ଡକ୍ଟର ଗୀତା ଦାସ

ଆଜିକାଲି ଅପରାଧୀଙ୍କୁ ଡାକ୍ତରୀ ପରୀକ୍ଷା କରି ଦେଖାଯାଉଛି ଯେ, ସେମାନଙ୍କ ମଧ୍ୟରୁ କେତେକଙ୍କଠାରେ ଶାରୀରିକ ମାନସିକ ତ୍ରୁଟି ରହିଛି

ଆଇନର ଦୃଷ୍ଟିକୋଣରୁ ଦେଖିଲେ ଅପରାଧୀ ବ୍ୟକ୍ତିଙ୍କୁ ବଦମାସ ବୋଲି କୁହାଯିବ। କାରଣ ଏମାନେ ବାହାରୁ ସୁସ୍ଥ ଓ ସ୍ୱାଭାବିକ ଲୋକ ପରି ଜଣାଯାଆନ୍ତି। (ଯିଏ ପାଗଳ ହେଇଥିବାରୁ ଅପରାଧ କରେ ତା’ର ଶାସ୍ତି ଭିନ୍ନ) ଆଜିକାଲି କିନ୍ତୁ ଅପରାଧୀମାନଙ୍କୁ ଡାକ୍ତରୀ ପରୀକ୍ଷା କରି ଦେଖାଯାଇଛି ଯେ ସେମାନଙ୍କ ମଧ୍ୟରୁ କେତେକଙ୍କଠାରେ ଶାରୀରିକ ତ୍ରୁଟି ରହିଛି। ହୁଏତ ଏଭଳି ତ୍ରୁଟି ରହୁଥିବାରୁ ସେମାନେ ଅନ୍ୟ ସ୍ୱାଭାବିକ ଲୋକଙ୍କ ପରି ନିଜର ପ୍ରବୃତ୍ତିକୁ ଆୟତ୍ତରେ ରଖିପାରୁ ନାହାନ୍ତି।

ମଣିଷ ସ୍ୱଭାବର ଉଗ୍ରତା ଓ ଶାନ୍ତଭାବ ବହୁ ପରିମାଣରେ ଦେହ ଭିତରେ ରାସାୟନିକ କ୍ରିୟା ପ୍ରକ୍ରିୟା ଉପରେ ନିର୍ଭର କରେ। ବିଶେଷକରି ଦେହ ଭିତରେ ଥିବା ଅନ୍ତଃସ୍ରାବୀ ଗ୍ରନ୍ଥିରୁ କ୍ଷରିତ ହେଉଥିବା କେତେକ ହରମୋନ୍ ମଣିଷ ମନର ଭାବ ଓ ଆବେଗକୁ ନିୟନ୍ତ୍ରିତ କରେ। ଯେଉଁ ପୁରୁଷ ଅପରାଧୀମାନେ ଦୀର୍ଘକାଳ ଧରି ହିଂସାତ୍ମକ କାର୍ଯ୍ୟକଳାପ କରିଛନ୍ତି ସେମାନଙ୍କୁ ପରୀକ୍ଷା କରି ଦେଖାଯାଉଛି ଯେ ସେମାନଙ୍କ ଦେହରେ ବେଶି ପରିମାଣରେ ଟେଷ୍ଟୋଷ୍ଟେରନ୍ (ପୁରୁଷତ୍ୱ ପାଇଁ ଯେଉଁ ହରମୋନ୍ ଦାୟୀ) ମିଳୁଛି।

ଯାହାଠାରେ ଅଳ୍ପ ପରିମାଣରେ ଟେଷ୍ଟୋଷ୍ଟେରନ୍ ମିଳୁଛି, ସେମାନେ ନିରୀହ ଓ  ମାନ୍ଦା ସ୍ୱଭାବର ଲୋକ। ଏଭଳି ଅପରାଧୀମାନେ ଅନ୍ୟର ହାତବାରିସି ହେଇ କାମ କରନ୍ତି। ଏମାନଙ୍କର ଯୌନକାମନା ମଧ୍ୟ କମ୍ ହୁଏ। (ଏପରି ଲୋକଙ୍କୁ ଚିକିତ୍ସା କରି ଦେହରେ ଟେଷ୍ଟୋଷ୍ଟେରନର ପରିମାଣ ବଢ଼ାଇଲେ ସେମାନଙ୍କର ଯୌନ- କାମନା ବଢ଼ିଥାଏ।)

ଯୌନ-ଅପରାଧ କ୍ଷେତ୍ରରେ ଦେଖାଯାଇଛି ଯେ ଡାକ୍ତରୀ ଚିକିତ୍ସା ଦ୍ୱାରା ସେମାନଙ୍କ ଦେହରେ ଟେଷ୍ଟୋଷ୍ଟେରନର ପରିମାଣ କମେଇବା ପରେ ସେମାନେ ଅପରାଧମୂଳକ ଯୌନ କ୍ରିୟାରେ କମ୍ ଲିପ୍ତ ହେଉଛନ୍ତି। କେବଳ ସେତିକି ନୁହେଁ, ପୂର୍ବେ ଏପରି ଅପରାଧୀ ନିଜେ ଯେତେ ଚେଷ୍ଟା କଲେ ମଧ୍ୟ ମନରୁ ଅଶ୍ଳୀଳ ଯୌନ- ଉତ୍ତେଜନାପୂର୍ଣ୍ଣ ଚିନ୍ତାକୁ ଦୂର କରିପାରୁନଥିଲେ। ଚିକିତ୍ସା ଫଳରେ ମନରୁ ଅଶ୍ଳୀଳ ଯୌନ କଳ୍ପନା ବହୁ ପରିମାଣରେ କମିଯାଏ ଓ ସେମାନେ ଅଯଥା ଉତ୍ତେଜନା କବଳରୁ ରକ୍ଷା ପାଆନ୍ତି।

(ସବୁ ଯୌନ-ଅପରାଧୀଙ୍କଠାରେ ଏପରି ଶାରୀରିକ ତ୍ରୁଟି ଦେଖାଯାଏ ନାହିଁ; କାରଣ କେବଳ ଯୌନ-ଅପରାଧୀ ମାନସିକ ଓ ସାମାଜିକ କାରଣରୁ ଏଭଳି କାମ କରନ୍ତି।)

ଅନ୍ତଃସ୍ରାବୀ ଗ୍ରନ୍ଥିର କ୍ରିୟା ପ୍ରକ୍ରିୟା ଯେପରି ମଣିଷ ମନକୁ ପ୍ରଭାବିତ କରେ, ସେହିପରି ମସ୍ତିଷ୍କ ମଧ୍ୟ ମଣିଷର କାର୍ଯ୍ୟକଳାପକୁ ବହୁଳାଂଶରେ ପ୍ରଭାବିତ କରିଥାଏ। ତେଣୁ ମସ୍ତିଷ୍କର ଯେଉଁ ଅଂଶ ମଣିଷର ଆବେଗ ଓ ପ୍ରବୃତ୍ତିକୁ ନିୟନ୍ତ୍ରଣ କରେ, ସେଠାରେ ଟିଉମାର୍ ବା ଘାଆ ହେଲେ ରୋଗୀର ସ୍ୱଭାବରେ ଘୋର ପରିବର୍ତ୍ତନ ଦେଖାଯାଏ। ଯଦି ଏପରି କ୍ଷତ ଯୋଗୁଁ କ୍ରୋଧ ନିୟନ୍ତ୍ରଣ କ୍ଷମତାରେ ବ୍ୟାଘାତ ଘଟେ, ତେବେ ସେ ରୋଗୀ ଅନ୍ୟାନ୍ୟ ସବୁ ବିଷୟରେ ସ୍ୱାଭାବିକ ଭାବରେ ବ୍ୟବହାର କରୁଥିଲେ ମଧ୍ୟ ଅଳ୍ପକରେ ବହୁତ ରାଗିଯାଏ ଓ ରାଗିଗଲା ବେଳେ ସେ ଯେଭଳି ନୃଶଂସ କାର୍ଯ୍ୟ କରେ ତାହା କଳ୍ପନାତୀତ। କେତେକ ଖୁନୀ ଆସାମୀଙ୍କର ଶବ ବ୍ୟବଚ୍ଛେଦ କଲାବେଳେ ସେମାନଙ୍କର ମସ୍ତିଷ୍କରେ ଏପରି କ୍ଷତ ବା ଟିଉମାର ହେଇଥିବାର ଜଣାଯାଇଛି। ଏଥିଲାଗି ନୃଶଂସ ଅପରାଧୀମାନଙ୍କୁ ଭଲ ଭାବରେ ଡାକ୍ତରୀ ପରୀକ୍ଷା କରି ସେମାନଙ୍କଠାରେ ଶାରୀରିକ ତ୍ରୁଟି ଅଛି କି ନାହିଁ ସେକଥା ଜାଣିବା ଦରକାର। କାରଣ ଏପରି ଲୋକଙ୍କୁ ସବୁବେଳେ କାହାର ତତ୍ତ୍ୱାବଧାନରେ ରଖିବା ଦରକାର।

ଯେଉଁ ଅପରାଧୀମାନେ ବହୁସଂଖ୍ୟକ ଲୋକଙ୍କୁ ହତ୍ୟା କରିଛନ୍ତି ସେମାନଙ୍କଠାରେ ‘ପାରାନଏଡ୍ ସ୍କିଜୋଫ୍ରେନିଆ’ ପରି ମାନସିକ ରୋଗ ହୋଇଥିବାର ଦେଖାଯାଇଛି। ସାଧାରଣ ଲୋକ ଏଇ ରୋଗର ଲକ୍ଷଣ ସହିତ ପରିଚିତ ନ ଥିବାରୁ ଏପରି ଲୋକଙ୍କୁ ସ୍ୱାଭାବିକ ମଣିଷ ବୋଲି ଭାବିଥାଆନ୍ତି। ଅଧିକାଂଶ ସମୟ ମଧ୍ୟ ସେମାନେ ସ୍ୱାଭାବିକ ମଣିଷ ପରି ବ୍ୟବହାର କରନ୍ତି। ଏଭଳି ଅପରାଧୀଙ୍କୁ ଜେଲ୍‌ରେ ରଖିଲେ ସେମାନେ ଅନ୍ୟ ଅପରାଧୀମାନଙ୍କୁ ହତ୍ୟା କରିପାରନ୍ତି କିମ୍ବା ଯଦି ପ୍ରମାଣ ଅଭାବରୁ ଖଲାସ ହୋଇଯାଆନ୍ତି ତେବେ ସର୍ବସାଧାରଣଙ୍କ ପାଇଁ ବିପଦର କାରଣ ହୁଅନ୍ତି। ସେଥିଲାଗି ଯଦି କାହାର ଏପରି ରୋଗ ହେବାର ଜଣାଯାଏ, ସେ ଜେଲ୍‌ରେ ରହୁ ବା ଖଲାସ ପାଉ ତା’ର ଚିକିତ୍ସାର ବ୍ୟବସ୍ଥା ନିତାନ୍ତ ଦରକାର।

ନୃଶଂସ ଅପରାଧୀମାନଙ୍କ ମଧ୍ୟରେ ଅନେକ ‘ସ୍ୟାଡିଜିମ୍’ ବୋଲି ଏକପ୍ରକାର ମାନସିକ ବିକୃତିରେ ପୀଡ଼ିତ ଥିବା ଜଣାଯାଇଛି। ଏପରି ଲୋକ ଅନ୍ୟ ଲୋକଙ୍କୁ ଶାରୀରିକ ନିର୍ଯାତନା କଲେ ଯୌନ-ଉତ୍ତେଜନା ପରି ଶାରୀରିକ ଓ ମାନସିକ ଉତ୍ତେଜନାର ସ୍ୱାଦ ପାଏ।

ସୁଖକର ଉତ୍ତେଜନା ମିଳୁଥିବାରୁ ସ୍ୟାଡିଷ୍ଟ ପ୍ରକୃତିର ଲୋକ ସୁବିଧା ପାଇଲେ ଅନ୍ୟ ଲୋକକୁ ଚାବୁକରେ ବାଡ଼େଇ, ତା’ ଦେହରେ ଜଳନ୍ତା ସିଗାରେଟ୍ ବା ବିଡ଼ିରୁ ଚିଆଁ ମଡ଼େଇ, ତା’ର ଦାନ୍ତ ନିଶ ଉପାଡ଼ି, ଯୌନ-ସୁଖ ପରି ସନ୍ତୋଷଲାଭ କରନ୍ତି। ଏପରି ଲୋକ ଅନ୍ୟକୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବାର ବିଭିନ୍ନ ଉପାୟ ଅବଲମ୍ବନ କରିଥାଆନ୍ତି। ବିରୁଦ୍ଧ ପକ୍ଷକୁ ସାଧାରଣ ଭାବରେ ହତ୍ୟା କରିବା ଅପେକ୍ଷା ନିର୍ଯାତନା ଦେଇ ହତ୍ୟା କରିବାରେ ଏମାନେ ବିଶେଷ ଆନନ୍ଦ ପାଆନ୍ତି। ଜେଲରେ ରଖି ଏପରି ଅପରାଧୀକୁ ଭଲ କରିବା ସମ୍ଭବ ନୁହେଁ। ଏଇ ଲୋକମାନଙ୍କ ହାତରେ ଦଣ୍ଡଦାନର କ୍ଷମତା ଦେବା (ପୋଲିସ, ସୈନ୍ୟ, ଜେଲର ଜଗୁଆଳି) ପ୍ରକୃତରେ ଅନୁଚିତ। ଏପରି କାର୍ଯ୍ୟରେ ନିଯୁକ୍ତ କରିବା ପୂର୍ବରୁ ଲୋକଙ୍କୁ ପରୀକ୍ଷା କରିନେବା ଦରକାର। ନଚେତ୍ ସେମାନେ ଆଇନର ଆଢ଼ୁଆଳରେ ରହି ନିଜର ବିକୃତ ଇଚ୍ଛା ପୂରଣ କରିବେ।

କାହିଁକି ଲୋକେ ସ୍ୟାଡିଷ୍ଟ ହୁଅନ୍ତି?

ଫୁଏଡ୍‌ଙ୍କ ପରି ମନୋବିଶ୍ଳେଷଣକାରୀମାନେ ପରୀକ୍ଷା କରି ଦେଖିଛନ୍ତି ଯେ, ଏହାର କାରଣ କେତେକାଂଶରେ ସାମାଜିକ ଓ କେତେକାଂଶରେ ମାନସିକ। ଯେଉଁ ସମାଜରେ ମଣିଷ ନିଜର ସ୍ୱାଭାବିକ ଯୌନ-କାମନାକୁ ଅଶ୍ଳୀଳ, ଅସାମାଜିକ ଏବଂ ଲଜ୍ଜା ଓ ସଂକୋଚର ବିଷୟ ଭାବି ବଡ଼ ହୁଏ, ସେଠି ସେ ସବୁବେଳେ ନିଜର  ଯୌନ-ଚେତନାକୁ ଅବଦମନ କରିଥାଏ। ନିଜର ଯୌନ-କାମନା ହେଉଛି, ଏକଥା ସେ ନିଜ ଆଗରେ ମଧ୍ୟ ସ୍ୱୀକାର କରିବାକୁ ରାଜି ହୁଏ ନାହିଁ। ଏପରି ଲୋକ ସ୍ୱାଭାବିକ ଅବସ୍ଥାରେ ଯୌନଉତ୍ତେଜନା ଅନୁଭବ କଲେ ମନରେ ସଙ୍କୋଚ ଓ ଗ୍ଲାନି ଅନୁଭବ କରନ୍ତି, ମାତ୍ର ଯୌନ ସଂଶ୍ରବ ନ ଥାଇ ମିଳୁଥିବା ଯୌନ- ଉତ୍ତେଜନାକୁ ନିର୍ଦ୍ଦୋଷ ମଣନ୍ତି। ଅନ୍ୟ ଲୋକକୁ ବାଡ଼ିଆପିଟା କଲା ବେଳେ ଅଧିକାଂଶ ଲୋକ ମାନସିକ ଉତ୍ତେଜନା ଅନୁଭବ କରନ୍ତି। ଏହି ମାନସିକ ଉତ୍ତେଜନା ମନରେ ଯୌନ-ଉତ୍ତେଜନା ସ୍ଥାନ ଅଧିକାର କରେ। (କେତେ ସ୍ୱାମୀ ସ୍ତ୍ରୀକୁ ନ ବାଡ଼େଇଲେ ସ୍ୱାମୀ-ସ୍ତ୍ରୀର ଦୈହିକ ସମ୍ପର୍କରୁ ସୁଖ ପାଆନ୍ତି ନାହିଁ। ସ୍ତ୍ରୀର ଆକର୍ଷଣୀୟ ରୂପ ଅପେକ୍ଷା, ତାକୁ ଯନ୍ତ୍ରଣା ଦେବାର କ’ଣ ସବୁ ସମ୍ଭାବନା ଅଛି ସେ କଥା କଳ୍ପନା କରି ଏପରି ଲୋକ ଯୌନଉତ୍ତେଜନା ଅନୁଭବ କରନ୍ତି।) ମଣିଷ ଯୌନ-ସଂଶ୍ରବ-ରହିତ ବିଷୟରୁ ଯୌନ-ସୁଖ ଲାଭ କରିପାରୁଥିବାରୁ ବିଭିନ୍ନ ଧରଣର ଯୌନବିକୃତିରେ ପୀଡ଼ିତ ହୁଏ। ମଣିଷ ବ୍ୟତୀତ ଅନ୍ୟ ପ୍ରାଣୀଠାରେ ଯୌନବିକୃତି ଦେଖାଯାଏ ନାହିଁ।

କେତେକ ଶ୍ରେଣୀର ଅପରାଧୀ ରୋଗଗ୍ରସ୍ତ ହେଉଥିବାରୁ ବଦମାସ ହୋଇଥାନ୍ତି। ଏଭଳି ଅପରାଧୀଙ୍କୁ କେବଳ ଦଣ୍ଡଭୟ ଦ୍ୱାରା ଶାସନ କରିବା ସମ୍ଭବ ନୁହେଁ। ଦଣ୍ଡଭୋଗର ସମୟ ପୂରିଗଲେ ସେ ଖଲାସ ହୋଇ ପୁଣି ଆଗପରି ଅପରାଧ କରିପାରେ। ଏଥିଲାଗି ଏମାନଙ୍କର ମାନସିକ ଓ ଶାରୀରିକ ଚିକିତ୍ସା କରିବା ଦରକାର। ଯେଉଁ ଅପରାଧୀ ସ୍ୱଭାବର ତ୍ରୁଟି ଯୋଗୁଁ ସନ୍ତ୍ରାସପୂର୍ଣ୍ଣ ଅପରାଧ କରୁଛି, ତା’ର ମଧ୍ୟ ମାନସିକ ଚିକିତ୍ସା ଦରକାର। କେବଳ ଦଣ୍ଡ ଦେଇ ଖରାପ ସ୍ୱଭାବ ସଂଶୋଧନ କରିବା ପ୍ରାୟ ଅସମ୍ଭବ।

ଭୟ ଯୋଗୁଁ ମଣିଷ ନିଜର ସ୍ୱଭାବକୁ ଗୋପନ କରିବାକୁ ଶିଖେ କିମ୍ବା ସାମୟିକ ଭାବରେ ଦମନ କରିବାକୁ ଶିଖେ; ମାତ୍ର ତା’ର ପ୍ରକୃତ ସ୍ୱଭାବ ଆଗପରି ରହିଥାଏ। କ’ଣ କଲେ ମନରେ କ୍ରୋଧର ଉଦୟ ହେବ ନାହିଁ କିମ୍ବା କ’ଣ କଲେ ନିଜର କ୍ରୋଧକୁ ଶାନ୍ତ କରିହେବ ସେ ସବୁ ବିଷୟ ଉଗ୍ର ସ୍ୱଭାବର ଲୋକଙ୍କୁ ଶିଖାଇବା କଥା। ଯିଏ ଲୋଭ ସମ୍ଭାଳି ନ ପାରି ହିତାହିତ ଜ୍ଞାନ ହରାଇ କୁକାର୍ଯ୍ୟ କରୁଛି ତାକୁ ଲୋଭ ସମ୍ଭାଳିବାକୁ ଶିଖାଇବା ଦରକାର। ଉପଦେଶ ଦେଇ ଏସବୁ ବ୍ୟବହାର ବଦଳେଇବା ସମ୍ଭବ ନୁହେଁ। ସ୍ୱଭାବ ସଂଶୋଧନର ଯେଉଁ ବିଶେଷ କାର୍ଯ୍ୟକ୍ରମମାନ ମନୋବିଜ୍ଞାନୀମାନେ ତିଆରି କରିଛନ୍ତି, ତାକୁ ଅନୁସରଣ କରି ଚଳିଲେ ଧୀରେ ଧୀରେ ଅବାଞ୍ଛିତ ବ୍ୟବହାରଗୁଡ଼ିକ ଚାଲିଯିବ। ଦୀର୍ଘଦିନର କୁଶାସନ ଫଳରେ ମଣିଷର ଅଭ୍ୟାସ ତ୍ରୁଟିଯୁକ୍ତ ହୋଇଥାଏ। ସେଥିଲାଗି ଏଭଳି ଅଭ୍ୟାସ ଦୂର କରିବାକୁ ସମୟ ଲାଗେ। ଭଲ ଅଭ୍ୟାସ କିପରି ଜଣେ ଆୟତ୍ତ କରିବ ସେ କଥା ତାକୁ ତାଲିମ ଦେଇ ଶିଖାଇବାକୁ ପଡ଼େ, କେବଳ ଦଣ୍ଡ ଦେଲେ ମଣିଷ ଖରାପ କାମରୁ ବିରତ ହୁଏ; ମାତ୍ର କ’ଣ କରିବା ଉଚିତ ସେକଥା ଶିଖିପାରେ ନାହିଁ।

ଅନେକ ଲୋକ ଭାବନ୍ତି ଯେ ଅପରାଧୀ ପ୍ରଧାନତଃ ସାମାଜିକ କାରଣରୁ ଅପରାଧ କରୁଥିବାରୁ ସାମାଜିକ ଅବସ୍ଥା ଭଲ ହେଲେ ସେ ଆପେ ଆପେ ଅପରାଧ ପଥ ତ୍ୟାଗ କରି ଭଲ ବାଟରେ ଚାଲିବ। ସାମାଜିକ କାରଣ ଯୋଗୁଁ ହୁଏତ ସ୍ୱଭାବର ତ୍ରୁଟି ହୋଇପାରେ; ମାତ୍ର ସାମାଜିକ ଅବସ୍ଥାର ପରିବର୍ତ୍ତନ ହେଲେ ଏଭଳି ତ୍ରୁଟି ଆପେ ଆପେ ଚାଲିଯାଏ ନାହିଁ। ଯିଏ ପୂର୍ବେ ଘରର ଅଭାବ ଯୋଗୁଁ ଲାଞ୍ଚ ନେଉଥିଲା ସେ ଧନବାନ୍ ହେଲା ପରେ ମଧ୍ୟ ଲାଞ୍ଚ ନେଉଛି। ଅଭାବ ଚାଲିଗଲା ପରେ ଦୁର୍ନୀତି ଛାଡ଼ିଦେଇ ନାହିଁ। ଅଭ୍ୟାସ ଓ ମନୋଭାବର ପରିବର୍ତ୍ତନ ନ ହେଲାଯାକେ ଏପରି ଲୋକ ଅପରାଧର ବାଟ ଛାଡ଼ିବେ ନାହିଁ। ସେଥିଲାଗି ଅପରାଧୀକୁ ଭଲ କରିବାକୁ ହେଲେ ତା’ର ସ୍ୱଭାବ ଓ ଚରିତ୍ରର ସଂଶୋଧନ ଅପରିହାର୍ଯ୍ୟ।

(ଗୀତା ଦାସ ଜଣେ ଜଣାଶୁଣା ମନୋବିଜ୍ଞାନୀ ଓ ଲେଖିକା। ଦୀର୍ଘ ବର୍ଷରୁ ସେ କାନାଡାର ଆଲବର୍ଟା ସହରରେ ରହୁଛନ୍ତି। ତାଙ୍କର ବିଭିନ୍ନ ଓଡ଼ିଆ ବହି ଭିତରେ ‘କୈଶୋରରୁ ଯୌବନ’ ଏକ ଲୋକପ୍ରିୟ କୃତି। ଏହି ପୁସ୍ତକର ବିଭିନ୍ନ ଭାଗ ବା ଅଂଶକୁ ସାଧାରଣରେ ପ୍ରକାଶିତ ଓ ପ୍ରସାରିତ କରିବା ଲାଗି ଲେଖିକା ଓଡ଼ିଶାଲାଇଭକୁ ସଦୟ ଅନୁମତି ପ୍ରଦାନ କରିଛନ୍ତି। -ସମ୍ପାଦକ)

Comment