ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତର ପ୍ରାୟ ୮ କୋଟି ୩୦ ଲକ୍ଷ ମୁସଲିମ୍ ମହିଳାଙ୍କୁ ନ୍ୟାୟ ଦେବା ପାଇଁ ଲଢେଇ କରୁଥିବା ସାୟରା ବାନୋଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। ହେଲେ କିଏ ଏହି ସାୟରା ବାନୋ? ଶହ ଶହ ବର୍ଷର ପ୍ରଥା ବିରୋଧରେ କାହିଁକି ସ୍ୱର ଉତ୍ତୋଳନ କଲେ? ଆସନ୍ତୁ ଜାଣିବା ମୁସଲିମ ମହିଳାଙ୍କୁ ରାହା ଦେଖାଇଥିବା ସାୟରାଙ୍କ ସଂପର୍କରେ।

ଉତ୍ତରାଖଣ୍ଡର କାଶୀପୁରରେ ସାୟରା ବାନୋଙ୍କ ଘର। ୨୦୦୨ ମସିହାରେ ତାଙ୍କର ବିବାହ ହୋଇଥିଲା ଆହ୍ଲାବାଦର ଜଣେ ବ୍ୟବସାୟୀ ରିଜଓ୍ୱାନଙ୍କ ସହ।

ବିବାହ ପରେ ପରେ ଯୌତୁକ ନିର୍ଯାତନାର ଶିକାର ହେଲେ ସାୟରା। ତାଙ୍କ ବାପାମାଆ ନିଜ ସାଧ୍ୟମତେ ଶ୍ୱଶୁର ଘରର ଦାବି ପୂରଣ କରିବାକୁ ଚେଷ୍ଠା କଲେ। ହେଲେ ଦିନକୁ ଦିନ ସେମାନଙ୍କ ଦାବି ବଢିବାରେ ଲାଗିଲା।

ଚାରିଚକିଆ ଗାଡ଼ି ପାଇଁ ୫ ଲକ୍ଷ ଟଙ୍କା ବାପଘରୁ ଆଣିବାକୁ ତାଙ୍କ ଉପରେ ଚାପ ପଡ଼ିଲା। ତେବେ ବାପାମାଆଙ୍କ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବାରୁ ଶ୍ୱଶୁର ଘରର ଦାବି ପୂରଣ ହୋଇପାରିନଥିଲା। ଏପଟେ ସାୟରାଙ୍କ ଆଉ ଜଣେ ଅବିବାହିତ ଭଉଣୀ ଥିବାରୁ ତାଙ୍କ ବାପାମାଆଙ୍କ ପକ୍ଷରେ ଯୌତୁକ ଦେବା ସମ୍ଭବ ନଥିଲା। ଏହା ପରେ ସାୟରାଙ୍କ ଉପରେ ନିର୍ଯାତନା ବଢିବାରେ ଲାଗିଲା।

ଏହା ଭିତରେ ସେ ୧୩ ବର୍ଷର ପୁଅ ଓ ୧୧ ବର୍ଷର ଝିଅର ମାଆ ମଧ୍ୟ ହୋଇସାରିଥିଲେ। ହେଲେ ନିର୍ଯାତନା କମୁନଥିଲା। ପ୍ରାୟ ପ୍ରତ୍ୟେକ ଦିନ ତାଙ୍କୁ ମାଡ଼ ମରାଯାଉଥିଲା। ସ୍ୱାମୀ ରିଜୱାନ ଟିକେ ଟିକେ କଥାରେ ମାଡ଼ ଗାଳି ଦେଉଥିଲେ। ୬ ଥର ତାଙ୍କର ଗର୍ଭପାତ ମଧ୍ୟ କରାଇଥିଲେ ରିଜୱାନ।

ସାୟରା କହନ୍ତି ଯେ ଅତ୍ୟଧିକ ଗର୍ଭନିରୋଧକ ବଟିକା ଖାଇବା ଏବଂ ବାରମ୍ବାର ଗର୍ଭପାତ କରିବା ପରେ ତାଙ୍କ ସ୍ୱାସ୍ଥାବସ୍ଥା ବିଗିଡ଼ି ଯାଇଥିଲା। ଭୀଷଣ ଅସୁସ୍ଥ ହୋଇପଡିବାରୁ ଗତବର୍ଷ ଏପ୍ରିଲ ମାସରେ ସେ ତାଙ୍କ ବାପଘରକୁ ଯାଇଥିଲେ। ସେଠାକୁ ତାଙ୍କୁ ଦେଖିବା ପାଇଁ ସ୍ୱାମୀ, ଶ୍ୱଶୁର କିମ୍ବା ଅନ୍ୟ କେହି ଆସିନଥିଲେ। ମାତ୍ର ଏହାର ୫ ମାସ ପରେ ତାଙ୍କ ନିକଟକୁ ଏକ ଟେଲିଗ୍ରାମ ପଠାଯାଇଥିଲା। ସେଥିରେ ତଲାକ୍ ତଲାକ୍ ତଲାକ୍ ତିନି ଥର ଲେଖାଯାଇଥିଲା।

ଏହି ଟେଲିଗ୍ରାମ ସେ ଜଣେ କାଜିକୁ ଦେଖାଇଥିଲେ। ସେ ଏହାକୁ ‘ସାରିଆ ସମ୍ମତ’ ବୋଲି କହିଥିଲେ। ଏହା ପରେ ଆଇନଗତ ଲଢେଇ ପାଇଁ ପଦାକୁ ବାହାରିଥିଲେ ସାୟରା ବାନୋ।

ସେ କହିଛନ୍ତି ଯେ ବର୍ଷେ ହେଲା ନିଜ ପୁଅ, ଝିଅଙ୍କଠାରୁ ତାଙ୍କୁ ଦୂରେଇ ରଖାଯାଇଛି। ଏପରିକି ନିଜ ପିଲାଙ୍କ ସହ ଫୋନ ଯୋଗେ କଥାବାର୍ତ୍ତା କରିବା ପାଇଁ ସୁଯୋଗ ମଧ୍ୟ ଦେଉନାହାନ୍ତି ତାଙ୍କ ଶ୍ୱଶୁର ଘର ଲୋକ।

ଆହୁରି ମଧ୍ୟ ସେ କହିଛନ୍ତି ଯେ ମୁଁ ଯେଉଁ ନିର୍ଯାତନା ଭୋଗିଛି, ତାହା ଆଉ କେହି ମୁସଲିମ୍ ମହିଳା ନ ଭୋଗନ୍ତୁ। ଏଥିପାଇଁ ଏ ସଂଗ୍ରାମ ଜାରି ରହିବ।

Tags: Shayara Bano, Afreen Rahman, Bharatiya Muslim Mahila, Indian Muslim Women, Saria Sammat, Talaaq, Divorce, Tini Talaaq, Triple talaaq, Triple Divorce, Telegram Divorce, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

Comment