ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସକାଳ ୧୦ଟାରେ ତାଙ୍କ ମନ୍ତ୍ରିମଣ୍ଡଳର ଅଦଳବଦଳ/ ବିସ୍ତାର କରିବେ। ଏହା ପୂର୍ବରୁ ସସପେନ୍ସ ଲାଗିରହିଛି। ମନ୍ତୀ ପରିଷଦରେ କିଏ ରହିବେ ଓ କିଏ ଯିବେ ସେ ନେଇ ଅନେକଙ୍କ ମନରେ ଛନକା ପଶିଛି। ମନ୍ତ୍ରୀମାନଙ୍କ ଭିତରେ ‘କୋ‌ଇ ଖୁସ୍‌ ହେ ତୋ କୋ‌ଇ ଗମ୍‌ ମେଁ’ ଭଳି ଅବସ୍ଥା।

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବୋଧହୁଏ ଏହା ହେବ ଶେଷ ମନ୍ତ୍ରିମଣ୍ଡଳ ଅଦଳବଦଳ। ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ସଭାପତି ଅମିତ ଶାହାଙ୍କ ମଧ୍ୟରେ ଘଣ୍ଟା ଘଣ୍ଟା ଧରି ମାନସମନ୍ଥନ ପରେ ନୂଆ ମନ୍ତ୍ରିମଣ୍ଡଳ ରୂପରେଖ ପ୍ରସ୍ତୁତ ହୋ‍ଇଛି।
ଅଦଳବଦଳ ପୂର୍ବରୁ କିଛି ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଥିବା ବେଳେ ଆଉ କିଛି ମନ୍ତ୍ରୀଙ୍କର ପଦୋନ୍ନତି ନିଶ୍ଚିତ ବୋଲି ଧରାଯାଉଛି। ଜଳସମ୍ବଳ ମନ୍ତ୍ରୀ ଉମା ଭାରତି ଇସ୍ତଫା ଦେଇନାହାନ୍ତି ସତ ହେଲେ ନିଜ ମନ୍ତ୍ରୀତ୍ୱ ବଜାୟ ରଖିବା ପାଇଁ କଡ଼ା ମନୋଭାବ ପୋଷଣ କରିଛନ୍ତି। ତେଣେ ଏହି ଖବର ମଧ୍ୟ ଆସୁଛି ଯେ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରି ରେଳ ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ ନେବା ପାଇଁ ରାଜି ନୁହଁନ୍ତି।
ରବିବାର ଦିନ ହେବାକୁ ଥିବା ଅଦଳବଦଳ ପାଇଁ ପ୍ରଶାସନିକ ପ୍ରକ୍ରିୟା ମଧ୍ୟ ଜାରି ରହିଛି। ମନ୍ତ୍ରିମଣ୍ଡଳରେ କାହାକୁ ନିଆଯିବ, ସେନେଇ ଗୃହମନ୍ତ୍ରୀ ରାଜନାଥ ସିଂଙ୍କ ଘରେ ଏକ ବୈଠକ ବସିଥିଲା। ଏଥିରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ, ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଓ ନୀତିନ ଗଡକରି ଉପସ୍ଥିତ ଥିଲେ। ଏହି ବୈଠକରେ ଆଗାମୀ ଦିନରେ ହେବାକୁ ଥିବା ବିଧାନସଭାକୁ ଦୃଷ୍ଟିରେ ରଖି ସେସବୁ ରାଜ୍ୟରୁ ଅଧିକ ମନ୍ତ୍ରୀ ନେବା ପାଇଁ ଆଲୋଚନା ହୋ‍ଇଥିବା ପ୍ରକାଶ।
ଇତି ମଧ୍ୟରେ ୬ ଜଣ ମନ୍ତ୍ରୀ ଇସ୍ତଫା ଦେଇସାରିଛନ୍ତି। ସେମାନେ ହେଲେ ରାଜୀବ ପ୍ରତାପ ରୁଡ଼ି, ସଞ୍ଜୀବ ବଲିୟାନ୍‍, ଫଗନ ସିଂ କୁଲସ୍ତେ, କଲରାଜ ମିଶ୍ର, ମହେନ୍ଦ୍ର ପାଣ୍ଡେ ଓ ବନ୍ଦାରୁ ଦତ୍ତାତ୍ରେୟ।
ମୋଦି ସରକାରକୁ ୩ ବର୍ଷ ପୂରିବା ଅବସରରେ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କର କାର୍ଯ୍ୟଧାରା ଓ ଦକ୍ଷତା ଉପରେ ଏକ ସମୀକ୍ଷା କରାଯାଇଥିଲା। ଏଥିରେ ପ୍ରାୟ ଅଧ ଡଜନ୍‍ ମନ୍ତ୍ରୀଙ୍କ କାର୍ଯ୍ୟ ଆଶାନୁରୂପ ନୂହେଁ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା। ରବିବାର ଅଦଳବଦଳରେ ଏହିସବୁ ବିଷୟକୁ ବିଚାରକୁ ନିଆଯିବ। କେବଳ କ୍ୟାବିନେଟ୍‍ ମନ୍ତ୍ରୀ ନୁହଁନ୍ତି, କିଛି ରାଷ୍ଟ୍ରମନ୍ତ୍ରୀଙ୍କର ବିଭାଗ ବି ବଦଳାଯାଇପାରେ, ବିଶେଷକରି ଯେଉଁମାନଙ୍କର କାର୍ଯ୍ୟକଳାପ ଏତେ ସନ୍ତୋଷଜନକ ନୁହେଁ।
ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ ପରେ ପରେ ପ୍ରଧାନମନ୍ତ୍ରୀ ବ୍ରିକ୍‍ସ ସମ୍ମିଳନୀ ପାଇଁ ଚୀନ୍‍ ଗସ୍ତରେ ଚାଲିଯିବେ।
ଶୁଣାଯାଉଛି, ଏହି ଅଦଳବଦଳରେ ୧୪/୧୫ ଜଣ ନୂଆ ମୁହଁକୁ ଦେଖିବାକୁ ମିଳିବ। ଯେଉଁ ମନ୍ତ୍ରୀଙ୍କୁ ମନ୍ତ୍ରୀପଦରୁ ହଟାଯିବ, ସେମାନଙ୍କୁ ସଙ୍ଗଠନ କାମରେ ନିୟୋଜିତ କରାଯିବ। ମନ୍ତ୍ରିମଣ୍ଡଳ ଅଦଳବଦଳ ପରିପ୍ରେକ୍ଷୀରେ ଆଉ ଏକ ବିଷୟ ହେଉଛି କିଛି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ। ହିମାଚଳ ପ୍ରଦେଶ, ଗୁଜୁରାଟ, କର୍ଣ୍ଣାଟକ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ନିର୍ବାଚନ ହେବାକୁ ଯାଉଛି। ଏଥିମଧ୍ୟରୁ ହିମାଚଳ ପ୍ରଦେଶ ଓ ଗୁଜୁରାଟରେ ଏହି ବର୍ଷ ଶେଷ ସୁଦ୍ଧା ନିର୍ବାଚନ ହେବ। ଅବଶିଷ୍ଟ ରାଜ୍ୟରେ ଆସନ୍ତା ବର୍ଷ ଭୋଟ୍‍ ହେବ।
ଯେଉଁମାନଙ୍କୁ ନୂଆ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବ, ସେମାନଙ୍କ ଭିତରେ ଅଛନ୍ତି ସୁରେଶ ଆଙ୍ଗଡି, ପ୍ରହଲ୍ଲାଦ ଜୋଶୀ (କର୍ଣ୍ଣାଟକ), ସତ୍ୟପାଲ ସିଂ (ଉତ୍ତରପ୍ରଦେଶ), ପ୍ରହଲ୍ଲାଦ ପଟେଲ (ମଧ୍ୟପ୍ରଦେଶ), ବିନୟ ସହସ୍ରବୁଦ୍ଧେ (ମହାରାଷ୍ଟ୍ର), ଏଚ୍‌ ଭି ଶର୍ମା (ଆସାମ), ମହେଶ ଗିରି (ଦିଲ୍ଲୀ), ଭୂପିନ୍ଦର ଯାଦବ (ରାଜସ୍ଥାନ), ଅନୁରାଗ ଠାକୁର (ହିମାଚଳ)। ଏହାଛଡ଼ା ଜେଡିୟୁର ସି ପି ଏନ୍‍ ସିଂ ଓ ସନ୍ତୋଷ ଖୁସବାଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିବ ବୋଲି ଅନୁମାନ କରାଯାଉଛି।
Tags: Modi, Narendra Modi, Politics, Indian Politics, BJP, BJP Ministers,Nitin Gadkari, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

Comment