ଓଡ଼ିଶାଲାଇଭ୍‌ ବ୍ୟୁରୋ

 ଯଦି ଆଜି ବିଧାନସଭା ଭୋଟ ହୁଏ, ଆମେ ୧୨୦ ଆସନ ପାଇବୁ – ଏହି ଦାବି କରିଛନ୍ତି ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ

“ଯଦି ଆଜି ବିଧାନସଭା ଲାଗି ଭୋଟ ହେବ, ଆମେ ୧୨୦ ଆସନ ପାଇବୁ” – ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏକଥା ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏହି ସାକ୍ଷାତକାରରେ ସେ କହିଛନ୍ତି ଯେ ଦଳର ଅଧ୍ୟକ୍ଷ ଅମିତ ଶାହ ଯାହା କହନ୍ତି, ବହୁତ ସୁଚିନ୍ତିତ ଆକଳନ ଓ ଯୋଜନା ପରେ କହିଥା’ନ୍ତି। ଓଡ଼ିଶାରେ ୧୨୦ ଆସନ ପାଇଁ ସେ ଆକଳନ କରିଛନ୍ତି ଅର୍ଥ ବିଜେପି ନିଶ୍ଚିତ ଭାବେ ସେତିକି ଆସନ ପାଇବ। ଏହା ସହ ଉତ୍ତରପ୍ରଦେଶର ଉଦାହରଣ ଦେଇଛନ୍ତି ଧର୍ମେନ୍ଦ୍ର।

ଉତ୍ତରପ୍ରଦେଶରେ ଅମିତ ଶାହ ଆକଳନ କରିଥିଲେ ୩୦୦ରୁ ଅଧିକ ଆସନ; ବିଜେପି ତାହା ହାସଲ କରି ଦେଖାଇଛି।  ଅମିତ ଶାହଙ୍କୁ ବିଜେପିର ଚାଣକ୍ୟ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ।

“ମୁଁ ଓଡ଼ିଶାରୁ ନିର୍ବାଚନ ଲଢିବି”, ଏକଥା କହି ଓଡ଼ିଶାର ରାଜନୀତିକୁ ସରଗରମ କରି ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ।  ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦ ଉପରେ ଧର୍ମେନ୍ଦ୍ରଙ୍କ ଆଖି ଥିବା ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଧର୍ମେନ୍ଦ୍ରଙ୍କ ଏଭଳି ବକ୍ତବ୍ୟ ଏହି ଧାରଣାକୁ ଆହୁରି ଦୃଢ଼ କରିଛି।

ସେପଟେ ଧର୍ମେନ୍ଦ୍ରଙ୍କ ଦୃଢ଼ୋକ୍ତିକୁ ହସରେ ଉଡ଼ାଇ ଦେଇଛି ବିଜେଡି। ୧୨୦ ସିଟ୍ ଯଦି ଜିତିବ ବୋଲି ବିଜେପି କହୁଛି, ତେବେ ପ୍ରଥମେ କହନ୍ତୁ କେଉଁ ୨୭ ଆସନରୁ ସେମାନେ ନିଶ୍ଚିତ ହାରିବେ ବୋଲି ଜାଣିଛନ୍ତି। ଏହିପରି ଭାବେ ଧର୍ମେନ୍ଦ୍ରଙ୍କୁ କଟାକ୍ଷ କରିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ପ୍ରତାପ ଦେବ।

ନିକଟରେ ଶେଷ ହୋଇଥିବା ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ୨୦୧୯ ପାଇଁ ପ୍ରସ୍ତୁତ ହୋଇଛି ରଣନୀତି। ଚାରିଜଣ କେନ୍ଦ୍ରମନ୍ତ୍ରୀ ଏହି କାର୍ଯ୍ୟକାରିଣୀରେ ଯୋଗ ଦେଇଥିଲେ।

ପଞ୍ଚାୟତ ସ୍ତରର ଜନ ପ୍ରତିନିଧିମାନଙ୍କୁ ଏବେ ଅଧିକ ଗୁରୁତ୍ଵ ଦିଆଯାଉଛି। ବୁଥ୍‌ ସ୍ତରରୁ ସଂଗଠନକୁ କିପରି ଦଳକୁ ଶକ୍ତିଶାଳୀ କରାଯିବ, ସେ ନେଇ ବିଶଦ ଆଲୋଚନା ହୋଇଛି। ରାଜ୍ୟରେ ଥିବା ୩୬ ହଜାର ବୁଥ୍‌ ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯାଇଛି।

ଓଡ଼ିଶାର ୨୧ଟି ଲୋକସଭା ଓ ୧୪୭ଟି ବିଧାନସଭା ଆସନ ପାଇଁ ୪ ଜଣ ​‌କେନ୍ଦ୍ରମନ୍ତ୍ରୀଙ୍କ ସମେତ ୫ ଜଣ ବରିଷ୍ଠ ନେତାଙ୍କୁ ଦାୟିତ୍ଵ ଦିଆଯାଇଛି। ବୁଥ ସ୍ତରରୁ ନବୀନ ସରକାରଙ୍କୁ ଘେରିବା ପାଇଁ ଅମିତ ଶାହଙ୍କ ଟିମ୍ ଚକ୍ରବ୍ୟୂହ ରଚନା କରିଛନ୍ତି। କାର୍ଯ୍ୟକାରିଣୀରେ ସରକାରଙ୍କ ୧୨ଟି ବିଫଳତାକୁ ନେଇ ଚିଠାପ୍ରସ୍ତାବ ଗୃହୀତ ହୋଇଛି। ଏହି ପ୍ରସଙ୍ଗଗୁଡିକୁ ନେଇ ଭୋଟରଙ୍କ ପାଖକୁ ଯିବ ବିଜେପି।

ସେପଟେ ବିଜେଡି ମଧ୍ୟ ପରିବର୍ତ୍ତିତ ଚ୍ୟାଲେଞ୍ଜକୁ ଗ୍ରହଣ କରି ରଣନୀତି ବଦଳାଇଛି। ୧୭ ବର୍ଷ ଧରି ନବୀନ ଯେଉଁ ଷ୍ଟାଇଲରେ ରାଜନୀତି କରୁଥିଲେ ସେଥିରେ ପରିବର୍ତ୍ତନ ଆସିଛି। ତୃଣମୂଳ ସ୍ତରରେ ବ୍ୟକ୍ତିଗତ ଭାବେ ନିଜେ ଯୋଡ଼ି ହେବାକୁ ଉଦ୍ୟମ କରୁଛନ୍ତି ମୁଖ୍ୟମନ୍ତ୍ରୀ।

ଏକ ଗଣମାଧ୍ୟମ ନବୀନଙ୍କୁ ଶ୍ରେଷ୍ଠ ପ୍ରଶାସକର ସମ୍ମାନ ଦେବା ପରେ ଏହାକୁ ନେଇ ବଡ଼ ଆକାରରେ ଉତ୍ସବ ମନାଉଛି ବିଜେଡି। ‘ରାଜ୍ୟରେ ନବୀନଙ୍କ ଶାସନ ସବୁଠାରୁ ଶ୍ରେଷ୍ଠ’, ଏହି ବାର୍ତ୍ତା ଦେବାକୁ ଜୋରଦାର ଉଦ୍ୟମ କରାଯାଉଛି।

ସୋସିଆଲ ମିଡିଆଠାରୁ ସାଧାରଣତଃ ଦୂରରେ ରହୁଥିବା ନବୀନ ଏବେ ଏଥିରେ ବେଶ୍ କ୍ରିୟାଶୀଳ। ବିଜେପିକୁ କୌଣସିପ୍ରକାର ବାଟ ଛାଡ଼ିବାକୁ ପ୍ରସ୍ତୁତ ନୁହେଁ ତାଙ୍କ ଦଳ।

ପ୍ରାୟ ୨୦ ବର୍ଷ ପରେ ରାଜ୍ୟ ରାଜନୀତିରେ ଦୁଇ ପ୍ରତିଦ୍ୱନ୍ଦ୍ୱୀ ଦଳ ମୁହାଁମୁହିଁ ସ୍ଥିତିକୁ ଆସିଛନ୍ତି। ଏହି ଲଢେଇରେ ଗୋଟିଏ ବି ଭୁଲ ଚାଲ୍‌, କୌଣସି ଦଳର ରାଜନୈତିକ ଲକ୍ଷ୍ୟ ଭବିଷ୍ୟତକୁ ଯେ ଚେକ୍‌ମେଟ୍‌ ଦେଇପାରେ, ଏକଥା ଉଭୟ ବିଜେପି ଓ ବିଜେଡି ଆଜି ବୁଝିଛନ୍ତି।

୨୦୧୯ରେ ହେବ ଲୋକସଭା ଏବଂ ବିଧାନସଭା ପାଇଁ ନିର୍ବାଚନ। ହେଲେ ଏବେଠାରୁ ନିର୍ବାଚନ ମାହୋଲ ସରଗରମ ହୋଇସାରିଲାଣି। ପଞ୍ଚାୟତ ନିର୍ବାଚନରେ ବିଜେଡିର ଆପେକ୍ଷାକୃତ ଦୁର୍ବଳ ପ୍ରଦର୍ଶନ ଏବଂ ବିଜେପିର ଆଶାତୀତ ସଫଳତା, ଓଡ଼ିଶାର ରାଜନୈତିକ ଗଣିତର ଇକ୍ୱେସନ୍‍ ସଂପୂର୍ଣ୍ଣ ବଦଳାଇ ଦେଇଛି!

ପଞ୍ଚାୟତ ନିର୍ବାଚନରେ ବିଜେଡି ପୁଣି ଥରେ ଏକ ନମ୍ବର ଦଳ ସାବ୍ୟସ୍ତ ହୋଇଛି ସତ, ମାତ୍ର ପୂର୍ବରୁ ଦଳରେ ଯେଉଁ ଅତ୍ୟଧିକ ଆତ୍ମପ୍ରତ୍ୟୟ ଥିଲା, ତାହା ଦୋହଲି ଯାଇଛି।

ଏପଟେ ବିଜେପି, ଦୀର୍ଘବର୍ଷର ପ୍ରତୀକ୍ଷା ପରେ କଂଗ୍ରେସକୁ ପଛରେ ପକାଇ ରାଜ୍ୟରେ ତିନିରୁ ଦୁଇ ନମ୍ବର ଦଳ ଭାବେ ନିଜକୁ ଉପସ୍ଥାପିତ କରିଛି। କେବଳ ସେତିକି ନୁହେଁ, ନବୀନଙ୍କ ପରି ଅପରାଜେୟ ନେତାଙ୍କୁ ପରାଜିତ କରିବା ସମ୍ଭବ ବୋଲି ବିଜେପି ନେତାଙ୍କ ମନରେ ହୁଏତ ଆଜି ବିଶ୍ୱାସ ଜନ୍ମିଛି!

Tags: Dharmendra Pradhan, BJP, Assembly Election, Loksabha Election, Amit Shah, Panchayat Election, BJD, Naveen Patnaik, Social Media, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

Comment