ଓଡ଼ିଶାଲାଇଭ୍‌ ବ୍ୟୁରୋ

ମିସ୍ ସାଉଥ୍ ଏସିଆ କାନାଡା। ଏଭଳି ପ୍ରତିଯୋଗିତାର ମୁକୁଟ ବିଜୟିନୀ ହୋଇଛନ୍ତି ଜଣେ ଓଡ଼ିଆ ତରୁଣୀ। ସେ ହେଲେ ନିକିତା ଗନ୍ତାୟତ। ଇଞ୍ଜିନିୟରିଂ ଡିଗ୍ରୀ ଓ ଏହାକୁ ବୃତ୍ତି କରିଥିବା ନିକିତା ମଡେଲିଂରେ ବେଶୀ ଆଗ୍ରହ ରଖିବା ସହ ଏଥିରେ ବେଶ୍ ସଫଳ ହୋଇଛନ୍ତି, ଯାହାର ପ୍ରମାଣ ମିସ୍ ସାଉଥ ଏସିଆ କାନାଡା।

ସୁଶ୍ରୀ, ତନ୍ୱୀ, ତଥା ମେଧାବିନୀ ଭଳି ବିଶେଷଣରେ କୁମାରୀ ନିକିତାଙ୍କୁ ବର୍ଣ୍ଣନା କରାଯାଇପାରେ। ଏବେ ସେ କାନାଡାର ଟରଣ୍ଟୋ ସହରରେ ବାସ କରୁଛନ୍ତି। ଇଞ୍ଜିନିୟରିଂ ବୃତ୍ତି ସହ ସେ ସମତାଳରେ ନୃତ୍ୟ, ସଙ୍ଗୀତ ଓ ମଡେଲିଂ ଭଳି ସୌଖୀନ ଅଭ୍ୟାସରେ ଏଭଳି ସନ୍ତୁଳନ ରକ୍ଷା କରି ନାମ ଓ ପ୍ରତିଷ୍ଠା ହାତେଇ ଚାଲିଛନ୍ତି। ନିଜ ବୃତ୍ତିରେ ପ୍ରତିଯୋଗିତା ଓ ଚାପ ଭିତରେ ଥାଇ ମଧ୍ୟ ସେ ମଡେଲିଂ ଦୁନିଆରେ ପାଦ ରଖିଥିଲେ। ଏଥିରେ ସଫଳ ହେବା ତାଙ୍କ ପାଇଁ ଚ୍ୟାଲେଞ୍ଜ ଥିଲା। ସେ ଏହାକୁ ଗ୍ରହଣ କଲେ ଓ ସଫଳ ହେଲେ ମଧ୍ୟ।

ଗତ ଅଗଷ୍ଟ ୫ ତାରିଖରେ ପ୍ରସିଦ୍ଧ ରୋଜ ଥିଏଟର ବ୍ରାମ୍ପଟନରେ ବଡ଼ ସମାରୋହରେ ଶେଷ ହୋଇଥିଲା ଏକ ବିଶ୍ୱସ୍ତରୀୟ ପ୍ରତିଯୋଗିତା। ପ୍ରବାସରେ ଥିବା ଜଣେ ଓଡ଼ିଆ ତରୁଣୀ ହିସାବରେ ସେ ଓଡ଼ିଶାକୁ ଗର୍ବ କରିବାର ସୁଯୋଗ ଆଣିଦେଇଛନ୍ତି। ସମଗ୍ର କାନାଡାରେ ‘ମିସ୍ ସାଉଥ୍ ଏସିଆ କାନାଡା ୨୦୧୭’  ଏବଂ ‘ମିସ୍ ବଲିଉଡ଼ ଦିବା’ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

ଏହି ପ୍ରତିଯୋଗିତା ପ୍ରତି ବର୍ଷ ସ୍ଥାନୀୟ ‘ରାଗ୍ ମଡେଲ୍ସ ଆଣ୍ଡ ଟ୍ୟାଲେଣ୍ଟ ଏଜେନ୍ସି’ ଆନୁକୂଲ୍ୟରେ ଅନୁଷ୍ଠିତ ହୁଏ। ଏଥିରେ ଦକ୍ଷିଣ ଏସିଆର ଦେଶମାନେ ଯଥା- ଭାରତ, ଆଫଗାନିସ୍ଥାନ, ପାକିସ୍ତାନ, ଶ୍ରୀଲଙ୍କା, ନେପାଳ, ଭୂଟାନ, ବାଂଲାଦେଶ ଓ ମାଲ୍ ଡାଇଭ ପ୍ରଭୃତି ରାଷ୍ଟ୍ରରୁ ଆସି କାନାଡାରେ ବାସ କରୁଥିବା ୧୫ରୁ ୩୦ ବର୍ଷୀୟ ତରୁଣୀମାନେ ଏଥିରେ ଅଂଶଗ୍ରହଣ କରିଥାନ୍ତି। ଦକ୍ଷିଣ ଏସିଆର କଳା, ସଂସ୍କୃତି ଓ ମୂଲ୍ୟବୋଧ କିପରି ପାଶ୍ଚାତ୍ୟ ଦେଶଗୁଡ଼ିକରେ ପ୍ରଚାର ପ୍ରସାର ଲାଭ କରିବ, ସେଥିପାଇଁ ଏହି ଅନୁଷ୍ଠାନ ଦକ୍ଷିଣ ଏସିଆର ସୁନ୍ଦରୀ ତରୁଣୀମାନଙ୍କୁ ସୁଯୋଗ ଓ ପୃଷ୍ଠଭୂମି ଯୋଗାଇ ଦେଇଥାଏ। ସୌନ୍ଦର୍ଯ୍ୟ ସହ ମେଧା, ଉଭୟ ଦକ୍ଷତା ଓ ଗୁଣ ଏହି ପ୍ରତିଯୋଗିତାରେ ନିରୂପଣ କରାଯାଏ।

ଟରୋଣ୍ଟୋ ନିବାସୀ ଶୁଭେନ୍ଦୁ ଗନ୍ତାୟତ ଓ ନନ୍ଦିତା ଗନ୍ତାୟତଙ୍କ ସାନଝିଅ ହେଉଛନ୍ତି ନିକିତା। ବାପାଙ୍କ ପକ୍ଷରୁ ଓଡ଼ିଆ ନିବାସୀ ପୂର୍ଣ୍ଣେନ୍ଦୁ ବ୍ରଜମୋହନ ଓ ସୁପ୍ରୀତି ଗନ୍ତାୟତଙ୍କ ସେ ନାତୁଣୀ। ସେହିପରି ମାଆଙ୍କ ପକ୍ଷରୁ ଗୋକୁଳାନନ୍ଦ ମିଶ୍ର ଓ ମିନତି ମିଶ୍ରଙ୍କର ସେ ନାତୁଣୀ ଅଟନ୍ତି। ନିକିତା ଗନ୍ତାୟତ ନିକଟ ଅତୀତରେ କାନାଡାରେ ଥିବା ପ୍ରସିଦ୍ଧ ୱାଟରଲୁ ବିଶ୍ୱବିଦ୍ୟାଳୟରୁ ମ୍ୟାନେଜମେଣ୍ଟ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଛନ୍ତି।

ଏବେ ସେ ଟରୋଣ୍ଟୋ ସହରରେ ଥିବା ଡେଲଏଟ୍ କାନାଡାରେ ଜଣେ ଯନ୍ତ୍ରୀ ଭାବେ କାମ କରିବେ। ଅବସର ସମୟକୁ ସେ ନୃତ୍ୟ, ସଙ୍ଗୀତ ଓ ମଡେଲିଂରେ ଦିଅନ୍ତି। ଏହା ବ୍ୟତୀତ ଓଡ଼ିଆ ସଂସ୍କୃତିକୁ ଓଡ଼ିଶା ବାହାରେ ପ୍ରଚାର ପ୍ରସାର କରିବା ପାଇଁ ମଧ୍ୟ ସେ କାମ କରୁଛନ୍ତି। ‘କାଞ୍ଚି ଅଭିଯାନ’ ପରି ଓଡ଼ିଆ ଗୀତିନାଟ୍ୟ ଓ ଅନ୍ୟ ଓଡ଼ିଆ ସଙ୍ଗୀତ ଉପରେ ଆଧାରିତ ନୃତ୍ୟ ‘ଓଡ଼ିଶା ସୋସାଇଟି କାନାଡା ଆମେରିକା’ର ମଞ୍ଚରେ ସେ ପରିବେଷଣ କରିଛନ୍ତି। ଅନ୍ୟ ସମାଜ କଲ୍ୟାଣ କାର୍ଯ୍ୟରେ ମଧ୍ୟ ନିକିତା ଆଗ୍ରହ ରଖିଛନ୍ତି।

Tags: Miss South Asia Canada, Miss Bollywood Diva, Kumari Nikita, Odisha Society Canada America, Nikita, RAAG Models and Agency

1 COMMENT

Comment