍ରାପ୍ତ ହୋଇଥାଏ।

ବିବେକର ବିକାଶରେ ଶାସନର ଅଭାବ ଯେପରି ଗୋଟାଏ ପ୍ରଧାନ ଅନ୍ତରାୟ, ସେହିପରି ଯେଉଁ ପିଲା ଅନ୍ୟାୟ ଓ ଅବିଚାର ସହି ବଡ଼ ହୁଏ ତା’ଠାରେ ମଧ୍ୟ ନ୍ୟାୟ ଅନ୍ୟାୟବୋଧର ଅଭାବ ଦେଖାଯାଏ। ପରିବାର ବା ସମାଜର ଶାସନକୁ ସେ ଅନ୍ୟାୟ ଅତ୍ୟାଚାର ବୋଲି ମଣୁଥିବାରୁ ସେମାନଙ୍କର ଆଚରିତ ନ୍ୟାୟନୀତି ପ୍ରତି ତା’ର ବିରୂପ ମନୋଭାବ ଜନ୍ମେ।

କେତୋଟି ଉଦାହରଣ ଦେଉଛି-

ଘର କଳିରେ ଯେଉଁ ପିଲା ବାପା ପଟ ନେଇ ପଦେ କହିଲା, ମାଆ ସେ ପିଲା ଉପରେ ବିରକ୍ତ ହୋଇ ରୁହେ। ଅନ୍ୟବେଳେ ପିଲାର ଦୋଷ ନ ଥିଲେ ମଧ୍ୟ ମାଆ ତାକୁ ଅକାରଣରେ ଗାଳିଦିଏ। ସ୍ୱାମୀକୁ ତ କିଛି କହିହେବ ନାହିଁ, ତେଣୁ ପିଲାକୁ ବାଡ଼େଇ ପରୋକ୍ଷ ଭାବରେ ସ୍ୱାମୀ ମନରେ କଷ୍ଟ ଦିଏ। ଯେଉଁଠି ସ୍ୱାମୀ-ସ୍ତ୍ରୀ ମଧ୍ୟରେ ବିବାଦ ଥାଏ, ସେଠି ପିଲାମାନେ ଏହି ଭାବରେ ଲାଞ୍ଛିତ ହୁଅନ୍ତି। କାରଣ କେତେକ ବାପା ମଧ୍ୟ ସ୍ତ୍ରୀ ଉପରେ ନିଜର ରାଗ ଶୁଝାଇବା ଲାଗି ଯେଉଁ ପିଲାଟି ସ୍ତ୍ରୀର ପ୍ରିୟ, ସେହି ପିଲାଟିକୁ ବେଶି ଛି-ଛାକର କରି କଥା କୁହନ୍ତି। ଅଳ୍ପ ଦୋଷରେ କଠିନ ଶାସ୍ତି ଦିଅନ୍ତି ଓ ସ୍ତ୍ରୀ ଯୋଗୁଁ ପିଲା ଖରାପ ହେଇଯାଉଛି ଏ କଥା ସମସ୍ତଙ୍କୁ ସବୁବେଳେ କୁହନ୍ତି। ଏଇ ଅବସ୍ଥାରେ ଏଭଳି ବାପାମାଆଙ୍କଠାରୁ ଉପଦେଶ ବା ନୀତିଶିକ୍ଷା ପାଇଲେ ପିଲା ସେ ଶିକ୍ଷା ଗ୍ରହଣ କରିବ କି?

ଆମ ଦେଶରେ ଅନେକ ପିଲା ଆତ୍ମୀୟସ୍ୱଜନମାନଙ୍କ ପାଖରେ ରହି ପାଠ ପଢ଼ନ୍ତି। ସେଠି ଦେଖାଯାଏ ଯେ ଘର ପିଲା ପ୍ରତି ଗୋଟାଏ ନିୟମ ଲାଗୁ ହେଉଛି ଓ ପର ପିଲା ଅର୍ଥାତ୍ ଆତ୍ମୀୟ ପିଲା ପ୍ରତି ଆଉ ଗୋଟାଏ ନିୟମ। ପିଲାମାନେ ଦୋଷ କଲେ ପରପିଲାକୁ ସମସ୍ତେ ବେଶି ଦୋଷ ଦିଅନ୍ତି। ଅନେକ ସମୟରେ ଘରପିଲାଙ୍କ ଦୋଷ ଯୋଗୁଁ ସେ ନିଜର ଦୋଷ ନ ଥାଇ ମଧ୍ୟ ମାଡ଼ଗାଳି ଖାଏ। ତା’ର କୁ-ପ୍ରଭାବ ଯୋଗୁଁ ଘରପିଲା ଖରାପ କଥା ଶିଖୁଛନ୍ତି ଏ କଥା ତାକୁ ବାରମ୍ବାର ଶୁଣିବାକୁ ପଡ଼େ।

ଏହିଭଳି ପରିବେଶରେ ଯେଉଁ ପିଲା ଦୀର୍ଘକାଳ ରହି ବଡ଼ ହୁଏ ତା’ର ବଡ଼ମାନଙ୍କର ସୁବିଚାର ଉପରେ ବିଶ୍ୱାସ ତୁଟିଯାଏ। ପିଲାଦିନୁ ସେମାନେ ବଡ଼ ମଣିଷମାନଙ୍କୁ ଅବିଚାର ଓ ଅତ୍ୟାଚାରୀ ବୋଲି ଜାଣନ୍ତି। ଫଳରେ ସେମାନଙ୍କର ଉପଦେଶ ଓ ନୀତିଶିକ୍ଷା ଗ୍ରହଣ କରନ୍ତି ନାହିଁ ବରଂ ସେମାନଙ୍କ କାର୍ଯ୍ୟକୁ ଅନୁକରଣ କରି ଅବିଚାରୀ ଓ ଅତ୍ୟାଚାରୀ ହୋଇ ବଢ଼ନ୍ତି। ବଡ଼ମାନଙ୍କର ମୌଖିକ ଉପଦେଶ ଅପେକ୍ଷା ସେମାନଙ୍କର ଦୈନନ୍ଦିନ କାର୍ଯ୍ୟକଳାପ ଓ ସେମାନଙ୍କର ଚଳଣି ପିଲାଙ୍କୁ ବେଶି ପ୍ରଭାବିତ କରେ।

ବହୁ ପରିବାରରେ ପିଲାଙ୍କୁ ଭଲ ବାଟରେ ନେବା ଲାଗି ଓ ଭଲ ହେବା ଲାଗି ମୌଖିକ ଉପଦେଶ ଦିଆଯାଏ। ମାତ୍ର ଘରଲୋକ ଯଦି ଲାଞ୍ଚ ଖାଆନ୍ତି, ଭୁଲ୍ ହିସାବ ଦେଇ ସରକାରୀ ପଇସା ଠକିନିଅନ୍ତି, ଲାଞ୍ଚ ଦେଇ ପିଲାର ପରୀକ୍ଷା ନମ୍ବର ବଢ଼ାନ୍ତି, ତେବେ ପିଲା ଏସବୁ ଅନ୍ୟାୟ କାମ କରିବାକୁ ମନ ବଳାଇବ। ଏଥିଲାଗି ପିଲାକୁ ଶୁଆପରି ନୀତିବାକ୍ୟ ଘୋଷିବାକୁ କହିଲେ କିଛି ଫଳ ହୁଏ ନାହିଁ ବା ପିଲାକୁ ଦେଖିଲା ମାତ୍ରକେ ଉପଦେଶ ହେଲେ କିଛି ଲାଭ ହୁଏ ନାହିଁ।

ଯେଉଁମାନେ ପିଲାର ଘନିଷ୍ଠ ସମ୍ପର୍କରେ ଆସନ୍ତି ସେମାନଙ୍କୁ ଅନୁକରଣ କରି ପିଲା ଶିଖେ। ବାପା, ମାଆ, ଶିକ୍ଷକ ଓ ଅନ୍ୟାନ୍ୟ ଗୁରୁଜନଙ୍କର (ଯାହା ପାଖରେ ସେ ଅଧିକାଂଶ ସମୟ କଟାଏ) ପ୍ରଭାବ ଏଥିଲାଗି ପିଲାର ସ୍ୱଭାବରେ ଗଭୀର ରେଖାପାତ କରେ। ଯେଉଁଠି ବଡ଼ମାନେ ଦୁର୍ନୀତି ଓ ଅପରାଧଗ୍ରସ୍ତ ସେଠି ପିଲାଙ୍କୁ ସୁଧାରିବା କଷ୍ଟକର। ଏପରି କ୍ଷେତ୍ରରେ ପିଲାର ସ୍ୱଭାବ ବଦଳେଇବାକୁ ହେଲେ ପିଲାର ପରିବେଶ ବଦଳାଇବା ଦରକାର।

ବଡ଼ମାନେ ଯଦି ସାବଧାନ ହୋଇ ନିଜର ବ୍ୟବହାର ସଂଶୋଧନ କରନ୍ତି ତେବେ ପିଲାର ପରିବେଶ ବଦଳିବ। ନଚେତ୍ ଅନ୍ୟ କୌଣସି ଆଦର୍ଶବାନ୍, ସହୃଦୟ ଲୋକର ଘନିଷ୍ଠ ସମ୍ପର୍କରେ ପିଲା ଆସିଲେ ସେ ହୁଏତ ଆଦର୍ଶବାନ୍ ଲୋକର ପନ୍ଥା ଅନୁସରଣ କରିବାକୁ ମନ ବଳାଇବ।

ସୋଭିଏତ୍ ଶିକ୍ଷାବିତ୍ ମାକାରେଙ୍କୋ ତାଙ୍କର ’ରୋଡ୍ ଟୁ ଲାଇଫ୍’ ବହିରେ କିପରି କିଶୋର ଅପରାଧୀମାନଙ୍କୁ ପୁନର୍ବାସନ କଲେ ସେକଥା ବିସ୍ତୃତ ଭାବରେ ଲେଖିଛନ୍ତି। ସେ ବହିରୁ ଜଣାଯାଏ ଯେ ତାଙ୍କ ଅନୁଷ୍ଠାନର ସାଫଲ୍ୟ ଦୁଇଟି ବିଷୟ ଯୋଗୁଁ ସମ୍ଭବ ହୋଇଛି।

୧. ଅନୁଷ୍ଠାନର ସୁସଂହତ ଓ ସୁଶୃଙ୍ଖଳ ପରିବେଶରେ ରହି ନୂଆ ଆଦର୍ଶ ଅନୁସାରେ ଜୀବନକୁ ଗଢ଼ି ତୋଳିବାର ସୁଯୋଗ ଏବଂ

୨. ମାକାରେଙ୍କୋଙ୍କ ସହିତ ଛାତ୍ରମାନଙ୍କର ଅକପଟ ସ୍ନେହପୂର୍ଣ୍ଣ ସମ୍ପର୍କ। ସେ ନିଜର ନିରପେକ୍ଷତା, ସହୃଦୟତା, ବୁଝାମଣା ଓ ଦୃଢ଼ ଶାସନ ଦ୍ୱାରା ଅପରାଧୀ ପିଲାମାନଙ୍କର ହୃଦୟ ଜୟ କରି ସେମାନଙ୍କୁ ନୂଆ ବାଟରେ ଯିବା ପାଇଁ ପ୍ରଣୋଦିତ କରିପାରିଥିଲେ। ଯେଉଁ ଶିକ୍ଷକ ପିଲାଙ୍କର ଶ୍ରଦ୍ଧା ଓ ବିଶ୍ୱାସଭାଜନ ନୁହେଁ, ସେ ଯେତେ ଚେଷ୍ଟା କଲେ ମଧ୍ୟ କେବଳ ଅନୁଷ୍ଠାନ ଜରିଆରେ ପିଲାଙ୍କୁ ଭଲ ବାଟକୁ ଆଣିପାରିବ ନାହିଁ।

ଏଥିଲାଗି ଆମ ଦେଶରେ ଯଦି ବିପଥଗାମୀ ଉଚ୍ଛୃଙ୍ଖଳ ଓ ଅପରାଧୀ ପିଲାଙ୍କ ପାଇଁ ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନ ତିଆରି କରାଯାଏ, ତେବେ ସେଠି ବିଶେଷ ତାଲିମପ୍ରାପ୍ତ ଶିକ୍ଷକ ରଖିବା ଦରକାର। କାରଣ ଏପରି ପିଲାଙ୍କୁ ଚିରାଚରିତ ପ୍ରଥାରେ ଉପଦେଶ ଦେଇ ବା ବାଡ଼େଇ ଠିକ୍ ବାଟକୁ ଆଣି ହେବ ନାହିଁ। ଏପରି ପିଲା ଆତ୍ମ-ଶାସନ କରିବାକୁ ଶିଖି ନଥିବାରୁ ବିପଥଗାମୀ ହୋଇଥାଆନ୍ତି। ତେଣୁ ସେ ଶିକ୍ଷା ତାଙ୍କର ପ୍ରଥମେ ଦରକାର। ସବୁବେଳେ ଅନ୍ୟ ଦ୍ୱାରା ଶାସିତ ହେଲେ ଏ ଶିକ୍ଷା ହବ କିପରି?

ସେହିପରି ଅନ୍ୟମାନଙ୍କଠାରୁ ସୁବିଚାର ନ ପାଇଲେ ନ୍ୟାୟ-ନୀତି ପ୍ରତି ସେମାନଙ୍କର କାହିଁକି ବା ଶ୍ରଦ୍ଧା ଜନ୍ମିବ? ସେମାନେ ଯଦି କେବଳ ଦୋଷ ବା ଭୁଲ୍ କଲେ ଶାସ୍ତି ପାଆନ୍ତି, ତେବେ ଭଲ ବାଟ କେଉଁଟା ସେକଥା ଜାଣିବେ କେମିତି? ତେଣୁ ସେ ଭଲ କାମ କଲେ ତାକୁ ଯଦି ଆଦର ଓ ପ୍ରଶଂସା ମିଳେ, ତେବେ ସେ ଧୀରେ ଧୀରେ ଭଲ ଅଭ୍ୟାସ ଆୟତ୍ତ କରିବାକୁ ଚେଷ୍ଟା କରିବ। ଯେଉଁ ଶିକ୍ଷକ ବିଶ୍ୱାସଭାଜନ କେବଳ ତାଙ୍କରି ଉପଦେଶ ପିଲା ଗ୍ରହଣ କରୁଥିବାରୁ ଶିକ୍ଷକ ନିଜର ସୁବିଚାର ଓ ସହୃଦୟତା ଦ୍ୱାରା ତା’ର ଶ୍ରଦ୍ଧାର ପାତ୍ର ହେବାକୁ ଚେଷ୍ଟା କରିବେ। ନଚେତ୍ ପିଲା ତାଙ୍କର ଶିକ୍ଷା ବର୍ଜନ କରିବ।

(ଗୀତା ଦାସ ଜଣେ ଜଣାଶୁଣା ମନୋବିଜ୍ଞାନୀ ଓ ଲେଖିକା। ଦୀର୍ଘ ବର୍ଷରୁ ସେ କାନାଡାର ଆଲବର୍ଟା ସହରରେ ରହୁଛନ୍ତି। ତାଙ୍କର ବିଭିନ୍ନ ଓଡ଼ିଆ ବହି ଭିତରେ ‘କୈଶୋରରୁ ଯୌବନ’ ଏକ ଲୋକପ୍ରିୟ କୃତି। ଏହି ପୁସ୍ତକର ବିଭିନ୍ନ ଭାଗ ବା ଅଂଶକୁ ସାଧାରଣରେ ପ୍ରକାଶିତ ଓ ପ୍ରସାରିତ କରିବା ଲାଗି ଲେଖିକା ଓଡ଼ିଶାଲାଇଭକୁ ସଦୟ ଅନୁମତି ପ୍ରଦାନ କରିଛନ୍ତି। -ସମ୍ପାଦକ)

Comment