ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୪ ନିର୍ବାଚନ ପାଣ୍ଠିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଅଡୁଆ ବଢ଼ୁଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ନିର୍ବାଚନ ଅଧିକାରୀ ଏବଂ ଗଞ୍ଜାମ ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରି ସୁପ୍ରିମକୋର୍ଟ ଏନେଇ ନୋଟିସ ଜାରି କରିବା ପରେ ଘଟଣା ଭିନ୍ନ ମୋଡ଼ ନେବାକୁ ଯାଉଛି।

ନିର୍ବାଚନ ପାଣ୍ଠି ସମ୍ପର୍କିତ ମାମଲା ଓଡ଼ିଶା ହାଇକୋର୍ଟରୁ ଦିଲ୍ଲୀ ହାଇକୋର୍ଟକୁ ସ୍ଥାନାନ୍ତର କରିବା ପାଇଁ ସୁବାସ ମହାପାତ୍ର ନାମକ ଜଣେ ବ୍ୟକ୍ତି ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଥିଲେ। ତେବେ କାହିଁକି ହୋଇପାରିବ ନାହିଁ ଏନେଇ ସୁପ୍ରିମକୋର୍ଟ ୩ ସପ୍ତାହ ଭିତରେ ରିପୋର୍ଟ ତଲବ କରିଛନ୍ତି। ଓଡ଼ିଶାରେ ଏହି ମାମଲା ବିଚାରାଧୀନ ହେଲେ ପ୍ରଭାବିତ ହେବାର ଆଶଙ୍କା କରି ମହାପାତ୍ର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ସୁପ୍ରିମକୋର୍ଟ ଆମ ପିଟିସନ ଗ୍ରହଣ କରିଛନ୍ତି। ଓଡ଼ିଶା ହାଇକୋର୍ଟରୁ ଦିଲ୍ଲୀ ହାଇକୋର୍ଟକୁ ମାମଲା କାହିଁକି ସ୍ଥାନାନ୍ତର ହୋଇପାରିବ ନାହିଁ ବୋଲି ରିପୋର୍ଟ ତଲବ କରିଛନ୍ତି ବୋଲି ମହାପାତ୍ରଙ୍କ ଓକିଲ ନରେନ୍ଦ୍ର ହୁଡା କହିଛନ୍ତି ।

ଏହି ଘଟଣାକୁ ନେଇ ଗତ କିଛିଦିନ ତଳେ ରାଜ୍ୟ ରାଜନୀତି ପାଣିପାଗ ଉଷ୍ମ ରହିଥିଲା। ବିରୋଧୀ ବିଜେପି ଏହାକୁ ନେଇ ଶାସକ ଦଳକୁ ଘେରିଥିଲା। ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେବା ସହ ଘଟଣାର ସତ୍ୟାସତ୍ୟ ତଦନ୍ତ ପାଇଁ ଇଡିର ଦ୍ୱାରସ୍ଥ ହୋଇଥିଲା। ଏବେ ସୁପ୍ରିମକୋର୍ଟଙ୍କ ନୋଟିସ ପାଇବା ପରେ ନବୀନଙ୍କ ପାଇଁ ଅଡୁଆ ବଢ଼ିପାରେ ବୋଲି ରାଜନୀତି କରିଡରରେ ଚର୍ଚ୍ଚା ଜୋର୍ ଧରିଛି ।

Tags: BJD, Naveen Patnaik, Chief Minister, Politics, Odisha Politics, 2014 Election, Supreme Court, Bhubaneswar News, Breaking News, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories, BJP

Comment