ଭାସ୍କର ପରିଚ୍ଛା

ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମନ୍ତ୍ରିମଣ୍ଡଳରେ ଯେଉଁ ସବୁ ପରିବର୍ତ୍ତନ ଆଣିଛନ୍ତି ସେଥିରେ ନେତାଙ୍କ ଅପେକ୍ଷା ବାବୁଙ୍କୁ  ଅଧିକ ଗୁରୁତ୍ୱ ଦିଆଯାଇଛି। ଏତେ ସଂଖ୍ୟାରେ ପ୍ରଶାସକଙ୍କୁ ମନ୍ତ୍ରୀ କରିବା ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସମ୍ଭବତଃ ଏହା ହେଉଛି ଶେଷ ଅଦଳବଦଳ ଏବଂ ‘କର ବା ମର’ ନୀତି ଅବଲମ୍ବନ କରିଛନ୍ତି ମୋଦି।
ଯାବତୀୟ ଅନୁମାନ ଓ ଆକଳନକୁ ପାଖକୁ ଠେଲି ମୋଦି ଯେଉଁଭଳି ୯ଟି ନୂଆ ମୁଁହ ନେବା ସହିତ ୪ଟି ପୁରୁଣା ମୁଁହକୁ ପଦୋନ୍ନତି ଦେଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।
ଏହି ସମ୍ପ୍ରସାରଣରୁ ଗୋଟିଏ ସଫା ସନ୍ଦେଶ ଗଲା ଯେ ଏବେ ‘ପିଏମ’ ମୋଦି ‘ସିଏମ’ ମୋଦି ଭଳି କାମ କରିବେ।
ଅର୍ଥାତ୍‍ ରାଜନୈତିକ ରଣକୌଶଳ ଓ ସରକାରର ଚେହେରା ସଜାଡ଼ିବା ଦାୟିତ୍ୱ ସେ ନିଜେ ନେବେ ଏବଂ ମନ୍ତ୍ରୀମାନଙ୍କୁ କେବଳ କାମ ହିଁ କରିବାକୁ ହେବ। ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ମନ୍ତ୍ରିମଣ୍ଡଳର ମନ୍ତ୍ରୀମାନଙ୍କ ଉପରେ ଏବେ ପୂରା କାର୍ଯ୍ୟ ସମ୍ପାଦନ ଦାୟିତ୍ୱ।
କେହି କେହି ଏହାକୁ ମୋଦିଙ୍କ ଗୁଜରାଟ ମୁଖ୍ୟମନ୍ତ୍ରୀ ବେଳର କାର୍ଯ୍ୟଧାରା ସହିତ ତୁଳନା କରୁଛନ୍ତି।
ଆସନ୍ତା ଦେଢ଼ ବର୍ଷ ମଧ୍ୟରେ ମୋଦି ‘ଡେଲିଭେରି’ ଉପରେ କେବଳ ଗୁରୁତ୍ୱ ଦେବାକୁ ଚାହୁଁଛନ୍ତି। ମୋଦି ସ୍ପଷ୍ଟ ଭାବରେ ଜାଣିଛନ୍ତି ଯେ ୨୦୧୯ ନିର୍ବାଚନରେ ଲୋକେ ଯଦି ଭୋଟ ଦେବେ କେବଳ ତାଙ୍କୁ ଦେଖି ହିଁ ଭୋଟ ଦେବେ। ମନ୍ତ୍ରିମଣ୍ଡଳ, ଜାତି, ଅଞ୍ଚଳ ଆଦିର କିଛି ମାନେ ରହିବ ନାହିଁ।
ଏହି ମନ୍ତ୍ରିମଣ୍ଡଳ ଅଦଳବଦଳରେ ଦୁଇଜଣ ପ୍ରାକ୍ତନ ଆଇଏଏସ, ଜଣେ ପ୍ରାକ୍ତନ ଆଇପିଏସ ଓ ଜଣେ ପ୍ରାକ୍ତନ ଆଇଏଫଏସ ଅଫିସର ମନ୍ତ୍ରୀ ପରିଷଦରେ ସ୍ଥାନ ପାଇଛନ୍ତି। ବୁଝିବାରେ କୌଣସି ଅସୁବିଧା ନାହିଁ ଯେ ମୋଦି ନେତାଙ୍କ ଉପରେ ଆଉ ନିର୍ଭର କରୁନାହାଁନ୍ତି।
ପୂର୍ବରୁ ମନ୍ତ୍ରୀ ଥିବା ପିୟୁଷ୍ ଗୋଏଲ ଓ ଧର୍ମେନ୍ଦ୍ର ପ୍ରଧାନ ସେମାନଙ୍କ ନିଜ ନିଜ ମନ୍ତ୍ରାଳୟର ସିଇଓ ଭାବେ କାମ କରୁଥିବା କାରଣରୁ ଏବେ ସେମାନଙ୍କୁ ପୁରସ୍କାରସ୍ୱରୂପ ପଦୋନ୍ନତି ମିଳିଛି।
ମୋଦିଙ୍କ ଆଉ ଏକ ଚିନ୍ତା ହେଉଛି ନୂଆ ଭାରତର କଳ୍ପନାକୁ ସାକାର କରିବା ପାଇଁ ପାରମ୍ପରିକ ନେତାଙ୍କ ଅପେକ୍ଷା ପ୍ରଶାସକଙ୍କ ଆବଶ୍ୟକତା ରହିଛି। ଗତ କିଛି ଦିନ ମଧ୍ୟରେ ସେ ପ୍ରଶାସକଙ୍କ ସହିତ ଘନ ଘନ ବୈଠକ ଅନୁଷ୍ଠିତ କରିଥିଲେ। ମୋଦି ଏହା ଜଣାଇ ଦେବାକୁ ଚାହାଁନ୍ତି ଯେ କାମ ଓ ଚିନ୍ତାରେ କୌଣସି ଆଳସ୍ୟକୁ ପ୍ରଶ୍ରୟ ଦିଆଯିବ ନାହିଁ।
ମନେପକାଇ ଦିଆଯାଇପାରେ ଯେ ଗୁଜୁରାତ ମୁଖ୍ୟମନ୍ତ୍ରୀ ଥିବା ବେଳେ ମୋଦି ଅଫିସରଙ୍କ ଉପରେ ଅଧିକ ଭରସା କରୁଥିଲେ। ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନାର ସଫଳତା ପାଇଁ ସେ ଅଧିକାରୀମାନଙ୍କୁ ପୂରା ସ୍ଵାଧୀନତା ଦେଇଥିଲେ।

୨୦୧୯ ଭୋଟ ପୂର୍ବରୁ ଅବଶିଷ୍ଟ ସମୟ ମଧ୍ୟରେ ସେ ଗୁଜୁରାତ ଢାଞ୍ଚାରେ କାମ କରିବା ସହିତ ସରକାରକୁ ସକାରାତ୍ମକ ଭାବେ ନିର୍ବାଚନକୁ ନେବା ପାଇଁ ଇଛୁକ।

ସେ ଯେଉଁମାନଙ୍କୁ ମନ୍ତ୍ରୀ କରିଥିଲେ ସେମାନେ ତାଙ୍କ ଆଶାକୁ ପୁରଣ କରିବାରେ ସଫଳ ହୋଇ ନାହାନ୍ତି ବୋଲି ମୋଦି ସ୍ପଷ୍ଟ ସଙ୍କେତ ଦେଇଛନ୍ତି। ମନ୍ତ୍ରିମଣ୍ଡଳ ସଂପ୍ରସାରଣରେ ଯେଉଁ ବିକଳ୍ପ ପନ୍ଥା ସେ ଗ୍ରହଣ କରିଛନ୍ତି ତାହା ତାଙ୍କ ଅସନ୍ତୋଷର ପ୍ରତିଫଳନ ମାତ୍ର।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଏବଂ ଓଡ଼ିଶା ଲାଇଭର ପରାମର୍ଶଦାତା ସମ୍ପାଦକ)

Tags: Bhaskar Parichha, Bhubaneswar News, BJP, BJP Ministers, Breaking News, Cabinet Ministers, Cabinet Reshuffle, Dharmendra Pradhan, Indian Politics, Latest News, Modi, Modi Ministers, Narendra Modi, Odisha Breaking News, Odisha News, Odisha Stories, Odisha Top Stories, Politics, Skill Development, Top Stories

Comment