ଓଡ଼ିଶାଲାଇଭ୍‌ ବ୍ୟୁରୋ 

ତେଲେଙ୍ଗାନାରେ ଏକ ମହିଳା ଡାକ୍ତର ସକାଳୁ ଡ୍ୟୁଟିରେ ଡାକ୍ତରଖାନାକୁ ବାହାରିଥିଲେ। ଫେରିବା ସମୟରେ ରାସ୍ତାରେ ମହିଳାଙ୍କ ସ୍କୁଟି ପଞ୍ଚର୍‌ ହୋଇଗଲା। ଏବିଷୟରେ ମହିଳାଜଣକ ନିଜ ଭଉଣୀଙ୍କୁ ଫୋନ କରି ଜଣାଇ କହିଥିଲେ ଯେ, କିଛି ଲୋକ ତାଙ୍କୁ ସାହାଯ୍ୟ କରିବାକୁ ଆସିଛନ୍ତି। ଏହାପରଠୁ ମହିଳାଙ୍କ ମୋବାଇଲ ସୁଇଚ୍‌ ଅଫ୍‌। ପରଦିନ ସକାଳୁ ମହିଳାଙ୍କ ପୋଡ଼ା ମୃତ ଦେହ ଉଦ୍ଧାର କରାଯାଇଛି।

ଏଭଳି ଚାଞ୍ଚଲ୍ୟକର ଖବର ଆସିଛି ତେଲେଙ୍ଗାନା ରାଜ୍ୟର ହାଇଦ୍ରାବାଦ୍‌ ସହରରେ। ମୃତ ପୀଡ଼ିତା ଡାକ୍ତରଙ୍କୁ ପ୍ରଥମେ ଗଣଦୁଷ୍କର୍ମ ଏବଂ ପରେ ନିଆଁ ଲଗାଇ ପୋଡ଼ି ହତ୍ୟା କରାଯାଇଥିବା ସୂଚନା ମିଳିଛି। ଏହି ଘଟଣାରେ ପୋଲିସ୍‌ ସିସିଟିଭି ଫୁଟେଜ୍‌କୁ ଆଧାର କରି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଘଟଣା ଟେଣ୍ଡ୍‌ ହେବାରେ ଲାଗିଛି।

ପୀଡ଼ିତା ଡାକ୍ତର ବୁଧବାର ସକାଳେ ନିଜ ଘର ସମ୍ସାବାଦ୍‌ରୁ କୋଲ୍ଲୁରସ୍ଥିତ ପଶୁ ଡାକ୍ତରଖାନାକୁ ଯାଇଥିଲେ। ସନ୍ଧ୍ୟାରେ ଘରକୁ ଫେରିବା ସମୟରେ ଟୋଲ୍‌ ଗେଟ୍‌ ପାଖରେ ତାଙ୍କ ସ୍କୁଟି ପମ୍ପଚର୍‌ ହୋଇଯାଇଥିଲା। ଏବିଷୟରେ ସେ ନିଜ ଭଉଣୀଙ୍କୁ ଫୋନ୍‌ କରି ଜଣାଇଥିଲେ।

ଟୋଲ୍‌ ଗେଟ୍‌ରୁ କ୍ୟାବ୍‌ ବୁକ୍‌ କରି ଘରକୁ ଫେରିବା ପାଇଁ ଭଉଣୀ ପରାମର୍ଶ ଦେଇଥିଲେ। ଏହି ସମୟରେ କିଛି ଲୋକ ତାଙ୍କୁ ସହାୟତା କରିବାକୁ ଆସିଥିବା କହି ପୀଡ଼ିତା ଫୋନ୍‌ ରଖୁଛି ବୋଲି କହିଥିଲେ। ଏହା ପରଠୁ ତାଙ୍କ ତାଙ୍କ ମୋବାଇଲ୍‌ ଫୋନ୍‌ ସୁଇଚ୍‌ ଅଫ୍‌ ହୋଇଯାଇଥିଲା।

ଏହାପରେ ପରିବାର ଲୋକେ ଟୋଲ୍‌ ଗେଟ୍‌ ପାଖକୁ ଆସି ପୀଡ଼ିତାଙ୍କୁ ଖୋଜାଖୋଜି କରିଥିଲେ। ହେଲେ ତାଙ୍କର କୌଣସି ଖୋଜ୍‌ ଖବର ମିଳିନଥିଲା। ଏନେଇ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ। ପୋଲିସ୍‌ ଘଟଣାର ତଦନ୍ତ କରି ପୀଡ଼ିତାଙ୍କୁ ଖୋଜିବାରେ ଲାଗିଥିଲା। ହେଲେ ଗୁରୁବାର ସାଦ୍‌ନଗର ଅଣ୍ଡରପାସ୍‌ ନିକଟରୁ ପୀଡ଼ିତାଙ୍କ ଜଳିଯାଇଥିବା ମୃତ ଦେହ ଉଦ୍ଧାର କରିଛି ପୋଲିସ।

ଘଟଣାର ତଦନ୍ତ କରିବାପରେ ପୋଲିସ ହାତରେ ଲାଗିଥିଲା ମୃତ ପୀଡ଼ିତାଙ୍କ ସ୍କୁଟି। ସ୍କୁଟିକୁ ନିକଟରେ ଥିବା ଏକ ଗ୍ୟାରେଜ୍‌ରୁ ପୋଲିସ୍‌ ଜବତ କରିଛି। ଏନେଇ ଗ୍ୟାରେଜ ମାଲିକ କହିଛନ୍ତି ଯେ, ରାତି ପ୍ରାୟ ସାଢ଼େ ୯ଟାରେ ଜଣେ ବ୍ୟକ୍ତି ସ୍କୁଟିକୁ ମରାମତି ପାଇଁ ଆଣିଥିଲା ଏବଂ ଏହି ଠାରେ ଛାଡ଼ି ଦେଇଯାଇଛି।

ପୋଲିସ ଏହି ଘଟଣାରେ ହତ୍ୟା ମାମଲା ରୁଜ୍ଜୁ କରି ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଟ୍ରକ୍ ଚାଳକ ଥିବା ବେଳେ ଆଉ ଜଣେ ସଫେଇ କର୍ମଚାରୀ ଥିବା ସୂଚନା ମିଳିଛି।

ପୋଲିସ କହିବା ଅନୁଯାୟୀ, ୪ଜଣ ଅଭିଯୁକ୍ତ ଜାଣିଶୁଣି ପ୍ରଥମେ ପୀଡ଼ିତାଙ୍କ ଟାୟାର ପଞ୍ଚର୍‌ କରିବା ପରେ ସାହାଯ୍ୟର ହାତ ବଢ଼ାଇଥିଲେ। ଏହାପରେ ପୀଡ଼ିତାଙ୍କୁ ଏକ ଜନଶୂନ୍ୟ ସ୍ଥାନକୁ ନେଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ହେଲେ ଧରାପଡ଼ିଯିବା ଭୟରେ ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ହତ୍ୟା କରିଥିବା ପୋଲିସ୍‌ କହିଛି। ହତ୍ୟା କରିବା ପରେ ଅଭିଯୁକ୍ତମାନେ ପୀଡ଼ିତାଙ୍କୁ କିରୋସିନ ଢ଼ାଳି ନିଆଁ ଲଗାଇ ଦେଇଥିଲେ।

LEAVE A REPLY

Please enter your comment!
Please enter your name here