ଓଡ଼ିଶାଲାଇଭ୍ ବ୍ୟୁରୋ
“ରାମ ରହିମ, ଜଣେ ଜଙ୍ଗଲୀ ପଶୁ”, ଦଣ୍ଡ କୋହଳ କରିବା ପାଇଁ ଯୁକ୍ତି ରଖିଥିବା ରାମ ରହିମଙ୍କ ଓକିଲଙ୍କୁ ଏହା ଥିଲା ସିବିଆଇ କୋର୍ଟ ଜଜ୍ ଜଗଦୀପ ସିଂହଙ୍କ ଉତ୍ତର।
“ଡେରା ମୁଖ୍ୟ ଯେଉଁ ଅପକର୍ମ କରିଛନ୍ତି, କୋର୍ଟ ତାଙ୍କ ପ୍ରତି କୋହଳ ହୋଇପାରିବ ନାହିଁ। ଯେଉଁମାନେ ତାଙ୍କୁ ଭଗବାନର ଆସନ ଦେଇଥିଲେ, ସେମାନଙ୍କୁ ସେ ଛାଡ଼ିନାହାନ୍ତି। ସମର୍ପିତା ଶିଷ୍ୟାଙ୍କୁ ସେ ବଳାତ୍କାର କରିଛନ୍ତି, ଯାହା ଅକ୍ଷମଣୀୟ। ଜଙ୍ଗଲୀ ପଶୁ ଭଳି ତାଙ୍କର କୁକର୍ମ। ଆମ ଦେଶର ପ୍ରାଚୀନ ସଂସ୍କୃତି ଓ ପରମ୍ପରାର ସେ ଯେଉଁ କ୍ଷତି ଘଟାଇଛନ୍ତି, ତାହା ଭରଣା କରିହେବନାହିଁ”, ଦଣ୍ଡ କୋହଳ କରିବା ପାଇଁ ଯୁକ୍ତି ରଖିଥିବା ରାମ ରହିମଙ୍କ ଓକିଲଙ୍କୁ ଏହା ଥିଲା ସିବିଆଇ କୋର୍ଟ ଜଜ୍ ଜଗଦୀପ ସିଂହଙ୍କ ଉତ୍ତର।
ଦୁଇ ଜଣ ସାଧ୍ୱୀଙ୍କୁ ରାମ ରହିମ ବଳାତ୍କାର କରିଥିବା ଅପରାଧରେ ୧୦ ବର୍ଷ ଲେଖାଁଏ ୨୦ ବର୍ଷ ସଶ୍ରମ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ବିଚାରପତି। ଏହାଛଡ଼ା ୩୦ ଲକ୍ଷ ଟଙ୍କା ଜରିମାନା କରିଥିଲେ। ସେଥିରୁ ୧୪ ଲକ୍ଷ ଟଙ୍କା ଲେଖାଁ ଦୁଇ ପୀଡିତାଙ୍କୁ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଶୁକ୍ରବାର ଦିନ ଡେରା ମୁଖ୍ୟ ରାମ ରହିମଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ପରେ ସୋମବାର ଦିନକୁ ଅପେକ୍ଷା କରି ରହିଥିଲା ସାରା ଦେଶ।
ରାୟ ଘୋଷଣା ଦିନ ରାମ ରହିମଙ୍କ ଗୁଣ୍ଡାବାହିନୀ ଯେଭଳି ଉତ୍ପାତ କରିଥିଲେ, ଆଇନକୁ ହାତକୁ ନେଇଥିଲେ, ପୂରା ପଞ୍ଚକୁଳା ସହରକୁ ବନ୍ଧକ ବନାଇ ପୋଡ଼ାଜଳା କରିଥିଲେ, ତାହା ଥିଲା ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ଚ୍ୟାଲେଂଜ।
ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ରୋହତକ ସୁନେରିଆ ଜେଲରେ ବସିଥିଲା କୋର୍ଟ। ଜେଲ ଲାଇବ୍ରେରୀକୁ ଅସ୍ଥାୟୀ କୋର୍ଟରେ ପରିଣତ କରାଯାଇଥିଲା। ଅସ୍ଥାୟୀ ଭାବେ ଅପରାଧିଙ୍କ ପାଇଁ କାଠଗଡ଼ା ଥିଲା। ଦଣ୍ଡାଦେଶ ଶୁଣାଇବାକୁ ହେଲିକଫ୍ଟରରେ ଦୁଇ ସହକାରୀଙ୍କ ସହ ପହଁଚିଥିଲେ ସ୍ୱତନ୍ତ୍ର ସିବିଆଇ କୋର୍ଟ ଜଜ୍ ଜଗଦୀପ ସିଂହ। ଦୁଇ ସହାକାରୀଙ୍କ ସହ ବିଚାରପତି, ଦୁଇ ପକ୍ଷର ଓକିଲ, କିଛି ଜେଲ କର୍ମଚାରୀଙ୍କୁ ଛାଡିଦେଲେ କୋର୍ଟରେ ଆଉ କାହାରିକୁ ଛଡ଼ାଯାଇନଥିଲା। ରୋହତକ ଆଇଜି ସୁରକ୍ଷା ଉପରେ କଡ଼ା ନଜର ରଖିଥିଲେ। ଦିନ ଠିକ୍ ୨.୩୦ରେ ଆରମ୍ଭ ହେଲା କୋର୍ଟ କାର୍ଯ୍ୟକ୍ରମ।
ନିଜ ନିଜ ଯୁକ୍ତି ରଖିବା ପାଇଁ ବାଦୀ ଓ ପ୍ରତିବାଦୀ ଓକିଲଙ୍କୁ ୧୦ ମିନିଟ୍ ଲେଖାଁ ସମୟ ଦିଆଯାଇଥିଲା। ପ୍ରଥମେ ପଡିଥିଲା ସିବିଆଇ ଓକିଲଙ୍କ ପାଳି। ସିବିଆଇ ଯୁକ୍ତି ବାଢିଥିଲା – ରାମରହିମ, ନିଜ ଶିଷ୍ୟା, ଯେଉଁମାନେ ତାଙ୍କ ଆଶ୍ରମରେ ଆଶ୍ରୟ ନେଇଥିଲେ, ସେମାନଙ୍କ ସହ ଦୁଷ୍କର୍ମ କରିଥିବାରୁ ଏହା ‘କଷ୍ଟୋଡିଆଲ ରେପ୍’।
ବଳାତ୍କାରର ଶିକାର ହୋଇଥିବା ଦୁଇ ପୀଡ଼ିତାଙ୍କ ଆସ୍ଥା ଓ ବିଶ୍ୱାସ ପ୍ରତି କୁଠାରଘାତ ହୋଇଥିବା ବେଳେ ଏହା ଉଭୟଙ୍କର ଶାରିରୀକ ଓ ମାନସିକ କ୍ଷତି ହୋଇଛି। ରାମରହିମ ଯେଉଁ ଅପରାଧ କରିଛନ୍ତି ତାହା ବିରଳରୁ ବିରଳତମ ଅପରାଧ ବୋଲି କହିଥିଲେ ସିବିଆଇ ଓକିଲ। ଅପରାଧୀ ଜଣେ ପ୍ରଭାବଶାଳୀ ହୋଇଥିବାରୁ ପ୍ରତି ଅପରାଧ ପାଇଁ ସର୍ବାଧିକ ଦଣ୍ଡବିଧାନ କରାଯାଉ ଯାହା ଅନ୍ୟ ଅପରାଧୀଙ୍କ ପାଇଁ ସତର୍କ ଘଣ୍ଟି ସଦୃଶ ହେବ। ତାଙ୍କର ଜଘନ୍ୟ ଅପରାଧ ପାଇଁ କମ୍ ଦଣ୍ଡ ଦିଆଗଲେ ସାରା ଦେଶ ମର୍ମାହତ ହେବ ବୋଲି ଯୁକ୍ତି ରଖିଥିଲା ସିବିଆଇ।
ନିଜ ମହକିଲଙ୍କ ଦଣ୍ଡ କୋହଳ ପାଇଁ ଏହା ପରେ ନିବେଦନ କରିଥିଲେ ରାମ ରହିମଙ୍କ ତିନି ଜଣିଆ ଓକିଲ ଟିମ୍। ୧୦ ମିନିଟ ଧରି ବିଚାରପତିଙ୍କୁ ବୁଝାଇବାକୁ ଉଦ୍ୟମ କରିଥିଲେ ଯେ ରାମ ରହିମ ଜଣେ ସମାଜସେବୀ। ବୃକ୍ଷରୋପଣ, ବାଲ୍ୟବିବାହ ରୋକିବା, ଦେହଜୀବୀଙ୍କ ବିବାହ ଏବଂ ନିଶା ମୁକ୍ତି ଭଳି ୧୩୩ଟି ଜନହିତକର କାର୍ଯ୍ୟ କରାଉଛନ୍ତି ଡେରା ମୁଖ୍ୟ। ହରିଆଣା ସରକାର ଯେଉଁ କ୍ଷେତ୍ରରେ ଫେଲ୍ ମାରୁଛନ୍ତି, ସେ କ୍ଷେତ୍ରରେ ରାମ ରହିମଙ୍କ ନେତୃତ୍ଵରେ ସଫଳତାର ରୂପାୟନ ହୋଇପାରୁଛି ଅନେକ ଜନକଲ୍ୟାଣ କାର୍ଯ୍ୟ।
ରାମ ରହିମଙ୍କ ଓକିଲ ଆହୁରି ମଧ୍ୟ ଯୁକ୍ତି ବାଢିଥିଲେ ଯେ ତାଙ୍କ ମହକିଲ ଅସୁସ୍ଥ, ଡାଏବେଟିସ୍, ମାଇଗ୍ରେନ, ବ୍ଲଡ୍ ପ୍ରେସର, ପିଠି ଯନ୍ତ୍ରଣା ଆଦି ରୋଗରେ ପୀଡ଼ିତ। ଏହିସବୁକୁ ଦୃଷ୍ଟିରେ ରଖି ଦଣ୍ଡ କୋହଳ କରିବାକୁ ନିବେଦନ କରାଯାଇଥିଲା। ରାମରହିମଙ୍କ ଓକିଲ ଯୁକ୍ତି ବାଢିଥିଲେ, ୮ ବର୍ଷ ଧରି ତାଙ୍କ ପିଠିରେ ଯନ୍ତ୍ରଣା ହେଉଥିବାରୁ ତାଙ୍କୁ ଅଧିକ ସମୟ ଜେଲରେ ରଖିବା ଉଚିତ ହେବନାହିଁ।
ଦୁଇ ପକ୍ଷ ସେମାନଙ୍କ ଯୁକ୍ତି ଦର୍ଶାଇବା ବେଳେ ହାତ ଯୋଡ଼ି କାଠଗଡ଼ାରେ ଠିଆ ହୋଇଥିଲେ ତଥାକଥିତ ବାବା ଗୁରମିତ୍ ରାମରହିମ ସିଂହ। ସେତେବେଳକୁ ସେ ଭଲ ଭାବେ ବୁଝିସାରିଥିଲେ, ତାଙ୍କର ସବୁ ଖେଳ ସରିଯାଇଛି, ପୂର୍ଣ୍ଣ ହୋଇସାରିଛି ପାପର ଘଡ଼ା। ସିରସା ଆଶ୍ରମରେ ରାଜକୀୟ ଭୋଗବିଳାସ ଓ ବ୍ୟଭିଚାରରେ ବୁଡି ରହିଥିବା ରାମରହିମଙ୍କ ଆଖିରୁ କେବଳ ଲୁହ ଝରି ଯାଉଥିଲା।
ପ୍ରାୟ ୧୦ ମିନିଟର ବିରତି ପରେ ଦଣ୍ଡାଦେଶ ଶୁଣାଇଥିଲେ ବିଚାରପତି।
ବିଚାରପତି କହିଥିଲେ, “ନିଜ ମହିଳା ଶିଷ୍ୟାଙ୍କୁ ଯୌନଶୋଷଣ କରିବା ଭଳି କୁକର୍ମ କରିଥିବା ଜଣେ ଅପରାଧୀଙ୍କୁ କୋର୍ଟ ଦୟା ଦେଖାଇପାରିବନାହିଁ। ଦୁଇ ପୀଡ଼ିତା ତାଙ୍କୁ ଭଗବାନ ଭାବୁଥିଲେ। ପୀଡ଼ିତାଙ୍କ ପ୍ରତି କେବଳ ଶାରୀରିକ ନିର୍ଯାତନା ଦିଆଯାଇଛି ତାହା ନୁହେଁ, ସେମାନଙ୍କ ଜୀବନକୁ ନର୍କ କରିଦେଇଥିଲେ ରାମ ରହିମ।”
ସୁପ୍ରିମକୋର୍ଟଙ୍କ ଏକ ରାୟକୁ ଉପସ୍ଥାପନ କରି ବିଚାରପତି କହିଥିଲେ ଯେ ଅପରାଧୀ ଯେଉଁ କୁକର୍ମ କରିଛନ୍ତି ତାକୁ ସେ ହୃଦୟଙ୍ଗମ କରିବା ଉଚିତ, ଏହା କେବଳ ପୀଡ଼ିତାଙ୍କ ଜୀବନକୁ ଦୁର୍ବିସହ କରିନାହିଁ, ଏହା ସମାଜିକ ବ୍ୟବସ୍ଥାକୁ ବିକୃତ କରିଛି। ଜଙ୍ଗଲୀ ପଶୁ ଭଳି ଆଚରଣ କରିଛନ୍ତି ରାମରହିମ। ବର୍ଷ ବର୍ଷର ଭାରତୀୟ ପରମ୍ପରା ଓ ମୂଲ୍ୟବୋଧରେ ସେ ଯେଉଁ କ୍ଷତି ପହଞ୍ଚାଇଛନ୍ତି, ତାହା ଭରଣା କରିହେବନାହିଁ।
ସେ ମଧ୍ୟ କହିଥିଲେ ଯେ ଅଦାଲତ ଅଛି ବଳାତ୍କାର ଭଳି ଖରାପ ଆଚରଣକୁ ଶେଷ କରିବା ପାଇଁ। କଠିନ ଦଣ୍ଡବିଧାନ ଦ୍ୱାରା ହିଁ ଏହିଭଳି ମନ୍ଦ ଉଦ୍ଦେଶ୍ୟ ରଖୁଥିବା ପାପୀ ପାଖକୁ ଠିକ୍ ସନ୍ଦେଶ ଯିବ ଓ ଏହିଭଳି କାମ କରିବା ପୂର୍ବରୁ ସେ ବାରମ୍ବାର ଭାବିବ। ଏହିଭଳି ଦଣ୍ଡବିଧାନ ଫଳରେ ଅଭିଯୁକ୍ତମାନେ ଆଇନକୁ ମାନି ଚଳିବେ ଓ ଭଲ ନାଗରିକ ହୋଇବାହାରିବେ।
ବିଚାରପତିଙ୍କ ମୁହଁରୁ ଦଣ୍ଡବିଧାନ ଶୁଣିବା ପରେ କଇଁ କଇଁ ହୋଇ କାନ୍ଦିଉଠିଥିଲେ ରାମରହିମ। ବିଚାରପତିଙ୍କୁ ହାତ ଯୋଡ଼ି କ୍ଷମା କରିବା ପାଇଁ ନିବେଦନ କରିଥିଲେ। ଆଣ୍ଠେଇ ପଡ଼ି ଆକୁଳ କଣ୍ଠରେ କହିଥିଲେ, “ମୁଁ ନିର୍ଦ୍ଦୋଷ, ମୋତେ କ୍ଷମା କରନ୍ତୁ”। ହେଲେ ଏଥିପ୍ରତି କର୍ଣ୍ଣପାତ କରିନଥିଲେ ଜଷ୍ଟିସ୍ ଜଗଜୀତ ସିଂହ।
ରାମ ରହିମଙ୍କୁ କଟାକ୍ଷ କରି ବିଚାରପତି ଏକଥା ମଧ୍ୟ କହିଥିଲେ ଯେ ଗୁରମିତ୍ କହୁଛି ତା’ ସଂସ୍ଥାରେ ୭-୮ ହଜାର ଲୋକ ଅଛନ୍ତି। ଫିଲ୍ମ ତିଆରି କରିବା ପାଇଁ ବିଦେଶ ଗସ୍ତରେ ଆସୁଛନ୍ତି। ଏହି ତଥ୍ୟରୁ ଜଣାପଡୁଛି ଦୋଷୀ ପାଖରେ ଅର୍ଥର ଅଭାବ ନାହିଁ। ଉତ୍ପୀଡ଼ନର ଶିକାର ହୋଇଥିବା ମହିଳାଙ୍କୁ ସେ ପର୍ଯ୍ୟାପ୍ତ ଜରିମାନା ଦେଇପାରିବ।
କିଛି ସମୟ ଧରି ତଳୁ ଉଠିନଥିଲେ ରାମରହିମ, ତାଙ୍କ ଆଖିରୁ ଲୁହ ଗଡ଼ି ଯାଉଥିଲା। ତାଙ୍କୁ ଜବରଦସ୍ତ କୋର୍ଟରୁ ଜେଲ ମଧ୍ୟକୁ ନିଆଯାଇଥିଲା। ପ୍ରାୟ ୬ କୋଟି ଅନୁଗାମୀଙ୍କ ଆସ୍ଥା ଭାଙ୍ଗିଥିବା ଏହି ବଳାତ୍କାରୀ ବାବାଙ୍କ ଏବେ ନୂଆ ପରିଚୟ ହେଉଛି କଏଦୀ ନମ୍ବର-୧୯୯୭।
ରାମ ରହିମଙ୍କୁ କଠୋର ଦଣ୍ଡ ଦେଇ କୋର୍ଟ, ଭାରତୀୟ ବିଚାର ବିଭାଗର ସମ୍ମାନକୁ ବହୁଗୁଣିତ କରିଛନ୍ତି। ଏକଥା ପ୍ରମାଣ ହୋଇଛି, ଯିଏ ଯେତେ ଶକ୍ତିଶାଳୀ ହେଉ, ଲୋକବଳ, ଧନବଳ ଓ ରାଜନୈତିକ ପୃଷ୍ଠପୋଷକତା ପାଇ ଯେତେ ବଳୀୟାନ ମନେକରନ୍ତୁ, ଦିନେ ନା ଦିନେ ନିଜ ଅପକର୍ମ ପାଇଁ ତାଙ୍କୁ ଦଣ୍ଡ ଭୋଗିବାକୁ ପଡ଼ିବ।
Tags: Bhubaneswar News, Breaking News, CBI, Dera Sacha Sauda, Gurmeet Ram Rahim, Gurmeet Ram Rahim Singh, Hanipreet, Hanipreet Isnan, Latest News, Odisha Breaking News, Odisha News, Odisha Stories, Odisha Top Stories, Punjab, Ram Rahim, Ram Rahim Verdict, Rape Case, Top Stories