ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତା ୨୦୧୯ ସାଧାରଣ ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ପୂରା ପ୍ରସ୍ତୁତ। ଏହା ସ୍ପଷ୍ଟ ହୋଇଛି ବିଜେପିର ଦୁଇ ଦିନ ଧରି ଅନୁଷ୍ଠିତ ରାଜ୍ୟ କାର୍ଯ୍ୟକାରିଣୀରୁ। ଦଳର ଆଖି ଏବେ ଓଡ଼ିଶା ବିଧାନସଭା ନିର୍ବାଚନ ଉପରେ ଯେତେ ନୁହେଁ, ତା’ଠାରୁ ଅଧିକ ଦୃଷ୍ଟି ୨୧ ସଂସଦୀୟ ଆସନ ଉପରେ। ଏଥିପାଇଁ ଦଳର ୫ ଜଣ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି।

ମଙ୍ଗଳବାର ଦିନ ଶେଷ ହୋଇଛି ବିଜେପିର ଦୁଇଦିନିଆ ରାଜ୍ୟ କାର୍ଯ୍ୟକାରିଣୀ। ଏଥିରେ ନିଷ୍ପତ୍ତି ନିଆଯାଇଛି ଯେ ଏହି ୫ ଜଣ ନେତା ସବୁକିଛି କରିବେ- ରଣନୀତିଠାରୁ ପ୍ରାର୍ଥୀ ବାଛିବା ଏବଂ ପ୍ରାର୍ଥୀମାନଙ୍କୁ ଯେ କୌଣସି ପ୍ରକାର ଜିତାଇବା। ପୂର୍ବ ନିର୍ବାଚନ ତୁଳନାରେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଓଡ଼ିଶା ଉପରେ ବେଶୀ ଫୋକସ ପକାଉଛି। ମନ୍ତ୍ର ହେଉଛି କଳେବଳେ କୌଶଳେ ଏହି ସବୁ ଆସନ ଅକ୍ତିଆର କରିବାକୁ ହେବ।

କାର୍ଯ୍ୟକାରିଣୀରେ ଏହି ନିଷ୍ପତ୍ତି ନିଆଯାଇଛି ଯେ ଦିଲ୍ଲୀ ଯିବାକୁ ଏଥର ଆଉ କାହାକୁ ବାଟ ଛଡ଼ାଯିବ ନାହିଁ ।

ଏହି ନିଷ୍ପତ୍ତି ମଧ୍ୟ ନିଆଯାଇଛି ଯେ ବିଜେପି ରାଷ୍ଟ୍ରୀୟ ସମ୍ପାଦକ ଅନିଲ ଜୈନ, ମାନବସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଦକର, ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଦିବାସୀ ବ୍ୟାପାରମନ୍ତ୍ରୀ ଜୁଏଲ ଓରାମ ଏବଂ ଦଳର ଓଡ଼ିଶା ପ୍ରଭାରୀ ଅରୁଣ ସିଂ ୨୧ ଆସନ ପାଇଁ ଦାୟୀ ରହିବେ।

ଅନିଲଙ୍କ ଦାୟିତ୍ୱରେ ରହିଛି ସମ୍ବଲପୁର, ବରଗଡ଼, ବଲାଙ୍ଗିର ଓ କଳାହାଣ୍ଡି। ଜାଭେଦକରଙ୍କ ଭାଗରେ ପଡ଼ିଛି ଭୁବନେଶ୍ୱର,ପୁରୀ, ବ୍ରହ୍ମପୁର ଓ ନବରଙ୍ଗପୁର ଆସନ। ସେହିଭଳି ଧର୍ମେନ୍ଦ୍ର ପ୍ରଧାନଙ୍କ ଦାୟିତ୍ୱ ହେଉଛି ଯାଜପୁର, ଜଗତସିଂପୁର, କଟକ ଓ କେନ୍ଦ୍ରାପଡ଼ା ଆସନ। ଓରାମ ସମ୍ଭଳିବେ ସୁନ୍ଦରଗଡ଼, କୋରାପୁଟ, କନ୍ଧମାଳ ଓ ଆସ୍କା।

ପ୍ରଭାରୀ ଅରୁଣଙ୍କ ଦାୟିତ୍ୱରେ ଥିବା ଆସନ ହେଲା ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ସଂସଦୀୟ ଆସନ।

ଆହୁରି କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି କାର୍ଯ୍ୟକାରିଣୀରେ। ଖଣିଦୁର୍ନୀତିକୁ ଦଳମୁଖ୍ୟ ପ୍ରସଙ୍ଗ କରିବ। ଏନେଇ ଦଳ ପକ୍ଷରୁ ଏକ ରାଜ୍ୟବ୍ୟାପୀ ଆନ୍ଦୋଳନ ଆରମ୍ଭ କରିବାକୁ ସ୍ଥିର କରାଯାଇଛି।

ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରିଣୀରେ ଅନ୍ୟାନ୍ୟ ୧୨ଟି ବିଷୟ ଉପରେ ଆଲୋଚନା କରାଯାଇଥିଲା। ମହାନଦୀ ପ୍ରସଙ୍ଗ, ନିର୍ବାଚନ ପାଣ୍ଠିକୁ ନେଇ ବିଜେଡି ପକ୍ଷରୁ ଦିଆଯାଇଥିବା ମିଛ ଆଫିଡେବିଟ, ଶିକ୍ଷା, ସ୍ୱାସ୍ଥ୍ୟ, ନିଯୁକ୍ତି ସୁଯୋଗ ଓ ବିଜୁଳି ଉତ୍ପାଦନ ଇତ୍ୟାଦିରେ ବିଗିଡ଼ିଥିବା ସ୍ଥିତି ଉପରେ ମଧ୍ୟ ଆଲୋଚନା ହୋଇଥିଲା।

ସରକାରୀ କର୍ମଚାରୀମାନଙ୍କ ପାଇଁ ସପ୍ତମ ବେତନ କମିଶନ ଲାଗୁ କରିବା ଦିଗରେ ନବୀନ ପଟ୍ଟନାୟକ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ବୋଲି ବିଜେପି ଅଭିଯୋଗ ଆଣିଛି।

Tags: 7th Pay Commission, Naveen Patnaik, BJP, BJD, Basanta Panda, Prakash Javedkar, Loksabha, Dharmendra Pradhan, Juel Oram, Anil Jain, General Election, Arun Singh, Naveen Govt., Politics, Odisha Politics, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

Comment