ଓଡ଼ିଶାଲାଇଭ୍‌ ବ୍ୟୁରୋ

ମିଶନ-୧୨୦ ଓଡ଼ିଶାରେ କିପରି ସଫଳ ହେବ?
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ରଣନୀତିକୁ ନେଇ ବିଜେପି ଆଗକୁ ବଢ଼ୁଛି। ୨୦୧୯ରେ ଓଡ଼ିଶାରେ ଶାସନ ଗାଦି ଦଖଲ କରିବା ପାଇଁ ଶାହା ମିଶନ-୧୨୦ର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏହି ଆହ୍ବାନକୁ ରାଜ୍ୟ ନେତୃବୃନ୍ଦ ଗ୍ରହଣ କରିଛନ୍ତି। ଏହାକୁ କିପରି ହାସଲ କରାଯିବ ସେନେଇ ରୋଡମ୍ୟାପ୍ ପ୍ରସ୍ତୁତ କରିବାକୁ ଶାହା ଓଡ଼ିଶା ଗସ୍ତରେ ଆସୁଛନ୍ତି। ୬ରୁ ୮ ତାରିଖ ପର୍ଯ୍ୟନ୍ତ ଶାହା ଓଡ଼ିଶାରେ ରହି ରଣନୀତି ପ୍ରସ୍ତୁତ କରିବା ପରେ ଦଳ ଏହି ଲକ୍ଷ୍ୟ ପଥରେ ଆଗେଇ ଯିବ।
୩ ଦିନ ଧରି ଶାହା କେଉଁ ପ୍ରସଙ୍ଗରେ ଆଲୋଚନା କରିବେ?
ବିଜେପିକୁ ରାଜ୍ୟରେ ସୁଦୃଢ଼ କରିବା ପାଇଁ ୭ଟି ମୋର୍ଚ୍ଚା, ୧୯ଟି ବିଭାଗ ଏବଂ ୧୦ଟି ପ୍ରକଳ୍ପ କାର୍ଯ୍ୟ କରୁଛି। ଏସବୁର କାର୍ଯ୍ୟକର୍ତ୍ତାଙ୍କୁ ଶାହା ପୃଥକ୍ ପୃଥକ୍ ଆଲୋଚନା କରିବେ। ଦଳ କିପରି ସୁଦୃଢ଼ ହେବ ସେନେଇ ମାର୍ଗ ଦର୍ଶନ କରିବେ। ଆଗାମୀ ଦିନ ପାଇଁ କାର୍ଯ୍ୟ ଖସଡା ପ୍ରସ୍ତୁତ କରି କାର୍ଯ୍ୟକର୍ତ୍ତାଙ୍କୁ ଟାସ୍କ ଦେବେ। ଜୁଲାଇ ଗସ୍ତ ବେଳେ ଶାହା ଏହି କାର୍ଯ୍ୟକର୍ତ୍ତାଙ୍କୁ ‘ମୋ ବୁଥ୍ ସବୁଠୁ ମଜଭୁତ’ କାର୍ଯ୍ୟକ୍ରମକୁ ଆଗକୁ ନେବା ପାଇଁ ଟାସ୍କ ଦେଇଥିଲେ। ନୂତନ ସଦସ୍ୟ ସଂଗ୍ରହ କରିବା ପାଇଁ ପରାମର୍ଶ ଦେଇଥିଲେ। ତାଙ୍କ ପରାମର୍ଶକୁ କାର୍ଯ୍ୟକର୍ତ୍ତାମାନେ କେତେଦୂର କାର୍ଯ୍ୟରେ ଲଗାଇଛନ୍ତି ତାର ସମୀକ୍ଷା ମଧ୍ୟ ଶାହା କରିବେ।
ଧର୍ମେନ୍ଦ୍ରଙ୍କ ପଦୋନ୍ନତିକୁ ନେଇ ବିଜେପି କର୍ମୀ କେତେ ଉତ୍ସାହିତ ?
ବିଜେପିର ଜଣେ ଯୁବ ନେତା ତଥା ଦକ୍ଷ ସଙ୍ଗଠକ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରରେ କ୍ୟାବିନେଟ୍ ମନ୍ତ୍ରୀ ହୋଇଛନ୍ତି। ଏହାକୁ ନେଇ ରାଜ୍ୟ ବିଜେପି କର୍ମୀ ଉତ୍ସାହିତ ରହିବା ସ୍ୱାଭାବିକ। ଶ୍ରୀ ପ୍ରଧାନଙ୍କ ପଦୋନ୍ନତି ଓଡ଼ିଶାର ମାନ, ସମ୍ମାନକୁ ଆହୁରି ଆଗକୁ ନେଇଛି। ଏହାଦ୍ୱାରା ରାଜ୍ୟ ବିଜେପିର ସଙ୍ଗଠନ ମଜଭୁତ ହେବ ବୋଲି ଆଶା ରହିଛି।
ଧର୍ମେନ୍ଦ୍ରଙ୍କୁ କୌଶଳ ବିକାଶ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି, ଏହାଦ୍ୱାରା ଯୁବପିଢ଼ି କେତେଦୂର ସ୍ୱାବଲମ୍ବୀ ହେବେ ?
ଧର୍ମେନ୍ଦ୍ରଙ୍କ ଭଳି ଜଣେ ଯୁବ ନେତାଙ୍କୁ କୌଶଳ ବିକାଶ ବିଭାଗର ଦାୟିତ୍ୱବ ଦିଆଯାଇଥିବାରୁ ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ କୃତଜ୍ଞାତା ଜ୍ଞାପନ କରୁଛୁ। ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ କାର୍ଯ୍ୟକ୍ରମ ଯୋଗୁ ଅଣକୁଶଳୀ ଶ୍ରମିକ ଆଜି କୁଶଳୀ ହୋଇପାରିଛି। ଯୁବପିଢ଼ି ସ୍ୱାବଲମ୍ବୀ ହୋଇଛନ୍ତି। କୌଶଳ ବିକାଶ ବିଭାଗର ଦାୟିତ୍ୱ ନେଇଥିବା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି ଧାରାକୁ ଆଗକୁ ନେବେ ବୋଲି ବିଶ୍ୱାସ ରହିଛି।
କେଉଁ ଆଧାରରେ ଓଡ଼ିଶାରେ ବିଜେପି କ୍ଷମତାକୁ ଆସିବ ବୋଲି ଆପଣ କହୁଛନ୍ତି ?
ଯେତେବେଳେ ମୋଦି ପ୍ରଧାନମନ୍ତ୍ରୀ ପଦ ଅଳଙ୍କୃତ କଲେ ସେତେବେଳେ ଆମେ ୭ଟି ରାଜ୍ୟରେ କ୍ଷମତାରେ ଥିଲୁ। ଏହା ଏବେ ବୃଦ୍ଧି ପାଇଛି। ବିଜେପି ବର୍ତ୍ତମାନ ୧୮ଟି ରାଜ୍ୟରେ ସରକାର ଗଠନ କରିବାରେ ସମର୍ଥ ହୋଇଛି। ମୋଦିଙ୍କ ଦିଗଦର୍ଶନ ଏବଂ ଶାହାଙ୍କ ରଣନୀତି ବଳରେ ବିଜେପି ଅନ୍ୟ ରାଜ୍ୟରେ ମଧ୍ୟ ଆଗାମୀ ଦିନରେ ସରକାର ଗଠନ କରିବ। ଓଡ଼ିଶାରେ ମଧ୍ୟ ଆମେ ଏହି ଆଧାରକୁ କେନ୍ଦ୍ର କରି ସରକାର ଗଠନ କରିବୁ ବୋଲି ଆଶାବାଦୀ ଅଛୁ।
(ପ୍ରସ୍ତୁତି : ସତ୍ୟବ୍ରତ ପାଢ଼ୀ)
Tags: Basanta Kumar Panda, BJD, BJP, Congress, Odisha Politics, Politics, Bhubaneswar News, Breaking News, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories

Comment