ଓଡ଼ିଶାଲାଇଭ୍‌ ବ୍ୟୁରୋ

ପଞ୍ଚାୟତ ନିର୍ବାଚନରେ ବିଜେଡିର ୩ ପ୍ରତିଶତ ଭୋଟହାର ହ୍ରାସ ପାଇଥିଲା। ଏହାକୁ ନେଇ ବିଜେଡିର ତୁଙ୍ଗ ନେତା ଏବଂ ସୁପ୍ରିମୋ ନବୀନ ପଟ୍ଟନାୟକ ଚିନ୍ତାରେ ପଡ଼ିଥିଲେ। ୨୦୧୯ ନିର୍ବାଚନରେ କେଉଁ ପ୍ରସଙ୍ଗକୁ ନେଇ ଦଳ ଭୋଟରଙ୍କ ନିକଟତର ହେବ ତାକୁ ନେଇ ଭାଳେଣି ପଡିଥିଲା। କାରଣ ଭାରତୀୟ ଜନତା ପାର୍ଟି ଓଡ଼ିଶା ଦଖଲ ଅଭିଯାନକୁ ଯେମିତି ଜୋରଦାର କରିଛି ସେଥିରେ ବିଜେଡିର ସବୁ ଅସ୍ତ୍ର ଫେଲ୍‍ ମାରି ଯାଇଥିଲା। ଶେଷରେ ପଞ୍ଚାୟତ ନିର୍ବାଚନ ଫଳ ବାହାରିବାର ୩ ମାସ ପରେ ବିଜେଡି ହାତକୁ ନୂଆ ଅସ୍ତ୍ର ଆସିଛି। ୫ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପଛରେ ପକାଇ ନବୀନ ଶ୍ରେଷ୍ଠ ପ୍ରଶାସକର ମୁକୁଟ ପିନ୍ଧିଛନ୍ତି।

ଦେଶର ପ୍ରତିଷ୍ଠିତ ଇଂରାଜୀ ପତ୍ରିକା ‘ଆଉଟ ଲୁକ୍‍’ ଏହି ସମ୍ମାନ ପ୍ରଦାନ କରିଥିବାରୁ ଏବେ ବିଜେଡି ନେତାମାନେ ସୋସିଆଲ ମିଡିଆରେ ଏହାକୁ ପୋଷ୍ଟକରି ୨୦୧୮ ପୌର ଏବଂ ୨୦୧୯ ସାଧାରଣ ନିର୍ବାଚନ ପାଇଁ କ୍ଷେତ୍ର ପ୍ରସ୍ତୁତ କରିବାରେ ଲାଗିପଡ଼ିଛନ୍ତି। ବିରୋଧୀଙ୍କ ଅପପ୍ରଚାରକୁ ଧୁଳିସାତ କରିବା ପାଇଁ ଦଳୀୟ ନେତାମାନେ ଉଦ୍ୟମ ଆରମ୍ଭ କରିଛନ୍ତି। ତେବେ ଜାତୀୟ ଗଣମାଧ୍ୟମରେ ନବୀନ ବାରମ୍ବାର ଚର୍ଚ୍ଚାରେ ରହୁଥିବାରୁ ବିରୋଧୀ ଏହାକୁ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି। ଏହାକୁ ପ୍ରୟୋଜିତ ବୋଲି ବିରୋଧୀ ସମାଲୋଚନା କରୁଛନ୍ତି।

କାହିଁକି ଜାତୀୟ ଗଣମାଧ୍ୟମ?

ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ରେଜ୍‍ ଜାତୀୟ ଗଣମାଧ୍ୟମରେ ବାରମ୍ବାର ବଢ଼ି ଚାଲିଛି। ପ୍ରତିଷ୍ଠିତ ପତ୍ରିକା ‘ଇଣ୍ଡିଆ ଟୁଡେ’ ସର୍ଭେଠାରୁ ଆରମ୍ଭ କରି ଏନଡିଟିଭି ଓପିନିଅନ ପୋଲରେ ନବୀନ ତାଙ୍କ ସ୍ୱତନ୍ତ୍ରତା ବଜାୟ ରଖିଆସିଛନ୍ତି। ତେବେ ପ୍ରଶ୍ନ ଉଠୁଛି ଓଡ଼ିଶାରେ ଏତେସବୁ ଗଣମାଧ୍ୟମ ରହିଥିବା ବେଳେ ୧୭ ବର୍ଷର ଶାସନ କାଳ ମଧ୍ୟରେ ନବୀନଙ୍କୁ କେହି ଶୀର୍ଷ ସ୍ଥାନରେ ରଖିନାହାନ୍ତି।

କେବଳ ଇଟିଭି ଓଡ଼ିଆ ପକ୍ଷରୁ ନବୀନଙ୍କୁ ‘ପ୍ରିୟ ଓଡ଼ିଆ’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ତା’ଛଡା ଅନ୍ୟ ଗଣମାଧ୍ୟମ ନବୀନଙ୍କ ନେତୃତ୍ୱାଧୀନ ଶାସନ କଳର ଦୋଷ ଦୁର୍ବଳତାକୁ ସବୁବେଳେ ପଦାରେ ପକାଇବା ପାଇଁ ଉଦ୍ୟମ କରିଆସିଛନ୍ତି। ଏଣୁ ଓଡିଶାରେ ନବୀନ ଏବଂ ଦଳର କ୍ରେଜ୍‍ ବଢ଼ାଇବା ପାଇଁ ବିଜେଡି ନେତାମାନେ ଜାତୀୟ ଗଣମାଧ୍ୟମକୁ ଅସ୍ତ୍ର କରିଥିବା ଚର୍ଚ୍ଚା ହେଉଛି।

ପ୍ରଥମ କଥା ହେଉଛି ବିଭିନ୍ନ ରାଜ୍ୟରେ ଜାତୀୟ ଗଣମାଧ୍ୟମର ଏକ ସ୍ୱତନ୍ତ୍ରତା ରହିଛି । ଏଣୁ ଯଦି କୌଣସି ନେତାଙ୍କୁ ଜାତୀୟ ସ୍ତରରେ ସମ୍ମାନିତ କରାଯାଉଛି ତାହାଲେ ଏହାକୁ ପ୍ରଚାର ପ୍ରସାର ପାଇଁ ଏକ ଭଲ ମଉକା ବୋଲି ବିବେଚନା କରାଯାଉଛି, ଯାହା ଏବେ ବିଜେଡି ନେତା ଏବଂ କର୍ମୀମାନେ କରୁଛନ୍ତି।

୨୦୦୪ ସେପ୍ଟେମ୍ବରରେ ଇଣ୍ଡିଆ ଟୁଡେ ପକ୍ଷରୁ କରାଯାଇଥିବା ଓପିନିଅନ୍‍ ପୋଲରେ ନବୀନଙ୍କୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ରଖାଯାଇଥିଲା। ଏହାକୁ ଦଳ ପକ୍ଷରୁ ବ୍ୟାପକ ପ୍ରଚାର ପ୍ରସାର କରାଯାଇଥିଲା। ସେହିପରି ନିକଟରେ ଏନଡିଟିଭି ତରଫରୁ ହୋଇଥିବା ସର୍ଭେରେ ନବୀନଙ୍କୁ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ତାଲିକାରେ ରଖାଯାଇଥିଲା। ପୁଣି ଆଉଟ୍‌ଲୁକ୍‍ ପକ୍ଷରୁ ତାଙ୍କୁ ‘ଶ୍ରେଷ୍ଠ ପ୍ରଶାସକ’ ସମ୍ମାନରେ ସମ୍ମାନିତ କରାଯାଇଥିବାରୁ ଦଳୀୟ ନେତା ଓ କର୍ମୀ ଉତ୍ସାହିତ ହୋଇଯାଇଛନ୍ତି।

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କଠାରୁ ନବୀନ ଗ୍ରହଣ କରୁଥିବା ପୁରସ୍କାରର ଫଟୋ ବିଭିନ୍ନ ସୋସିଆଲ ମିଡିଆରେ ଛାଇ ହୋଇଯାଇଛି। ଏହାକୁ ବିଜେଡି ପ୍ରମୁଖ ଅସ୍ତ୍ର ଭାବେ ପ୍ରୟୋଗ କରି ଭୋଟରଙ୍କ ନିକଟତର ହେବ ବୋଲି କୁହାଯାଉଛି। ଦ୍ୱିତୀୟ କଥା ହେଉଛି ବିଜେପି ତୃଣମୂଳ ସ୍ତରରେ ଯେଉଁଭଳି କାର୍ଯ୍ୟକ୍ରମ ଆୟୋଜନ କରୁଛି ସେଥିରେ ବିଜେଡି ନେତମାନେ ଚିନ୍ତାରେ ପଡ଼ିଯାଇଥିଲେ। ଏଣୁ ନବୀନଙ୍କ କ୍ରେଜକୁ ଆୟୁଧ କରି ବିଜେଡି ଏବେ ବିଜେପିକୁ କାଉଣ୍ଟର କରିବାକୁ ଚେଷ୍ଟା ଚଳାଇଛି।

ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ନବୀନ ଆମେରିକାରୁ ଓଡ଼ିଶା ଫେରି ଆସିଥିଲେ। ଆସ୍କା ଲୋକସଭା ନିର୍ବାଚନମଣ୍ଡଳୀରେ ଅନୁଷ୍ଠିତ ଉପ-ନିର୍ବାଚନରେ ସେ ପ୍ରଥମ ଥର ପାଇଁ ଲଢ଼ି ଲୋକସଭା ଯାଇଥିଲେ। ୧୯୯୮ରେ ବିଜୁ ଜନତା ଦଳ ଗଠନ ହେବା ପରେ ପୁଣି ଥରେ ସାଂସଦ ଭାବେ ନିର୍ବାଚିତ ହୋଇ ଲୋକସଭା ଯାଇଥିଲେ। ୨୦୦୦ ମସିହାଠାରୁ ଏପର୍ଯ୍ୟନ୍ତ ନବୀନ ମୁଖ୍ୟମନ୍ତ୍ରୀ ଗାଦିରେ ବସି ନିରଙ୍କୁଶ ଶାସନ କରିଆସୁଛନ୍ତି। ବିରୋଧୀଙ୍କ ସମାଲୋଚନାକୁ ଧରାଶାୟୀ କରି ଗୋଟିଏ ପରେ ଗୋଟି ସଫଳତାର ପାହାଚ ଚଢ଼ି ଚାଲିଛନ୍ତି ନବୀନ।

(ପ୍ରସ୍ତୁତି: ସରୋଜ)

Tags: Naveen Patnaik, Chief Minister,Best Administrator, BJD, Outlook Magazine, Naveen Patnaik, Pranab Mukherjee, BJP, Saroj, India Today, ETv Odia

Comment