ଓଡ଼ିଶାଲାଇଭ୍‌ ବ୍ୟୁରୋ

କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ ବିଜେପୁର ଆସନରେ ଉପ-ନିର୍ବାଚନ ହେବ। ୨୦୧୯ ନିର୍ବାଚନ ପୂର୍ବରୁ ଏହି ଉପ ନିର୍ବାଚନ ହେଉଥିବାରୁ ବିଜେପୁରକୁ ଏବେ ୩ ରାଜନୈତିକ ଦଳ ଚାଲେଞ୍ଜ ଭାବେ ଗ୍ରହଣ କରିଛନ୍ତି। କିଏ ଏହି ଆସନକୁ ଅକ୍ତିଆର କରିବ ତାକୁ ନେଇ ଆରମ୍ଭ ହୋଇଯାଇଛି ମନ୍ଥନ।

୨୦୧୯ ପୂର୍ବରୁ ବିଜେପି ଏହି ଆସନ ହାତେଇ ନିଜର ପ୍ରଭାବ ବିସ୍ତାର କରିବା ପାଇଁ ଉଦ୍ୟମ ଚଳାଇଥିବା ବେଳେ ବିଜେଡି କଳବଳ ଲଗାଇବ ବୋଲି ଆଶା କରାଯାଉଛି। ତେବେ ଦୀର୍ଘ ବର୍ଷ ଧରି ଏହି ଆସନ କଂଗ୍ରେସ ହାତରେ ରହି ଆସିଥିବାରୁ ଏହି ଜାତୀୟ ଦଳ ମଧ୍ୟ କୌଣସି କ୍ଷେତ୍ରରେ ପଛରେ ପଡ଼ିବ ନାହିଁ ବୋଲି ଚର୍ଚ୍ଚା ହେଉଛି।

କଂଗ୍ରେସ ରାଜନୀତିର ଜଣେ ଟାଣୁଆ ନେତା ଥିଲେ ସୁବଳ ସାହୁ। ଲଗାତାର ୩ ଥର ବିଧାନସଭାକୁ ନିର୍ବାଚିତ ହୋଇ ନିଜ ନେତୃତ୍ୱକୁ ସେ ଜାହିର କରିପାରିଥିଲେ। ଫଳରେ ବିଜେପୁର କଂଗ୍ରେସର ଗଡ ଭାବେ ପରିଚିତ ହେଉଥିଲା। ୨୦୧୪ରେ ସମଗ୍ର ଦେଶରେ ମୋଦି ହାୱା ଏବଂ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ରହିଥିଲେ ମଧ୍ୟ ଏଠାରେ କୌଣସି ପ୍ରଭାବ ପଡି ନ ଥିଲା।

ବିଜେପୁରବାସୀ ପୁଣି ଥରେ ସୁବଳଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲେ। ଫଳରେ ବିଜେଡିର ହେଭିୱେଟ୍‍ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପରାଜୟ ମୁହଁ ଦେଖିବାକୁ ପଡିଥିଲା। ତେବେ ସୁବଳଙ୍କ ଦେହାନ୍ତ ହେବା ପରେ କଂଗ୍ରେସ ତା’ର ଦୁର୍ଗକୁ ସୁରକ୍ଷିତ ରଖିପାରିବ କି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ପିସିସି ପରିବର୍ତ୍ତନକୁ ନେଇ କଂଗ୍ରେସରେ ବାଦୀପାଲା ଚାଲିଛି। ଗୋଡ଼ ଟଣାଟଣି ରାଜନୀତି ବି କିଛି କମ୍‍ ନାହିଁ ଏହି ଦଳରେ। ଏଣୁ ୬ ମାସ ମଧ୍ୟରେ ହେବାକୁ ଥିବା ଉପ-ନିର୍ବାଚନରେ କଂଗ୍ରେସ କିପରି ଶାସକ ବିଜେଡି ଏବଂ ପ୍ରତିଦ୍ୱନ୍ଦ୍ୱୀ ବିଜେପିକୁ ଚେକ୍‍ ଦେବ ତା ଉପରେ ସମସ୍ତଙ୍କ ନଜର ରହିଛି।

ସେହିପରି ବିଜେଡି ଗତ ୨୦୧୪ରେ ବିଜେପୁରରେ ଦୁଇ ନମ୍ବର ସ୍ଥାନରେ ରହିଥିଲା। ଆଚାର୍ଯ୍ୟ ମାତ୍ର ୪୫୮ ଭୋଟରେ ପରାଜିତ ହୋଇଥିବାରୁ ଆସନ୍ତା ଉପ-ନିର୍ବାଚନରେ ଦଳ ଏହି ଆସନକୁ କବ୍‌‍ଜା କରିବା ପାଇଁ ପୂର୍ଣ୍ଣ ପ୍ରୟାସ କରିବ ବୋଲି ଆଲୋଚନା ହେଉଛି। କାରଣ ନିକଟରେ ନୂଆପଡ଼ା ଜିଲ୍ଲାରେ ଶେଷ ହୋଇଥିବା ଜିଲ୍ଲା ପରିଷଦ ନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିବାରୁ କର୍ମୀମାନେ ଜୋସରେ ଅଛନ୍ତି। ଏଣୁ ଏହି ଆସନକୁ ଅକ୍ତିଆର କରିବା ପାଇଁ ବିଜେଡି ପୂର୍ଣ୍ଣମାତ୍ରାରେ ପ୍ରୟାସ କରିବ ବୋଲି କୁହାଯାଉଛି।

ଏପଟେ ବିଜେପି ପାଇଁ ଏହି ଆସନ୍ତା ଉପ-ନିର୍ବାଚନ ଅଗ୍ନି ପରୀକ୍ଷା ବୋଲି କୁହାଯାଉଛି। କାରଣ ପଶ୍ଚିମ ଓଡ଼ିଶାକୁ ବିଜେପିର ଗଡ଼ ବୋଲି କୁହାଯାଉଛି। ବହୁ ହେଭିୱେଟ୍‍ ନେତା ଏହି ଅଞ୍ଚଳରୁ ହିଁ ବିଜେପିରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଛନ୍ତି। ଏହାଛଡ଼ା ଗତ ପଞ୍ଚାୟତ ନିର୍ବାଚନରେ ଦଳ ଦୁଇ ନମ୍ବର ସ୍ଥାନରେ ରହିଥିବାରୁ କର୍ମୀ ଉତ୍ସାହିତ ହୋଇ ଯାଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଏବଂ ରାଷ୍ଟ୍ରୀୟ ସଭାପତିଙ୍କ ଘନଘନ ଓଡ଼ିଶାଗସ୍ତ ବି କର୍ମୀଙ୍କ ଉପରେ ପ୍ରଭାବ ପକାଇଛି। ଏଣୁ ବିଜେପି ଏହି ଆସନକୁ କବ୍‍ଜା କରିବା ଲାଗି ପଛଘୁଞ୍ଚା ଦେବ ନାହିଁ ବୋଲି ଚର୍ଚ୍ଚା ହେଉଛି। ୨୦୧୯ରେ ବିଜେପି ଓଡ଼ିଶାରେ ୧୨୦ ଆସନ ପାଇ ସରକାର ଗଢ଼ିବ ବୋଲି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି। ଏଣୁ ଆସନ୍ତା ଉପ-ନିର୍ବାଚନ ଏହି ଗୈରୀକ ଦଳ ପାଇଁ ଅଗ୍ନି ପରୀକ୍ଷା ଭାବେ ବିବେଚନା କରାଯାଉଛି।

ସବୁ ପରେ ବି ୩ ଦଳ କାହାକୁ ପ୍ରାର୍ଥୀ କରିବେ ତା’ ଉପରେ ନଜର ରହିଛି। ଗଡ଼ ରକ୍ଷା କରିବା ପାଇଁ କଂଗ୍ରେସକୁ ସୁବଳଙ୍କ ପରି ଜଣେ ଟାଣୁଆ ନେତାଙ୍କୁ ଏଠାରେ ପ୍ରାର୍ଥୀ କରିବାକୁ ପଡିବ। ନଚେତ୍‍ ଦଳ ପାଇଁ ଏହି ଆସନ ମହଙ୍ଗା ପଡ଼ିପାରେ ବୋଲି ରାଜନୀତି ପଣ୍ଡିତ ମତ ଦେଉଛନ୍ତି।

ଏପଟେ ୨୦୧୪ରେ ବିଜେଡି ପ୍ରାର୍ଥୀ ହୋଇଥିବା ଆଚାର୍ଯ୍ୟ ବର୍ତ୍ତମାନ ରାଜ୍ୟସଭା ସଦସ୍ୟ ଅଛନ୍ତି। ଏଣୁ ବିଜେଡି ଏଠାରେ ଆଚାର୍ଯ୍ୟଙ୍କୁ ପୁଣି ପ୍ରାର୍ଥୀ କରିବ ନା ନୂଆ ମୁହଁକୁ ଗୁରୁତ୍ୱ ଦେବ ତାକୁ ନେଇ ଦଳୀୟ ମ୍ୟାନେଜର ଅଙ୍କ କଷୁଛନ୍ତି।

(ପ୍ରସ୍ତୁତ: ସରୋଜ)

Tags: Bijepur, BJD, BJP, Congress, Re-election, Subala Sahoo, Election, Saroj, Odisha News, Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

 

Comment