ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାରେ ନିଠାରୀ ଭଳି ଲୋମହର୍ଷକ ଘଟଣା। ପୋଲିସ ହାତରେ ଧରାପଡ଼ିଥିବା ହତ୍ୟାକାରୀ ବୁଦ୍ଧଦେବ ବେହେରା ଏହି କାହାଣୀର ଖଳନାୟକ। ବାପା-ମା’ ତାର ନାଁ ଦେଇଥିଲେ ବୁଦ୍ଧଦେବ। ହେଲେ ଏହି ହୀନ ଅପରାଧପ୍ରବଣ ମଣିଷ ପାଞ୍ଚ ପାଞ୍ଚ ଜଣ ମହିଳାଙ୍କୁ ଦୁଷ୍କର୍ମ ପରେ ଜଘଣ୍ୟ ଭାବେ ହତ୍ୟା କରିଥିବା ଘଟଣାରୁ ଏବେ ପରଦା ଉଠିଛି।

ଏହି ନିଷ୍ଠୁର ଓ ଯୌନପିପାସୁ ହତ୍ୟାକାରୀର ବୟସ ୩୧। ଘର ଦେବଗଡ଼ ଜିଲ୍ଲାରେ। ବିଭିନ୍ନ ସ୍ଥାନରେ ସେ ଭିନ୍ନ ଭିନ୍ନ ନିଜର ପରିଚୟ ଦେଇଆସିଛି। କେତେବେଳେ ରାଜନ୍‍, କେଉଁଠି ଜିତୁ ଓ କେତେବେଳେ ରାଜେଶ। ତା’ର ଅପରାଧର କାହାଣୀ କେବଳ ଓଡ଼ିଶା ମଧ୍ୟରେ ସୀମିତ ହୋ‍ଇରହିନାହିଁ, ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ ମଧ୍ୟ ସେ ଏପରି ଜଘନ୍ୟ ଅପରାଧ ଘଟାଇଥିବା ପୋଲିସ ନିକଟରେ ସେ ସ୍ୱୀକାର କରିଛି।

ବୁଦ୍ଧଦେବର ଅପରାଧର ଷ୍ଟାଇଲ୍‍ ନିଆରା। ପ୍ରଥମେ ସେ ପ୍ରେମର ନାଟକ କରି ସୁନ୍ଦରୀ ଯୁବତୀ ବା ମହିଳାଙ୍କୁ ଫସାଇଥାଏ। କିଛି ଦିନ ମଧ୍ୟରେ ବିଶ୍ୱାସ ଜନ୍ମାଇବା ପରେ କୌଣସି ନିର୍ଜନ ସ୍ଥାନକୁ ସେ ଡାକିନେଇ ମୃଦୁ ପାନୀୟରେ ନିଶା ଢାଳିଦେଇଥାଏ। ପରେ ନିଶାଗ୍ରସ୍ତ ଅବସ୍ଥାର ସୁଯୋଗ ନେଇ ମହିଳାଙ୍କୁ ଦୁଷ୍କର୍ମ କରାଇବାକୁ ପଛାଇନଥାଏ ବୁଦ୍ଧଦେବ। ହେଲେ ସେଇଠି ସରେ ନାହିଁ ତା’ର ଅପରାଧର ପ୍ଲଟ୍‍। ଦୁଷ୍କର୍ମ ପରେ ଛୁରୀରେ ଗଳା କାଟି ଅତି ନୃଶଂସ ଭାବରେ ହତ୍ୟା କରିବା ସହ ବୁଦ୍ଧଦେବ ବେହେରା ତା’ର ଟାର୍ଗେଟ ଶେଷ କରିଥାଏ।

ଏହିପରି ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ୫ଟି ଘଟଣା ଘଟାଇବାକୁ ସକ୍ଷମ ହୋ‍ଇଛି ସେ। ଓଡ଼ିଶାର ଯାଜପୁର, ବରି ଓ ଦେବଗଡ଼, ଆନ୍ଧ୍ରପ୍ରଦେଶର ଚିଲପୁର ଏବଂ ଓଡ଼ିଶା-ଝାଡ଼ଖଣ୍ଡର ସୀମାରେ ଥିବା ନୂଆଗାଁରେ ଗୋଟିଏ ପରେ ଗୋଟିଏ ଚାରୋଟି ହତ୍ୟାକାଣ୍ଡ କରି ସେ ପୋଲିସ ଆଖିରୁ ଖସିଯାଇଥିଲା। ହେଲେ ପଞ୍ଚମ ହତ୍ୟାକାଣ୍ଡ ପରେ ପୋଲିସ ପଞ୍ଝାରୁ ମୁକୁଳିପାରିନଥିଲା ସେ।

ଅଗଷ୍ଟ ୧ ତାରିଖ ରାତିରେ ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳ ଅନ୍ତର୍ଗତ ଜଗଦଳପୁର ଜଙ୍ଗଲରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିଥିଲା ବୁଦ୍ଧଦେବ ବେହେରା। ଜୁଲାଇ ୧୪ ତାରିଖରେ ସେ ଏହି ମହିଳାଙ୍କୁ ବସ୍‌ ଯୋଗେ ଆନ୍ଧ୍ରପ୍ରଦେଶରୁ ବ୍ରହ୍ମପୁର ଆଣିଥିଲା। ସେଠାରୁ ଟ୍ରେନ୍‌ରେ ଜଟଣି ଓ ଜଟଣୀରୁ ସେହି ଜଙ୍ଗଲକୁ ନେଇଥିଲା। ଅନ୍ୟ ଚାରୋଟି ଘଟଣା ପରି ବୁଦ୍ଧଦେବ ତା’ର ଅପରାଧର ପ୍ଲଟକୁ ଦୋହରାଇବାରେ ସକ୍ଷମ ହୋ‍ଇଥିଲା।

ବୁଦ୍ଧଦେବର ଅପରେସନ ଷ୍ଟାଇଲ୍‍ ଭିତରେ ରହିଛି ଗୋଟିଏ ଜିନିଷ ଯାହା ବଳରେ ସେ ପୋଲିସକୁ ଚକମା ଦେଇଆସୁଥିଲା। ପ୍ରତି ହତ୍ୟାକାଣ୍ଡ ପରେ ସେ ଭିନ୍ନ ଭିନ୍ନ ବ୍ୟକ୍ତିଙ୍କ ପରିଚୟପତ୍ର ବା ଏଟିଏମ କାର୍ଡ ଆଦି ଘଟଣାସ୍ଥଳରେ ପକାଇ ଦେଉଥିଲା। ଅନେକ ସମୟରେ ଏହା ପୋଲିସ ତଦନ୍ତକୁ ବିଭ୍ରାନ୍ତ କରୁଥିଲା। ପଞ୍ଚମ ଘଟଣା ପରେ ମଧ୍ୟ ମହିଳାଙ୍କୁ ହତ୍ୟା ପରେ ଝାଡ଼ଖଣ୍ଡର ସୁନିଲ୍‍ ମାହାତୋଙ୍କ ନାଁରେ ଥିବା ଏଟିଏମ କାର୍ଡ ଏବଂ ଗ୍ରୀନ୍‍ କାର୍ଡ ହତ୍ୟାକାଣ୍ଡସ୍ଥଳରେ ପକାଇଦେଇ ସେ ଫେରାର ହୋ‌ଇଯାଇଥିଲା।

ଏହିସବୁ ଜଘନ୍ୟ ଘଟଣାର ଅଭିଯୁକ୍ତ ବୁଦ୍ଧଦେବ ବିବାହିତ। ସ୍ତ୍ରୀଙ୍କୁ ଯୌତୁକ ନିର୍ଯାତନା ଦେବା ଘଟଣାରେ ପୋଲିସ ତାଙ୍କୁ ଗିରଫ କରିଥିଲା। ହେଲେ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବାବେଳେ ସେ ପୋଲିସଙ୍କୁ ଚକମା ଦେଇ ସେଠାରୁ ଖସିଯାଇଥିଲେ। ତା’ଠାରୁ ପୋଲିସ ତା’ର ଶେଷ ଶିକାର ହୋ‌ଇଥିବା ମହିଳାଙ୍କ ମୋବାଇଲ ଫୋନ ସହ ବିଭିନ୍ନ ଭୋଟର ପରିଚୟ ପତ୍ର, ଆଧାର କାର୍ଡ ପୋଲିସ ଜବତ କରିଛି।

Tags: Buddhadev, Killer, Rape and Murder

LEAVE A REPLY

Please enter your comment!
Please enter your name here