ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାଖେଇ ଆସୁଛି ଛାତ୍ର ସଂସଦ ନିର୍ବାଚନ। ଏହାକୁ ନେଇ ରାଜ୍ୟର ପ୍ରମୁଖ କ୍ୟାମ୍ପସରେ ପ୍ରଚାର ଜମୁଛି। ବିଶେଷକରି ଆଶାୟୀ ପ୍ରାର୍ଥୀମାନେ ସୋସିଆଲ ମିଡିଆକୁ ଗୁରୁତ୍ୱ ଦେଉଛନ୍ତି। ଫେସବୁକ୍, ହ୍ୱାଟସ୍ଆପ୍, ହାଇକ୍, ଇନଷ୍ଟାଗ୍ରାମ ଆଦିରେ ଶୁଭେଚ୍ଛା ବାର୍ତ୍ତା ଏବଂ ଫଟୋ ଅପଲୋଡ କରି ପିଲାଙ୍କ ନିକଟତର ହେଉଛନ୍ତି। ଭୋଟ ପାଇବା ଆଶାରେ ପିଲାଙ୍କ ସହ ରାତି ଅନିଦ୍ରା ହୋଇ ଚାଟ୍ କରୁଛନ୍ତି ପ୍ରାର୍ଥୀ।
ଏହାସହ ଗଣେଶ ପୂଜା, ନୂଆଁଖାଇ ଆଦିର ଅଭିନନ୍ଦନ ଭରା ହୋର୍ଡିଂ ମାରି କ୍ୟାମ୍ପସକୁ ସରଗରମ୍ କରି ଦେଇଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟର ପିଜି ଶେଷ ବର୍ଷର ଛାତ୍ର ଶିଶିର କୁମାର ବେହେରା କୁହନ୍ତି, ପୂର୍ବର ଛାତ୍ର ରାଜନୀତିର ତରିକା ବଦଳିଛି। ଆଶାୟୀ ପ୍ରାର୍ଥୀମାନେ ନିର୍ବାଚନ ଆଗରୁ ହଷ୍ଟେଲରୁ ହଷ୍ଟେଲ ବୁଲି ପ୍ରତି ପିଲାଙ୍କ ସହ ମିଶୁଥିଲେ। ମାତ୍ର ବର୍ତ୍ତମାନ ସୋସିଆଲ ମିଡିଆର ଗୁରୁତ୍ୱ ବଢ଼ିଥିବାରୁ ଆଶାୟୀ ପ୍ରାର୍ଥୀ ଫେସବୁକ୍, ହ୍ୱାଟ୍ସଆପ୍ର ବ୍ୟବହାର ଅଧିକ କରୁଛନ୍ତି। ଯେଉଁମାନଙ୍କ ସହ ଯିଏ ସିଧାସଳଖ କଥା ହୋଇପାରୁ ନ ଥିଲା ସେମାନେ ସୋସିଆଲ ମିଡିଆ ମାଧ୍ୟମରେ କଥା ହୋଇପାରୁଛନ୍ତି।
ଖାଲି ସେତିକି ନୁହେଁ, ଫେସବୁକରେ ବିଭିନ୍ନ ପ୍ରତିଶ୍ରୁତି ଏବଂ ପିଲାଙ୍କୁ ଆକୃଷ୍ଟ କରିବା ଭଳି ଲେଖା ପୋଷ୍ଟ କରାଯାଉଛି।
ଏ ସମ୍ପର୍କରେ ଛାତ୍ର ବିଜେଡି ସଭାପତି ରାଣା ପ୍ରତାପ ପାତ୍ର କୁହନ୍ତି,”କଲେଜ ନିର୍ବାଚନ ପାଇଁ ଛାତ୍ର ବିଜେଡି ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ବିଭିନ୍ନ କଲେଜରେ କ୍ୟାମ୍ପସ କମିଟି ଗଠନ କରାଯାଇ ପ୍ରାର୍ଥୀ ଚୟନ ଚୂଡାନ୍ତ କରାଯାଇଛି। ଏବେ ସୋସିଆଲ ମିଡିଆ ସହ ଛାତ୍ରୀଛାତ୍ରମାନେ ସିଧାସଳଖ ସମ୍ପର୍କରେ ରହୁ ଥିବାରୁ ଛାତ୍ର ବିଜେଡି ମଧ୍ୟ ଏହି ମାଧ୍ୟମରେ କ୍ୟାମ୍ପେନ୍ ଜୋରଦାର କରିବ”।
ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନ କୁହନ୍ତି, “ଆମ ସଙ୍ଗଠନ ତରଫରୁ ପ୍ରମୁଖ କଲେଜରେ ସୋସିଆଲ ମିଡିଆ କମିଟି ଗଠନ କରାଯାଇଛି। ଛାତ୍ରଛାତ୍ରୀଙ୍କ ପାଇଁ ଆମେ କ’ଣ କରିବୁ ଏବଂ ବିଗତ ଦିନରେ କ’ଣ କରିଥିଲୁ ସେ ସମ୍ପର୍କିତ ଫଟୋ ଅପ୍ଲୋଡ କରାଯାଉଛି। ପିଲାମାନେ ମଧ୍ୟ ସୋସିଆଲ ମିଡିଆରେ ଛାତ୍ର କଂଗ୍ରେସ ସହ ଅଧିକରୁ ଅଧିକ ଯୋଡି ହେଉଛନ୍ତି।”
ଆଗାମୀ ଛାତ୍ର ସଂସଦ ନିର୍ବାଚନରେ ଛାତ୍ର ବିଜେଡି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛାତ୍ରମାନଙ୍କ ପାଇଁ କରିଥିବା ବିଭିନ୍ନ ଯୋଜନାକୁ ମୁଖ୍ୟ ଅସ୍ତ୍ର କରିବ। ୧୭ ବର୍ଷ ମଧ୍ୟରେ ବିଭିନ୍ନ କଲେଜ କ୍ୟାମ୍ପସରେ ଯେଉଁ ଉଲ୍ଲେଖନୀୟ କାର୍ଯ୍ୟ କରାଯାଇଛି ତାହାକୁ ଛାତ୍ରଛାତ୍ରୀଙ୍କ ନିକଟରେ ସଙ୍ଗଠନ ଉପସ୍ଥାପିତ କରି ଭୋଟ ଆଣିବାକୁ ଯୋଜନା କରିଛି।
ସେହିପରି ଛାତ୍ର କଂଗ୍ରେସ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା, ବେକାରୀ ପ୍ରସଙ୍ଗ, କଲେଜରେ ଅଧ୍ୟାପକ ଅଭାବ, ଲାଇବ୍ରେରୀ ଏବଂ ୱାଇଫାଇ ଅସୁବିଧାକୁ ପ୍ରସଙ୍ଗ କରି ପିଲାଙ୍କ ପାଖକୁ ଯିବାକୁ ଆଶା ରଖିଛି।
Tags: BJD, BJP, Campus Election, Campus Election 2017, Congress, Odisha Politics, Politics, Student Election, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

Comment