ଭାସ୍କର ପରିଚ୍ଛା

ଡେରା ସଚ୍ଚା ସୌଦାର ମୁଖ୍ୟ ରାମ ରହିମ ଗିରଫ ହେବା ପରେ ପଞ୍ଜାବ, ହରିୟାଣା ଓ ଦିଲ୍ଲୀରେ ଯେଉଁ ସବୁ ଘଟଣା ଘଟିଲା ସେଥିରୁ କେତୋଟି କଥା ସାମ୍ନାକୁ ଆସିଛି। ସିବିଆଇର ସ୍ୱତନ୍ତ୍ର କୋର୍ଟ ରହିମଙ୍କୁ ଦୋଷୀ ସାବ୍ୟସ୍ତ କରୁ କରୁ ଯଦି ଏତେ ଅଘଟଣ ଘଟିଲା ତେବେ ସୋମବାର ଦିନ କୋର୍ଟ ଯେତେବେଳେ ଦଣ୍ଡର ପରିମାଣ ଧାର୍ଯ୍ୟ କରିବେ ସେତେବେଳେ ସ୍ଥିତି କ’ଣ ହେବ ତାହା ଏବେଠୁ ଚିନ୍ତା କରିବା କଥା।

ଭାରତର ସାମାଜିକ ବ୍ୟବସ୍ଥା, ଧର୍ମ ଗୁରୁମାନଙ୍କ କଳା କାରନାମା ଓ ରାଜନେତାମାନଙ୍କ ପୃଷ୍ଠପୋଷକତା ଏ ସବୁ କିଛି ଡେରା ଘଟଣାରେ ପଦାକୁ ଆସିଛି। ଅବଶ୍ୟ ଏହା ପ୍ରଥମ ନୁହେଁ। ଆଗରୁ ଅନେକ ବାବାଙ୍କ ଅପରାଧ କାହାଣୀ ଆମେ ଦେଖିଛେ, ପଢିଛେ ଓ ଅଙ୍ଗେ ମଧ୍ୟ ନିଭେଇଛେ। କିନ୍ତୁ ସେଥିରୁ ଆମେ କିଛି ଶିଖିନେ।

ଡେରା ଘଟଣା ଉପରେ ଯଦି ଆମେ ନଜର ପକେଇବା ଦେଖିବା ଅନ୍ଧ ସମର୍ଥକମାନେ କିଭଳି ବ୍ୟାପକ ଭଙ୍ଗାରୁଜା କରିଛନ୍ତି ଓ ସେହି କ୍ରମରେ କିଛି ଭକ୍ତ ପ୍ରାଣ ହରାଇଛନ୍ତି। ଚଣ୍ଡୀଗଡ଼ରୁ ପଞ୍ଚକୁଳା ପର୍ଯ୍ୟନ୍ତ ଯେଉଁ ଦଙ୍ଗା ସୃଷ୍ଟି ହେଲା, ତାହା ସମ୍ଭବ ହୋଇପାରିଥିଲା କେବଳ ପ୍ରଶାସନର ଅବହେଳା ଯୋଗୁଁ। ହେଲେ ପ୍ରଶାସନ କିଏ?

ପ୍ରଶାସନମାନେ ଏଠି କୁହାଯାଉଛି ସରକାର ଓ ରାଜନୈତିକ ହସ୍ତକ୍ଷେପ କଥା। ରାୟ ପ୍ରକାଶ ପାଉଥିବା ବିଷୟ ଜାଣିଥିଲେ ସୁଦ୍ଧା ହରିୟାଣା ସରକାର ନାହିରେ ତେଲ ପକାଇ ଶୋଇପଡ଼ିଲା ଯାହା ଫଳରେ ରହିମଙ୍କ ସମର୍ଥକମାନେ ଉତ୍ପାତ ଆରମ୍ଭ କଲେ।

ଡେରା ଘଟଣା ସହିତ ଯଦି ଆମେ କେନ୍ଦ୍ରାପଡ଼ା ସାରଥୀ ବାବାଙ୍କ କଥା ତୁଳନା କରିବା ଉଣା ଅଧିକ ଦୁଇ ଘଟଣା ସମାନ। ତଫାତ୍ ଏତିକି ଯେ ଡେରା ଭକ୍ତଙ୍କ ଭଳି ବରିମୁଳ୍ ଆଶ୍ରମର ଭକ୍ତମାନେ ହିଂସ୍ର ହୋଇ ନଥିଲେ କି ମାରଣାସ୍ତ୍ର ଧରି ରାସ୍ତା ଅବରୋଧ କରିନଥିଲେ।

ମୁଣ୍ଡା ପଞ୍ଜାବୀ ଓ ହରିଆଣା ଭକ୍ତଙ୍କ ତୁଳନାରେ ଆମ ଏଠାକାର ଭକ୍ତ ଖୁବ୍ ଚାଲାକ। ଅସଲ ସମୟକୁ ଯେ ଯାହା ବାଟେ ଖସି ଯାଇଥିଲେ। ଅନ୍ୟ ଦୃଷ୍ଟିରୁ ଦେଖିଲେ ଓଡ଼ିଶାର ବାବା-ଭକ୍ତମାନେ ଅନ୍ୟ ରାଜ୍ୟର ବାବାଭକ୍ତଙ୍କ ଭଳି ଏତେ ସାହସୀ ନୁହନ୍ତି।

ଡେରା ଘଟଣାରେ ଏବେ ଆହୁରି ଅନେକ କଥା ପଦାକୁ ଆସୁଛି। ରହିମ ପୂରା ବିଜେପି ସହିତ ଲାଗି ରହିଥିଲା ତାହାର ପ୍ରମାଣ ମିଳିଛି ସୋସିଆଲ ମିଡିଆରେ ରହିମ୍ ଓ ବିଜେପି ନେତାଙ୍କ ଫଟୋ ଉଠାରୁ। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ସାମିଲ ହେବା ଘଟଣା କ’ଣ ସୁଚ‌ଉଛି?

ଗୋଟିଏ ମଞ୍ଜ କଥା ହେଉଛି : କେବଳ ହରିୟାଣା କାହିଁକି ଏଠି ସେଠି ସବୁଠି ବିନା ରାଜନୈତିକ ହସ୍ତକ୍ଷେପ ଓ ପୃଷ୍ଠପୋଷକତାରେ ଗୋଟିଏ ବାବାବଂଶ କଦାପି ସେମାନଙ୍କ ସାମ୍ରାଜ୍ୟ ବିସ୍ତାର କରିପାରିବେ ନାହିଁ। ଏହା ଏକ ଜଣାଶୁଣା କଥା ଯେ ନେତାମାନେ ଭୋଟ ପାଇଁ ବାବା ଓ ଧର୍ମଗୁରୁଙ୍କ ଶରଣ ପଶିଥା’ନ୍ତି ଓ ତାହାରି ବିନିମୟରେ ସୁରକ୍ଷା ଓ ସଂରକ୍ଷଣ ଯୋଗାଇ ଦେଇଥା’ନ୍ତି। ଏହି ସୁରକ୍ଷା ଯୋଗୁଁ ବାବାମାନେ ସେମାନଙ୍କ ପ୍ରଭାବ ବିସ୍ତାର କରିବା ଦେଖାଯାଉଛି।

ବାବାମାନଙ୍କ ଖରାପ କାରନାମାକୁ କେବଳ ଅଟକାଇ ପାରିବେ କୋର୍ଟ କଚେରୀ। କିନ୍ତୁ ଅଦାଲତ ବି ନାଚାର। ଡେରା ଘଟଣାର ସତ୍ୟତା ପରୀକ୍ଷା ସହିତ ଅପରାଧୀକୁ ଦଣ୍ଡାଦେଶ ପ୍ରଦାନ କରିବା ସମୟରେ ଭକ୍ତମାନେ ଖଣ୍ଡା କଟୁରୀ ଧରି ରାସ୍ତା ଉପରେ ଠିଆ ହେବା ପରେ ବିଚାରପତି ବି ତାଜୁବ୍।

କହିବାର କଥା ହେଉଛି, ଭଣ୍ଡ ବାବାମାନଙ୍କଠାରୁ ନେତା ନିଜକୁ ଦୂରରେ ରଖନ୍ତୁ।

ଭଣ୍ଡ ବାବାମାନେ କେବେ ବି ସମାଜର କଲ୍ୟାଣ କରିନାହାନ୍ତି, ସେମାନେ କ୍ଷତିସାଧନ ହିଁ କରିଆସିଛନ୍ତି। ଆସ୍ଥା ଓ ବିଶ୍ୱାସ ନାମରେ ସାମାଜିକ ବିଶୃଙ୍ଖଳା ସୃଷ୍ଟି କରିବା ଅଧିକାର କାହାର ବି ନାହିଁ, ନେତାମାନଙ୍କର ତ ଆଦୌ ନୁହେଁ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଏବଂ ଓଡ଼ିଶା ଲାଇଭର ପରାମର୍ଶଦାତା ସମ୍ପାଦକ)

Tags: Politicians, Religion people, BJD, BJP, Congress, OdishaLIVE, Bhaskar Parichha, Dera Sacha Sauda, Bhubaneswar News, Breaking News, CBI, Gurmeet Ram Rahim, Gurmeet Ram Rahim Singh, Latest News, Odisha Breaking News, Odisha News, Odisha Stories, Odisha Top Stories, Punjab, Ram Rahim, Ram Rahim Verdict, Rape Case, Top Stories

Comment